Unknown

 

 

 

 

 

 

 

 

 

 

 

ଅବ୍ୟକ୍ତ ଅନ୍ଧକାର

ଶ୍ରୀ ଅପୂର୍ବ ରଞ୍ଜନ ରାୟ

 

 

 

 

 

 

 

 

 

 

 

 

 

ସହଧର୍ମିଣୀ ଶ୍ରଦ୍ଧେୟା

ଶ୍ରୀମତୀ ଅନସୂୟା ରାୟଙ୍କୁ

 

ମୁଖଶାଳା ଲିପି

 

ଏହି ଉପନ୍ୟାସଟିର କଥାବସ୍ତୁକୁ ନେଇ ମୋ’ଦ୍ଵାରା ଲିଖିତ ବେତାର ନାଟକ ଆକାଶବାଣୀରୁ ଶୁଣିବା ପରେ, ଓଡ଼ିଶାର ଅସଂଖ୍ୟ ସାହିତ୍ୟିକ, ସାହିତ୍ୟ ପ୍ରେମୀ ଓ ସାଧାରଣ ଶ୍ରୋତା ମୋତେ ଯେଭଳି ଭାବରେ ଅଭିନନ୍ଦିତ କରିଛନ୍ତି, ବାସ୍ତବରେ ଏହାହିଁ ହେଉଛି ଲେଖକର ଯଥାର୍ଥ ପୁରସ୍କାର । ସେହିମାନଙ୍କର ଅନାବିଳ ପ୍ରୀତି ଓ ମତାମତ ଲାଗି ମୁଁ ମୁକ୍ତକଣ୍ଠରେ କୃତଜ୍ଞତା ସ୍ଵୀକାର କରୁଛି ।

 

କେତେକ ଅନ୍ତରଙ୍ଗ ସାହିତ୍ୟିକ ବନ୍ଧୁ ଏହି ନାଟକଟି ମୋର ଏକ ଉପନ୍ୟାସର କଥାବସ୍ତୁକୁ ନେଇ ଲିଖିତ ବୋଲି ଜାଣିବାମାତ୍ରେ, ଉପନ୍ୟାସଟିକୁ ଶୀଘ୍ର ପ୍ରକାଶ କରିବା ଲାଗି ଅଜସ୍ର ପ୍ରେରଣା ଭରି ଦେଇଥିଲେ । ଆଜି ଏହି ଉପନ୍ୟାସର ଶୁଭମୁକ୍ତିବେଳାରେ ସେହି ବନ୍ଧୁମାନଙ୍କୁ ସର୍ବପ୍ରଥମେ ସ୍ମରଣ କରୁଛି ।

 

ନିଜ ସୃଷ୍ଟିର ଗୌରଚନ୍ଦ୍ରିକାକୁ ବିସ୍ତୃତ ନକରି, ସହୃଦୟ ପାଠକ ପାଠିକାମାନଙ୍କ ହାତକୁ ଏଇ ସୃଷ୍ଟିଟିକୁ ତୋଳି ଦେଉଛି । ସେମାନେ ଏହାର ଉପଯୁକ୍ତ ବିଚାରକ ହୋଇ ପାରିବେ, ଏତକ ଆସ୍ଥା ଓ ବିଶ୍ଵାସ ମୋର ରହିଛି । ସହୃଦୟ ପାଠକ ସମାଜ ଉପରେ ଚିରକାଳ ସ୍ରଷ୍ଟାର ଏତକ ବିଶ୍ଵାସ ରହିଥାଏ ।

 

ଏହି ସୃଷ୍ଟିର ଅନ୍ତରାଳରେ ଯେଉଁ ସହାନୁଭୂତିଶୀଳ ବନ୍ଧୁମାନଙ୍କର ସସ୍ନେହ ଆକର୍ଷଣ ମୋତେ ମୁଗ୍ଧ କରିଛି, ସେମାନେ ହେଲେ ଅଧ୍ୟାପକ ଜନ୍ମେଜୟ ଦ୍ଵିବେଦୀ, ଅଧ୍ୟାପକ ଜ୍ୟୋତି ରଞ୍ଜନ ନନ୍ଦ, ଅଧ୍ୟାପକ ସଞ୍ଜୀବ ମିଶ୍ର ଓ ଅଧ୍ୟାପକ ଅଶୋକ ରାୟ । ସେମାନଙ୍କର ବନ୍ଧୁବତ୍ସଳତା ନିକଟରେ ମୁଁ କୃତଜ୍ଞ ।

 

ଏହାର ବେତାର ରୂପାନ୍ତର ପ୍ରଚାର ଓ ପ୍ରସାର ଦିଗରେ କଟକ ଆକାଶବାଣୀ ଯତ୍ନ ନେଇଥିବାରୁ ନାଟକ ବିଭାଗର ପ୍ରଯୋଜକ ନାଟ୍ୟକାର ମନୋରଞ୍ଜନ ଦାସ, ନାଟ୍ୟକାର ହିମାଂଶୁ ଭୂଷଣ ସାବତ ଓ ନାଟ୍ୟକାର ନରସିଂହ ମହାପାତ୍ରଙ୍କୁ ଧନ୍ୟବାଦ ଦେଉଛି ।

 

ସାହିତ୍ୟିକ ବନ୍ଧୁ ଅଧ୍ୟାପକ ଦ୍ଵିବେଦୀ ଓ ଆଉ କେତେଜଣ ଉତ୍ସାହୀ ବନ୍ଧୁ ପ୍ରସ୍ତୁତ କରିବାକୁ ଯାଉଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ଲାଗି, ଏହି ଉପନ୍ୟାସଟିକୁ ମନୋନୀତ କରିଥିବା, ଲେଖକ ପକ୍ଷରେ ଅନ୍ୟ ଏକ ଆନନ୍ଦର ବିଷୟ । ଭଗବାନ ଆଶୀର୍ବାଦ କରନ୍ତୁ, ସେମାନଙ୍କ ଆଗ୍ରହ ଓ ଉଦ୍ୟମ ସଫଳ ହେଉ ।

 

ଓଡ଼ିଶାର ଅନ୍ୟତମ ବୟୋଜ୍ୟେଷ୍ଠ ସମ୍ମାନନୀୟ ପ୍ରକାଶକ ଶ୍ରୀ ଅନନ୍ତ ମିଶ୍ର ଏହାର ପ୍ରକାଶନ ଦାୟିତ୍ଵ ବହନ କରିଥିବାରୁ ଓ ଶିଳ୍ପୀ ବନ୍ଧୁ ଶ୍ରୀ ଅସିତ ମୁଖାର୍ଜୀ ତାଙ୍କ ତୂଳୀ ସ୍ପର୍ଶରେ ଲେଖକଙ୍କ ଭାବାବେଗକୁ ରୂପଦେଇ ପାରିଥିବାରୁ ଦୁହିଁଙ୍କୁ ମୋର ଆନ୍ତରିକ ଧନ୍ୟବାଦ ।

 

‘କଲ୍ୟାଣୀ ପ୍ରିଣ୍ଟର୍ସ’ର ମାଲିକ ଶ୍ରୀ ଉଦୟନାଥ ପରିଜା ଓ ଶ୍ରୀ ଯୁଧିଷ୍ଠିର ଜେନାଙ୍କ ଯତ୍ନ ଫଳରେ ପୁସ୍ତକଟି ଯଥାସମୟରେ ମୁଦ୍ରିତ ହୋଇ ପାରିଥିବାରୁ ଦୁହିଁଙ୍କ ସହଯୋଗ ଭୁଲି ହେବନି ।

 

ଆଉ କିଛି କହିବି ନାହିଁ । କାରଣ ମହାକାଳର ସ୍ଵର ଓ ଭାଷାଠାରୁ ଆଉ ଅଧିକ ବା କିଏ କ’ଣ କହିପାରିବ !

 

ଉପନ୍ୟାସଟି ପାଠକ ସମାଜରେ ଆଦୃତ ହେଲେ ନିଜକୁ ଧନ୍ୟ ମନେ କରିବି ।

 

ମଠସାହି, ଭଦ୍ରକ

ବିନୀତ

୧୯୮୧

ଶ୍ରୀ ଅପୂର୍ବ ରଞ୍ଜନ ରାୟ

Image

 

ଏଇ ଲେଖକଙ୍କର ଅନ୍ୟାନ୍ୟ ପୁସ୍ତକରୁ କେତୋଟି

 

୧.

ସାରସ୍ଵତ ପୁରୁଷ କାନ୍ତକବି ଲକ୍ଷ୍ମୀକାନ୍ତ

୨.

ଆଧୁନିକ କବିତାର ଦିଗ୍‌ଦର୍ଶନ

୩.

ଅନ୍ୟ ଏକ ଧର୍ମପଦ

୪.

କଥା ଓ କାହାଣୀ

୫.

ମହାପୁରୁଷ ଶ୍ରୀରାମକୃଷ୍ଣ ପରମହଂସ

୬.

କାହାଣୀ ବିଚିତ୍ରା

୭.

ଚେତନାର ନବ ଦିଗନ୍ତ

୮.

ସାରସ୍ଵତ ସାଧକ କବିଶେଖର ଚିନ୍ତାମଣି

୯.

ନୀରବତାର ସ୍ଵରଲିପି

୧୦.

କବିତା ଦୀକ୍ଷା

୧୧.

ସାହିତ୍ୟ ସୂଚୀରୁ କେତୋଟି

୧୨.

ବିଶ୍ଵବରେଣ୍ୟ ସ୍ଵାମୀ ବିବେକାନନ୍ଦ

୧୩.

ବୈଜ୍ଞାନିକ ଡକ୍ଟର ପରିଜା

୧୪.

ଆଚାର୍ଯ୍ୟ ହରିହର

୧୫.

ଭାରତ ଗୌରବ

୧୬.

କାନ୍ତକବି ସୃଷ୍ଟି ସମୀକ୍ଷା

୧୭.

ଚକା ଚକା ଭଉଁରି

୧୮.

ଟିକି ଫୁଲ (ଓଡ଼ିଶା ସରକାରଙ୍କଦ୍ଵାରା ପୁରସ୍କୃତ)

୧୯.

କାନ୍ତକବି ଲକ୍ଷ୍ମୀକାନ୍ତ

୨୦.

ମରଣ ବିଜୟୀ

୨୧.

ବିଚାର ଓ ମୂଲ୍ୟବୋଧ

୨୨.

କେତୋଟି ଅଲିଭା ଶିଖା

Image

 

ଏକ

 

ବିମଳା ତରବର ହୋଇ କବାଟ ଖୋଲିଲା । ଶୀତ ଦିନ । ଏମିତି କାକର ଭିଜା ବଡ଼ିଭୋରୁ ଦାଣ୍ଡ ଦୁଆରମୁହଁରେ ତାଙ୍କୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇ ପଡ଼ିଲା ।

 

ଦୋଦୋଚିହ୍ନା ହୋଇ ଲାଜେଇ ଗଲା ବିମଳା । କବାଟ ଦର ଆଉଜା କରି, ଘର ଭିତରକୁ ଚାଲିଗଲା ।

 

ସନାତନ ନିଘୋଡ଼ ନିଦରେ ଶୋଇଛି । ତା’ର କାମ କି ଅଛି ଯେ ସେ ଏତେବେଳୁ ଉଠିବ ! ଏ ଶୀତଦିନେ ବଡ଼ି ସକାଳୁ ବିଛଣାରେ ପଡ଼ିରହି ଉଷୁମ ଟାଣିବାକୁ କିଏ ବା ସୁଖ ନ ମଣେ !

 

ଗାଢ଼ ନିଦରୁ ତାକୁ ଉଠାଇବାକୁ ବିମଳା ଇଚ୍ଛା କରୁ ନଥାଏ । ମାତ୍ର ମନଟା ତା’ର ଥୟ ଧରିଲାନାହିଁ । ମନକୁ ମନ ଆପେଆପେ ଭାବିନେଲା, ନିଶ୍ଚୟ ବାବୁଙ୍କର କିଛି ଜରୁରୀ କାମ ରହିଛି-। ନହେଲେ କିଏ କାହିଁକି ବା ତୁଚ୍ଛାଟାରେ କାକରରେ ଭିଜି ଭିଜି, କୁହୁଡ଼ି ଅନ୍ଧାର ଭିତରେ ଏଠିକି ଆସନ୍ତା !

 

ସେ ଦାଣ୍ଡ ଦ୍ଵାରେ ଠିଆହୋଇଛନ୍ତି । ମାଡ଼ି ମାଡ଼ି ପଡ଼ିଲା ବିମଳାକୁ । ବିରକ୍ତ ହେଲେ ପଛେ ହୁଅନ୍ତୁ, ସେକଥାକୁ ନଜର ନଦେଇ, ଡାକିଲା ।

 

ସନାତନ ବଡ଼ ବିରକ୍ତିରେ ବିଛଣାରୁ ଉଠିଲା । ନିଦ ଭୋଗ ହୋଇ ନାହିଁ । ଆହୁରି କିଛି ବେଳଯାଏ ଶୋଇବା କଥା । କେବଳ ତା’ ସ୍ତ୍ରୀ ଡାକରେ ସେ ଉଠି ପଡ଼ିଛି ।

 

ଦାଣ୍ଡଦୁଆରେ ବାବୁ ଜଣେ କିଏ ତାକୁ ଅପେକ୍ଷା କରିଛନ୍ତି ଶୁଣିଲା । ଏତେ କାକରରେ ବୁଡ଼ିବୁଡ଼ି କିଏ ଆସି ତା’ ଘରେ ଠିଆ, କିଛି ସେ ବୁଝିପାରୁନି ।

 

ଆଖି ମଳି ମଳି ସନାତନ ଦାଣ୍ଡକୁ ଆସିଲା ।

 

ସେତେବେଳକୁ ସତ୍ୟବ୍ରତ ଅପେକ୍ଷା କରି ମନେମନେ କମ୍‌ ଅସନ୍ତୁଷ୍ଟ ହୋଇ ନଥାଆନ୍ତି-! ପୁଣି ଭାବନ୍ତି, ଏପରି ଅସନ୍ତୋଷ ପ୍ରକାଶ କରି ଲାଭ ବା କ’ଣ ! ବିରକ୍ତ ହେଲେ କିଏ ବା ଶୁଣିବ-! ଏ ଘର ପାଖକୁ ଆସିବା ତାଙ୍କର ଏଇ ହେଉଛି ପ୍ରଥମ । ପରିବେଶ କେମିତି କେମିତି ଲାଗୁଛି-

 

ସବୁକୁ ସହ୍ୟ କରିଥାନ୍ତି ସତ୍ୟବ୍ରତ । ଅପେକ୍ଷା ତ କରିବାକୁ ହେବ । ନହେଲେ ଗୁଜୁରାଣ ମେଣ୍ଟୁଛି ବା କେମିତି । ଅପେକ୍ଷାରତ ସତ୍ୟବ୍ରତ ସନାତନକୁ ଦେଖିନେଇ କେଡ଼େ ଖୁସି ହେଲେ ସତେ ! ସବୁ ଅସନ୍ତୋଷ, ସକଳ ବିରକ୍ତି ଯେମିତି କ୍ଷଣକରେ ଉଭେଇଗଲା ।

 

ସନାତନ ଆଶ୍ଚର୍ଯ୍ୟ ହେଲା ।

 

“ସାଆନ୍ତେ ଜୁହାର । ଆପଣ ଆସିଛନ୍ତି, ଏ ବଡ଼ିଭୋରୁ ! କେଡ଼େ ଭାଗ୍ୟ ମୋର । ଏତେ ଭୋରୁ, ଏତେ ଶୀତ କାକରରେ ଆପଣ.... ? ବସୁ ନାହାନ୍ତି ସାଆନ୍ତେ । ବସନ୍ତୁ ।”

 

ସନାତନ ଆଜି ସକାଳୁ ସକାଳୁ ତା’ଘରେ ସାଆନ୍ତଙ୍କୁ ପାଇ କେତେ ଖୁସି ହେଉଛି ! ମନରେ ତା’ର ଗର୍ବ, ଭକ୍ତି ଓ ଶ୍ରଦ୍ଧା ଅଜାଡ଼ି ଦେଲା ।

 

ପାଦ ଆଉ ଭୂଇଁରେ ଲାଗିଲା ନାହିଁ । ଝଟଝଟ ପାଦ ପରେ ପାଦ ବଢ଼ାଇ ଘର ଭିତରୁ ମସିଣାଟାଏ ଘେନି ଆସିଲା । ମୁହଁରେ ତା’ର କେତେ ଉତ୍‌ଫୁଲ୍ଲତା ସତେ !

 

ସତ୍ୟବ୍ରତ ସନାତନର ଏ ଆନନ୍ଦ ଓ ମନଫୁଲାଣ ହସରେ ତୃପ୍ତ ହେଲେ ଯେତିକି, ହୃଦୟର ନିଆଁଟା ତାଙ୍କୁ ଜଳାଇଲା ସେତିକି । ଜଳି ଯାଉଥିବା ହୃଦୟର କୋହକୁ ଚାପିନେଲେ ସତ୍ୟବ୍ରତ ।

 

“ନାରେ ସନାତନ ! ତୋତେ ସାକ୍ଷାତ ପାଇବା ବଡ଼ ଭାଗ୍ୟର କଥା । ମୁଁ ତ ଭାବିଥିଲି, ବୋଧହୁଏ ଆଜି ତୋତେ ପାଇବି କି ନା ! ସେପାଇଁ ଏତେ ସକାଳୁ ଆସିବାକୁ ହେଲା ।”

 

ସତ୍ୟବ୍ରତଙ୍କ କଣ୍ଠର ଆର୍ଦ୍ରତାକୁ ଠିକ୍‌ ଧରି ପାରିଲାନି ସନାତନ । ସାଆନ୍ତଙ୍କ ମୁହଁରେ ଏପରି କଥା ଶୋଭା ପାଏନା । ଖବର ପାଇଲେ ସନାତନ ତାଙ୍କ ଘରେ ପହଞ୍ଚେ, ମାତ୍ର ଆଜି ଏ ବିପରୀତ ଘଟଣା କାହିଁକି ଘଟିଲା ବୋଲି ନିଜକୁ ନିଜେ ଅନେକ ଥର ସେ ପ୍ରଶ୍ନ କଲା ।

 

ଉତ୍ତର ପାଇଲାନି ସେ । ଉତ୍ତର ନ ପାଉଥିବା ସନାତନ ଆଶ୍ଚର୍ଯ୍ୟ ନହେବ ବା କିପରି !

 

–ଏ କି କଥା ସାଆନ୍ତେ ? ଖବର ପାଇଥିଲେ ଏ ସନାତନ ବେହେରା ଆପଣଙ୍କ ଘରେ ପହଞ୍ଚି ଥାଆନ୍ତା । ହେଲେ ଆପଣ.... !

 

ସତ୍ୟବ୍ରତ ଏ ଭାଷାର ରହସ୍ୟ ହୃଦୟଙ୍ଗମ କଲେ । ଛାତିରେ ଆଘାତ ବାଜୁଥାଏ । ପଥର ଛାତି ଭେଦ କରି ଭାସି ଆସିଲା–

 

“ମୋର କାମ ଅଛି । ମୁଁ ତୋ’ ପାଖକୁ ନ ଆସି, ତୋତେ ଡକାଇ ଥାଆନ୍ତି କାହିଁକିରେ ସନାତନ ?”

 

ସନାତନ ନିରୁତ୍ତର । ସାଆନ୍ତଙ୍କ ମୁହଁରେ ଦିନେ ହେଲେ ସେ ଜବାବ ଦେଇନାହିଁ । ଆଉ ଆଜି, ଏମିତି ଭଗ୍ନହୃଦୟର ସ୍ଵର ଶୁଣି କ’ଣ ବା କହି ପାରିବ ! ତଥାପି ସାହସ ବାନ୍ଧିଲା । ମନ ଅସ୍ଥିର ହେଉଛି ।

 

“ଆପଣଙ୍କ ଘର ସାଙ୍ଗେ ମୋର କାହିଁ କେଉଁ କାଳରୁ ସମ୍ପର୍କ । ଡକାଇ ପଠାଇଥିଲେ ମୁଁ କ’ଣ ଯାଇ ନଥାଆନ୍ତି ! ଆପଣ ଏ ଶୀତ ଦିନରେ ବଡ଼ିଭୋରୁ ଆସିବାକୁ ମୁଁ ପସନ୍ଦ କରୁନି ସାଆନ୍ତେ !”

 

ସତ୍ୟବ୍ରତ ଏସବୁ ଶୁଣିବାପାଇଁ ଆଦୌ ଆଗ୍ରହୀ ନୁହଁନ୍ତି । ମନ ଚଞ୍ଚଳ ହେଉଥାଏ । କିପରି ସେ କାର୍ଯ୍ୟସାରି ଏଠାରୁ ବିଦାୟ ନେବେ ଏହା ଭାବୁଥାଆନ୍ତି । ସନାତନର ମାନ୍ୟ ସୂଚକ କଥାଗୁଡ଼ାକ ତାଙ୍କୁ ଶର ପରି ବିଦ୍ଧ କରୁଥାଏ । ସମୟ ବିତାଇବା ଆଶାରେ ଚାପା କଣ୍ଠରେ ଶବ୍ଦ ଯୋଡ଼ୁଥାଆନ୍ତି ।

 

“ନାରେ ସନାତନ । ଏସବୁ କହି ମୋତେ ଆଉ ଲଜ୍ଜା ଦେ, ନା । ଯୁଗ ବଦଳିଛି । ତା’ ସହିତ ସନାତନ ବା ନ ବଦଳିବ କାହିଁକି ! ଆଉ ମୋ’ ପରି ଗୋଟାଏ ହତଭାଗାବି ସେଥିରୁ ବାଦଯିବ ବା କିପରି ?”

 

ସନାତନ ଚମକି ପଡ଼ିଲା । ଛାତିରେ ଛନକା ପଶିଲା । ଭାଷା ସରିସରି ଆସିଲା । ହଠାତ୍‌ ମନର ବେଦନା ଢାଳି ପକାଇଲା ଆତୁର ହୋଇ ।

 

“ବାବୁ, ସନାତନ ବଦଳି ଯାଇନି । ଆପଣଙ୍କର ନିମକ ସେ ଖାଇଛି । ସେହି ସନାତନ କ’ଣ ବାବୁ ଘରକୁ ଭୁଲିଯାଇ ପାରିବ ! ତା’ ପୁଅ, ନାତି ସମସ୍ତେ ସତ୍ୟବ୍ରତ ସାଆନ୍ତଙ୍କୁ ସାଆନ୍ତେ ବୋଲି ମାନିବେ । ଏଥିରୁ ଟିକେ ଭୁଲା ହେବନି ବାବୁ !”

 

ସତ୍ୟବ୍ରତଙ୍କୁ ଏ କଥାଗୁଡ଼ାକ ବଜ୍ର ପରି ବୋଧ ହେଉଥାଏ । ଏହାକୁ ବହନ ନ କରିବା ବ୍ୟତୀତ ଆଉ ଉପାୟ ବା କ’ଣ ଅଛି ! ତା’ ଘରକୁ ଆସିଛନ୍ତି । ତା’ର ଅତିଥି ସେ । ତା’ କଥାତ ଶୁଣିବାକୁ ହେବ । ନ ଶୁଣି କିପରି ବା ନିଜ କଥା ଆରମ୍ଭ କରିବେ । ହୃଦୟର କମ୍ପନକୁ ଚାପି ରଖିଲେ ।

 

“ଏ ସବୁ ତୋ’ର ଶ୍ରଦ୍ଧା ଓ ସ୍ନେହ ହୃଦୟର ପରିଚୟ ସିନା, ହେଲେ କିନ୍ତୁ ସବୁ ଯାଇଛିରେ ସନାତନ । ଆଉ କ’ଣ ପାଇଁ ତୋର ସାଆନ୍ତ ହୋଇ ମୁଁ ରହିବି ? ସମ୍ପର୍କ ଟିକକ ଆମ ଭିତରେ ଥାଉ । ସାଆନ୍ତ କହି ମୋତେ ଆଉ ଅଧିକ ଅପମାନିତ କରୁଛୁ କାହିଁକି ?”

 

ଆଉ ସହି ପାରିଲାନି ସନାତନ । ବାବୁଙ୍କ ଆଖିର ଲୁହକୁ ସେ ବୁଝିଲା । ପ୍ରତିବାଦ କରି ଉଠିଲା । ଅତି ଆବେଗମୟ ପ୍ରାଣରେ ମୁହଁ ଖୋଲିଲା ।

 

“ମୁଁ ଭୁଲ୍‌ କହୁନାହିଁ ସାଆନ୍ତେ ! ଦୁନିଆ ଯାହା କୁହେ, ମୁଁ ସେତକ ଖାଲି କରୁଛି । ଆପଣଙ୍କୁ ସମ୍ମାନ ଦେବି ନାହିଁତ ଆଉ କାହାକୁ ବା ସମ୍ମାନ ଦେବି ?”

 

ସତ୍ୟବ୍ରତ ଆଉ କିଛି ଅଧିକ ଯେପରି କହି ପାରିଲେ ନାହିଁ । ପଦଟିଏ ମାତ୍ର–

 

“ମୋତେ ବହୁତ ଖୁସିଲାଗେ ତୋ ଘରକୁ ଆସିଲେ । ସେପାଇଁ ଆସିଛି । ଏଥିରେ ତୁ ବ୍ୟସ୍ତ ହେଉଛୁ କାହିଁକି ?”

 

ଏତକ ଶୁଣିବାମାତ୍ରେ, ସନାତନ ଆହୁରି ଅଧିକ ଆବେଗପୂର୍ଣ୍ଣ ଭାଷାରେ କହିବାକୁ ଆରମ୍ଭ କଲା । କ’ଣ କହି ତା’ ସାଆନ୍ତଙ୍କୁ ଆଜି ସନ୍ତୁଷ୍ଟ କରିବ ସେ କିଛି ଭାବି ନ ପାରିଲେ ସୁଦ୍ଧା ଆପେଆପେ ପ୍ରକାଶ ପାଇଲା ।

 

“ବାବୁ, ଆପଣଙ୍କ ହାତରେ ଗଢ଼ା ହୋଇଛି ଏଇ ସନାତନ । ଆପଣଙ୍କ ଘରେ ଛୋଟିଆଟିବେଳୁ ଘରର ଜଣେ ହୋଇଥିଲା ସେ । ଆପଣଙ୍କର ଜନ୍ମ ହୋଇ ନଥିଲା ସେତେବେଳେ । ମୁଁ ସେଦିନୁ ଆପଣଙ୍କ ଘର ସହ ପରିଚିତ । ମୋ’ଘର ଆପଣଙ୍କୁ ଭଲ ଲାଗିବ ନାହିଁତ ଆଉ କାହାକୁ ଭଲ ଲାଗିବ ?”

 

ସନାତନର ଏହି ଗର୍ବ ଓ ଆତ୍ମବିହ୍ଵଳ ଭାବାବେଗ ପରିବେଶକୁ ଅଦ୍ଭୁତ ରୂପ ଦେଲା । ସରାଗରେ ତା’ ସ୍ତ୍ରୀକୁ ଡାକି ଚା’ ଟିକେପାଇଁ କହିବାବେଳେ, ଆନନ୍ଦ ଦେଖି ସତ୍ୟବ୍ରତ ଖୁସି ହୋଇଗଲେ ଓ ଯନ୍ତ୍ରଣାରେବି କ୍ଷତବିକ୍ଷତ ହେଲେ ।

 

ସେତେବେଳେ ଚା’ ଖାଇବାକୁ ମନା କରିଦେଲେ ସନାତନର ମନ ନିଶ୍ଚୟ ଦୁଃଖ ହେବ-। ଏଣେ ଚା’ଖାଇ କଥାବାର୍ତ୍ତା ଶେଷକରି ଯିବାବେଳକୁ ବିଳମ୍ବ ହୋଇଯାଉଛି । ସେ’ତ ଏଠାକୁ ଚର୍ଚ୍ଚା ହେବାକୁ କି କଥାବାର୍ତ୍ତାର ଆସର ସୃଷ୍ଟିପାଇଁ ଆସି ନାହାନ୍ତି ! ତଥାପି ମଣିଷ ତ କେବେ ମଣିଷର ସରାଗବୋଳା ଚାହାଣି, ହସହସ ମୁହଁକୁ ଚାହିଁ ନୀରବ ରହେନା ।

 

‘‘ସନାତନ, ଥାଉ । ମୁଁ ପରେ ଆସିଲେ ଖାଇବି ।”

 

ସନାତନର ଏ କଥାରେ କି ମନ ବୁଝୁଛି । କେବେହେଲେ ସାଆନ୍ତ ତା’ ଘରକୁ ଆସନ୍ତି ନାହିଁ । ଆଜି ଯେତେବେଳେ ଆସିଛନ୍ତି ସେ ବା’ ତାଙ୍କୁ ଚା’ କପେ ନ ଦେଉଛି କେମିତି ? ଏତକ ଯଦି ସେ ନ ଦେଉଛି, ତେବେ ମନରେ ଅବସୋସ ରହିଯିବ ।

 

ଅତି ବିନୟର ସହ କହିଲା–‘‘ଆପଣ ମୋ ଘରୁ ଟିକେ ଚା’ ଖାଇ ନ ଗଲେ, ମନରେ ମୋର କେତେ ଆଘାତ ଲାଗିବ ଜାଣନ୍ତି ? କେବେ ଆସନ୍ତି ନାହିଁ । ଆଜି କେମିତି କେଜାଣି ଏଠି ପାଦ ପଡ଼ିଛି । କପେ ଚା’ ଖାଇ ଯିବେନାହିଁ । ଏ କି କଥା ଆଜ୍ଞା !”

 

“ଥାଉଁଥାଉଁ ସନାତନ । ଆଉ କେବେ ଆସିଲେ ଖାଇବି ।”

 

“ହେଇଗଲାଣି ସାଆନ୍ତେ । ଆପଣ ଚା’ ଟିକେ ଖାଇଲେ, ମନ ଆମର କେଡ଼େ ଖୁସି ନ ହେବ ସତେ ।”

 

ସନାତନ ଚା’ପାଇଁ ବ୍ୟଗ୍ର ହୋଇ ଉଠିଲା । ଚା’ କପେ ଦେଇପାରି ନଥିବାରୁ ତାକୁ ବଡ଼ ଅସ୍ଵସ୍ତି ଲାଗୁଥାଏ ।

 

ଏତିକିବେଳେ ବିମଳା ଚା’ଆଣି ପହଞ୍ଚିବା ଦେଖି ସନାତନର ଆନନ୍ଦ କହିଲେ ନ ସରେ-

 

ଚିହ୍ନିପାରୁ ନାହଁ କି ? ସେ ପା ଆମ ସାଆନ୍ତ ।

 

ସତ୍ୟବ୍ରତ ସ୍ନେହ–ଦରିଆରେ ବୁଡ଼ିଯାଇ କ’ଣ କହି ସନାତନକୁ ଧନ୍ୟବାଦ ଦେବେ କିଛି ଭାଷା ପାଉ ନଥାଆନ୍ତି । ଆନନ୍ଦରେ ବିହ୍ଵଳ ।

 

“ସତରେ, ତୋ ଘରର ସ୍ନେହ କେବେ ମୁଁ ଭୁଲିପାରିବି ନାହିଁ । ଏତେ ସ୍ନେହ, ମାୟା, ମମତା କେଉଁଠୁଁ ବା ମିଳିଥାଏ ?”

 

“ବାବୁ, ଏସବୁ ଆପଣଙ୍କ ଆଶୀର୍ବାଦ ।”

 

ସତ୍ୟବ୍ରତ ଏ ସ୍ନେହ–ମମତା ଭିତରେ ଆବଦ୍ଧ ହୋଇଗଲେବି ସୁଦ୍ଧା, ଅସଲ କଥାଟି ଭୁଲି ନଥାଆନ୍ତି । ବାଟ ଖୋଜୁଛନ୍ତି । କିପରି ଟିକିଏ ସୁବିଧା ମିଳିଲେ, ନିଜ କଥା ପଦକୁ କହିବେ ଚାହିଁଛନ୍ତି । ସନାତନ ସାହସ ଧରି, ଛାତିରେ ଶିହରଣ ଖେଳାଇ ଆସିବାର କାରଣ କ’ଣ ପଚାରିଦେଲା ।

 

ସତ୍ୟବ୍ରତ ଅସଲ କଥାଟାକୁ କହିବାପାଇଁ ଆଉ ବିଳମ୍ବ କରିବେ କାହିଁକି ? ନମ୍ରତାରେ ବୁଡ଼ିଯାଇଥିବା ମଣିଷର ଭାଷା ଖୋଜି ପାଇଲେ ।

 

“ଗୋଟାଏ କାମ ନେଇ ତୋ’ ପାଖକୁ ଆସିଥିଲି ।”

 

“କହୁ ନାହାନ୍ତି ସାଆନ୍ତେ ? ମୋ’ ପାଖରେ ପୁଣି କାମ ! ଆପଣଙ୍କ ଭଳି ଲୋକର ମୋ’ ପାଖରେ ବା କାମ କ’ଣ ?”

 

ସନାତନ ଅଧିକ ଆଶ୍ଚର୍ଯ୍ୟ ହୋଇ ଏତକ କହିବାମାତ୍ରେ, ସତ୍ୟବ୍ରତଙ୍କୁ ତା’ର ପ୍ରଶ୍ନ, ତା’ର ମମତାବୋଳା ଆଚାର ବ୍ୟବହାର ଅଡ଼ୁଆ ଭିତରକୁ ଟାଣିନେଲା । ଅଡ଼ୁଆ ସୂତାର ଖିଅ ପାଇବା ଏତେଟା ସହଜ ନୁହେଁ । ଏହାକୁ ସେ ବେଶ୍‌ ଅନୁଭବ କରୁଥିଲେ । ନାଚି ଉଠିଲା ଆସନ୍ତାକାଲିର ଦୃଶ୍ୟ । ସାନ ଭାଇ–ଯାହାକୁ ଜୀବନର ସବୁ ସ୍ନେହ ଢାଳି ଭଲ ପାଇଛନ୍ତି, ସେ କ’ଣ ଶୂନ୍ୟ ହାତରେ ଘରୁ ବିଦାହେବ ? ରାତି ପାହିଲେ ପ୍ରିୟବ୍ରତର ଫର୍ମ୍ ପୂରଣ । ହାତରେ କିଛିନାହିଁ । ଟଙ୍କା ଦରକାର । ପରୀକ୍ଷା ନଦେଇ ପାରିଲେ ଚିରଦିନ ଯେ ତାଙ୍କ ଜୀବନରେ ଅବସୋସର ଅନ୍ଧକାର ଘୋଟି ରହିବ । ଏକଥା ତାଙ୍କୁ ଅବୁଝା ନାହିଁ ।

 

ମନକଥାକୁ ନ ଖୋଲିଲେ କିଏ ବା ଶୁଣିପାରିବ । ମନ ପୋଡ଼ିଯିବାବେଳେ କିଏ ବା ସହଜରେ ଲିଭାଇପାରେ ! ସେ ନିଆଁ ଯେ ଅଦେଖା ।

 

ସତ୍ୟବ୍ରତଙ୍କଠାରୁ ମନକଥା ଶୁଣିବା ପରେ, ସନାତନ ଆବଶ୍ୟକତା ଅନୁଭବ କଲା । ବର୍ତ୍ତମାନ ସାହାଯ୍ୟ ଦେବାକୁ ନିଜର କର୍ତ୍ତବ୍ୟ ମନେ କରିନେଲା ।

 

“କହନ୍ତୁ ସାଆନ୍ତେ । କେତେ ହେଲେ ହୋଇଯିବ । ପ୍ରିୟବାବୁ ପରୀକ୍ଷା ଦେବେ । ମୁଁ ନିଶ୍ଚୟ ଟଙ୍କା ତାଙ୍କପାଇଁ ଦେବି । ଘରର ସେ ଗୋଟିଏ ମଣି । ତାଙ୍କପାଇଁ କୌଣସି ବିଷୟରେ ଅବହେଳା ହେବା ଠିକ୍‌ ନୁହେଁ ବାବୁ !”

 

ସନାତନର କଥା ନସରୁଣୁ, ସତ୍ୟବ୍ରତ ସେହି କଥା ଉପରେ କଥା କହିବାକୁ ବସିଲେ ।

 

“ତୁ ଠିକ୍‌ କହିଛୁ ସନାତନ । ବାସ୍ତବରେ ଆମ ଘରର ସେ ଜଣେ ଭାଗ୍ୟବାନ ମଣିଷ । ତାକୁ ସମ୍ବଳ କରି ଆମ ଘର ଗର୍ବ ଅନୁଭବ କରିବ । ସେ ପାଠ ପଢ଼ୁଛି । ପଢ଼ିବାରେ ତା’ର ଆଗ୍ରହ ଅଛି । ଆମେ ତ କେହି ପଢ଼ିଲୁ ନାହିଁ । ସେ ପଢ଼ିବାକୁ ଚାହୁଁଛି । ତାକୁ ସୁଯୋଗ ଦେବା ଆମର କ’ଣ କର୍ତ୍ତବ୍ୟ ନୁହେଁ ?”

 

ସାନଭାଇ ପାଇଁ ସତ୍ୟବ୍ରତ କେତେ ବ୍ୟସ୍ତ, ତାକୁ ସେ କେତେ ସ୍ନେହ କରନ୍ତି, ଏକଥା ଜାଣିବାପାଇଁ ତା’ର ସନ୍ଦେହ ରହିଲା ନାହିଁ । ଏ ବିଷୟରେବି ସୂଚନା ସେ ପାଇଛି । ଭଲଭାବେ ଜାଣେ ପ୍ରିୟବ୍ରତହିଁ ସେହି ଘରର ଗୌରବ–ବଂଶର ମର୍ଯ୍ୟାଦା ରକ୍ଷକ । ତାକୁ ଏତେ ବାଟ ଯାଏଁ ପଢ଼ାଇ ଆଣିଲେ, ତା’ର ପରୀକ୍ଷା ଲାଗି ଫର୍ମ୍ ପୂରଣର ବ୍ୟବସ୍ଥା କରିବେନି ବା କେମିତି ।

 

ସନାତନ ପ୍ରିୟବ୍ରତର ପ୍ରଶଂସାରେ ମୁଖରିତ କରିଦେଲା ପରିବେଶକୁ । ଆନନ୍ଦରେ ନାଚିଉଠିଲା ପରି ମନେ ହେଲା ! କେତେକଅଣ କହି ପକାଇଲା । ସତ୍ୟବ୍ରତଙ୍କୁ ମଧ୍ୟ ସେ ମନର ଭାବନା ଶୁଣାଇ ବସିଲା ।

 

“ଭାଇପାଇଁ ଜଣେ ଭାଇ ଯେ ଏତେ ବ୍ୟସ୍ତ ହୋଇପାରେ, ଆପଣହିଁ ତା’ର ଜ୍ଵଳନ୍ତ ପ୍ରମାଣ । ଆପଣ ତାଙ୍କପାଇଁ ଯାହା କରିଛନ୍ତି ଭଗବାନ ଆପଣଙ୍କୁ ସାହାଯ୍ୟ କରିବେ ।”

 

“ସେସବୁ ପଛକଥା । ମୁଁ ଭାବେ–ଯେତେବେଳେ ସବୁ ଥିଲା, ସେତେବେଳେ ଆମେ ପାଠ ପଢ଼ି ପାରିନାହୁଁ । କ’ଣ ବା ଅଭାବ ଥିଲା ଏ ଘରେ ! କିନ୍ତୁ ଆଜି ଯଦି ସବୁ ଚାଲିଗଲାବେଳେ, ଏଇ ଘରୁ ଜଣେ କିଏ ପାଠ ପଢ଼େ, ତାକୁ ଉତ୍ସାହିତ କରିବା ଆଗରୁ ଯିବାଲାଗି ସାହସ ଦେବା କ’ଣ ଉଚିତ ହେବନି ?”

 

“ଏଥିରେ ସନ୍ଦେହ ଅଛି । ନିଶ୍ଚୟ ସାଆନ୍ତେ । କହନ୍ତୁ । କେତେ ଟଙ୍କା ଆବଶ୍ୟକ । ମୁଁ ଚେଷ୍ଟା କରିବି ।”

 

“ଚେଷ୍ଟା ନୁହେଁ ସନାତନ । ଦେବାକୁ ହେବରେ । ଆଉ କାହାକୁ ମାଗିବି ? ତୁ ସିନା ଜଣାଶୁଣା ବୋଲି ଚାଲିଆସିଲି ।”

 

“ବାବୁ, ବ୍ୟସ୍ତ ହୁଅନ୍ତୁ ନାହିଁ । କେତେ ଟଙ୍କା ହେଲେ ହୋଇଯିବ କହନ୍ତୁ ।”

 

“ତୁ ମୋତେ ଆଜି ଦୁଇଶହ ଟଙ୍କା ଦେଇଥା । ଆଉ, ଟଙ୍କା ବଦଳରେ ତୋ’ ସାଆନ୍ତାଣୀଙ୍କ ହାରଟିରଖ ।”

 

ତା’ ସାଆନ୍ତ ସୁନା ହାରଟିଏ ପକେଟରୁ ବାହାର କରିବା ଦେଖି ସନାତନ ଚମକି ପଡ଼ିଲା । ଛାତିରେ ଚେଁକା ଲାଗିଲା ପରି ମନେ ହେଲା । କାହା ଆଗରେ ଠିଆହୋଇ ସେ କଥା କହୁଛି ! ଯେ ଆଜି ତା’ ଦ୍ଵାର ମୁହଁରେ ପହଞ୍ଚିଛନ୍ତି, ସେ ଯେ କେତେ ନାମଜାଦା ଘରର ଲୋକ, ଏକଥା ସନାତନକୁ ବେଶ୍‌ ଜଣା । ସେ ଆଜି ଆଉ କ’ଣ ବା କହିବ ? ତାଙ୍କ ମୁହଁକୁ, ଆଉ ଦ୍ଵାରକୁ ଚାହିଁ ରହିଲା ।

 

ତା’ ଆଶ୍ଚର୍ଯ୍ୟ ହେବା ଦେଖି ସୁଦ୍ଧା, ସତ୍ୟବ୍ରତ ସୁନା ହାରଟିକୁ ରଖିବା ଲାଗି ପୁଣି ବାଧ୍ୟ କଲେ ।

 

ଏଥିରେ ଭାବିବାର କିଛି ନାହିଁ ସନାତନ । ହକ୍‌ ତୁ ଟଙ୍କା ଧାର ଦେଉଛୁ । ତା’ ବଦଳରେ ଏହି ହାରଟି ବନ୍ଧକ ରଖିଲେ କ୍ଷତି କ’ଣ ?

 

ବେଳକୁ ବେଳ ସନାତନ ଅଧିକ ବିସ୍ମିତ ହେଲା । ସମଗ୍ର ପରିବେଶ–ଆଳାପ ଆଲୋଚନା ତାକୁ ରହସ୍ୟ ମନେହେଲା । ସେ ନିର୍ବାକ୍‍ ହୋଇଗଲା । ବେଶି ବେଶି ଚମକି ପଡ଼ୁଥାଏ ବିଚରା ।

 

“ରାମ୍‌, ରାମ୍‌, ରାମ୍‌ !” ଆଁ କ’ଣ କହିଲେ ବାବୁ ! ସାଆନ୍ତାଣୀଙ୍କର ଗହଣା ରହିବ ଏ ଗରିବ ଘରେ ! ଏସବୁ ଶୋଭା ପାଏନା । ଗହଣା ନେଇ ଯାଆନ୍ତୁ ।”

 

ଏ କଥାରେ ସତ୍ୟବ୍ରତଙ୍କ ମନ ବୁଝିଲା ନାହିଁ । କାହିଁକି ବା ସେ ସନାତନଠାରୁ ବିନା ବନ୍ଧକରେ ଟଙ୍କା ନେବେ ! ସେ ଜାଣନ୍ତି– ସନାତନର ଟଙ୍କା ଧାର ଦେବା ଏକ ବ୍ୟବସାୟ । ଏହି ବ୍ୟବସାୟରେ ଚିହ୍ନା ଅଚିହ୍ନାର ପ୍ରଶ୍ନ ନଥାଏ । ଜଣା ଅଜଣାର ପ୍ରଶ୍ନ ଉଠିଲେ ବ୍ୟବସାୟୀ କ’ଣ ବ୍ୟବସାୟ କରି ପାରିବ ! ସତ୍ୟବ୍ରତ ଜାଣିଶୁଣି ଏମିତି କହିବା ଉଚିତ ହେବନି ଭାବୁଛନ୍ତି । ବୁଝାଇବାକୁ ଚେଷ୍ଟା କଲେ ।

 

‘‘ସନାତନ, ତୁ କିଛି ଭାବନା । ସାଆନ୍ତାଣୀଙ୍କ ଗହଣା ଆଜି ଏଠି ଶୋଭା ନ ପାଇବ କାହିଁକି ? ରାମାୟଣ କ’ଣ ଭୁଲି ଯାଇଛୁ ! ଅଯୋଧ୍ୟାର ରାଣୀ ସୀତା ଓ ରାଜା ରାମଚନ୍ଦ୍ରଙ୍କ ଭାଗ୍ୟରେ ଯଦି ଅରଣ୍ୟରେ ଚଉଦବର୍ଷ କାଳ ବାସ କରିବା ଲେଖା ହୋଇଥିଲା, ତେବେ ଆମେ ବା କି ଛାର ମଣିଷ ! ଯେତେବେଳେ ଯାହା ଭୋଗ କରିବାକୁ ଅଛି, ତାହା କ’ଣ ଅନ୍ୟଥା ହେବ ?”

 

“କିଛି ହୋଇନି ସାଆନ୍ତେ । ଆପଣ ଏତେଗୁଡ଼ା ଭାବି ପକାଉଛନ୍ତି କାହିଁକି ?”

 

“ଛାଡ଼ ଛାଡ଼ ସେକଥା ସନାତନ । କହ, କେତେ ଦିନ ଭିତରେ ଏ ଟଙ୍କା ଦେଲେ ଚଳିବ-। ଏଥିରେ ଲାଜ କରିବାରତ କିଛି ନାହିଁ । ସାହାଯ୍ୟ କଲୁ, ଏତକ କ’ଣ ମୋ’ପାଇଁ ଯଥେଷ୍ଟ ହେଲା ନାହିଁ । ମଣିଷ ସାହାଯ୍ୟ ପାଇବା ପରେ, ଆହୁରି ଅଧିକ ସୁଯୋଗ ଗ୍ରହଣ କରିବା କି ଆଶା କରି କହିବା କ’ଣ ମଣିଷତ୍ଵ ?”

 

ସନାତନ ବଡ଼ ଅଡ଼ୁଆରେ ପଡ଼ିଲା । ଯାହାଙ୍କ ଘରେ ଦିନେ ସେବକ ଭାବରେ ରହିଥିଲା, ଯାହାଙ୍କ ଅନ୍ନରେ ପ୍ରତିପାଳିତ ହୋଇଛି– ସମ୍ପତ୍ତି ବାଡ଼ି ଯାହାଙ୍କ ଟଙ୍କାରେ ସଂଗ୍ରହ କରି ପାରିଛି, ତାଙ୍କୁ ଏହାର ଉତ୍ତର ବା କ’ଣ ଦେଇ ପାରିବ ! ଲାଜ ଲାଜ ଲାଗିଲା । ପାଟି ତା’ର ଖନି ଖନି ହୋଇ ଆସିଲା ।

 

ତା’ କଥାଭାଷା ସତ୍ୟବ୍ରତଙ୍କ ମନଲାଖି ହେଲା ନାହିଁ । କୃତଜ୍ଞତାର ସ୍ଵରରେ କୃତ୍ରିମତା ନଥାଏ । ଆଭିଜାତ୍ୟର ଫମ୍ପା ଆଟୋପ ନାହିଁ । ହୃଦୟ ଢାଳି କଥା କହିଲେ, ଅସ୍ଵାଭାବିକତାର କଳାଛାଇ ଆପେଆପେ ଦୂରେଇ ଯାଏଁ । ଆବିଳତାର ପଙ୍କ ଭିତରେ ମୁକ୍ତ ହୃଦୟର ସ୍ଵଚ୍ଛ ଭାଷାପଦ୍ମ ହସି ଉଠେ ।

 

ସେ ବୁଝି ଅବୁଝା ହେଲେ ।

 

“ତୋର ଏ ବ୍ୟବସାୟ ! ମୁହଁ ଲୁଚାଇବା ଭଲ ହେଉନି । ହେଉ ତେବେ, ଅନ୍ତତଃ କେତେଦିନ ଭିତରେ ଚୁକ୍ତି କଲେ ଚଳିବ କହ ।” ସନାତନକୁ ଏକଥାଗୁଡ଼ାକ ଆଦୌ ପସନ୍ଦ ଆସିଲା ନାହିଁ । ସେ ଅତି ବାଧ୍ୟରେ ଅନିଚ୍ଛାକୃତ ଭାବରେ ଧୀର ସ୍ଵରରେ ଉତ୍ତର ଦେଲା–

 

“ଆପଣଙ୍କ ସହ ପୁଣି ଚୁକ୍ତି କରିବି ? ଏ କେଉଁ କଥାର କଥା । ସୁବିଧା ହେଲେ ଆପଣ ଦେବେ । ଏଥିରେ ଅବିଶ୍ଵାସର ତ ପ୍ରଶ୍ନ ଉଠୁନି । ସମ୍ପର୍କ ‘ଆନ୍ତରିକତାର କଥା’ ।”

 

ସନାତନ ଦେଣନେଣର ବ୍ୟବସାୟୀ ସତ । ଏଠି କିନ୍ତୁ ମମତା, ବନ୍ଧନ ଓ ଆନ୍ତରିକତାର ପରସ୍ତ ପରସ୍ତ ଖିଅ ଖୋଲି ଖୋଲି ଯାଉଛି । ସେ ଦୁଇ ଭିନ୍ନ ଚେତନାକୁ ଗୋଟିଏ ଅଭିନ୍ନ ସେତୁ ଭିତରେ ସଂଯୋଗ କରି ଚାଲିଛି । ଏତେବେଳେ ଆଉ ବ୍ୟବସାୟୀର ଲାଭଖୋର ମନୋବୃତ୍ତି ଆସିବ କେଉଁଠୁଁ ?

 

ସତ୍ୟବ୍ରତ ଦୂରେଇ ଦୂରେଇ ଚାଲି ଥାଆନ୍ତି । ମାତ୍ର ସନାତନ ଖୁବ୍‌ ନିକଟତର ଭାବି ଗର୍ବିତ । ସର୍ବସ୍ଵ ତ୍ୟାଗ କରି ଦେବାକୁ ପ୍ରସ୍ତୁତ । ବସ୍ତୁବାଦୀ ମଣିଷର ନିକଟରେ ଭାବ ଗର୍ବିତ । ସର୍ବସ୍ଵ ତ୍ୟାଗ କରି ଦେବାକୁ ପ୍ରସ୍ତୁତ । ବସ୍ତୁବାଦୀ ମଣିଷର ଭାଷାରେ ‘‘ସେସବୁ କଥା ନୁହେଁ ସନାତନ ! ମୁଁ ହ୍ୟାଣ୍ଡନୋଟ୍ କରି ଦେଉଛି । ଟଙ୍କା ନେଣଦେଣ କଥାରେ ଏତେ କୋହଳ ହେବା ଉଚିତ ନୁହେଁ ।” ବୋଲି କହିଲାବେଳେ, ମପାଚୁପା କଥାର ଭଙ୍ଗୀକୁ ସନାତନ ଠଉରାଇ ପାରିଲା ନାହିଁ ।

 

ହ୍ୟାଣ୍ଡନୋଟ୍ କଥା ଶୁଣି ତା’ ମଥାରେ ଏକ ବଡ଼ ବୋଝ ଲଦି ପଡ଼ିଲା ପରି ଭାରି ଭାରି ଲାଗିଲା । ଯାହାଙ୍କର ବାପା କେତେ ହ୍ୟାଣ୍ଡନୋଟ୍ ପରେ ହ୍ୟାଣ୍ଡନୋଟ୍ ରଖି ଟଙ୍କା ଦେଇଛନ୍ତି, ଯେଉଁ ଘରୁ କେତେ ଧାନ କେତେ ଚାଉଳ କିଏ ମାଗି ନେଇଛି, ଯେଉଁ ଲୋକଙ୍କ ବାପା କେତେ ଟଙ୍କା କାହାକୁ ସେମିତି ଦେଇ ଦେଇଛନ୍ତି, ତାଙ୍କରି ପୁଅ, ସେହି ଘରର ମଣିଷ ତ ସତ୍ୟବ୍ରତ ! ସବୁ ସେ ଦେଖିଛି । ଏଥିରେ ଆଶ୍ଚର୍ଯ୍ୟ ହେବନି ବା କିପରି ?

 

“ପ୍ରିୟବାବୁଙ୍କର ପରୀକ୍ଷା । ଟଙ୍କା ଦରକାର । ସେ ପରୀକ୍ଷା ଦେବେ । ସେଥିରେ ମୁଁ କେତେ ଖୁସି ଆପଣ ବୋଧେ ଭାବିପାରୁ ନାହାନ୍ତି ? ଏଇ ହାତରେ ସାନବାବୁଙ୍କୁ ଖେଳାଇଛି, କାନ୍ଧରେ ବସାଇ ବୁଲାଇଛି । ସେସବୁ ସେ କେବେ ଭୁଲି ନଥିବେ । ଏ ସନାତନ ବା ଭୁଲିବ କେମିତି ?”

 

ବେଶି ଦିନର ନୁହେଁ । ଏଇ ନଈପଠା ରହିଛି । ଆମ୍ବ ବଗିଚା ଅଛି । ଚନ୍ଦନପୋଖରୀ ଶୁଖି ଯାଇନାହିଁ । ଗାଁ ଦାଣ୍ଡର ଧୂଳି ପଡ଼ିଛି । ପ୍ରିୟବ୍ରତ ସେତେବେଳେ ପିଲାଟି । ଏଇ ସନାତନ ସାଥିରେ କେତେ ସେ ଖେଳିଛି । ସନାତନ କେତେ ତାକୁ ନ ଖେଳାଇଛି ! ପାଠ ପଢ଼ିବାକୁ ନଯିବାପାଇଁ କେତେ ଅଝଟ । ସ୍କୁଲ୍‍ବେଳ ହେଲେ କୁଆଡ଼େ ଲୁଚେ । ସାଆନ୍ତାଣୀ ସନାତନକୁ ପଠାନ୍ତି ପ୍ରିୟବ୍ରତକୁ ଖୋଜି ଆଣିବାପାଇଁ । ପାଇଗଲେ, ପ୍ରିୟବ୍ରତ ଗେହ୍ଲେଇ ଗେହ୍ଲେଇ କହେ । ‘ସନାଦା’ ମୁଁ ଆଜି ପଢ଼ି ଯିବିନି । ବୋଉକୁ ମନା କରୁନ । ମୁଁ ତୋ ସଙ୍ଗେ ଖେଳିବି । କ’ଣ ରାଜିତ-? ମୁଁ ଏଇଠି ଲୁଚିଛି । ବଉକୁ ଆଦୌ କହିବୁନି । ସ୍କୁଲ୍‍ବେଳ ଗଡ଼ିଗଲେ, ମୁଁ ଘରେ ପହଞ୍ଚିଯିବି । ଜାଣିଗଲେ ବୋଉ ଟିକେ ଗାଳି ଦେବ ସିନା, ହେଲେ କିନ୍ତୁ ଆଉ ସ୍କୁଲ୍‍କୁ ପଠାଇବ ନାହିଁ ତ-!

 

ସନାତନ ଏହି ହାତରେ ତାକୁ କାଖେଇଛି । କେତେ ସେ ତାକୁ ଗେହ୍ଲା କରିଛି । ଆଜି ସେ ବଡ଼ ହୋଇଯାଇଛି । ସେଦିନର ଚଗଲା ପିଲା ଆଜି ଏମ୍‌.ଏ. ପରୀକ୍ଷା ଦେବ ! ସେଥିରେ ମମତାବଦ୍ଧ ମଣିଷ ଖୁସି ନ ହେବ ବା କିପରି ! ସ୍ନେହର ମଣିଷ ସ୍ନେହପାଇଁ ମା’ ପାଗଳ ହୋଇଛି । ଏହି ପାଗଳାମି ପାଇଁ ନିଜକୁ ସଅଁପି ଦେଇଛି ।

 

ସତ୍ୟବ୍ରତ ସନାତନର ଏତେ ସ୍ନେହ ଓ ଘର ପ୍ରତି ଏତେ ମମତା ଦେଖି ମନେମନେ କୃତଜ୍ଞ ହେଲେ । ଆଜିର ଏ ବସ୍ତୁବାଦୀ ସ୍ଵାର୍ଥପର ଦିଆନିଆ ଦୁନିଆରେ କିଏ ବା କାହାକୁ ମନେ ରଖୁଛି । ମନେପକାଇବା ଲାଗି ସମୟ କାହିଁ ? ସମସ୍ତେ ତ ଆପଣା କାର୍ଯ୍ୟରେ ବ୍ୟସ୍ତ । ସମସ୍ତେ ଆପଣାର ସ୍ଵାର୍ଥ ହାସଲପାଇଁ ଦୌଡ଼ିଛନ୍ତି । ସେଠି କୃତଜ୍ଞତାର ସୀମା ସୀମିତ । ଆଜି ଯିଏ ବଡ଼ ବିପଦରୁ ରକ୍ଷା ପାଇବାପାଇଁ ସାହାଯ୍ୟ ଲୋଡ଼ୁଛି, ଆସନ୍ତାକାଲି ବିପଦରୁ ମୁକ୍ତ ହୋଇଗଲା ପରେ, ଗତକାଲିର ସାହାଯ୍ୟ କଥା ଭୁଲି ଯାଉଛି । କୃତଘ୍ନ ମଣିଷ କୃତଜ୍ଞତାଠାରୁ ଆଜି ବହୁଦୂରରେ ।

 

ଆଜିର ସମାଜ ଏକ ଭିନ୍ନ ସ୍ଵାଦର ସନ୍ଦେଶ ଦେଉଛି । ଏଠି ଯେମିତି ସମସ୍ତେ ଅବୁଝା । ଏଠି ଯେମିତି ସମସ୍ତେ ନିଜ ନିଜର ଇଲାକା ତିଆରିରେ ବ୍ୟସ୍ତ । କେହି କାହାକୁ ଖୋଜୁନାହିଁ । କେହି କାହାପାଇଁ ବ୍ୟସ୍ତ ହେଉ ନାହିଁ । ସାମାନ୍ୟ ସ୍ଵାର୍ଥର ମୋହରେ ମଣିଷ ଅନ୍ଧ ହୋଇ ଯାଉଛି । ସେ ଯେ ଅମୃତର ସନ୍ତାନ ଏକଥାବି ସମୟେ ସମୟେ ଭୁଲି ଯିବାକୁ ବସୁଛି ।

 

ଏହିପରି ଏକ ସ୍ଵାର୍ଥ ସର୍ବସ୍ଵ ଦୁନିଆରେ ସନାତନର ଚିନ୍ତାଧାରା ସତ୍ୟବ୍ରତଙ୍କୁ ବିସ୍ମିତ ନକରିବ ବା କାହିଁକି ! କାହିଁ କେତେ ଦିନ ତଳର କଥା । ହୁଏତ ପ୍ରିୟବ୍ରତବି ଭୁଲି ଯାଇ ପାରିଥାଏ । ଅଥଚ ସନାତନ ମନେ ରଖିଛି । କୃତଜ୍ଞତା ଜଣାଉଛି । ଆଜିର ଦୁନିଆରେ ଏମିତି ଚରିତ୍ର ମିଳିବା କ’ଣ ଏତେଟା ସହଜ ?

 

ସନାତନ ଅତୀତ ଆଡ଼କୁ ଯେତିକି ଯେତିକି ଫେରି ଯାଉଛି, ସତ୍ୟବ୍ରତଙ୍କୁ ଅପମାନର ଛାୟା କାହିଁକି ସେତିକି ସେତିକି ଅଧିକ ଗ୍ରାସ କରି ବସୁଛି ।

 

ସନାତନ ଥିଲା ସତ୍ୟବ୍ରତଙ୍କ ଘରର ସେବକ । ଖାନ୍‌ଦାନୀ ଚାଲି ଯାଇଛି । ସେହି ବଂଶର ଉତ୍ତରଦାୟାଦ ଭାବରେ ଆଜି ସେଦିନର ସେବକ ପାଖରେ ମୁନିବର ପୁଅ ଭିକ୍ଷା ପ୍ରାର୍ଥୀ ।

 

ଅଜାଣତରେ ଅତୀତର ରୋମନ୍ଥନ ଚାଲିଥାଏ । ଯନ୍ତ୍ରଣାରେ ଝଟପଟ ସତ୍ୟବ୍ରତ ଆଉ ସହ୍ୟ କରି ପାରିଲେ ନାହିଁ । ଗୋଟି ଗୋଟି ହୋଇ ଅତୀତର ସବୁ ସୁଖ ଭୋଗର ଜୀବନ କାହାଣୀ ମନେ ପଡ଼ିଗଲା । ଚଳଚ୍ଚିତ୍ର ପରି ମନ ପରଦାରେ ସେଦିନର ସୌଭାଗ୍ୟମୟ ଦିନଗୁଡ଼ିକ ନାଚିଉଠିଲା । ନିଜକୁ ଧିକ୍‌କାର କରିବାକୁ ଲାଗିଲେ ।

 

ଅତି ନମ୍ରତାର ହାଲୁହ ଜଡ଼ସଡ଼ ଆଖିରେ କହିବାକୁ ବାଧ୍ୟ ହେଲେ ।

 

“ସନାତନ, ଅତୀତଟାକୁ କ’ଣ ଭୁଲି ହୁଅନ୍ତା ନାହିଁ ? ମୁଁ ସାନ୍ତ୍ୱନା ପାଆନ୍ତି । ବଞ୍ଚିବା ଲାଗି ଯଥେଷ୍ଟ ଉପାଦାନ ମିଳନ୍ତା । ଅତୀତକୁ ପାଶୋରି ହେଉନି ବୋଲି ଅବସୋସ ନିଆଁରେ ଖାଲି ଜୀବନଟା ସନ୍ତୁଳି ହେଉଛି ସିନା ।

 

ସତ୍ୟବ୍ରତଙ୍କ ଭାବାବେଗର ମର୍ମ, ସନାତନ ତ ଠିକ୍‌ ବୁଝି ଆସିଥାଏ । ଆଉ ସେଦିନର ସେହି ମୂକ ସାକ୍ଷୀ ଗତ ଜୀବନକୁ ଉଖାରିଲା ନାହିଁ । ତାକୁ ସେମିତି ସେ ଅନ୍ଧକାର ଭିତରେ ପୋତି ପକାଇବାକୁ ଚେଷ୍ଟା କଲା ।

 

ମାତ୍ର ଅତୀତକୁ କ’ଣ ପାଶୋରି ପାରୁଛି । ମଣିଷତ କେବେ ଗତ ଜୀବନକୁ ଅବହେଳା କରିପାରେନା । ସେଦିନ ଓ ଆଗାମୀ ଦିନକୁ ନେଇ ବର୍ତ୍ତମାନକୁ ଗଢ଼ିବସେ । ବର୍ତ୍ତମାନ ଉପରେ ଠିଆ ହୋଇ ଆଗାମୀ ଦିନପାଇଁ ସେ ଯେଉଁ ସ୍ଵପ୍ନ ଦେଖେ, ଅତୀତ କ’ଣ ସେ ଲାଗି ଭରସା ଦିଏନାହିଁ ! ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଭିତର ଦେଇ ମଣିଷ ବଞ୍ଚି ରହେ । ତା’ ପରିକଳ୍ପନାକୁ ରୂପ ଦିଏ ।

 

ସନାତନ ଯେମିତି ଆଣ୍ଠୁ ନ ଲୁଚୁଥିବା ଗାମୁଛା ପିନ୍ଧା ସେବକ ଜୀବନକୁ ଆଦୌ ଭୁଲି ପାରିନାହିଁ । ସତ୍ୟବ୍ରତଙ୍କୁ ଏ କ୍ଷେତ୍ରରେ ସିଏ ବା ଆଉ ସାନ୍ତ୍ୱନା ଦେଇ ପାରିବ କ’ଣ ? ଯାହାଙ୍କଠାରୁ କେତେ କଥା ଶିଖିବାର ଅଛି, ଯିଏ ସନାତନଠାରୁ ଅନେକ ଅଧିକ କଥା ଜାଣିଛନ୍ତି କେତେ ବହି ପଢ଼ିଛନ୍ତି, ତାଙ୍କୁ ବା ସେ କ’ଣ କହି ମନର ବେଦନାକୁ ଲାଘବ କରିବ ।

 

ତଥାପି ମନକୁ ବୁଝାଉ ବୁଝାଉ ପଦଟିଏ ଆପଣାଛାଏଁ ବାହାରି ପଡ଼ିଲା ।

 

“ବାବୁ, କର୍ପୂର ସିନା ଚାଲି ଯାଇଛି । ହେଲେ କିନ୍ତୁ କନାତ ପଡ଼ିରହିଛି । କନାତ ଅନେକ କଥା କହିବ । ଟିକିଏ ବସନ୍ତୁ, ମୁଁ ଟଙ୍କା ନେଇ ଆସୁଚି ।”

 

ସତକଥା, ସନାତନ ମଳିମୁଣ୍ଡିଆ ହେଉପଛେ, ପାଠଶାଠ ନପଢ଼ୁ ପଛେ, ଅଭିଜ୍ଞତାରୁ କେତେ କଥା ସେ ନ କହୁଛି । କେବଳ ବହି ପାଠ କ’ଣ ମଣିଷକୁ ବଡ଼ କରିଦିଏ । ବହିପାଠକୁ କାର୍ଯ୍ୟରେ ଲଗାଇ, ସେମିତି ଭାବରେ ଜୀବନକୁ ଗଠନ କଲେ ସିନା, ମଣିଷ ମଣିଷ ପରି ହୋଇପାରେ । କେବଳ ବହିକୁ ସର୍ବସ୍ଵ ଭାବି କେହି କ’ଣ ବାସ୍ତବ ଜୀବନ କଥା କହିପାରେ । ତା’ର ଅନୁଭୂତି କେଉଁଠୁଁ ଆସିବ ? ଅଭିଜ୍ଞତା କିପରି ସେ ଅର୍ଜନ କରିବ ? ସମାଜ ଭିତରେ ରହି ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ, ଭିନ୍ନ ଭିନ୍ନ ଚରିତ୍ର ସାଥିରେ ମିଳିମିଶି ପାରିଲେ ସିନା, ଜଣେ ଅଭିଜ୍ଞତା ଅର୍ଜନ କରିପାରିବ ।

 

ଏଇ ସନାତନ କେତେ କଷ୍ଟ ସହ୍ୟ ନ କରିଛି । କେତେ ପ୍ରତିବନ୍ଧକ ଭେଦକରି ଜୀବନସଂଗ୍ରାମର ମୁକାବିଲା ପାଇଁ ପ୍ରସ୍ତୁତ ନ ହୋଇଛି । ତା’ ନ ହୋଇଥିଲେ, ସେଦିନର ଦରିଦ୍ର ସେବକ ଆଜି ମହାଜନି ପାଇଁ କ’ଣ ଯୋଗ୍ୟ ହୋଇପାରିଥାଆନ୍ତା ! ଯିଏ ଜୀବନ ଯାତ୍ରାର ଗଡ଼ାଣି ଉଠାଣି ପଥ ଭେଦ କରି ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିଛି; ସେହିସିନା ଏକା ଅଭିଜ୍ଞତା ଓ ଅନୁଭୂତିର କାହାଣୀ ଖୋଲିଦେଇଯାଏ ।

 

ସତ୍ୟବ୍ରତ ଭାବୁଥାଆନ୍ତି– ସନାତନର ଅତୀତ ପ୍ରୀତିକୁ । ସେ ଆଜି ଭିକ୍ଷା ପ୍ରାର୍ଥୀ ପରି ତା’ ଦ୍ଵାର ମୁହଁରେ ଉପସ୍ଥିତ । ଅଥଚ ନିଜକୁ ସେ ଯେତେ ନ୍ୟୁନ ମନେକଲେବି ସୁଦ୍ଧା, ସେ ନ୍ୟୁନତା ଯେମିତି ଦୂରେଇ ଦେବାକୁ ସନାତନ ଚେଷ୍ଟା କରୁଛି । ସନାତନ ଦୃଷ୍ଟିରେ ସେ ନ୍ୟୁନ ନୁହନ୍ତି । ସେ ଆଜି ଦରିଦ୍ର ହୋଇବି ସୁଦ୍ଧା, ତା’ ଦୃଷ୍ଟିରେ ଦରିଦ୍ର ହୋଇ ନାହାନ୍ତି ।

 

ସାଆନ୍ତ ଘରର ପୁଅ ଆଜି ତା’ ଦ୍ଵାର ମୁହଁରେ ଦିପଇସା ପାଇଁ ହାତ ପତାଇଛନ୍ତି । କଣ୍ଠରେ ଆତୁରତାର ଭାଷା । ତଥାପି ସନାତନ ପାଖରେ ଅହଂକାର ନାହିଁ । ନିଜକୁ ଦେଖାଇ ଦେବାର ବଡ଼ିମା ନାହିଁ । ବିନୟ ଓ ନମ୍ରତାରେ ସେ ନଇଁ ପଡ଼ୁଛି ।

 

ସତରେ ସନାତନ ଯେମିତି ବିନୟୀ ଓ ନମ୍ର ମଣିଷକୁ ଭଗବାନ ଶ୍ରଦ୍ଧା କରନ୍ତି ବୋଲି ଜାଣି ନେଇଛି । ସେପାଇଁ ସେ ଏତେ ନମ୍ରତାକୁ ପସନ୍ଦ କରିପାରିଛି । ସେ ଅନୁଭବ କରିନେଇଛି–ବାହାରକୁ ଦେଖାଇହୋଇ, ତୁଚ୍ଛା ବାହା ବାହା ନେବାର ମୂଲ୍ୟ କିଛି ହୁଏନା । ଭିତରଟାକୁ ଶକ୍ତକରିବା ଆବଶ୍ୟକ । ପ୍ରକୃତରେ ସେ ଶକ୍ତିଶାଳୀ, ସେ କେବେ ନିଜକୁ ଶକ୍ତିଶାଳୀ କହେନା । ବରଂ ଆହୁରି ଅଧିକ ଶକ୍ତି ସଞ୍ଚୟପାଇଁ ଚେଷ୍ଟା କରେ । ନିଜକୁ ନ୍ୟୁନ ମନେକରେ । ସେ ନ୍ୟୁନତା ଭିତରେ ଦୁର୍ବଳତା ନଥାଏ–ନମ୍ରତାହିଁ ଭରି ରହିଥାଏ ।

 

ମଣିଷ ଯେତେ ଧନଶାଳୀ ହେଉପଛେ, ସେ ଧନହୀନକୁ ହେୟ ମନେ କରିବ କାହିଁକି-? ହେୟ ମନେକରି, ଧନଶାଳୀ କ’ଣ ଅଧିକ ସମ୍ମାନିତ ହୁଏ ! ବରଂ ଅନାଦାର ଲାଭକରେ-। କ୍ରମେ କ୍ରମେ ସମ୍ମାନ ହରାଇ ବସେ ।

 

ଜ୍ଞାନୀ ବ୍ୟକ୍ତି ପକ୍ଷରେ ଯାହା ପ୍ରଯୁଜ୍ୟ, ଜଣେ ଧନୀ ବ୍ୟକ୍ତି ପାଖରେ ତାହା ମଧ୍ୟ ପ୍ରଯୁଜ୍ୟ-। ଗୋଟିଏ ଜ୍ଞାନୀ ବ୍ୟକ୍ତି ଅସଂଖ୍ୟ ଜ୍ଞାନକୁ ଜ୍ଞାନ ବିତରଣ କରି ସମ୍ମାନିତ ହୁଏ-। ଏହି ଜ୍ଞାନପାଇଁ ସେ କେବେ ଅହଂକାର କରେନା । ନିଜକୁ ଖୁବ୍‌ କ୍ଷୁଦ୍ର ମନେକରେ । କିଛି ନଜାଣିଥିଲା ପରି ନିଜକୁ ପରିଚୟ ଦିଏ । ଆହୁରି ଆହୁରି ଅଧିକ ଜାଣିବା ଲାଗି ଆଗ୍ରହ ପ୍ରକାଶ କରେ । ବିନୟ ଓ ନମ୍ରତା ତା’ର ଭୂଷଣ ହୁଏ ।

 

ସନାତନ ପାଠ ନପଢ଼ୁ ପଛେ, ସତେ ଯେମିତି ଏକଥାର ମର୍ମ ସେ ବୁଝିଛି । ଏହି ଚାରିତ୍ରିକ ବୈଶିଷ୍ଟ୍ୟ ଜୀବନପାଇଁ କେତେ ଆବଶ୍ୟକ, ତାହା ଅଙ୍ଗେ ଅଙ୍ଗେ ସେ ଅନୁଭବ କରିପାରିଛି ।

 

ସନାତନ ଘରଭିତରୁ ଫେରିଆସି ଅତି ବିନୟର ସହ ଟଙ୍କା କେଇଟା ସତ୍ୟବ୍ରତଙ୍କ ହାତକୁ ବଢ଼ାଇଦେଲା ।

 

ସତ୍ୟବ୍ରତ କୃତଜ୍ଞତାରେ ନଇଁ ପଡ଼ିଲେ । ଆଖିରୁ ଗଡ଼ିଆସିଲା ଦି’ଟୋପା ଅବସୋସାଶ୍ରୁ-

 

“ସନାତନ, କିଛି ଭାବିବୁନି । ମୁଁ ଯାଉଛି । ଅଳ୍ପଦିନ ଭିତରେ ସୁବିଧା କରି ତୋ ଟଙ୍କାଟା ପରିଶୋଧ କରିଦେବି ।’’

 

ଏହି କଥାଗୁଡ଼ାକ ସନାତନକୁ ଯେମିତି କୃତ୍ରିମ ବନ୍ଧୁତାର ସ୍ଵରପରି ମନେହେଲା । ସେ ଏପରି ଶୁଣିବାପାଇଁ ଆଶା କରୁ ନଥିଲା । ଏପରି କଥାଗୁଡ଼ାକ ସତେ ଯେମିତି ସନାତନକୁ ଅତି ପରିଚିତ ତା’ ସାଆନ୍ତଙ୍କ ପରିବାରଠାରୁ ଦୂରେଇ ଦେଉଥିଲା ।

 

ସନାତନ ମନେକଲା– ସତ୍ୟବ୍ରତ କ’ଣ ତା’ର କେହି ନୁହନ୍ତି । ତାଙ୍କ ପ୍ରତି ତା’ର କ’ଣ କର୍ତ୍ତବ୍ୟ କିଛି ନାହିଁ ? ତେବେ ଏସବୁ କହିବାର ତାତ୍ପର୍ଯ୍ୟ କ’ଣ ? କିଛି ସେ ବୁଝିପାରିଲା ନାହିଁ । କେବଳ ଏତିକି କହିଲା–

 

“ବାବୁ, ଏମିତି କହି ଆଘାତ ଦେଉଛନ୍ତି କାହିଁକି ? ଆପଣଙ୍କ ପାଖରେ କ’ଣ ଏଇ ଟଙ୍କା କେଇଟା ଡୁବିଯିବ ।”

 

“ବିଶ୍ଵାସର ବନ୍ଧନକୁ ଶିଥିଳ କରିବା କ’ଣ ମଣିଷର କର୍ତ୍ତବ୍ୟ ।”

 

ଏହି ବିଶ୍ଵାସ ଯେ ବନ୍ଧୁତା ଓ ସମ୍ପର୍କକୁ ଅଧିକ ଦୃଢ଼ କରେ ଏକଥା କ’ଣ ସତ୍ୟବ୍ରତ କି ସନାତନକୁ ଜଣା ନାହିଁ ! ମାତ୍ର ଏ ସତ୍ୟ ଜାଣି ଅଜଣା ମନେ ହେଉଛି । ଏହାର ଆବଶ୍ୟକତା ଅନୁଭବ କରିବି ସୁଦ୍ଧା, ଏଠି ଏହାକୁ ଭିନ୍ନ ଭାବରେ ବିଷ ଦିଆଯାଉଛି ।

 

ସତ୍ୟବ୍ରତ ହୃଦୟ ଖୋଲି ଯେଉଁ କଥାଟା କହୁଛନ୍ତି, ତାହା ଯେ ସନାତନ ପାଇଁ ବିଷବୋଧ ହେଉଛି, ସେକଥା ତାଙ୍କୁ ଜଣା ନଥାଏ ।

 

ସନାତନକୁ ସେ ସମ୍ମାନ ଦେଇ ଗତାନୁଗତିକ ସ୍ଵରର ଆଶ୍ରୟ ନେଇ କଥା କହିବାବେଳେ, ସନାତନ ତାକୁ ଅସମ୍ମାନ ମନେ କରୁଛି । ତା’ପାଇଁ ଗତାନୁଗତିକ ଭାଷା ଆବଶ୍ୟକ-। କୃତ୍ରିମ ବନ୍ଧୁତା ଓ ମମତା ଲାଗି ଯେଉଁ ସ୍ଵର ଆବଶ୍ୟକ, ସେପରି ସ୍ଵରର ଝଙ୍କାରରେ ତା’ ପରିବେଶ ଝଙ୍କୃତ ହେଉ, ସେ ତାହା ଚାହେଁନା । ବିଶେଷତଃ ସତ୍ୟବ୍ରତଙ୍କଠାରୁ ସେ ଏପରି ଆଶା କରି ନଥିଲା । ସମ୍ପର୍କ ବିଶ୍ଵାସ ଉପରେ ସୃଷ୍ଟି ହେଉ–ଏହା ତାହାରି ଭିତରେ ତିନ୍ତି ରହୁ, ଏହା କେତେ ମଣିଷ ବା କରିପାରନ୍ତି । ଟଙ୍କା ଦେଇ ସାରିଲା ପରେ ତା’ର ଯେ କର୍ତ୍ତବ୍ୟ ଶେଷ ହୋଇଗଲା, ତାହା ନୁହେଁ । ଆହୁରି ତା’ କର୍ତ୍ତବ୍ୟ କିଛି ବାକି ରହିଛି ବୋଲି ସନାତନ ଭାବିଲା ।

 

“ଆଲୋ ଝିଅ, ମୋ ଗାମୁଛାଟା ଆଣିଲୁ, ବାବୁଙ୍କୁ ଛାଡ଼ି ଦେଇ ଆସେ ।”

 

ସତ୍ୟବ୍ରତ ସନାତନକୁ ବାଟ ଚଲାଇବାକୁ ପସନ୍ଦ କଲେନାହିଁ । ସକାଳୁ ବିଛଣାରୁ ଉଠି ସେ ନିତ୍ୟକର୍ମ ସାରିପାରିନାହିଁ । ଆଉ କାହିଁକି ତା’ର ସମୟ ନଷ୍ଟ କରିବେ ! ଧୀର ଗଳାରେ ପଚାରିଲେ–

 

“କୁଆଡ଼େ ଯିବୁ ସନାତନ ? କାମ କିଛି ଅଛି ?”

 

କାମ କିଛି ନାହିଁ ଯେ, ଆପଣଙ୍କ ସାଙ୍ଗରେ ଯିବି ।”

 

ସନାତନଠାରୁ ଏତକ ଶୁଣିବାମାତ୍ରେ, ସନାତନର ଆହୁରି ଯେ କର୍ତ୍ତବ୍ୟ ବାକି ଅଛି ବୋଲି ସେ ଭାବୁଛି, ସତ୍ୟବ୍ରତ ମନେକଲେ । ଯେତିକି କର୍ତ୍ତବ୍ୟ କରିଛି, ସେତିକି କ’ଣ ଯଥେଷ୍ଟ ନୁହେଁ । ଯେତିକି ସମ୍ମାନ ପ୍ରଦର୍ଶନ କରିଛି, ସେତକରେବି ସନାତନ ସନ୍ତୁଷ୍ଟ ନୁହେଁ ବୋଲି ସତ୍ୟବ୍ରତ ଭାବିନେଲେ ।

 

ଆଜି ଯୁଗରେ ମୁହୂର୍ତ୍ତଟିଏ ସମୟ କିଏ କାହାପାଇଁ ବା ଦେଇପାରୁଛି । ସମୟ ଅନ୍ୟପାଇଁ ବ୍ୟୟକରିବା ପୂର୍ବରୁ କେତେ ଚିନ୍ତା କରିବାକୁ ହେଉଛି । କେତେ କୁଣ୍ଠାରେ ବାଧ୍ୟବାଧକତାରେ ଜଣେ ଅନ୍ୟ ଲାଗି ସମୟ ବିନିଯୋଗ କରୁଛି; ଅଥଚ ସନାତନ ବିନା ସ୍ଵାର୍ଥରେ ସକାଳ ପହରୁ ଏତେଗୁଡ଼ାଏ ସମୟ ବ୍ୟୟ କରିସାରିଲାଣି । ସତ୍ୟବ୍ରତଙ୍କୁ ଗୋଟାଏ ଲଜ୍ଜାର ଭୂତ ମାଡ଼ିବସିଲାପରି ସେ ଅନୁଭବ କଲେ ।

 

“ନା ନା ସନାତନ ! ସକାଳୁ ସକାଳୁ ଆସି ତୋତେ ତଣ୍ଡାଇଲି । ସମୟବି ତୋର ନେଲି-। ପୁଣି ଆଉ ସମୟ ଦେବୁ କାହିଁକି ? ମୁଁ ଚାଲିଯିବି ।”

 

ସନାତନର, ଏ କଥାରେ କି ମନ ପୂରୁଛି । ଆଦୌ ସନ୍ତୋଷ ଆସୁନାହିଁ । ଅତିଥି ଆସିଛନ୍ତି । ତାଙ୍କୁ ପାଛୋଟି ନେବା ଯେ ସାଧାରଣ ଶିଷ୍ଟାଚାର, ଏତକ କ’ଣ ସନାତନ ପାସୋରି ଦେବ ! କାହିଁକି ? କ’ଣ ପାଇଁ । ସେ ତ କିଛି ଚିନ୍ତାକରି ପାରୁନି । ଏଇ ସମାଜରେ ମଣିଷ ଭାବରେ ବଞ୍ଚି ରହିବାକୁ ହେଲେ, ସାମାଜିକ ହେବାକୁ ପଡ଼ିବ । ସମାଜର ସବୁ ଚଳଣି, ପରମ୍ପରା ଓ ଶିଷ୍ଟାଚାରକୁ ସମ୍ମାନ ଦେବାକୁ ହେବ ।

 

ସେ ତ ଆଉ କିଛି ନୁହେଁ । ତେବେ ମାନବିତାକୁ ଭୁଲିଯିବ ବା କିପରି ! ପୁଣି ସତ୍ୟବ୍ରତଙ୍କ ଘର ସହ ତା’ର ଅନାବିଳ ସମ୍ପର୍କ । ସେଥିପାଇଁ ତାଙ୍କୁ ଘରେ ଛାଡ଼ିଦେଇ ଆସିବାକୁ ସ୍ଥିର କରିଛି ।

 

‘‘ଚାଲନ୍ତୁ ବାବୁ, ଘରେ ଛାଡ଼ି ଦେଇ ଆସିବି ।” କହିବାମାତ୍ରେ ସତ୍ୟବ୍ରତଙ୍କ ହୃଦୟ ଭିତରୁ ପୁଣି କିଏ କହିବା ଲାଗି ପାଟିଖୋଲିଲା ।

 

‘‘ତୁ ଆଉ କାହିଁକି ଯିବୁ ? ଘରେ ତୋର କିଛି କାମଥିବ । ମୁଁ ଯାଉଛି ।”

 

ସନାତନର ମନେପଡ଼ିଲା । ତା’ ସାଆନ୍ତଙ୍କ ହାତକୁ ଟଙ୍କା ବଢ଼ାଇ ଦେବାମାତ୍ରେ, ସେ ଗଣି ନାହାନ୍ତି । କାଳେ ଭୁଲ୍‌ଥିବ ନିଜର । ଗଣିନେବା ପାଇଁ ସତ୍ୟବ୍ରତକୁ କହିଲା ।

 

ଏତେ ସମ୍ପର୍କ, ମମତା ଓ ବନ୍ଧନ ଉପରେ ଅବିଶ୍ଵାସ ବା ଆସିବ କାହିଁକି ? ଅବିଶ୍ଵାସ ଉପୁଜିଲେ ବନ୍ଧୁତା ଶିଥିଳ ହୋଇଯାଏ । ଯେଉଁଠି ଆତ୍ମୀୟତା, ମମତା ଓ ଆନ୍ତରିକତାର ବନ୍ଧନରେ ଦୁନିଆ ଆବଦ୍ଧ, ସେଠି ଅବିଶ୍ଵାସର କାଳିମା ଛାପ ପକାଇପାରେନା ।

 

ସନାତନର ଟଙ୍କାକୁ ନ ଗଣି ଅତି ବିଶ୍ଵାସରେ ଗ୍ରହଣ କରିଥିବା ସତ୍ୟବ୍ରତ ଆଉଥରେ ଗଣିବେ ବା କାହିଁକି ! ତାକୁ ସେ ଅବିଶ୍ଵାସ କରିପାରିବେ ନାହିଁ । ତା’ର ଭୁଲ ହୋଇଥିଲେ ହୋଇଥିବ । ଜଣାତରେ କେବେ ସନାତନ ଭୁଲ କରି ନଥିବ ଏ ବିଶ୍ଵାସ ଥାଏ ସତ୍ୟବ୍ରତଙ୍କର ।

 

“ଗଣିବି କ’ଣ ସନାତନ ! ତୁ କ’ଣ ଭୁଲ କହିଥିବୁ ! ତୋତେ ପୁଣି ଅବିଶ୍ଵାସ କରିପାରିବି-? ଏଡ଼େ ବଡ଼ ବନ୍ଧନକୁ ମୁଁ ଅବିଶ୍ଵାସର ଅନ୍ଧକାରରେ ଛିନ୍ନ କରିଦେବାକୁ ଚାହେଁନା-।”

 

ଆଉଥରେ ଧନ୍ୟବାଦ ଦେଇ ସନାତନକୁ ବାଟରୁ ଫେରାଇ ଦେବାକୁ ସତ୍ୟବ୍ରତ ଭଲ ମନେକଲେ । ଆଉ ଅଧିକ ବାଟ ଯାଇ ସନାତନର ସମୟ ନଷ୍ଟହେବା ଠିକ୍‌ ନୁହେଁ । ଏକାଏକା ସେ ଘରକୁ ଯାଇପାରିବେ । ଧନ୍ୟବାଦ ଜଣାଇ ସନାତନକୁ ଫେରିଯିବାକୁ କହିଲେ ।

 

ଏହି ଗତାନୁଗତିକ ଧନ୍ୟବାଦ ଶବ୍ଦ ପୁଣିଥରେ ସତ୍ୟବ୍ରତଙ୍କଠାରୁ ଶୁଣି ସନାତନ ଆଖିରୁ ଲୁହ ଜକେଇ ଆସିଲା । ଏଇ ଏତକ ସାହାଯ୍ୟପାଇଁ ସାଆନ୍ତେ ତାକୁ ଧନ୍ୟବାଦ ନ ଦିଅନ୍ତୁ ତା’ର ଇଚ୍ଛା । ଖୁବ୍‌ ନିଷ୍ଠା ଓ ଆନ୍ତରିକତା ସହ ଉତ୍ତରଦେଲା ।

 

“ସାଆନ୍ତେ, ଘର ପର୍ଯ୍ୟନ୍ତ ଯାଇ ବାଟେଇ ଦେବା ମୋର ଇଚ୍ଛା, ମାତ୍ର ସେ ସୁଯୋଗ ମୋତେ ମିଳିଲା ନାହିଁ । ସେଥିରେ ମୁଁ ଦୁଃଖିତ ।

 

‘‘ପୁଣି ଗତାନୁଗତିକ ସ୍ଵର ଶୁଣାଇ ଆହୁରି ଅଧିକ ଦୁଃଖ ଦେଉଛନ୍ତି । ଆପଣଙ୍କ ଇଚ୍ଛା ।”

 

ସତ୍ୟବ୍ରତ ପ୍ରକୃତରେ କୃତଜ୍ଞ । ତେଣୁ କୃତଜ୍ଞତା ଜଣାଇବା ଲାଗି ତାଙ୍କର ଦ୍ଵିଧା ନାହିଁ । କ୍ଷଣିକ ସାହାଯ୍ୟ ତାକୁ କେତେ ମାନସିକ ଅଶାନ୍ତିରୁ ଦୂରକଲା, ସେକଥା ସେହି କେବଳ ଏକା ଜାଣିଛନ୍ତି । ଅଶାନ୍ତିରୁ ମୁକ୍ତ ମନ ଲାଗି ଯାହା ଆବଶ୍ୟକ, କେବଳ ଅନୁଭବୀ ସିନା ତାହା ପ୍ରକାଶ କରିପାରିବ ।

 

ସତ୍ୟବ୍ରତଙ୍କ ଅକୃତ୍ରିମ ଆବେଗ ଯେତେବେଳେ ପ୍ରକାଶପାଉଛି, ସେତେବେଳେ ସେ କହନ୍ତି–‘‘ଅଶେଷ ଧନ୍ୟବାଦ ଦେଉଛି ସନାତନ । ମୁଁ ତୋ ପାଖରେ କୃତଜ୍ଞ ରହିଲି ।”

 

ସନାତନ ଜାଣିଛି–ଯୁଗଯୁଗ ଲାଗି ସେ ସାଆନ୍ତଙ୍କ ପରିବାର ପାଖରେ କୃତଜ୍ଞତା ମାନିଛି । ସ୍ଵୀକାର କରିଛି । ଆଜି ସତ୍ୟବ୍ରତଙ୍କ ଆଗରେ ମନକଥା ଖୋଲି କହିବାରେ ବାଧା ବା କ’ଣ !

 

ସେ କହିପକାଇଲା–

 

“ସାଆନ୍ତେ, ଆପଣଙ୍କ ଘର ପାଖରେ ମୁଁ ଚିରଦିନ ଋଣୀ ହୋଇଛି । ମୁଁ କୃତଜ୍ଞତା ଜଣାଇବା କଥା । କୃତଜ୍ଞ କେବେ କ’ଣ କୃତଘ୍ନ ହୋଇପାରେ ବାବୁ !”

 

ସତ୍ୟବ୍ରତଙ୍କ ମୁଖରୁ ଆଉ ଭାଷା ବାହାରିଲା ନାହିଁ । ଚାହିଁ ଥାଆନ୍ତି ସନାତନକୁ ।

 

ସନାତନ ଜୁହାରଟିଏ ଜଣାଇ ଘରମୁହାଁ ହେଲା । ସତ୍ୟବ୍ରତ ପୁଞ୍ଜୀଭୂତ ଆବେଗକୁ ବହନ କରି ପାଦ ଚିପି ଚିପି ଆଗେଇ ଚାଲିଲେ ।

 

ଦୁଇ

 

ଘରେ ପହଞ୍ଚି ସତ୍ୟବ୍ରତ ଗୁମ୍‌ମାରି ବସିପଡ଼ିଲେ । ମୁଣ୍ଡ ଚକ୍କର ଖାଇଲା । ସେ ପହଞ୍ଚିବାମାତ୍ରେ ଏମିତି ଅଶୁଭ ସମ୍ବାଦ ପାଇବେ ବୋଲି ସେ ଆଦୌ ଭାବି ନଥାଆନ୍ତି ।

 

ତହସିଲ ଅଫିସ୍‍ରୁ ପିଅନ ଆସି ନୋଟିସ୍‍ ଦେଇ ଯାଇଛି । ଏପରି ତାଗଦା କେବେ ତାଙ୍କ ଘରକୁ ଆସିନାହିଁ । ସେ ବିବ୍ରତ ହୋଇପଡ଼ିଲେ ।

 

ଗୋଟିଏ ବର୍ଷରେ ନୁହେଁ, ଏକାଦିକ୍ରମେ ଅନେକ ବର୍ଷର ଖଜଣା ସାତଦିନ ଭିତରେ ସବୁ ଚୁକ୍ତି କରିବାକୁ ହେବ । ନହେଲେ ଗୋଟିଏ ସପ୍ତାହ ପରେ, ଘର କୋରକ ।

 

ଦୁଃଖ କହିବେ ବା ପୁଣି କାହାକୁ ? ତାଙ୍କର ଲୁହ ଟୋପାରେ ଲାଲ ଆଖି ଦୁଇଟି ଲୁହରେ ପୂରିଉଠିଲା । ହେଲେ ସେ ନିଜେ ନିଜେ ଲୁହ ପୋଛିଲେ । ଦୁଃଖବେଳେ କେହି ନଥାନ୍ତି । ସୁଖରେ ସମସ୍ତେ ଭାଗୀ । ଏପରି ତିକ୍ତ ଅଭିଜ୍ଞତାରେ ସେ ଜର୍ଜରିତ ।

 

ଦୋଷ ବା ଆଉ କାହାକୁ ଦେବେ । ନିଜେ ଖୋଳିଥିବା ଗାତରେ ନିଜ ବ୍ୟତୀତ ଅନ୍ୟ ଜଣେ ପଡ଼ିବ କାହିଁକି ?

 

ସମ୍ମାନ ଯିବ । ଘରର ପରମ୍ପରା ନଷ୍ଟ ହୋଇଯିବ । ଯେମିତି ହେଲେ ଖଜଣା ତୁଟାଇବାକୁ ପଡ଼ିବ । ସବୁ ଯାଉ, ଦାଣ୍ଡକୁ ମର୍ଯ୍ୟାଦା ଟିକେ ରହୁ, ଏକଥା ବା କିଏ ନ ଚାହେଁ ।

 

ହେଲେ ବର୍ତ୍ତମାନ କ’ଣ ସୁବିଧା ହୋଇ ପାରୁଛି । ଅଳ୍ପ ଟଙ୍କାର କାରବାର ନୁହେଁ । ଅଚଳାଚଳ ସମ୍ପତ୍ତି । ବିରାଟ ପରିବାର । ବାଡ଼ି ବଗିଚା ଅନେକ । ଖଞ୍ଜଣା ସେମିତି ମୋଟା ଉପରେ ବାକି ରହିଛି । ଏତେଗୁଡ଼ାଏ ଟଙ୍କା କେଉଁଠୁଁ ବା ଆସିପାରୁଛି ।

 

ସତ୍ୟବ୍ରତଙ୍କ ମଥାରେ କିଛି ପଶିଲାନାହିଁ । ଏଇ ମାତ୍ର ଦୁଇ ଶହ ଟଙ୍କାପାଇଁ ଭୋରୁ ଯାଇଥିଲେ ଯେ, ବର୍ତ୍ତମାନ ଆସୁଛନ୍ତି । ପୁଣି ଏତେଗୁଡ଼େ ଟଙ୍କା ବା କାହାକୁ ମାଗିବେ ! କିଏ ବା କାହିଁକି ତାଙ୍କୁ ଦେବ ।

 

ଆଖି ପାଉନାହିଁ । ଦି’ହଜାର ଟଙ୍କା ଉପରେ ।

 

ଦିନ ଥିଲା, ଯେତେବେଳେ ତାଙ୍କ ଘରେ ହଜାର ହଜାର ଟଙ୍କା ନଗଦ କାରବାର ହେଉଥିଲା । ଆଖପାଖ ଅଞ୍ଚଳରେ ବଡ଼ ଜମିଦାର ପରିବାର ବୋଲି ନାମ ଅଛି । ଘରେ ବସି ବସି ତାଙ୍କ ବାପା ବହୁ ପରିମାଣର ଟଙ୍କା ଆୟ କରୁଥିଲେ ।

 

ଆଜି ଆଉ ସେଦିନ ନାହିଁ । ଜମିଦାରୀ ଉଚ୍ଛେଦ ପରେ, ଗଣ୍ଡେ ଖାଇ, ଢୋକେ ପିଇ ବଞ୍ଚିରହିବା କଷ୍ଟକର । ସମ୍ଭ୍ରାନ୍ତବଂଶର ମର୍ଯ୍ୟାଦା ଜଗି ଚଳିବାପାଇଁ ହେଲେ ହାତରେ ସବୁବେଳେ ଅର୍ଥ ଥିବା ଆବଶ୍ୟକ । ପୁଣି ଆଜିର ମହଙ୍ଗା ଯୁଗରେ କେତେ ବା ଆଉ ଜଗିରଖି ଚଳି ହେବ ! ଚଳିବା ତ ସହଜ ହେଉନି, ପରମ୍ପରା ବଜାୟ ରଖିବା ଦୂରର କଥା ।

 

ଆଜକୁ ବର୍ଷ ବର୍ଷ ଧରି ଖଜଣା ବାକି ପଡ଼ିଛି । ଅବହେଳା ଏବଂ ଅର୍ଥ ଅଭାବରୁ ଖଜଣା ଦେବା ସମ୍ଭବ ହୋଇନାହିଁ । ଜମିଦାରୀ ଗଲା ପରେ ପରେ, ଆୟ କମି ଆସିଛି, କିନ୍ତୁ ଖର୍ଚ୍ଚ କମିପାରିନାହିଁ । ବହୁ ବ୍ୟୟ ଭିତରେ ପରିବାର ଯେମିତି ଚଳି ଆସିଥିଲା, ଆଜି ଠିକ୍‌ ସେମିତି ଚଳିବାଫଳରେ ସତ୍ୟବ୍ରତ ଦେବାଳିଆ ।

 

ଏବେ ଚେତା ଫେରିଛି; ମାତ୍ର ନିରୁପାୟ । ଖର୍ଚ୍ଚ କମାଇ ଚଳିବା ଲାଗି ଯେତେ ପରାମର୍ଶ ଦେଲେବି ମଧ୍ୟ ତାଙ୍କ କଥା କେହି ଶୁଣିବାକୁ ପ୍ରସ୍ତୁତ ନୁହନ୍ତି । ଏଲାଗି ଘରେ ଅନେକ ଥର ମାନ ମନାନ୍ତର ଘଟି ଗଲାଣି । ଘରର ମର୍ଯ୍ୟାଦା ରକ୍ଷାକରି ସତ୍ୟବ୍ରତ ଯେମିତି ହେଲେ ସଂସାର ଚଳାଉଛନ୍ତି ।

 

ସଂସାର ନାଆ ଅଟକିନି ସତ, ହେଲେ ତାହା କେତେ ବାତ୍ୟା ଆଉ ଝଡ଼ର ସମ୍ମୁଖୀନ ହେଲାଣି, ତା’ର କଳନା ନାହିଁ । କୂଳରେ ପହଞ୍ଚିବା ଆଶାରେ ଧାଇଁଛି ।

 

ଆୟ ବୋଲି ଆଉ କିଛି ନାହିଁ । ବାହାରୁ କେଉଁଠୁଁ ଦିପଇସା ଆସିବାର କୌଣସି ପନ୍ଥା ନାହିଁ । ସେହି ଜମିବାଡ଼ି ସମ୍ବଳ । ବସି ଖାଇଲେ ନଈବାଲି ଶେଷ ହୋଇଯିବା ପରି, ସେହି ଜମିବାଡ଼ିକୁ ବିକିଭାଙ୍ଗି କେତେଦିନ ବା ଖାଇବେ ! ତାହାବି ଶେଷ ହେବାକୁ ବସିଲାଣି । ଯାହା ଜମିବାଡ଼ି ଅଛି, ସେଥିରେ ପରିବାର ଚଳିବା ସମସ୍ୟା ହୋଇଛି ।

 

ଏତେବେଳେ ପୁଣି ଆଉ ଏକ ଅଶୁଭ ସମ୍ବାଦ । ଯେପରି ହେଲେ ଖଜଣାତକ ସରକାର ଘରେ ପହଞ୍ଚାଇବାକୁ ହେବ । ନହେଲେ ଲୋକହସା ହେବାକୁ ପଡ଼ିବ ।

 

କୋରକ ହେବା କଥାଟା ଶୁଣିବାମାତ୍ରେ, ସତ୍ୟବ୍ରତ ବିଚଳିତ ହୋଇ ପଡ଼ିଲେ । ମନ୍ଦ ଭାଗ୍ୟ । କାହାକୁ ବା ଆଉ କ’ଣ କହିବେ ! କୁହାବୋଲା କରି ଏତେ ଦିନଯାଏ ରକ୍ଷା ପାଇଆସିଲେ-। ଆଉ ରକ୍ଷା ପାଇହେବନାହିଁ । କେତେ ଦିନ ବା ଏମିତି କୁହାବୋଲାରେ ଖଜଣା ନ ଦେଇ, ମୁକ୍ତି ପାଇବେ ! ଦିନେ ନା ଦିନେ ତ ଏହା ଦେବାକୁ ହେବ । ଘରର ସମ୍ମାନ ଓ ପୂର୍ବତନ ଜମିଦାର ଭାବରେ ବୁନିଆଦିକୁ ଦୃଷ୍ଟି ରଖି ଏତେଦିନ ଯାଏଁ ଆଇନତଃ କିଛି କରାହେଉ ନଥିଲା; ମାତ୍ର ଆଜି ଆଉ ରକ୍ଷା ମିଳିବାର ବାଟ ନାହିଁ ।

 

ଗଣତନ୍ତ୍ର ରାଷ୍ଟ୍ରରେ ଆଇନ ଦୃଷ୍ଟିରେ ସବୁ ସମାନ । ପାତରଅନ୍ତର ଆସିବ କୁଆଡ଼ୁ ? ତେବେ ମୁହଁ ଲାଜକୁ କର୍ତ୍ତୃପକ୍ଷ କେତେକ କ୍ଷେତ୍ରରେ ଏଡ଼ିପାରନ୍ତି ନାହିଁ ।

 

ସତ୍ୟବ୍ରତ ଶ୍ରୀମତୀଙ୍କ ପାଖରୁ କୋରକ ନୋଟିସ୍‍ ପାଇବାମାତ୍ରେ, କ’ଣ କରିବେ ଓ କ’ଣ କହିବେ କିଛି ଭାବିପାରିଲେ ନାହିଁ । ମନେମନେ କେବଳ ଭାବୁଥାଆନ୍ତି–ଏତେ ବର୍ଷଯାଏ କୋରକ ନହେଲା ବା କାହିଁକି ? ଆହୁରି ବହୁ ପୂର୍ବରୁ ଏପରି ହେବା କଥା ।

 

ବାପା ବଞ୍ଚିଲାବେଳେ, ସେ ଏମିତି କେତେ କୋରକ ଦେଖିଛନ୍ତି । ନିଜେବି କେତେଟା ଘର କୋରକ କରିଛନ୍ତି । ଖଜଣା ଦେଇପାରି ନଥିବା ଲୋକ ତାଙ୍କ ଘରେ ଆସି କିପରି ବିକଳ ହୁଏ, ସେକଥା ସେ ଭୁଲିନାହାନ୍ତି । ଘର କୋରକବେଳେ କିପରି ଘର ମାଲିକକୁ ହୀନସ୍ତା କରାଯାଏ, ଦାଣ୍ଡରେ ସମ୍ମାନ ନଷ୍ଟ କରାଯାଏ, ଘରର ସର୍ବସ୍ଵ ବୋହି ନିଆଯାଏ, ଏ ଦୃଶ୍ୟ ସବୁ ତାଙ୍କୁ ଜଣାଅଛି ।

 

ଆଜି ସେ ସେହିପରି ହୀନସ୍ତା ହେବେ । ମାନସମ୍ମାନ ଦାଣ୍ଡରେ ପଡ଼ିବ । ନାଗରା ବାଜିବ । ଲୋକେ ରୁଣ୍ଡ ହୋଇଯିବେ । ଛିଛାକର କରିବେ । କେତେ ବିଦ୍ରୂପ ଭିତରେ ହସି ହସି ନାନାଦି କଥା କହିବେ । ଶେଷକୁ ଘରୁ ସବୁ ଚାଲିଯିବ ।

 

ସତ୍ୟବ୍ରତଙ୍କ ଆଖିରେ ଲୁହ । ନାଚାର । ପଚାରିଲେ–‘‘ପିଅନକୁ ଚିହ୍ନିଛ କି ? କିଏ ଆସିଥିଲା ?”

 

“ହଁ ମ, ଏଇ ଆମ ସୁରେଶ ବେହେରା ପୁଅ ।”

 

“ବୁଝିଲି, ତା’ ସାନପୁଅ ତହସିଲରେ ପିଅନ ହୋଇଛି ।”

 

“ଆଉ କ’ଣ କହୁଥିଲା ?”

 

“ନା, ନୋଟିସ୍‌ଟା ଦେଇଗଲା । ମୁଁ ପଢ଼ିଲା ପରେ ଏକଥା ଜାଣିଲି । ମୁଁ ବି ତାକୁ ଚିହ୍ନି ନଥିଲି । ଜୁହାରଟିଏ ହେଲା । ତୁମକୁ ଖୋଜିଲା ପରେ, ଏଇଟା ଦେଲା । ପରେ ସେ ତା’ ପରିଚୟ ଦେଇ ଚାଲିଗଲା ।”

 

ଇତିଶ୍ରୀଙ୍କଠାରୁ ଏତକ ଶୁଣିଲା ପରେ, ବ୍ୟଥାର ଦୀର୍ଘ ନିଃଶ୍ଵାସଟାଏ ତାଙ୍କର ବାହାରି ଆସିଲା ।

 

ସୁରେଶ ବେହେରାର ପୁଅ ଆସିଛି ସତ୍ୟବ୍ରତଙ୍କୁ କୋରକ ନୋଟିସ୍‌ ଦେବାକୁ । ଦୁର୍ଭାଗ୍ୟ ନୁହେଁତ ଆଉ କ’ଣ ! ତାଙ୍କ ବାପା ସୁରେଶ ବେହେରାର ଘର କେତେଥର କୋରକ କରିଛନ୍ତି । ବିକଳ କାନ୍ଦଣା ତା’ର ସେ ନିଜେ ଶୁଣିଛନ୍ତି । ବାପା ମରିଯିବା ପରେ ପରେ, ନିଜେବି ଥରେ ତା’ ଘର କୋରକ କରିଥିଲେ । ଘର ଆଗରେ ନାଗରା ବାଜିଛି । ଅନେକ ଦିନ ଧରି ଖଜଣା ବାକି ପଡ଼ିଥିଲା । ବକେୟା ଖଜଣା ଆଦାୟର ଝୁଙ୍କ୍‌ ଏମିତି କରିବାକୁ ବାଧ୍ୟ କରିଥିଲା ।

 

ବିଚରା କେଉଁଠୁଁ ଆଣି ଖଜଣା ବା ଦେଇ ଥାଆନ୍ତା । ରୋଜଗାର ବୋଲି ତ ଆଉ ଅଧିକ କିଛି ନାହିଁ । ନିଜେ ମୂଲ ଲାଗି ପେଟ ପୋଷେ । ସଂସାର ଚଳାଏ । ପିଲାମାନଙ୍କୁ ପାଠ ପଢ଼ାଏ । ପିଲାମାନେ ସେତେବେଳେ ତା’ର ଛୋଟ ଛୋଟ ହୋଇ ଥାଆନ୍ତି । ସମସ୍ତଙ୍କର ଅଳିଅର୍ଦଳି ବୁଝିବାକୁ ହୁଏ । ସେଥିରେ ସେ ପୁଣି ଖଜଣା ଦେବ ବା କିପରି ।

 

ଅସୁବିଧାରେ ପଡ଼ି ଅନେକ ବର୍ଷଯାଏ ଖଜଣା ଦେଇପାରି ନଥିଲା । ତାକୁ ବହୁଥର ଖବର ଦିଆଗଲା; ମାତ୍ର ଖଜଣା ଚୁକ୍ତି କରିବା ତା’ ପକ୍ଷେ ସମ୍ଭବପର ହେଲାନାହିଁ ।

 

ତାକୁ କୋରକ ନୋଟିସ୍‍ ଦିଆଗଲା । ସେ ବ୍ୟସ୍ତ ହୋଇପଡ଼ି ଜମିଦାରଙ୍କ ପାଖରେ ହାଜର ହେଲା । ବହୁ କାତର ପ୍ରାର୍ଥନା କଲା । ଅନୁରୋଧ କରି ମୁଣ୍ଡ ତା’ର ଛିଡ଼ିଗଲା ଉପରେ । ଆଉ ବର୍ଷଟିଏ ସମୟ ଦେବାକୁ କେତେ କହିବା ପରେବି ତାକୁ ସମୟ ମିଳିଲାନାହିଁ ।

 

ଘର କୋରକ ହେଲା । ଘରଦ୍ଵାର ଶୂନ ହୋଇଗଲା । ସର୍ବସ୍ଵ ହରାଇଲା ।

 

ସୁରେଶ ବେହେରା ସବୁ ବୁଝିପାରୁଥାଏ । ତା’ ସ୍ତ୍ରୀ ବି ଏ ଘଟଣା ସବୁ ଜାଣିଥିଲା । ହେଲେ ପିଲାମାନେ ତ ଜାଣି ନାହାନ୍ତି । ଦାଣ୍ଡ ଆଗରେ ନାଗରା ବାଜିଲା । ନାଗରା ବଜା ଶୁଣି ସାଇପଡ଼ିଶା ରୁଣ୍ଡ ହୋଇଗଲେ । ଘରୁ ଜିନିଷପତ୍ର କଢ଼ାହେଲା ।

 

ସୁରେଶ ଓ ତା’ ସ୍ତ୍ରୀ ମୂକ ପାଲଟି ଯାଇଥାଆନ୍ତି । ହୃଦୟରେ କୋହ ଜାକି ନୀରବରେ ଠିଆହୋଇଥିଲେ । ମାତ୍ର ପିଲାମାନଙ୍କର କାନ୍ଦବୋବାଳି କହିଲେ ନସରେ ! ସେମାନେ ଏସବୁ ଘଟଣା ଦେଖି ବିକଳରେ କାନ୍ଦୁଥାଆନ୍ତି । ବାପ ମାଆ ଯେତେ ବୁଝାଇଲେବି ସେମାନେ ବୁଝୁ ନଥିଲେ–ତୁନି ହେଉ ନଥାଆନ୍ତି ।

 

ଅନ୍ୟ କେହି ଜଣେ ସେମାନଙ୍କୁ ତୁନି କରାଉ ନଥିଲେ । ନିର୍ଦ୍ଦୟଭାବରେ ସମସ୍ତେ କୋରକରେ ବ୍ୟସ୍ତ ଥାଆନ୍ତି ।

 

ସେଦିନର ଗୋଟିଏ ଘଟଣାର ଦୃଶ୍ୟ ଏହିପରି । ଏମିତି ବହୁବାର ଅଶୁଭ ଘଟଣା ତା’ର ଦୁର୍ଭାଗ୍ୟମୟ ଜୀବନରେ ଆସିଛି ।

 

ଆଜି ତା’ରି ପୁଅ ଆଣିଛି କୋରକ ନୋଟିସ୍‌ । ସତ୍ୟବ୍ରତ ଭାବି ବସିଲେ–ଏଇ ଘରର ପୁଅ କେତେଥର ଯାହାଘର କୋରକ କରିଛି, ସେହି ଘରର ପୁଅ ଏଇ ଘରକୁ କୋରକ ଖବର ନେଇ ଆସିଛି ।

 

ଶ୍ରୀମତୀ ଇତିଶ୍ରୀ ସତ୍ୟବ୍ରତଙ୍କ ଚିନ୍ତାକୁଳ ମୁଖରେ ସରୁ ହସଟିଏ ଖେଳାଇବା ପାଇଁ ଚେଷ୍ଟା କଲେ । ଏସବୁ ଅତୀତ କଥାକୁ ଭୁଲି କିପରି ବର୍ତ୍ତମାନ କାର୍ଯ୍ୟ ସମାଧାନ ହେବ, ତାହା ଉପରେ ଗୁରୁତ୍ଵ ଦେବାକୁ ପରିକଳ୍ପନା କରିବସିଲେ ।

 

“କାହିଁକି ଆଉ ଭାବୁଛ ଏସବୁ ! ସେ ଅଯୋଧ୍ୟା ନାହିଁ କି, ସେ ରାମଚନ୍ଦ୍ର ନାହାନ୍ତି । ତେବେ ଏତେ ଚିନ୍ତା କାହିଁକି ଆଉ ? ଦେଖିବା, ବାପ ଘରକୁ ଖବର ଦେଉଛି, ଦେଖେ ବାପା ଯଦି କିଛି ସାହାଯ୍ୟ କରି ପାରନ୍ତି । ଆଉ ତୁମେ ଗତ କଥାକୁ ଭାବି ଭାବି ମଥା ଖରାପ କରନାହିଁ । ପାଗଳ ହୋଇଯିବ ଯେ !”

 

ଏହାବି ସତ କଥା । ଭାବିଲେ ବା କ’ଣ ହେବ ! ଖଜଣା ନିଶ୍ଚୟ ଦେବାକୁ ହେବ । ସମ୍ମାନ ରକ୍ଷା କରିବାକୁ ପଡ଼ିବ । ଆଉ ତ କେହି ଚିନ୍ତା କରିବାପାଇଁ ନାହିଁ । ନିଜେ ସେ ଯାହା କରିବେ । ତେବେ ଉପାୟ କିଛି ବାହାର ନ କରି, ମନକଷ୍ଟ କରିବାରେ ଲାଭ କ’ଣ ମିଳିବ !

 

ଚିନ୍ତାକରି କିଛି ମିଳିବନାହିଁ । ଆଜିର ସମସ୍ୟାକୁ ଚିନ୍ତାକରି ବସିଥିଲେ କ’ଣ ସମାଧାନ ହୋଇପାରି ଥାଆନ୍ତା । ଉପାୟ ସ୍ଥିର କଲାପରେ ସିନା, ସମାଧାନ ହୋଇପାରିଲା ।

 

କେଉଁ ସମସ୍ୟା ସମାଧାନ ନହୋଇ କ’ଣ ସେମିତି ପଡ଼ିରହୁଛି । ସବୁ ସମସ୍ୟା ସମାଧାନ ହୋଇପାରୁଛି । ସମାଧାନ ପାଇଁ ପଥ ବାହାର କରିବାକୁ ହେଉଛି । ମଣିଷପକ୍ଷେ କେଉଁ କଥାଟା ଅସମ୍ଭବ । କେବଳ ଧୈର୍ଯ୍ୟ ଧରିଲେ ହୁଏ । ଅଧୈର୍ଯ୍ୟ ହୋଇ ଚିନ୍ତା କଲେ କ’ଣ କିଛି ହୋଇପାରିବ ?

 

ଆଜି ଛୋଟିଆ ସମସ୍ୟା ହେଉ ପଛେ, ଅଳ୍ପ ଟଙ୍କାର ହେଉ ପଛେ, ତାହା ତ ସମାଧାନ ହୋଇପାରିଲା । ବଡ଼ ସମସ୍ୟା, ଯାହାପାଇଁ ବେଶି ଟଙ୍କା ଆବଶ୍ୟକ, ତାହା ସମାଧାନ ନହୋଇ କ’ଣ ରହିଯିବ ?

 

ସତ୍ୟବ୍ରତ ମନକୁ ଟାଣକଲେ । ଆଉ ଭାବି ଭାବି ସମୟ ନଷ୍ଟ କରିବା ଠିକ୍‌ ହେବନି ବୋଲି ସ୍ଥିର କରିନେଲେ ।

 

ଇତିଶ୍ରୀ ପୁଣି ବୁଝାଇଲେ–‘‘ଆଉ ଏତେ ଭାବନା । ସବୁ ହୋଇଯିବ । ଆମକୁ ସହ୍ୟ କରିବାକୁ ହେବ । ଦୁଃଖ ସହ୍ୟ ନ କଲେ, ଆମପାଇଁ ଆଉ କିଏ ସହ୍ୟ କରିବ ! ସୁଖଦିନ ତ ସବୁଦିନେ ଥାଏନାହିଁ ।”

 

ପ୍ରକୃତରେ ସଂସାର କ’ଣ ପୁରୁଷ ଲାଗି କେବଳ ସୁଖମୟ ହୁଏ । ଏ ଦିଗରେ ସ୍ତ୍ରୀର ମଧ୍ୟ ଯଥେଷ୍ଟ ଭୂମିକା ରହିଛି । ଦୁଇଜଣଙ୍କ ସହଯୋଗରେ ପରିବାରର ସବୁ ଯୋଜନା ସଫଳ ହୁଏ-। ସତ୍ୟବ୍ରତ ଇତିଶ୍ରୀଙ୍କ ପାଖରୁ ମନ ବୁଝିଲା ଭଳି କଥା କେଇପଦ ଶୁଣିଲାପରେ ପ୍ରକୃତିସ୍ଥ ହେଲେ-

 

ଇତିଶ୍ରୀ ପତିପରାୟଣା । ବିରକ୍ତ ସ୍ଵରରେ କହିଲେ–‘‘ଯାହା ତ ହେବାର ହେଉଛି, ସେପାଇଁ ଉପାୟ ସ୍ଥିରହେବ–ସମାଧାନ କରାଯିବ । ହେଲେ ତୁମେ କାହିଁକି ସକାଳ ପହରୁ ନ ଖାଇ ନ ପିଇ ବୁଲୁଛ କହିଲ ?”

 

କେହି ଉଠିବା ପୂର୍ବରୁ ସତ୍ୟବ୍ରତ ଘରୁ ଯାଇଥିଲେ । କାହାକୁ କିଛି ଖବର ଦେଇନାହାନ୍ତି-। କୁଆଡ଼େ ଯାଇଥିଲେ, କାହିଁକି ଯାଇଥିଲେ, କାମ କ’ଣ, ଏକଥା ବା ଇତିଶ୍ରୀ ଜାଣିବେ କିପରି-! କାଲି ରାତିଠାରୁ ଜ୍ଵର । ଉତ୍ତାପ ରାତିସାରା ରହି ତାଙ୍କୁ ବିଚଳିତ କରିଛି । ଇତିଶ୍ରୀଙ୍କର ସନ୍ଦେହମୋଚନ ପାଇଁ କହିବାକୁ ଆରମ୍ଭ କରିବାମାତ୍ରେ, ସେ ବାଧା ଦେଇ ଆଗ ନିତ୍ୟକର୍ମ ସାରିବାପାଇଁ ଜିଦ୍‌ ଧରିଲେ ।

 

ସତ୍ୟବ୍ରତ–ଇତିଶ୍ରୀଙ୍କ ପତିଭକ୍ତି ବିଷୟ ଜାଣନ୍ତି । ସେ ନ ଖାଇବା ପୂର୍ବରୁ ଇତି ଖାଆନ୍ତିନାହିଁ । ତାଙ୍କୁ ଖୁଆଇ ପିଆଇ ସାରିଲା ପରେ ନିଜେ ଖାଇବା ବ୍ୟବସ୍ଥା କରନ୍ତି । ତାଙ୍କର କୌଣସି କଥାରୁ ଇତି ବାହାରି ଯାଆନ୍ତି ନାହିଁ । ସେ ପ୍ରତିବାଦ କରିବା କେହି କେବେ ଦେଖିନାହିଁ । ସ୍ଵାମୀଙ୍କ କଥା ଉପରେ ହଁ ମାରି ବୁଝାମଣା ଠିକ୍‌ ରଖିବାକୁ ଚେଷ୍ଟାକରନ୍ତି । ତେବେ ସବୁବେଳେ ଯେ ସବୁ କଥାରେ ହଁ ମାରନ୍ତି, ତାହା ନୁହେଁ ।

 

ସଂସାର ଭିତରେ ଘର କରି ନାରୀ ସବୁବେଳେ ଯଦି ପୁରୁଷ କଥାରେ ହଁ ମାରୁଥିବ, କିମ୍ବା ପୁରୁଷ ଯଦି ସବୁବେଳେ ନାରୀ କଥାରେ ହଁ ମାରୁଥିବ, ତେବେ ପ୍ରଗତି ସମ୍ଭବପର ନୁହେଁ । ସେଥିପାଇଁ ସତ୍ୟବ୍ରତଙ୍କର ଅନେକ କଥା ଉପରେ ସେ ନିଜର ସୁଚିନ୍ତିତ ପ୍ରତିକୂଳ ମତାମତ ଦେଇଥା’ନ୍ତି । ସତ୍ୟବ୍ରତବି ଇତିଶ୍ରୀଙ୍କ କଥା ଉପରେ ମନ୍ତବ୍ୟ ଦେବାକୁ ପଛାନ୍ତିନାହିଁ । ତେବେ କେହି କାହାର ମନ୍ତବ୍ୟକୁ ଅନ୍ୟଥା ଭାବନ୍ତିନାହିଁ । ଗୁରୁତ୍ଵ ଦେଇ ଆଲୋଚନା କରନ୍ତି ।

 

ଇତିଶ୍ରୀଙ୍କ ପରି ଜଣେ ସହଧର୍ମିଣୀ ପାଇ ସତ୍ୟବ୍ରତଙ୍କ ଜୀବନ ଧନ୍ୟ ହୋଇଛି । ଥିଲା ନଥିଲା, ଅସୁବିଧା ସୁବିଧା, ସବୁ କଥାକୁ ସେ ତୁଲାଇ ନିଅନ୍ତି । କିପରି ତୁଲାନ୍ତି ସେ ବିଷୟରେ ସତ୍ୟବ୍ରତ ଜାଣନ୍ତି ନାହିଁ ।

 

ଆଜିକାଲି ଯୁଗରେ ପତିପରାୟଣା ସ୍ତ୍ରୀ ପାଇବା ସହଜ ନୁହେଁ । ଦୁନିଆରେ ସବୁ ନାରୀ ସ୍ତ୍ରୀ ହୋଇପାରନ୍ତି; ମାତ୍ର ପତିବ୍ରତା ହେବା ସମସ୍ତଙ୍କ ଜୀବନରେ ସମ୍ଭବ ନୁହେଁ । ଠିକ୍‌ ସେମିତି ସବୁ ପୁରୁଷ ସ୍ଵାମୀ ହୋଇପାରନ୍ତି, ମାତ୍ର ସ୍ତ୍ରୀକୁ ନେଇ ଚଳି ପାରିବାର ସାଧକ ହେବା ସମସ୍ତଙ୍କ ଜୀବନରେ ସମ୍ଭବ ହୁଏନା ।

 

ସତ୍ୟବ୍ରତ ସ୍ଵାମୀ ଭାବରେ ଯେପରି ଗର୍ବ ଅନୁଭବ କରନ୍ତି, ଇତିଶ୍ରୀ ମଧ୍ୟ ତାଙ୍କ ଗର୍ବ ବଜାୟ ରଖିବା ଦିଗରେ ସେପରି ଯଥେଷ୍ଟ ସହଯୋଗ କରିଥାଆନ୍ତି । ସହଯୋଗ ମନୋବୃତ୍ତିକୁ ଭିତ୍ତି କରି ବୈବାହିକ ଜୀବନ ଶ୍ରୀମଣ୍ଡିତ ହୁଏ, ଏକଥାର ଗୂଢ଼ ରହସ୍ୟ ଉଭୟଙ୍କୁ ଜଣା ।

 

ଏହି ସହଯୋଗ ଅଭାବରେ କେତେ ସୁନାର ସଂସାର ନଷ୍ଟ ହୁଏ, ଜାଣି ଜାଣି ଅସୁବିଧା ଭୋଗକରିବାକୁ ପଡ଼େ, ଏ ବିଷୟରେ ଦୁହେଁ ଖୁବ୍‌ ସଚେତନ ।

 

ସତ୍ୟବ୍ରତ ନିତ୍ୟକର୍ମ ସାରି ବାରଣ୍ଡାରେ ଏପଟ ସେପଟ ବୁଲୁ ବୁଲୁ ଇତିଶ୍ରୀଙ୍କୁ ଡାକିଲେ-। ତାଙ୍କ ଡାକ ଶୁଣି ସେ ଘରୁ ବାହାରି ଆସିଲେ । ଆଉ କ’ଣ ଅଶୁଭଖବର ଆସିଲା କି ବୋଲି ଆଶଙ୍କା କରି ସେ ଘରୁ ତରବର ହୋଇ ଚାଲିଆସିବା ଦେଖି, ସତ୍ୟବ୍ରତ ଆଶ୍ଚର୍ଯ୍ୟ ।

 

‘କାହିଁକି ଡାକିଲ’ ବୋଲି ପଚାରିବାରୁ ସତ୍ୟବ୍ରତ କହିଲେ–‘‘ତୁମେ ଏମିତି ବ୍ୟସ୍ତ ହେଉଛ କାହିଁକି ? ମୁଁ ସେମିତି ଡାକିଲ ମ । କିଛି କଥା ନାହିଁ ।”

 

“କାମ ତ ନାହିଁ । ବୁଲି ବୁଲି ସକାଳ ପହରୁ ଆସିଲ । ଯାଇ ବିଲ ଆଡ଼େ ଟିକେ ବୁଲିଆସ ।” ହସି ହସି ଇତି ହାଲୁକା ଭାବରେ କହିବା ଦେଖି ସତ୍ୟବ୍ରତ କହି ବସିଲେ ।

 

“ବୁଝିଲ ଇତିଶ୍ରୀ, ଗୋଟାଏ ଚିନ୍ତାରୁ ମୁକ୍ତ ହେଲି ।”

 

“କି ଚିନ୍ତା ? କ’ଣ ଖଜଣା ବ୍ୟବସ୍ଥା ହୋଇଗଲା !”

 

“ସେ ପଛ କଥା । ଆଗ କଥା ଆଗ ହେଉ ।”

 

“ଆଉ କେଉଁ କଥା ?”

 

ଇତିଶ୍ରୀ ସତ୍ୟବ୍ରତଙ୍କ ଉକ୍ତିରୁ ଭାବିନେଲେ ଯେ, ଆଜି ସକାଳେ ଯେଉଁ ଅଶୁଭ ପେଚକ ବାର୍ତ୍ତାନେଇ ଆସିଥିଲା, ତା’ରି ସମାଧାନର ପନ୍ଥା ହୁଏତ ସତ୍ୟବ୍ରତ ପାଇଗଲେ । ସେପାଇଁ ଖୁସୀ ଓ ବିସ୍ମୟରେ ଏପରି କହି ଉଠିଲେ । ତଥାପିବି ସନ୍ଦେହ ଯାଇନାହିଁ ।

 

ନାରୀ ସନ୍ଦେହୀ । ଏହି ସନ୍ଦେହପାଇଁ ସେ ପୁରୁଷକୁ ସବୁବେଳେ ପରୀକ୍ଷା କରୁଥାଏ । ପୁରୁଷ ଯେପରି ବୈବାହିକ ଜୀବନରେ ମୁକ୍ତ ମନ ନେଇ ସ୍ତ୍ରୀ ସହିତ କଥା ହୁଏ, ସ୍ତ୍ରୀ କିନ୍ତୁ ସେପରି ଦୃଷ୍ଟିରେ ନ ଦେଖି ବରାବର ନିଜ ପୁରୁଷକୁ ସନ୍ଦେହ ଦୃଷ୍ଟିରେ ଦେଖିଥାଏ । ଅବଶ୍ୟ ଏ ସନ୍ଦେହ ପଛରେ ଯେଉଁ ସ୍ନେହ ଓ ଆନ୍ତରିକତା ରହିଥାଏ, ସେ ସନ୍ଦେହ ବିଷାକ୍ତ ମନେ ହୁଏନା । ବରଂ ବୈବାହିକ ଜୀବନକୁ ମଧୁମୟ କରିବା ଦିଗରେ ଏହା ସହାୟକ ହୋଇଥାଏ । ବେଳେବେଳେ ପୁରୁଷ ଓ ନାରୀର ଉପସ୍ଥିତିରେ ଏହି ସନ୍ଦେହକୁ କେନ୍ଦ୍ରକରି କେତେ ଆନନ୍ଦ ଆସର ସୃଷ୍ଟି ହୁଏ– ହସର ଢେଉ ଖେଳିଯାଏ, ତା’ର ଅନୁଭବୀ କେବଳ ଦୁଇଟି ଆତ୍ମା । ଏହା କ’ଣ ଅନ୍ୟ କେହି ପ୍ରକାଶକରିବା ସମ୍ଭବ ହୁଏ ।

 

ଇତିଶ୍ରୀଙ୍କର ସନ୍ଦେହ ସଂସାରକୁ ଅଧିକ ସୌଷ୍ଠବାନ୍ଵିତ ଓ ମଧୁମୟ କରିବାପାଇଁ, ସାଧାରଣ ନାରୀ ଜୀବନଠାରୁ ତାଙ୍କ ଜୀବନ ବହୁ ଊର୍ଦ୍ଧ୍ଵରେ– ଭିନ୍ନ ଚିନ୍ତାର ।

 

ସତ୍ୟବ୍ରତ ଇତିଶ୍ରୀଙ୍କର ସ୍ଵଭାବ ଜାଣିଥିଲେ । ସେଥିପାଇଁ କଥାଟାକୁ ଖୋଲି କହିଦେବାକୁ ପସନ୍ଦ କଲେ । ସେ ଘରଣୀ, ଘର କଥା ନ ଜାଣିବେ ବା କିପରି !

 

“ଆସନ୍ତାକାଲି ଆମ ପ୍ରିୟବ୍ରତର ଫର୍ମ୍ ପୂରଣ ହେବ । ଏଇ ହେଉଛି ତା’ର ଏମ୍.ଏ. ଫାଇନାଲ୍‍ ପରୀକ୍ଷା, ସେପାଇଁ ଚିନ୍ତିତ ଥିଲି । ଯାହାହେଉ, ଟଙ୍କା ଯୋଗାଡ଼ ହୋଇଗଲା ।”

 

“ଏଇ କାମରେ ଭୋରୁ ବାହାରି ଯାଇଥିଲ, ନୁହେଁ ?”

 

ଶ୍ରୀମତୀଙ୍କର ବିରକ୍ତିସୂଚକ ମୁଖମଣ୍ଡଳ ଦେଖି ସତ୍ୟବ୍ରତ ଅତି ନିଃସହାୟ ମନେକଲେ । ସ୍ଵର ବଦଳି ଗଲା ।

 

“ଅନ୍ୟ ଉପାୟ କିଛି ନଥିଲା । ସନାତନ ପାଖକୁ କରଜପାଇଁ ଯାଇଥିଲି ।”

 

ଏତକ ଶୁଣିବାମାତ୍ରେ ଇତିଶ୍ରୀଙ୍କୁ ସମ୍ଭାଳେ କିଏ ! ରାଗରେ ଜରଜର ହୋଇ ଉଠିଲେ । ସେଦିନ ଏଇ ସନାତନ ତାଙ୍କୁ ମା’ ମା’ ବୋଲି ଡାକୁଥିଲା–ଶାଶୁଙ୍କୁ ସାଆନ୍ତାଣୀ ବୋଲି ଡାକୁଥିଲା, ଆଜି ତା’ ପାଖରେ ନିଜ ସ୍ଵାମୀ ଯାଇ କରଜପାଇଁ ଠିଆହେବା ଘଟଣାକୁ ସେ ପସନ୍ଦ କରନ୍ତେ ବା କେମିତି !

 

ସତ୍ୟବ୍ରତ ଏପାଇଁ ଅନେକ ଚିନ୍ତା କରିଛନ୍ତି । ନିରୁପାୟ ହୋଇ ଶେଷରେ ଯେ ତା’ ପାଖରେ ପହଞ୍ଚିଛନ୍ତି, ଏକଥା ସିଏ ବୁଝିବେ ବା କିପରି !

 

ସନାତନ ନାଁ ଶୁଣିବାକ୍ଷଣି ଗର୍ଜି ଉଠିଲେ ଇତିଶ୍ରୀ ।

 

କ’ଣ କହିଲ ! ଘରର ମାନ ଇଜ୍ଜତ ସବୁକୁ ଶେଷରେ ସାରିଲ । ସନାତନ ଘରକୁ କରଜ ଲାଗି ଯିବା ପୂର୍ବରୁ ଟିକେ ଚିନ୍ତା କଲନାହିଁ !

 

ସତ୍ୟବ୍ରତ ଏ ଲାଗି କେତେ ଚିନ୍ତା କରିଛନ୍ତି, ସେ କଥା ଇତିଶ୍ରୀଙ୍କୁ ସତରେ ଜଣାନାହିଁ । ସାନଭାଇ ପାଇଁ ମଥା ପାଗଳ ହୋଇଗଲାପରି ହୋଇଛି । ଟଙ୍କାପାଇଁ ମନ ଅସ୍ଥିର । ରାତି ପାହିଲେ ଫର୍ମ୍ ପୂରଣ, କିପରି କାର୍ଯ୍ୟ ସମାଧାନ ହେବ ! ହାତରେ ଟଙ୍କା ନାହିଁ । ଆଉ କାହାକୁ କିଛି ନ କହି ନିରୁପାୟ ମନେକରି ସନାତନ ପାଖକୁ ଯାଇଥିଲେ । ଏଥିରେ ସେ ବିଶେଷ କିଛି କ୍ଷତି କରିଛନ୍ତି ବୋଲି ଭାବୁ ନାହାନ୍ତି ।

 

ମଣିଷ ପରିସ୍ଥିତିକୁ ବିଚାରକରି ସବୁ କରିବା କଥା । ତାତ୍କାଳିକ ବୁଦ୍ଧି ବିଚାର ମଣିଷକୁ ବଡ଼ କରେ– ସକଳ–କ୍ଷେତ୍ରରେ ବିଜୟୀ କରିଥାଏ । ସତ୍ୟବ୍ରତ ଭୁଲ୍‌ କିଛି କରିଛନ୍ତି ବୋଲି ଭାବିପାରିଲେ ନାହିଁ ।

 

ଇତିଶ୍ରୀଙ୍କ ରାଗ ଦେଖି ସେ କହିଲେ–“କ’ଣ ଆଉ ଚିନ୍ତା କରି ଥାଆନ୍ତି ? କ୍ଷତି କ’ଣ ହେଲା ?”

 

ଏ କଥା ଶୁଣି ଇତିଶ୍ରୀ ଆହୁରି ଅଧିକ ରାଗି ଉଠିଲେ । ସ୍ଵାମୀ ହୁଏତ ତାଙ୍କ ପ୍ରତିକ୍ରିୟାର ଅର୍ଥ ଠିକ୍‌ ଭାବରେ ବୁଝିପାରିନାହାନ୍ତି ବୋଲି ସେ ଭାବିଲେ । ତେଣୁ ପ୍ରତିକ୍ରିୟାକୁ ଦ୍ଵିଗୁଣ ରୂପଦେଇ ତାହା ପ୍ରକାଶ କରିବାକୁ ଲାଗିଲେ ।

 

“କାଲିପରି ଏହି ଘରେ ଯିଏ ପେଟ ଚାଖଣ୍ଡକ ପାଇଁ ଆମରି ସେବା କରୁଥିଲା, ଆଜି ପୁଣି ତା’ର ଘରେ ଆମକୁ ଦ୍ଵାରସ୍ଥ ହେବାକୁ ପଡ଼ିଲା ! ଶେଷରେ ତମେ ତା’ରି ଦୁଆରେ ଗୋଡ଼ ଭାଙ୍ଗିଠିଆହେଲ ?”

 

ସତ୍ୟବ୍ରତ ଯେ ନ ଜାଣି ନ ଶୁଣି ସନାତନ ଘରକୁ ଯାଇଛନ୍ତି, ତାହା ନୁହେଁ । ଅନେକ ଥର ଭଲ ଭାବରେ ଚିନ୍ତାକରି ସାରିଲାପରେ ସେ ସେଠାକୁ ଯାଇଛନ୍ତି । ଭୁଲ୍‌ ଆଦୌ କରିନାହାନ୍ତି ବୋଲି ତାଙ୍କର ଯୁକ୍ତି ଥାଏ । ସେ ସନାତନ ଘରକୁ ଯିବାଦ୍ଵାରା ଯେ ଗୋଟେ କିଛି ବିରାଟ ଅପରାଧ କରି ପକାଇଛନ୍ତି ସେପରି ତ ନୁହେଁ ।

 

ଦୁନିଆରେ ସବୁ ମଣିଷ ସମାନ । ସିଏ କେତେବେଳେ କେଉଁଠି ଚାକିରି କରିଥିଲା, ସେକଥାକୁ ବିଚାରକରି ଲାଭ କ’ଣ ? ପେଟପାଇଁ କିଏ ବା ମୂଲ ନ ଲାଗୁଛି । ସମସ୍ତେ ତ ଆମେ ମୂଲିଆ । ମୂଲ ନ ଲାଗିଲେ ବସି ବସି କାହା ପେଟ ପୂରି ପାରୁଛି ! ତେବେ ସନାତନ ବା କ’ଣ ଆଉ ଖରାପ କାର୍ଯ୍ୟ କରୁଥିଲା । ଏଇ ପେଟ ଚାଖଣ୍ଡକ ପାଇଁ ସେ ପରଘରେ ମୁଣ୍ଡ ଯାକିଥିଲା । ଏପାଇଁ ପରଘରୁବି ବହୁ କଥା ଶୁଣିବାକୁ ହୋଇଛି । ସବୁ ସେ ସହିଥିଲା–ପେଟର ବେଦନା, ମନର ଭାବନାକୁ ଚାପିରଖି ସେ ଆଜି ମଣିଷ ହୋଇଛି ।

 

କାହା ଜୀବନରେ ଦୁଃଖ ନାହିଁ ? କାହା ଜୀବନ ସବୁବେଳେ ଫୁଲଶଯ୍ୟା ଭିତରେ ଗଢ଼ି ଉଠିଛି । କଣ୍ଟକିତ ପଥ ଦେଇ ଗଲେ, ପୁଷ୍ପର ସୁବାସ ସିନା ମିଳିପାରେ; କିନ୍ତୁ କଣ୍ଟକ ପଥକୁ ଗୁପ୍ତକରି ଦୂରେଇ ରହିଲେ, ମଣିଷ କ’ଣ ପୁଷ୍ପର ସୁବାସ ଅନୁଭବ କରିପାରିବ !

 

ପୃଥିବୀ ଇତିହାସରେ ସବୁ ବଡ଼ମଣିଷଙ୍କ ଜୀବନରେ ଏହାହିଁ ଘଟିଛି । ସେକ୍‌ସପିଅର ଯେ ବିଶ୍ଵରେ ଜଣେ ବଡ଼ ନାଟ୍ୟକାର, ତାଙ୍କ ଜୀବନ କାହାଣୀ ଅତ୍ୟନ୍ତ ଦୁଃଖଦାୟକ । ପିଲାଦିନେ ସେ ଘୋଡ଼ା ଜଗୁଆଳ ହୋଇ ଜୀବନ ନିର୍ବାହ କରୁଥିଲେ । ଏହି ପରିବେଶ ଓ ଦୁର୍ଦ୍ଦିନ ଭିତରେ ନିଜର ସାଧନାପାଇଁ ସେ ବିଶ୍ଵବିଖ୍ୟାତ ନାଟ୍ୟକାର ହୋଇପାରିଲେ ।

 

ପୃଥିବୀର ଯେତେ ବଡ଼ ବଡ଼ ମଣିଷ ଇତିହାସରେ ନାମ ରଖିଯାଇଛନ୍ତି, ସମସ୍ତଙ୍କ ଜୀବନ ସଂଘର୍ଷମୟ, କ୍ଷତବିକ୍ଷତ । ତା’ରି ଭିତରେ ସେମାନେ ନିଜକୁ ଗଠନ କରିଥିଲେ । ଗଠନ କରିବାଲାଗି କେତେ ସାଧନା କରିଛନ୍ତି । ତେଣୁ କାହାର ଦୁର୍ଦ୍ଦିନମୟ ଅତୀତ କାହାଣୀକୁ ନେଇ ବର୍ତ୍ତମାନ ଖ୍ୟାତିସମ୍ପନ୍ନ ବ୍ୟକ୍ତିଙ୍କୁ ଅସମ୍ମାନିତ କରିବାର ଅର୍ଥ ବା କ’ଣ ?

 

ସତ୍ୟବ୍ରତ ସନାତନ ଘରକୁ ଯାଇଥିବାର ସ୍ପଷ୍ଟୀକରଣ ଦେଲେ ସୁଦ୍ଧା, ଇତିଶ୍ରୀଙ୍କ ମନ ବୁଝୁ ନଥାଏ । ରକ୍ଷଣଶୀଳା ନାରୀ ପକ୍ଷରେ ପରିବର୍ତ୍ତନକୁ ଗ୍ରହଣକରିବା ଏତେଟା ସହଜ ନୁହେଁ ।

 

ପ୍ରତି ମୁହୂର୍ତ୍ତରେ ପୃଥିବୀ ପୃଷ୍ଠରେ କେତେକଅଣ ପରିବର୍ତ୍ତନ ହୋଇଯାଉଛି । ସେହି ପରିବର୍ତ୍ତିତ ମୁହୂର୍ତ୍ତକୁ ସ୍ଵାଗତ କରିବା ଓ ସମ୍ମାନ ଦେବା, ଆଧୁନିକ ଚେତନଶୀଳ ମଣିଷରେ କର୍ତ୍ତବ୍ୟ; ମାତ୍ର ଇତିଶ୍ରୀ ଅତ୍ୟଧିକ ରକ୍ଷଣଶୀଳା ଓ ସମ୍ମାନସର୍ବସ୍ଵୀ ମହିଳା ଭାବରେ ଆଜିର ପରିସ୍ଥିତିକୁ ଗ୍ରହଣ କରିପାରୁନାହାନ୍ତି । ଯୁକ୍ତି ପରେ ଯୁକ୍ତି ବାଢ଼ି ସତ୍ୟବ୍ରତଙ୍କୁ ବିରକ୍ତ କରିବାରେ ଲାଗିଥାଆନ୍ତି ।

 

ସତ୍ୟବ୍ରତଙ୍କ କଥାର ପ୍ରତିବାଦ ଜଣାଇଲେ ଇତିଶ୍ରୀ ।

 

“ଏ କଥାରେ ତୁମେ ପୁଣି ଏତେ ଯେ ଯୁକ୍ତି ବାଢ଼ିପାରୁଛ, ମୁଁ ତ ଶୁଣି ଆଶ୍ଚର୍ଯ୍ୟ ହେଉଛି । କାହିଁକି ଆଉ ସେସବୁ କଥା, ଖୋଲୁଛ ?”

 

ଏଇ ସାମାନ୍ୟ କଥାରେ ରକ୍ଷଣଶୀଳା ନାରୀ ଯେ ଗୁରୁତ୍ଵ ଦେଇ ଆଲୋଚନା ଆରମ୍ଭକରିବେ, ଏକଥା ସତ୍ୟବ୍ରତଙ୍କ ବିଶ୍ଵାସର ବାହାର । ସେ ଏହାକୁ ଆଦୌ ମନେ ରଖି ନଥିଲେ; ମାତ୍ର ଇତିଶ୍ରୀ ଏହି କଥାକୁ ଉଖାରି ଉଖାରି ପଦାରେ ପକାଉଛନ୍ତି । ନିଜର ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି ।

 

ଦୁନିଆ ଏତେ ବଡ଼, ତା’ର ଭିତରେ ମଣିଷକୁ କେତେ କାର୍ଯ୍ୟ କରିବାକୁ ହେବ । କେତେ ବଡ଼ବଡ଼ କାର୍ଯ୍ୟପାଇଁ ପରିକଳ୍ପନା କରିବା କଥା; ଅଥଚ ଏଇ ମଣିଷକୁ ଏମିତି ଟିକିଟିକି କଥା ଭାବିବାକୁ ବେଳ ବା କାହିଁ । ଇତିଶ୍ରୀ କିପରି ଯେ ତାଙ୍କ ମତ ସହ ଏକମତ ହୋଇପାରୁନାହାନ୍ତି, ଏପରି ବିତଣ୍ଡା ଯୁକ୍ତି ବାଢ଼ିବାରେ ଲାଗିଛନ୍ତି, ସେପାଇଁ ସତ୍ୟବ୍ରତ ଆଶ୍ଚର୍ଯ୍ୟ ହେଉଛନ୍ତି ।

 

ବୁଝିବାକୁ ଗଲେ ଅତି ସାମାନ୍ୟ କଥା । ସେଥିରେ ପୁଣି ଏତେ ଯୁକ୍ତି–ଏତେ ମତାନ୍ତର । ତିଳକୁ ତାଳକରିବା ଦେଖି ସତ୍ୟବ୍ରତ, ‘‘ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି । ଏଇ ସାମାନ୍ୟ କଥାରେ ଏତେ ଗୁରୁତ୍ଵ ଦେବାର ଅର୍ଥ କ’ଣ ?” ବୋଲି କହିବା ଦେଖି ଇତିଶ୍ରୀ ଆହୁରି ଗର୍ଜି ଉଠି ପ୍ରତିବାଦ କଲେ ।

 

“ଏହାକୁ ତୁମେ ସାମାନ୍ୟ ବୋଲି ଭାବୁଛ ?”

 

ଦୁନିଆରେ ଘର କରି ନେଣଦେଣ କ’ଣ ହେବନାହିଁ ? ମଣିଷ କ’ଣ କାହା ସହ ସମ୍ପର୍କ ସ୍ଥାପନ କରିବନାହିଁ ! ଧାର ଉଧାର କାରବାର କ’ଣ ଅପରାଧ !

 

ସତ୍ୟବ୍ରତ ଏହାର ଥଳକୂଳ କିଛି ପାଉନାହାନ୍ତି । ସେ’ତ ସନାତନକୁ ଟଙ୍କା ସେମିତି ଭିକାରିପରି ମାଗିନାହାନ୍ତି । ସନାତନ ନେଣଦେଣର ବ୍ୟବସାୟୀ । ସେ ଧାର ଦିଏ । ଏହି ବ୍ୟବସାୟ କରି ସୁଧ ସହ ଅସଲ ଆଦାୟ କରେ । ଏହି ସୂତ୍ରରେ ସତ୍ୟବ୍ରତ ସେଠାକୁ ଯାଇଥିଲେ । ହୁଏତ ଇତିଶ୍ରୀଙ୍କର ଧାରଣା ଯେ, ସେ ସନାତନକୁ ଟଙ୍କା ସେମିତି ମାଗିବାକୁ ଯାଇଥିଲେ । ସେ’ଯେ ଧାର ଆଣି, ସୁଧ ସହ ଅସଲ ଦେବାକୁ ରାଜି ସର୍ତ୍ତରେ ସେଠାକୁ ଯାଇଥିଲେ, ଏକଥା ତାଙ୍କୁ ଜଣାନାହିଁ ବୋଧହୁଏ । ସେପାଇଁ ଏହି ସର୍ତ୍ତଟିକୁ ପରିଷ୍କାର କରି ଦେବାପାଇଁ ସତ୍ୟବ୍ରତ ଇଚ୍ଛା କଲେ ।

 

“ମୁଁ ତ ଟଙ୍କା ତାକୁ ମାଗିବାପାଇଁ ଯାଇ ନଥିଲି । ତୁମର ଏଇ ଗହଣାବି ବନ୍ଧକ ଦେବାକୁ ନେଇଯାଇଥିଲି । ଏମିତି କ’ଣ ଘରଟି କରିଥିଲେ ନେଣଦେଣ ହୁଏ ନାହିଁ !”

 

ଇତିଶ୍ରୀ ଏତକ ଶୁଣିବା ପରେ, ରାଗ ତାଙ୍କର ଶାନ୍ତ ହେବ ବୋଲି ସତ୍ୟବ୍ରତ ଭାବିଥିଲେ-। ମାତ୍ର ଓଲଟା ଫଳ ହେଲା । ରକ୍ଷଣଶୀଳା ନାରୀ ପକ୍ଷରେ ଏହାର ଅର୍ଥ ବୁଝିବା ସମ୍ଭବ ହେଲାନାହିଁ । ବାବୁଆଣୀଙ୍କ ଗହଣା ପୁଣି ଚାକର ଘରେ ଯେ ବନ୍ଧା ପଡ଼ିପାରେ, ଏହାର କଳ୍ପନା ବାହାରର କଥା ବୋଲି ଇତିଶ୍ରୀଙ୍କର ଧାରଣା ।

 

ସମାଜରେ ଏମିତି ଅନେକ ଚରିତ୍ର ଦେଖିବାକୁ ମିଳନ୍ତି । ସେମାନେ ଅଯଥା ଆଭିଜାତ୍ୟ ଓ ଐତିହ୍ୟକୁ ନେଇ ଗର୍ବ କରନ୍ତି । ଆଜି ସେମାନେ ଦୁର୍ଦ୍ଦିନ ଭିତରେ ଗତିକରି ପାରନ୍ତି, ସେମାନଙ୍କଠାରୁ ଆର୍ଥିକ ଅସ୍ଵଚ୍ଛଳତା ଆସିପାରେ । ତଥାପି ଅତୀତର ଆଭିଜାତ୍ୟ ସେମାନଙ୍କୁ ବାନ୍ଧି ରଖେ । ସେମାନଙ୍କୁ ଅନ୍ଧ କରିଦିଏ ।

 

ଭୁଲ ବୁଝାମଣା ନ ରହୁ । ଇତିଶ୍ରୀଙ୍କ ଭାବଧାରାକୁ ସତ୍ୟବ୍ରତ ବୁଝିନିଅନ୍ତୁ ବୋଲି ତାଙ୍କର ଯୁକ୍ତି ।

 

“ମୁଁ ତ ମନାକରୁନାହିଁ । ହେଲେ, ସନାତନ ଘରକୁ ଯାଇ ଗହଣା ବନ୍ଧାଦେବାକୁ ମୁଁ ଆଦୌ ପସନ୍ଦ କରିପାରୁନାହିଁ । ବନ୍ଧକ ଦେଲେ କ’ଣ ଟଙ୍କାର ଅଭାବ ହେବ ! ଏଇ ଆମ ଗାଁରେବି କ’ଣ ଗହଣା ଦେଇ ଟଙ୍କା ଆଣିହେବନାହିଁ ।”

 

ସତ୍ୟବ୍ରତ ଗୁମ୍‌ମାରି ବସି ପଡ଼ିଲେ । ଆଉ ଯୁକ୍ତିକରିବା ଲାଗି ସେ ଇଚ୍ଛା ପ୍ରକାଶ କଲେ ନାହିଁ । ଯେ ବୁଝିବାପାଇଁ ପ୍ରସ୍ତୁତ ନୁହେଁ, ତାକୁ କିଏ ବା ବୁଝାଇ ପାରିବ । କିପରି ବା ବୁଝାଇ ସନ୍ତୋଷ କରାଯାଇପାରେ, ଏ କଥା ସତ୍ୟବ୍ରତଙ୍କୁ ଅଜଣା ବୋଲି ସ୍ଥିର କରିନେଲେ ।

 

ଦୁନିଆରେ ଉଚ୍ଚନୀଚର ତଫାତ୍‌ଠାରୁ, ଉଚ୍ଚ ଉଚ୍ଚ, ନୀଚ ନୀଚର ତଫାତ୍‌ ଚିନ୍ତାଧାରା ଯେ ଅଧିକ ମାରାତ୍ମକ ଏହା ଭାବିବାପାଇଁ ତାଙ୍କୁ ବେଶି ସମୟ ଲାଗିଲା ନାହିଁ । ଉଚ୍ଚନୀଚର ପାର୍ଥକ୍ୟ ରହିପାରେ; ମାତ୍ର ଉଚ୍ଚ, ଉଚ୍ଚକୁ କିପରି ପାର୍ଥକ୍ୟ ଦୃଷ୍ଟିରେ ଦେଖାଯାଇପାରିବ । ନୀଚ, ନୀଚକୁ କିପରି ପାର୍ଥକ୍ୟ ଦୃଷ୍ଟିରେ ଦେଖାଯାଇପାରିବ, ସତ୍ୟବ୍ରତଙ୍କୁ ଦ୍ଵନ୍ଦ୍ଵରେ ପକାଇଲା ।

 

ତାଙ୍କ ଉପରେ ଗାନ୍ଧୀବାଦର ଛାପ ସାମାନ୍ୟ ପଡ଼ିଛି । ଗାନ୍ଧୀ ଦର୍ଶନ ପ୍ରତି ସେ ଆକୃଷ୍ଟ । ସେଥିରୁ ଜାଣିଛନ୍ତି–ଦୁନିଆରେ ଉଚ୍ଚନୀଚ ଭେଦଭାବ ରହିବା ଠିକ୍‌ ନୁହେଁ । ଏହା ସମାଜ ଲାଗି କ୍ଷତିକାରକ; ମାତ୍ର ଏହି ଚିନ୍ତାଧାରା ସମସ୍ତଙ୍କୁ ସ୍ପର୍ଶ କରିପାରିନାହିଁ । ପୁଣି ଉଚ୍ଚରେ ରହିଥିବା ବ୍ୟକ୍ତିଙ୍କ ଭିତରେ ତାରତମ୍ୟ ଓ ନୀଚରେ ଥିବା ବ୍ୟକ୍ତିଙ୍କ ଭିତରେ ତାରତମ୍ୟ ଏହା ଏକ ଜଟିଳ ସମସ୍ୟା ବୋଲି ତାଙ୍କର ଧାରଣା ହେଲା ।

 

ସନାତନ ମଣିଷ । ସେ ମଣିଷର କର୍ତ୍ତବ୍ୟ କରୁଛି । ଏଥିରେ ତ୍ରୁଟି କରୁନାହିଁ । ଆଜି କେତେ ସମ୍ମାନ ସେ ଢାଳି ନ ଦେଇଛି । ଏତେ ସମ୍ମାନ ଓ ଆନ୍ତରିକ ଚର୍ଚ୍ଚାପରେ ଇତିଶ୍ରୀଙ୍କଠାରୁ ଏପରି ମନ୍ତବ୍ୟ ଶୁଣିବାମାତ୍ରେ ସତ୍ୟବ୍ରତଙ୍କ ମନ ବିଷେଇ ଉଠୁଥାଏ !

 

ସେ ଇତିଶ୍ରୀଙ୍କୁ ଆହୁରି ବୁଝାଇବାକୁ ଚେଷ୍ଟା କଲେ ।

 

“ସନାତନ କ’ଣ ମଣିଷ ନୁହେଁ ! ସବୁ ମଣିଷପରା ସମାନ । ସିଏ ତ ଆମରି ପରି ଜଣେ । ତାକୁ ସମ୍ମାନ ଜଣାଅଛି । କି ଚର୍ଚ୍ଚା ସେ ନ କରିଛି ସତେ ! ତେବେ ସନାତନକୁ ଏପରି ଭାବିବା କ’ଣ ଠିକ୍‌ ? କାହିଁ ସେ ମୋତେ ତ ଆଜି ସମ୍ମାନ ଦେବାରେ ଟିକେ ହେଳା କରିନାହିଁ ।”

 

“କାଲିଠୁଁ ଦେହ ତୁମର ଝରାପ । ରାତିସାରା ଜ୍ଵର । ତାତିରେ ଖଇ ଫୁଟୁଥିଲା; ଅଥଚ ଆଜି ତୁମେ ଏତେ ସକାଳୁ ଏଇ ଥଣ୍ଡା ଦିନରେ କାହିଁ କେଉଁଠୁଁ ବୁଲି ଆସିଲଣି ! ଏହି ଦେହରେ ଶେଷରେ ସନାତନ ଘରକୁ ଟଙ୍କାପାଇଁ ଯାଇଥିଲ ?’’

 

ଅନ୍ୟ ଉପାୟ ନଥିବା ମଣିଷ ଜ୍ଵରକୁ କ’ଣ ଖାତିର କରେ ! ଯେତେ ବିପଦ ଆସିଲେବି ସୁଦ୍ଧା ସବୁକୁ ମୁଣ୍ଡାଇ ସମସ୍ୟା ସମାଧାନ କରେ । ମାଡ଼ ଗାଳି ଆଘାତ ସହିବାକୁ ବାହାରି ପଡ଼େ । ସତ୍ୟବ୍ରତଙ୍କର ଆଉ ଉପାୟ ବା କ’ଣ ଥିଲା ? ନାରୀ ସିନା ସରଳା, ମାତ୍ର ସମସ୍ତ ନାରୀ ତ ସହାନୁଭୂତିଶୀଳା ନୁହନ୍ତି ।

 

ପ୍ରିୟବ୍ରତ ତାଙ୍କର ଭାଇ । ତାକୁ ସେ ଖୁବ୍‌ ଭଲପାଆନ୍ତି । ଜୀବନର ସବୁ ସ୍ନେହ ଶ୍ରଦ୍ଧା ତା’ ଉପରେ ଅଜାଡ଼ି ଦେଇଛନ୍ତି । ସେ ଯଦି ପରୀକ୍ଷାର ଗୁରୁତ୍ଵ ନ ବୁଝିବେ ଆଉ ବୁଝିବ ବା କିଏ ? କାହା ଭରସାରେ ପ୍ରିୟବ୍ରତ ଜୀବନତରୀ ବାହିନେଉଛି । ସବୁ ଏଇ ଭାଇ ତ ! ଏଡ଼େଟିଏ ବେଳୁ ଏଡ଼ୁଟିଏ କରି ଆଣିଲେ । ଆଜି ଅବା ତାକୁ ସ୍ନେହରୁ ବଞ୍ଚିତକରିବେ କିପରି ? ଏକଥା ସେ ଭଲଭାବେ ବୁଝିଛନ୍ତି ।

 

“ସେ ଯାହାହେଉ ପଛେ ଇତିଶ୍ରୀ, ଆମକୁ ତ ଏହା ସମାଧାନ କରିବାକୁ ହେବ । ଆଉ କିଏ ଅଛି ବା ପ୍ରିୟବ୍ରତ ପାଇଁ ଟଙ୍କା ଯୋଗାଡ଼ କରିଦେବ ?”

 

ଭାଇ ଭାଇର ସମ୍ପର୍କ । ରକ୍ତର ସମ୍ପର୍କକୁ କିଏ ବା ଛିଡ଼ାଇ ପାରିବ ? ଭାଉଜ, ସେ ତ ପରଘରର ଝିଅ । ଆଜି ସିନା ଏ ଘରର ବୋହୂ । ରକ୍ତର ସମ୍ପର୍କୀୟ ହୋଇପାରିବ ବା କିପରି ? ଭାଇପାଇଁ ଭାଇର ମନ ଯେପରି ବ୍ୟସ୍ତ, ଯେପରି ଚଞ୍ଚଳ, ଭାଉଜର ମନ ଆଉ ସେପରି ହେବନି ତ-

 

ଭାଉଜ ଶ୍ରଦ୍ଧା ପ୍ରଦର୍ଶନ କରିପାରେ । ଭାଇପାଇଁ ଭାଇକୁ ଦିଅର ଭାବରେ ସ୍ନେହ ଦେଇପାରେ । ତେବେ ତାହା ଭାଇର ମମତା, ଶ୍ରଦ୍ଧା ଓ ଆନ୍ତରିକତା ସହ କ’ଣ ତୁଳନୀୟ ହୋଇପାରିବ ?

 

ପ୍ରିୟବ୍ରତ ପ୍ରତି ସତ୍ୟବ୍ରତଙ୍କଠାରୁ ଅତ୍ୟଧିକ ମମତା ଥିବାର ଜାଣିଲାପରେ, ଇତିଶ୍ରୀ ମୁହୂର୍ତ୍ତେ ସମୟ ନୀରବ ରହିପାରିଲେ ନାହିଁ ।

 

“ବହୁତ ଭାବୁଛ ତା’ପାଇଁ । ଏତେଗୁଡ଼ାଏ ଭାବିବାର କି ଆବଶ୍ୟକତା ଅଛି ?”

 

ଏତକ କହିବାମାତ୍ରେ ସତ୍ୟବ୍ରତଙ୍କୁ ଚିନ୍ତାକରିବା ଲାଗି କେତେକଅଣ ଉପାଦାନ ମିଳିଗଲା; ମାତ୍ର ସବୁକୁ ସେ ପ୍ରକାଶ କଲେନାହିଁ । ଭାଇପାଇଁ ଆଉ କିଏ ବା ଭାବିବ । ଯିଏ ଭାବିବାର କଥା ସେ’ତ ଆଉ ଧରାଧାମରେ ନାହାନ୍ତି । ଏଠି କେବଳ ଭାଇ ରହିଛି ଭାଇର କଥା ବୁଝିବାପାଇଁ । ସତ୍ୟବ୍ରତ ଏହା ଧୀରସ୍ଥିର ଭାବରେ ଭାବି ନେଇଛନ୍ତି । ଅଧିକ ପ୍ରତିବାଦ ଜଣାଇଲେ ଫଳ ଓଲଟା ହୋଇପାରେ । ପରିସ୍ଥିତି ଭିନ୍ନ ହୋଇଯିବାର ଆଶଙ୍କା କରି ଆଉ ଅଧିକ ପ୍ରତିକ୍ରିୟା ପ୍ରକାଶ କଲେନାହିଁ । ଦୁଃଖରେ ମଳିନ ପଡ଼ିଗଲେ ।

 

“ଆମେ ଯଦି ନ ଭାବିବା, ତା’ର ଆଉ କିଏ ଅଛି ଭାବିବାପାଇଁ କହିଲ । କିଏ ଆଉ ତା’ ଲାଗି ଭାବିବ ?”

 

ଭାଉଜଙ୍କ ମଥାରେ ଏତେଗୁଡ଼ାଏ କଥା କାହିଁକି ବା ପ୍ରବେଶ କରିବ ! ଏଥିରୁ ସେଇ ଲାଭ ପାଇବାର ଆଶା ନାହିଁ । ବାପା ମରିଗଲା ପରେ, ପ୍ରିୟବ୍ରତର ପାଠପଢ଼ା ବନ୍ଦ କରିଦେବା ଲାଗି ଯେଉଁ ଭାଉଜ ସତ୍ୟବ୍ରତଙ୍କୁ ପରାମର୍ଶ ଦେଉଥିଲେ, ସେ ଏତେଟା ମମତାବଦ୍ଧ ହୋଇ ପାରିବେ ବା କିପରି ?

 

ସତ୍ୟବ୍ରତ ଆନ୍ତରିକତା ଢାଳି କଥା କହିବାବେଳେ ଇତିଶ୍ରୀ ନିଜର ପୂର୍ବ ପରାମର୍ଶକୁ ଦୋହରାଇ ବସିଲେ ।

 

“ମୁଁ ତ ସେଥିପାଇଁ କହୁଥିଲି ମ୍ୟାଟ୍ରିକ ପାସ୍ ପରେ ପରେ, ତା’ ପାଠପଢ଼ା ବନ୍ଦ କରିଦିଅ-। ମୋ’ କଥା ଶୁଣିଲ ନାହିଁ । ବର୍ତ୍ତମାନ କି ଅସୁବିଧା ଭୋଗ ନ କରୁଛ କହିଲ ?”

 

“ସଂସାର ଭିତରେ ଥିଲେ, ଏମିତି ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ । ଅସୁବିଧାକୁ ଭୟଭୀତ କରି ମଣିଷ ତା’ କର୍ତ୍ତବ୍ୟ ପଥରୁ ବିଚ୍ୟୁତ ହେବା ଠିକ୍‌ ନୁହେଁ । ଏଇ ପଥ ଉପରେ କେତେ ଝଡ଼ ଆସିବ; କେତେ ଝଞ୍ଜା ବହିଯିବ; ସବୁକୁ ମଥା ପାତି ନେବାକୁ ହେବ ।”

 

ଏହି ସାଧାରଣ ଜୀବନଦର୍ଶନ ଇତିଶ୍ରୀଙ୍କୁ ଆନନ୍ଦ ଦେଇନପାରେ; ମାତ୍ର ଏହା ଯେ ଜୀବନର ସତ୍ୟ, ଏହା ଯେ ଜୀବନର ମର୍ମକଥା, ଏହାକୁ କିଏ ବା ଅସ୍ଵୀକାର କରିବ !

 

“ଏ ସବୁତ ନିହାତି ସ୍ଵାଭାବିକ କଥା । ଏଥିରେ ବିଚଳିତ ହେବାର କାରଣ କ’ଣ ଅଛି ? ଏହା ଉପରେ ଏତେ ଗୁରୁତ୍ଵ ଦେଇ ଭାବିବାର ବା ଲାଭ କ’ଣ ?”

 

ମଣିଷ ସ୍ଵାର୍ଥପର । ସ୍ଵାର୍ଥପାଇଁ ସେ ପାଗଳ । ତଥାପି ସେ କ’ଣ ମାୟା, ମମତା ଓ ବନ୍ଧନକୁ କାଟି ଦେଇ ପାରିବ ? ଏହାରି ଭିତରେ ସେ କ’ଣ ଆବଦ୍ଧ ନୁହେଁ !

 

ପୁଅ ବଡ଼ ହେବ । ବଡ଼ ହେଲେ ଚାକିରି କରିବ । ବାପ ମାଆଙ୍କୁ ପୋଷି ପାରିବ । ସେଥିପାଇଁ ମା’ର ହୁଏତ ପୁଅପାଇଁ ଏତେ ଆକର୍ଷଣ । ଇତିଶ୍ରୀ ଏତକ ଜାଣନ୍ତି–ପୁଅ ବଡ଼ମଣିଷ ହେଲେ ବାପ ମାଆଙ୍କର ଦୁଃଖ ଯିବ । ତେବେ ନିଜ ପୁଅ ଝିଅକୁ ଅବହେଳା କରି ଅନ୍ୟର ଦାୟିତ୍ଵ ନେବାରେ ଲାଭ କ’ଣ ?

 

ନିଜ ପିଲାପିଲି ସୁଖରେ ରହିପାରିଲେ, ବାପ ମାଆଙ୍କର ଆନନ୍ଦ । ଅନ୍ୟ ପିଲାର ସୁଖରେ କି ଆନନ୍ଦ ରହିଛି ।

 

ଇତିଶ୍ରୀ ଏପରି ମନୋବୃତ୍ତି ନେଇ ବିରକ୍ତି ପ୍ରକାଶକଲେ ।

 

“ଘରଦ୍ଵାର କର । ଜମିବାଡ଼ି କିଣ । ଖାଇପିଇ ଭଲରେ ରହ । ନିଜ ପିଲାପିଲିଙ୍କର ଦାୟିତ୍ଵ ନିଅ । ସେମାନେ କିପରି ମଣିଷ ହେବେ ତାହା ଚିନ୍ତାକର । ସବୁଗୁଡ଼ାକ ଦାୟିତ୍ଵ ତୁମେ ମଥାରେ ଲଦୁଛ କାହିଁକି ?”

 

ଇତିଶ୍ରୀ ଏତେ ସ୍ଵାର୍ଥପର ହୋଇ ଉଠୁଥିବା ଦେଖି ସତ୍ୟବ୍ରତ ଅସହ୍ୟ ହୋଇପଡ଼ିଲେ । ନିଜ ଭାଇକୁ ପର ବୋଲି ଭାବି ଭିନ୍ନ ବ୍ୟବହାର ପ୍ରଦର୍ଶନ କରୁଥିବା ହେତୁ, ସତ୍ୟବ୍ରତ ଦୁଃଖିତ ହେଲେ । ପ୍ରିୟବ୍ରତ ନିଜର ଭାଇ । ତାକୁ ମଣିଷ କରିବା ତାଙ୍କର ନିଶ୍ଚିତ କର୍ତ୍ତବ୍ୟ, ଏପାଇଁ ସାନ ଭାଇ ତାଙ୍କ ଉପରେ ଯଦି ବୋଝ ହୁଏ, ସେଥିରେ କ୍ଷତି କ’ଣ ? ଭାଇ ଉପରେ ଭାଇ ବୋଝ ହେବନି ତ ଆଉ କାହା ଉପରେ ବା ବୋଝ ହୋଇପାରିବ ! ବଡ଼ ଭାଇ ଉପରେ ସାନ ଭାଇର ଅଧିକାର ରହିଛି !

 

ଏ ଅଧିକାରରୁ ତାକୁ ବଞ୍ଚିତ କରିବା ଆଦୌ ତ ଠିକ୍‌ ନୁହେଁ ।

Unknown

 

“ପ୍ରିୟବ୍ରତ କ’ଣ ଆମର ନୁହେଁ । ତାକୁ ମଣିଷ କରିବା ଆମର କ’ଣ କର୍ତ୍ତବ୍ୟ ନୁହେଁ । ଆମେ ତ ତା’ର ସବୁ–ଆମ ଉପରେ ସେ ବୋଝ ହେବ ନାହିଁ ତ ଆଉ ଅନ୍ୟ କାହା ଉପରେ ବୋଝ ହେବ କହିଲ ?”

 

“ସେ ବୋଝ ପୁଣି ସମ୍ଭାଳି ପାରିଲେ ତ ।”

 

ସତ୍ୟବ୍ରତ ଏଥର ଆଉ ନିଜକୁ ଆୟତ୍ତ କରିପାରିଲେ ନାହିଁ । ସେମିତି ହୃଦୟର କୋହକୁ ଚାପି ରଖି ଆରମ୍ଭକଲେ ।

 

“ସମ୍ଭାଳିବାକୁ ହେବ । ବାପା ମରିଗଲା ପରେ, ସିଏ ହୋଇଥିଲା ଛୋଟିଆଟିଏ । ତା’ର ସବୁ ଦାୟିତ୍ଵ ପଡ଼ିଥିଲା ଆମରି ଉପରେ । ଆମେ ତା’ର ଅଭିଭାବକ ଥାଉଁଥାଉଁ ପରଲୋକ କିଏ ଆଉ ଦାୟିତ୍ଵ ବୁଝିବ ?

 

ପ୍ରିୟବ୍ରତର ଦାୟିତ୍ଵ ନେବାକୁ ସତ୍ୟବ୍ରତ କର୍ତ୍ତବ୍ୟ ବୋଲି ଭାବି ନେଇଛନ୍ତି । ସେ ତାଙ୍କ ଉପରେ ଯେତେ ଭାରି ବୋଝ ହେଲେ ମଧ୍ୟ, ତାକୁ ବହନ କରିବେ । ଏଥିରେ ଲାଭ, କ୍ଷତିର ତ ପ୍ରଶ୍ନ ଉଠୁନି । ମମତାର ବନ୍ଧନ– ସ୍ନେହର ଆକର୍ଷଣ ରହିଛି; ମାତ୍ର ଇତିଶ୍ରୀଙ୍କ ଦୃଷ୍ଟିରେ ଏପରି ବୋଝ ବୋହିବାରେ କିଛି ଲାଭନାହିଁ ।

 

“ଏତେ ଦିନ ଯାଏଁ ତା’ ଦାୟିତ୍ଵ ନେଲ, କାହିଁ ତା’ ବଦଳରେ କିଛି ପାଇଲଣି !”

 

“ମଣିଷ କ’ଣ କେବଳ ପ୍ରତିଦାନ ଆଶାରେ ଧାଇଁଥାଏ । ସେ କିଛି ଦେଇ, ତା’ ବଦଳରେ କ’ଣ ସେ ପାଇବାର ଆଶା ରଖେ ?”

 

“ଏ ଦୁନିଆ ସ୍ଵାର୍ଥପର । ସ୍ଵାର୍ଥପାଇଁ ଦୁନିଆ ବ୍ୟତିବ୍ୟସ୍ତ ହେଉଥିଲାବେଳେ ତୁମେ କାହିଁକି ତୁଚ୍ଛାଟାରେ ସର୍ବସ୍ଵ ତ୍ୟାଗ କରୁଥିବ । ସେ ତ୍ୟାଗର ମୂଲ୍ୟ କ’ଣ କିଏ ଏଠି ବୁଝିପାରେ ?”

 

ଦୁନିଆ ସ୍ଵାର୍ଥପର ବୋଲି ପ୍ରଚାର ଚାଲିଛି । ଏହା ଫଳରେ ଦୁନିଆରୁ ସ୍ନେହ, ପ୍ରୀତି, ମମତା ଓ ସଦ୍‌ଭାବ ଯେ ହ୍ରାସ ପାଇଆସୁଛି, ସେହି ପ୍ରଚାରକମାନେ କ’ଣ ଭାବିପାରନ୍ତି । ଯେଉଁଠି ସ୍ଵାର୍ଥ ବସା ବାନ୍ଧି ରହିଛି, ସେଠି ଭଲ ପାଇବାର ପରିବେଶ କଳୁଷିତ ହୋଇଯିବା ସ୍ଵାଭାବିକ ।

 

ସତ୍ୟବ୍ରତଙ୍କ ଜୀବନ କ୍ଷେତ୍ରରେ ଭିନ୍ନ ଚିନ୍ତା ପ୍ରବେଶ କରିଛି । ଏହାକୁ ସେ ଗ୍ରହଣ କରିବାକୁ ପ୍ରସ୍ତୁତ; କିନ୍ତୁ ଇତିଶ୍ରୀ ଏହି ଭାବଧାରାକୁ ସେପରି ଦୃଷ୍ଟିରେ ବିଚାର କରିପାରନ୍ତି ନାହିଁ । ସତ୍ୟବ୍ରତ ଜୀବନକୁ ପ୍ରେମ ଓ ଆନ୍ତରିକତାର ଆଲିଙ୍ଗନ ଭିତରେ ବାନ୍ଧି ପାରିଛନ୍ତି । ବାରମ୍ବାର ପ୍ରତିବାଦ ଜଣାଇ ଇତିଶ୍ରୀକୁ ଶୁଣାଉଛନ୍ତି ।

 

“ଭୁଲ୍‌ ବୁଝୁଛ ଇତିଶ୍ରୀ । ସ୍ଵାର୍ଥକୁ ଆଖିରେ ରଖି ଯେଉଁଠି ଦୁନିଆ ଚାଲିଛି, ସେଠି ସ୍ନେହ, ପ୍ରୀତି, ମମତା, ସଦ୍‌ଭାବ ଓ ଆନ୍ତରିକତା ଊଣା ପଡ଼ିଛି । ମଣିଷ ଏସବୁକୁ ଭୁଲିଯାଇ ସ୍ଵାର୍ଥରେ ଆଶା ରଖି ବାସ୍ତବ ମଣିଷ କ’ଣ ହୋଇ ପାରିବ ?”

 

‘‘ସେ ପାଠ ପଢ଼ୁଛି । କାଲିପରି ସେ ବଡ଼ମଣିଷ ହେବ । ଚାକିରି କରିବ । ଟଙ୍କା ରୋଜଗାର କରିବା ହେଲେ ତୁମ ଦୁଃଖ ଯିବ ତ ?”

 

“ଦୁଃଖ ନ ଯାଉ, ସେଥିରେ ମୋର ଅବସୋସ ନାହିଁ । ପ୍ରିୟବ୍ରତ ରୋଜଗାର କରି ମୋ’ ସଂସାର ଚଳାଉ, ଏ ଚିନ୍ତାଧାରା ତ ମନକୁ କେବେ ମୋର ସ୍ପର୍ଶ କରିନାହିଁ । ଏ କଥା ମୁଁ ଭୁଲରେ ଦିନେ ସୁଦ୍ଧା ଭାବିନି । ସେ ମଣିଷ ହେଉ ସେଥିରେ ମୋର ଆନନ୍ଦ ।”

 

–ଆଉ ତେବେ କ’ଣ ପାଇଁ ଧାଇଁଛ !

 

ଇତିଶ୍ରୀ ଭାବିଥିଲେ, ସତ୍ୟବ୍ରତ ଜୀବନରେ କିଛି ପାଇବାର ଆଶା ରଖି ପ୍ରିୟବ୍ରତକୁ ମଣିଷ କରୁଛନ୍ତି । ସାଧାରଣ ଦୁନିଆ ବିଚାରରେ ଯାହା ଅନୁଭବ କରାଯାଇଥାଏ, ସେ ସେଥିରୁ ବ୍ୟତିକ୍ରମ ହେବେ ବା କିପରି !

 

ମଣିଷ ସବୁବେଳେ ଆଶା ରଖି ଧାଏଁନା । ନିଜର କର୍ତ୍ତବ୍ୟ ସମାପନ ଲାଗି ସେ ଉଦ୍ୟମ କରେ । ଫଳ ପାଇବା ଲାଗି ଆଶା ରଖି ଧାଉଁଥିବା ମଣିଷ, ଆଦୌ ଅଗ୍ରଗତି କରିପାରେନା । କର୍ତ୍ତବ୍ୟ ସମାପନ ପରେ ପରେ ଫଳ ଆସି ପହଞ୍ଚିବ, ଏପରି ମଧ୍ୟ ଭାବିବା ଠିକ୍‌ ନୁହେଁ । ଫଳ ଲାଭକୁ ଆଖିରେ ରଖି କର୍ତ୍ତବ୍ୟ କରୁଥିବା ମଣିଷ, ଯଥାର୍ଥ ଭାବରେ କର୍ତ୍ତବ୍ୟ ସମ୍ପାଦନ କରିପାରେନା, ସେପାଇଁ ଆଶାହୀନ ଭାବରେ ତାଙ୍କର ଯାତ୍ରା ।

 

ପ୍ରିୟବ୍ରତ ଏଇ ବଂଶର ମଣିଷ । ସେ ବଡ଼ ହୋଇ ଖ୍ୟାତି ଅର୍ଜନ କଲେ, ସତ୍ୟବ୍ରତ ଲାଭବାନ ନ ହୁଅନ୍ତୁ ପଛେ, ବଂଶର ଗୌରବ ବୃଦ୍ଧି ହେବ ତ ! ଏଇ ପରିବାରର ଗୌରବ ବୃଦ୍ଧିରେ ସେ କ’ଣ ଆନନ୍ଦ ଅନୁଭବ କରିବେନାହିଁ ।

 

ଜଣେ ଯେଉଁ ବଂଶରେ ଜନ୍ମ ହୋଇଛି, ସେହି ବଂଶର ଖ୍ୟାତି ଦିଗବିଦିଗ ପ୍ରଚାରିତ ହେଲେ ସେ କ’ଣ ଗର୍ବ ଅନୁଭବ କରେନାହିଁ ! ଆନନ୍ଦରେ ଛାତି କ’ଣ ଫୁଲି ଉଠେନାହିଁ । ନିଜେ ଯାହା କରିବା ସମ୍ଭବ ହେଲାନାହିଁ, ସେହି ବଂଶର ଅନ୍ୟ ଜଣେ ଯଦି ତାହା କରିବାକୁ ସକ୍ଷମ ହୋଇ ପାରିଲା, ତେବେ ସେଥିରେ ଆଉ କିଛି ମିଳୁ ବା ନ ମିଳୁ, ବଂଶର ସୁନାମ ବୃଦ୍ଧିରେ ସେ ଆତ୍ମତୃପ୍ତି ଲାଭକରିବ ତ ।

 

ସତ୍ୟବ୍ରତ ସବୁବେଳେ କହି ଆସିଛନ୍ତି ଗୋଟିଏ କଥା ।

 

“ପ୍ରିୟବ୍ରତ ପାଠ ପଢ଼ିବ, ମଣିଷ ହେବ । ବଂଶର ଗୌରବ ବୃଦ୍ଧି ଘଟିବ । ଏଥିରେ କ’ଣ ଆମେ ଆନନ୍ଦିତ ହେବାନାହିଁ । ସିଏ କ’ଣ ଆମରି ବଂଶର ନୁହେଁ ! ସିଏ ଆଗଉଛି । ତାକୁ ସାହାଯ୍ୟ ଦେବା ଆମର କ’ଣ କର୍ତ୍ତବ୍ୟ ନୁହେଁ ?”

 

ଇତିଶ୍ରୀଙ୍କୁ ଏ କଥାଗୁଡ଼ାକ ଶୁଣିବା ଲାଗି ଭଲ ଲାଗୁ ନଥାଏ । ଭଲ ବା କେମିତି ଲାଗିବ ! ସେ ଭଲ ହୃଦୟରେ ଦରଦ ଢାଳି କଥାଗୁଡ଼ିକ ଶୁଣିଲେ ସିନା କାନକୁ ଭଲ ଲାଗନ୍ତା । ସେ ତ କେବେହେଲେ ଏପରି ମମତାଭରା ସଂଳାପ ଶୁଣିବାକୁ ଆଗ୍ରହୀ ନୁହନ୍ତି, ତେବେ ତାଙ୍କୁ ଏ କଥା ବିରକ୍ତ ନ ଲାଗିବ ବା କାହିଁକି ?

 

“ଏକଥାଗୁଡ଼ାକ ଆଉ କହି ମୋତେ ବିରକ୍ତ କରନା । ତା’ରି ପିଛା କେତେ ଖର୍ଚ୍ଚ ହେଲାଣି, ସେ କଥା ସେ ବୁଝିବ ତ !”

 

–ତାହା ତ ପଛକଥା । କର୍ତ୍ତବ୍ୟ ଶେଷହେଉ । ଧର୍ମ ବିଚାର କରିବ । ଦୁନିଆରୁ ଧର୍ମ କ’ଣ ଚାଲିଗଲା । ଛି ଛି, ଆଉ କିଛି କହନା । ଘରେ ପ୍ରିୟବ୍ରତ ଅଛି । ଶୁଣି କ’ଣ ଭାବିବ ।

 

ପ୍ରିୟବ୍ରତ ଏ ଘରର ସାନ । ସେ ଏ ସବୁ ଶୁଣିବା ଆଦୌ ଉଚିତ ନୁହେଁ । ମୁରବି କେବେହେଲେ ସବୁ କଥା ଘରର ସାନମାନଙ୍କୁ ଶୁଣାଇ ଦିଏନା । ଏହା ଫଳରେ ଘରର ଗୁମର ରହେନା । ସମ୍ମାନହାନି ହୋଇଯାଏ । ଗାମ୍ଭୀର୍ଯ୍ୟ ରକ୍ଷାକରିବା ଘର ମୁରବିର ଦାୟିତ୍ଵ । ଘରେ ମତାନ୍ତର ହୋଇପାରେ । ମନାନ୍ତର ହୋଇପାରେ । କୌଣସି କଥା ଉପରେ ଝଡ଼ ସୃଷ୍ଟି ହୋଇପାରେ । ପରିବାର ଭିତରେ ସେପରି ହେବାତ ଅତି ସାଧାରଣ କଥା; ମାତ୍ର ଏପରି କଥା ସବୁ ଲଘୁଜନମାନଙ୍କ କାନକୁ ଯିବା ଉଚିତ ନୁହେଁ ।

 

ସତ୍ୟବ୍ରତ ଭାବନ୍ତି–ପ୍ରିୟବ୍ରତ ପାଠୁଆ ପିଲା । ବୁଦ୍ଧି ବିବେକ ତା’ର ଅଛି । ତା’ରି ବିରୋଧୀ ଆଲୋଚନା ଶୁଣି ତା’ ମନରେ କି ପ୍ରତିକ୍ରିୟା ସୃଷ୍ଟି ହେବ । ତେଣୁ ତାକୁ ନ ଶୁଣାଇଲେ କ୍ଷତି କ’ଣ ?

 

ମାତ୍ର ଇତିଶ୍ରୀ ଆଗପଛ ବିଚାର କରୁନାହାନ୍ତି । ଯେମିତି ପ୍ରିୟବ୍ରତ ନାଁ ଧରିଲାମାତ୍ରେ କିଏ ବିରାଟ ଅପରାଧ କରି ପକାଉଛି ! ତା’ ପ୍ରତି ତାଙ୍କର ବିତୃଷ୍ଣାଭାବ । ଦେଖାଇ ଶୁଣାଇ ତା’ରି ବିରୁଦ୍ଧରେ କଥା କହିବା ଲାଗି ସେ ଆଦୌ କୁଣ୍ଠାବୋଧ ନକରି କହନ୍ତି–

 

–ଶୁଣ, ସେ କ’ଣ ଘରର ଅବସ୍ଥା ଜାଣିନି । ଭାଇ ଭାଉଜ କେତେ କଷ୍ଟ କରି ତାକୁ ମଣିଷ କରୁଛନ୍ତି ସେ କ’ଣ ଜାଣିପାରୁନି । ସେ ତ ଛୋଟପିଲା ନୁହେଁ ।

 

ସବୁ ଜାଣିହୁଏ । ସବୁ ଅନୁଭବ କରିହୁଏ । ହେଲେ କିନ୍ତୁ ସବୁ କଥା ମୁହଁ ଖୋଲି କ’ଣ କହିହୁଏ ?

 

ପ୍ରିୟବ୍ରତ ଯେ ସେମାନଙ୍କ ଉପରେ ଅଯଥାରେ ଏକ ବୋଝ ହୋଇଛି, ଏଇ ଧାରଣା ଇତିଶ୍ରୀଙ୍କ ମନରେ ବଦ୍ଧମୂଳ ହୋଇ ରହିଛି, ସତ୍ୟବ୍ରତ ଏହାକୁ ପରିବର୍ତ୍ତନ ପାଇଁ ଯେତେ ଉଦ୍ୟମ କଲେବି ସୁଦ୍ଧା ସେ ସଫଳ ହୋଇ ପାରୁନାହାନ୍ତି । ଏହି ଚିନ୍ତାଧାରାକୁ ଇତିଶ୍ରୀ ବିଭିନ୍ନ ବାଟରେ ବିଭିନ୍ନ ସମୟରେ ପ୍ରକାଶ କରି ଚାଲିଥାଆନ୍ତି ।

 

ମଣିଷ ମନରେ ଗୋଟିଏ ଧାରଣା ବସା ବାନ୍ଧି ରହିଗଲା ପରେ, ତାକୁ ମନ ଭିତରୁ ବିଦାୟଦେବା ଏତେଟା ସହଜ ହୁଏନାହିଁ । ମନ ଭିତରକୁ ଧାରଣାଟିଏ ପ୍ରବେଶ କରିବା ଯେପରି ସହଜ ନୁହେଁ, ଥରେ କୌଣସି ଧାରଣା ଆସି ବସା ବାନ୍ଧିଗଲେ, ମନରୁ ତାହା ଦୂରେଇ ଯିବା ସେପରି ବହୁ ସମୟ ସାପେକ୍ଷ । ବହୁକ୍ଷେତ୍ରରେ ଏହି ବଦ୍ଧମୂଳ ଧାରଣାପାଇଁ ଅସୁବିଧାବି ସୃଷ୍ଟି ହୋଇଯାଏ । ଅକଳ୍ପନୀୟ ଘଟଣା ଘଟି ଯାଇପାରେ । ଯାହାଠାରୁ ଯେଉଁ କାର୍ଯ୍ୟ ଆଶା କରାଯାଏ ନାହିଁ, ସେପରି କାର୍ଯ୍ୟ ତାହାଦ୍ଵାରା ସଂଘଟିତ ହେବାର ଦେଖି ସମାଜରେ ଆଲୋଡ଼ନ ସୃଷ୍ଟି ହୁଏ । ଏହା ଯେ ଏକ ମାନସିକ ବିଚାର–ମାନସିକ ବିଶ୍ଳେଷଣ ଏଥିରେ କ’ଣ ସନ୍ଦେହ ଅଛି !

 

ରାମଚନ୍ଦ୍ରଙ୍କ ପରି ପ୍ରଜାବତ୍ସଳ ରାଜା ସ୍ଵୟଂ ଭଗବାନ ତ ପୁଣି ଏହିପରି ଏକ ବଦ୍ଧମୂଳ ଧାରଣାରେ ବଶବର୍ତ୍ତୀ ହୋଇପାରିଥିଲେ । ରାବଣ କବଳରୁ ଉଦ୍ଧାର କରି ସତୀ ଶିରୋମଣି ସୀତାଙ୍କୁ ଲଙ୍କାପୁରରୁ ଅଯୋଧ୍ୟାକୁ ଅଣାଗଲା । ଚାରିଆଡ଼େ ଚହଳ ପଡ଼ିଲା–ଧର୍ମର ଜୟ ହେଲା । ପାପର ପରାଜୟ ହେଲା । ସ୍ଵୟଂ ଭଗବାନ ମଣିଷ ରୂପରେ ଏହି ଧରାଧାମରେ ଅବତୀର୍ଣ୍ଣ ହୋଇ ଦୁଷ୍ଟ, ମହାଗର୍ବୀ, ପରାକ୍ରମଶାଳୀ ରାକ୍ଷସ ରାଜା ରାବଣକୁ ନିଧନ କରିଛନ୍ତି ।

 

ସୀତା ଦେବୀ ଅସୁର କବଳରୁ ମୁକ୍ତି ପାଇଥିବା ଜାଣି, ଚତୁର୍ଦ୍ଦିଗ ଆନନ୍ଦରେ ମୁଖରିତ । ଅଯୋଧ୍ୟାପୁର ପୁଲକିତ, ମାତ୍ର ଏତେବେଳେ ସୀତାଙ୍କ ପରି ସତୀ ଶିରୋମଣିଙ୍କୁ ସେ ନିଜର ସତୀତ୍ଵ ପରୀକ୍ଷାଦେବାକୁ ପଡ଼ିବ, ଏକଥା ସେ ଆଦୌ କଳ୍ପନା କରି ନଥିଲେ । ସ୍ଵାମୀ ରାମଚନ୍ଦ୍ର ପତିଭକ୍ତା ସୀତାଙ୍କ ଚରିତ୍ର ପ୍ରତି ସନ୍ଦେହ ପ୍ରକାଶ କରିବେ, ଏ ଚିନ୍ତାଧାରା ସୀତାଙ୍କ ମନକୁ ସ୍ପର୍ଶକରିବ ବା କାହିଁକି ?

 

ମାତ୍ର ଦୁର୍ଭାଗ୍ୟବଶତଃ ହେଉ, କି ନିଜକୁ ଦୁନିଆ ସମ୍ମୁଖରେ ଆହୁରି ଅଧିକ ସତୀତ୍ଵ ଅଛି ବୋଲି ପରିଚୟ ଦେବାକୁ ହେଉ, ସୀତାଙ୍କୁ ତ ଅଗ୍ନିପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥିଲା ।

 

ପ୍ରଜାନୁରଞ୍ଜନ ରାମଚନ୍ଦ୍ର, ପ୍ରଜାଙ୍କ ମନରୁ ସୀତାଙ୍କ ଚରିତ୍ର ବିଷୟକେ ସୃଷ୍ଟି ହୋଇଥିବା ସନ୍ଦେହ ଦୂରପାଇଁ ଅଗ୍ନିପରୀକ୍ଷା କରାଯିବାର ସିଦ୍ଧାନ୍ତକୁ ପୁଣି କାର୍ଯ୍ୟକାରୀ କରିଥିଲେ ତ !

 

ସୀତାଙ୍କୁ ଅଗ୍ନିରେ କ’ଣ ପରୀକ୍ଷା କରାନଯାଇଥିଲେ, ହୋଇ ନଥାନ୍ତା । ଅଗ୍ନିପରୀକ୍ଷାର ସମ୍ମୁଖୀନ ନ ହୋଇଥିଲେ ତାଙ୍କ ଚରିତ୍ରର କଳଙ୍କ କ’ଣ ଚିରଦିନ ରହିଯାଇ ଥାଆନ୍ତା !

 

ସାମାନ୍ୟ ସେ ଜଣେ ଧୋବଣୀ ! ଅପରିଚିତା । ପ୍ରଭୁ ରାମଚନ୍ଦ୍ର ପୁଣି ତାହାରି ମନ୍ତବ୍ୟ ଉପରେ ଭାସିଯାଇଥିଲେ ତ ! ତାହାଠାରୁ କ’ଣ ଟିକେ ଶୁଣିଲା ପରେ, ସୀତାଙ୍କର ସତୀତ୍ଵ ନେଇ ତାଙ୍କ ମନରେ ସନ୍ଦେହ ଉଦୟ ହୋଇଥିଲା । ଏହି ସନ୍ଦେହ ରାମଚନ୍ଦ୍ରଙ୍କ ମନ ଭିତରେ ଯେପରି ଭାବରେ ପ୍ରବେଶକଲା, ତାହା ଆଉ ଦୂର ହୋଇପାରିଲା ନାହିଁ । ସୁପୁରୁଷ ରାମଚନ୍ଦ୍ର ମଧ୍ୟ ବଦ୍ଧମୂଳ ଧାରଣାର ବଶବର୍ତ୍ତୀ ହୋଇପାରନ୍ତି, ଇତିଶ୍ରୀ ତ ସାମାନ୍ୟ ମଣିଷ ।

 

ଇତିଶ୍ରୀ କୌଣସି କଥାରେ ସନ୍ତୁଷ୍ଟ ହେଉନାହାନ୍ତି । ଯେତେ ପ୍ରକାରେ ବୁଝାଇଲେ ମଧ୍ୟ, ସେ ବୁଝିବାପାଇଁ ପ୍ରସ୍ତୁତ ନୁହନ୍ତି । ବେଳକୁ ବେଳ ମନର ପ୍ରତିକ୍ରିୟା ଆହୁରି ଅଧିକ ପ୍ରକାଶ ପାଉଥାଏ ।

 

“କେତେଦିନ ଏମିତି ତାଙ୍କୁ ପୋଷୁଥିବ । ତୁମେ ତାକୁ ବେକରେ ବାନ୍ଧିଛ ବୋଲି, ନିଜପାଇଁ ସେ ଆଦୌ ଚେଷ୍ଟା କରୁନାହିଁ ।

 

–ପିଲାଟିଏ । ବୟସ ବା ତା’ର କେତେ ହେବ ! ତୁମେ ତା’ପାଇଁ ଏତେଗୁଡ଼ାଏ ଭାବନାହିଁ । ସେ ପାଠ ପଢ଼ି ଚାକିରି କରିଗଲେ, ଆଉ କ’ଣ ଆମ ବେକରେ ବନ୍ଧା ହେବ ?

 

“ବେଶ୍‌ ତ ଭଲ କଥା କହୁଛ । ପାଠଶାଠ ପଢ଼ାଇ ମଣିଷ କରିଦେଲେ ମଥାକୁ ତାଙ୍କ ହାତ ପାଇଯିବ । ସେତେବେଳେ କାଶିଆ କିଏ, ନା କପିଳା କିଏ ? ଯାହା କରୁଛ କର, ତୁମ ଇଚ୍ଛା-। ମୋର ବା କ’ଣ କହିବାର ଅଛି !”

 

ପ୍ରତି କଥାରେ ତାଙ୍କର ସନ୍ଦେହ । ସେ ପ୍ରିୟବ୍ରତର ଭବିଷ୍ୟତ ଉପରେ ଆସ୍ଥା ରଖିପାରୁନାହାନ୍ତି । ମଣିଷ ହେଲାପରେ, ତାଙ୍କ ଉପକାରରେ ସେ ଆସିବ, ଏ ବିଶ୍ଵାସ ଇତିଶ୍ରୀଙ୍କ ମନରେ ସୃଷ୍ଟି ହୋଇପାରୁନାହିଁ ।

 

ସତ୍ୟବ୍ରତ ଏଲାଗି ଆଶାବାଦୀ ହୋଇଥିଲେ ମଧ୍ୟ, କେବେ ସେ ଫଳପାଇଁ ବ୍ୟସ୍ତ ନୁହନ୍ତି-। ମଣିଷ କରାଇବା ହେଉଛି ତାଙ୍କର ଏକାନ୍ତ ଇଚ୍ଛା; ମାତ୍ର ମଣିଷ ହୋଇଗଲା ପରେ, ପ୍ରିୟବ୍ରତ ପରିବାର ସହ ସମ୍ପର୍କ ରଖିବନାହିଁ । ସେତେବେଳେ ସେ ନିଜ ଗୋଡ଼ରେ ଠିଆ ହୋଇପାରିବ-। ପର ଉପରେ ନିର୍ଭର କରିବନାହିଁ । ନିଜପାଇଁ ସଞ୍ଚୟ କରିବ । ନିଜ ଘରଦ୍ଵାର ଲାଗି ଟଙ୍କା ସଂଗ୍ରହ କରିବ । ଏହି ପରିବାରରୁ ବିଚ୍ଛିନ୍ନ ହୋଇଯିବ । ଏମିତି କେତେକଅଣ ଭାବନା ଇତିଶ୍ରୀଙ୍କ ମନରେ ଘାରିଯାଇଛି । ସେପାଇଁ ପ୍ରିୟବ୍ରତ ପ୍ରତି ଏତେ ଘୃଣା । ସ୍ନେହ ଶ୍ରଦ୍ଧାରୁ ସେ ବଞ୍ଚିତ ।

 

ଦୁନିଆରେ ବିଶ୍ଵାସ ଯେ ସବୁ କଥାର ମୂଳ, ଏହି ଭାବଧାରାର ଅର୍ଥ କେତେ ଜଣ ବା ବୁଝିପାରନ୍ତି ! ଅବିଶ୍ଵାସୀ ମନ ନେଇ ନିଜ ଚରିତ୍ରକୁ ଯେପରି କଳୁଷିତ କରନ୍ତି, ସେମାନେ ଦୁନିଆ ଲାଗି ଅବିଶ୍ଵାସର ଗୋଟାଏ ଜାଲବି ବୁଣି ଦିଅନ୍ତି । ଏହି ଜାଲ ଭିତରେ ଥରେ ପଡ଼ିଗଲେ, ମଣିଷ ସେଥିରୁ ମୁକ୍ତି ପାଇବା ଖୁବ୍‌ କଷ୍ଟକର ବ୍ୟାପାର ।

 

ଅବିଶ୍ଵାସ ଯେ ଯୁଗଯୁଗର ବନ୍ଧନକୁ ମୁହୂର୍ତ୍ତକରେ ଧୂଳିସାତ୍‌ କରିଦିଏ, ଏ କଥା କେତେ ଜଣ ଯେ ବୁଝନ୍ତି ! ବିଶ୍ଵାସ ସ୍ଥାପନ ଫଳରେ ମଣିଷ ମାନସିକ ଶାନ୍ତି ପାଇବା ସଙ୍ଗେ ସଙ୍ଗେ, ନିଜ ଜୀବନ ତା’ ପାରିପାର୍ଶ୍ୱିକ ପରିବେଶକୁ ଶାନ୍ତିମୟ କରିପାରେ ।

 

ବିଶ୍ଵାସର ଅମୃତ କଣିକାଏ ଯେତିକି ଆନନ୍ଦ ଦେଇପାରେ–ତୃପ୍ତି ଭରି ଦିଏ, ତାହା ଅନ୍ୟଠୁ ଆଶା କରାଯାଇପାରେନା । ବିଶ୍ଵାସର ବନ୍ଧନ ଶିଥିଳ ହୋଇଗଲେ, ସମଗ୍ର ଦୁନିଆରେ ଅପରିକଳ୍ପନୀୟ ଝଡ଼ର ଆଶଙ୍କା ଦେଖାଯାଏ ।

 

ଇତିଶ୍ରୀ ବିଶ୍ଵାସ ହରାଇଛନ୍ତି । ତାଙ୍କୁ ଯେତେ ପ୍ରକାର ବୁଝାଇ ପ୍ରିୟବ୍ରତର କର୍ତ୍ତବ୍ୟ ନିଷ୍ଠା ଓ ଆନ୍ତରିକତା ପ୍ରତି ସଜାଗ କରାଇଲେ ମଧ୍ୟ ସେ ବୁଝିବାକୁ ପ୍ରସ୍ତୁତ ନୁହନ୍ତି ।

 

ସତ୍ୟବ୍ରତ ଯୁକ୍ତିବାଦୀ ନୁହନ୍ତି । ଆବଶ୍ୟକ ସ୍ଥଳେ ଯୁକ୍ତିର ଆଶ୍ରା ନେଲେବି ସୁଦ୍ଧା, ତାହା ବୁଝାମଣା ଉପରେ ପ୍ରତିଷ୍ଠିତ ହୋଇଥାଏ । ଇତିଶ୍ରୀଙ୍କୁ ବୁଝାଇବା ଲାଗି ସେ ଚେଷ୍ଟିତ । ପ୍ରିୟବ୍ରତ ଯେପରି ଦୁହିଁଙ୍କ ସ୍ନେହରୁ ବଞ୍ଚିତ ନ ହେଉ, ଏହା ହେଉଛି ସତ୍ୟବ୍ରତଙ୍କର ଇଚ୍ଛା ।

 

–ପ୍ରିୟବ୍ରତ ପରୀକ୍ଷା ଆଉ ମାସଟିଏ ରହିଲା । ଆମ ଗାଁ ଠାକୁରଙ୍କ ପାଖରେ ତା’ ନାଁରେ ଭୋଗ ଟିକିଏ କରିଦେବ । ତା’ର ଆଉ ପୂଜାପାଠ ପାଇଁ କିଏ ଅଛି କହିଲ ? ଆମେ ତ ତା’ର ସବୁ-

 

ଠାକୁରଙ୍କ ନାମ ଶୁଣି ମଧ୍ୟ ଇତିଶ୍ରୀ ନୀରବ ରହିଲେ । ଠାକୁର ନାମ ଶୁଣିବାମାତ୍ରେ କାଳେ ତାଙ୍କର ପରିବର୍ତ୍ତନ ଆସିପାରେ ବୋଲି ସେ ଭାବୁଥିଲେ; ମାତ୍ର ଅଦ୍ଭୁତ ମନେ ହେଲା । ଅଶ୍ରଦ୍ଧା ଓ ବିତୃଷ୍ଣା ପାଖ ଠାକୁର ଭୟ ଦୂରେଇବି ଯାଏଁ ।

 

ଠାକୁର ପାଖରେ ଭୋଗ ଦେବାରେ କ୍ଷତି କ’ଣ ? ମନ୍ଦିରକୁ ଯାଇ ଭୋଗ କରି ପ୍ରଣାମ ଜଣାଇଲେ କ୍ଷତି ତ ନାହିଁ । ବରଂ ଏପାଇଁ ମଣିଷ ଆତ୍ମତୃପ୍ତି ଲାଭକରେ । ପବିତ୍ରତାର ଅମୃତାଲୋକରେ ହୃଦୟ ଆଲୋକିତ ହୋଇଉଠେ । ଏଥିରେ କିଏ ବା କାହିଁକି ପ୍ରତିବାଦ କରିବ !

 

ଅନ୍ୟ ବାଟରେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ମଣିଷ ଯେତିକି ଶାନ୍ତି ନ ପାଇବ, ମନ୍ଦିର ଭିତରକୁ ମାତ୍ର ଥରଟିଏ ଯାଇ ହଜାରଟଙ୍କାରୁ ଗୋଟିଏ କଣିକାଂଶ ଖର୍ଚ୍ଚ କରୁ, ସେଥିରେ ସେ ଯଥେଷ୍ଟ ତୃପ୍ତି ପାଇବ, ଯଥେଷ୍ଟ ଆନନ୍ଦ ପାଇବ । ଠାକୁର କାହାର ଭୋଗକୁ ତ ଅପେକ୍ଷା କରନ୍ତିନାହିଁ । ଭକ୍ତକୁ ଲୋଡ଼ି ନଥାନ୍ତି । ଭକ୍ତ ଭଗବାନ ଭିତରେ ଯେଉଁ ସମ୍ପର୍କ ସେହି ସମ୍ପର୍କକୁ ଅଧିକ ନିବିଡ଼ ଓ ଘନିଷ୍ଠ କରିବା ଲାଗି ସେ ଚାହିଁ ବସିଥାଆନ୍ତି । ଭକ୍ତ ମଧ୍ୟ ଯିବାବେଳେ ଭୋଗନେଇ ନ ଗଲେବି କିଛି ଭାବନ୍ତିନି; ମାତ୍ର ସେ, ଭକ୍ତି ଭାବନା ନେଇ ଯାଉଛିକି ବୋଲି ଭକ୍ତ ନିଜକୁ ନିଜେ ପ୍ରଶ୍ନ କରେ ।

 

ଇତିଶ୍ରୀ ଭୋଗ ନେଇ ନ ଯାଆନ୍ତୁ । ଥରଟିଏ ଯାଇ ପ୍ରିୟବ୍ରତ ଲାଗି ଠାକୁରଙ୍କୁ ଜଣାଇ ଆସନ୍ତୁ, ଏତକ ହେଉଛି ସତ୍ୟବ୍ରତଙ୍କ ମନର ଅଭିଳାଷ ।

 

ପ୍ରିୟବ୍ରତ ଭଲଛାତ୍ର । ପାଠରେ ଅବହେଳା ନାହିଁ । ପରିଶ୍ରମରେ ତ୍ରୁଟି କରିବାର ଦେଖାଯାଏନା । ତା’ ପାଠପଢ଼ାରେ ସତ୍ୟବ୍ରତ ସନ୍ତୁଷ୍ଟ । ତଥାପି, ଏସବୁ ସତ୍ତ୍ୱେ ସେହି ପରମ କଲ୍ୟାଣକାରୀ ପରମେଶ୍ଵରଙ୍କ ଆଶୀର୍ବାଦ ଲୋଡ଼ା । ତାଙ୍କର ଆଶୀର୍ବାଦ ବିନା ଏଠାରେ କିଏ ବା କେଉଁ କାମପାଇଁ ଶକ୍ତିଶାଳୀ ହୋଇ ପାରିବ ।

 

ମଣିଷ ମନରେ ଯୁଗେଯୁଗେ ଏହି ଆଧ୍ୟାତ୍ମିକ ଚେତନା ରହି ଆସିଛି । ଏ ଚେତନାର ଶେଷ ନାହିଁ– ଏହାର ଆଦି ଅନ୍ତ ମିଳିବା କଷ୍ଟକର । ମଣିଷକୁ ଏହା ଘେରି ରହିଛି । ଏହା ତାକୁ ଆହୁରି ଉଚ୍ଚରୁ ଉଚ୍ଚକୁ ନେବା ଲାଗି ସାହାଯ୍ୟ କରିଥାଏ ।

 

ସତ୍ୟବ୍ରତ ଦେବବିଶ୍ଵାସୀ । ଦେବତାର ଅଦୃଶ୍ୟ ଇଙ୍ଗିତ ଉପରେ ତାଙ୍କର ଅଟଳ ବିଶ୍ଵାସ-। ତେଣୁ ସେ ସାନଭାଇ ପ୍ରିୟବ୍ରତପାଇଁ ଦେବ, ଆରାଧନା କରିବା ଲାଗି ଇତିଶ୍ରୀଙ୍କୁ କହିଲେ; ମାତ୍ର ଇତିଶ୍ରୀ ଏହା ଶୁଣି ନ ଶୁଣିଲା ପରି ଅଭିନୟ କରିବାରୁ ତାଙ୍କ ମନର ସ୍ଥିତି ହରାଇଛନ୍ତି । ନିଜ ସ୍ତ୍ରୀପ୍ରତି ମନେମନେ ବିଦ୍ରୋହ କରି ଉଠିଲେ ।

 

ତାଙ୍କ ମନ ଭିତରେ ପ୍ରତିକ୍ରିୟା ସୃଷ୍ଟି ହେଲା । ମଣିଷରୂପୀ ଭଗବାନ ଆଧ୍ୟାତ୍ମିକମାର୍ଗରେ ପରିଚାଳିତ ! ଏହି ପଥରୁ ବିଚ୍ୟୁତ ହୋଇ ରହିବା ସହଜ ନୁହେଁ, ।

 

ପୁରାଣର ଘଟଣାଟିଏ ମନ ଭିତରେ ଉଙ୍କିମାରି ଉଠିଲା । ସେତୁବନ୍ଧ ନିର୍ମାଣ ଚାଲିଥାଏ-। ରାମଚନ୍ଦ୍ର ସେଠାରେ ଶିବଲିଙ୍ଗ ପୂଜାର ସୁଯୋଗ ପାଇଲେ ନାହିଁ । ଏଥିପାଇଁ ବହୁଦୂରକୁ ଯିବାକୁ ହୁଏ । ପ୍ରତିଦିନ ଏତେଦୂରକୁ ଯାଇ ଶିବପୂଜା କରିବା ରାମଚନ୍ଦ୍ରଙ୍କ ପକ୍ଷେ ସମ୍ଭବ ହେଲା ନାହିଁ-

 

ଉପାୟ ସ୍ଥିରକଲେ । ଗୋଟିଏ ଶିବଲିଙ୍ଗ ଆଣିବା ଲାଗି ସେ ଭକ୍ତ ହନୁମାନଙ୍କୁ ନିର୍ଦ୍ଦେଶ ଦେଲେ । ହନୁମାନ ବାରଣାସୀ ଧାଇଁଲା । ସେଠାରୁ ଶିବଙ୍କ ପାଖରୁ ଶିବଲିଙ୍ଗ ଧରି ଆସିବା ବିଳମ୍ବ ହେଲା ।

 

ରାମଚନ୍ଦ୍ର ଆଉ ଅପେକ୍ଷା କରିପାରିଲେ ନାହିଁ । ଶିବଲିଙ୍ଗ ପୂଜା ନିତ୍ୟାନ୍ତ ଆବଶ୍ୟକ । ସଙ୍ଗେ ସଙ୍ଗେ ସୁଗ୍ରୀବଙ୍କୁ ଡକାଇ ଏହାର ପ୍ରତିକାର କରିବାକୁ କହିଲେ ।

 

ସୁଗ୍ରୀବ କାଳ ବିଳମ୍ବ ନକରି ବାଲୁକାରେ ଗୋଟିଏ ଶିବଲିଙ୍ଗ ସ୍ଥାପନ କରିଦେଲେ । ରାମଚନ୍ଦ୍ର ମହାଖୁସିରେ ସେହି ଶିବଲିଙ୍ଗ ପ୍ରତିଷ୍ଠାର ଆୟୋଜନ କଲେ ।

 

ପ୍ରତିଷ୍ଠା ଉତ୍ସବ ଶେଷପରେ, ରାମଚନ୍ଦ୍ରଙ୍କଦ୍ଵାରା ତାହାହେଲେ ପୂଜିତ । ରାମଚନ୍ଦ୍ରଙ୍କୁ ଏଲାଗି ଆଉ ବେଶି ଦୂର ଯିବାକୁ ହେଲାନାହିଁ ।

 

ସତ୍ୟବ୍ରତ ଏହି କାହାଣୀର ମର୍ମ ନିଜେ ବୁଝିଥାଆନ୍ତି । ଭାବୁଥିଲେ–ଇତିଶ୍ରୀଙ୍କୁ ଏହିପରି ଗୋଟେ ଦୁଇଟି କାହାଣୀ ଶୁଣାଇବେ କି ?

 

ପୁଣି କାହିଁକି କେଜାଣି ଏ ଦିଗରେ ସେ ଆଉ ମନ ବଳାଇଲେ ନାହିଁ । ଯେ ନ ବୁଝୁଛି, ବୁଝିବାପାଇଁ ଯେ ପ୍ରସ୍ତୁତ ନୁହେଁ, ତାକୁ କିପରି ବା ବୁଝାଯାଇପାରିବ !

 

ଇତିଶ୍ରୀଙ୍କ ମୁଖମଣ୍ଡଳରେ ବିରକ୍ତି ଓ ଅଶାନ୍ତିର ସୂଚନା ସ୍ପଷ୍ଟ ଥାଏ ।

 

ସତ୍ୟବ୍ରତ ନୀରବତାକୁ ଆଦରି ନେଲେ ।

 

ତିନି

 

ଆଜି ବିଶ୍ଵବିଦ୍ୟାଳରେ ଫର୍ମ୍‍ପୂରଣ ତାରିଖ ! ପ୍ରିୟବ୍ରତ ନିଶ୍ଚୟ ଯିବାକୁ ହେବ । ମନରେ ତା’ର ଉତ୍କଣ୍ଠା । ଦୀର୍ଘଦିନର ପରିଶ୍ରମର ଫଳ ମିଳିବ–ବହୁ ଆଶାୟୀ ।

 

ସେ ସକାଳୁ ନିତ୍ୟକର୍ମସାରି ବିଶ୍ଵବିଦ୍ୟାଳୟ ଉଦ୍ଦେଶ୍ୟରେ ବାହାରି ପଡ଼ିଲା । ଆଜି ତାକୁ ସେଠାରେ ପହଞ୍ଚିବାକୁ ହେବ ।

 

ବାପା ମାଆଙ୍କର ସ୍ଵପ୍ନ, ଭାଇ ଭାଉଜଙ୍କର ଆଶା, ପରିବାରର ମର୍ଯ୍ୟାଦା, ସବୁକୁ ସେ ଜଗି ରଖିଛି । ପରୀକ୍ଷାରେ କୃତକାର୍ଯ୍ୟ ହେବାପାଇଁ ଅନେକ ପରିଶ୍ରମ କରିଛି ।

 

“ଆରେ ପ୍ରିୟବ୍ରତ, ତୁ କ’ଣ ବାହାରିଲୁଣି ?”

 

“ହଁ, ସକାଳୁ ସକାଳୁ ଚାଲିଗଲେ ମୋତେ ସୁବିଧା ହେବ ଦିନ ଦଶଟା ସୁଦ୍ଧା ମୋତେ ବିଶ୍ଵବିଦ୍ୟାଳୟରେ ପହଞ୍ଚିବାକୁ ପଡ଼ିବ ।”

 

ସତ୍ୟବ୍ରତ ଏତେ ସକାଳୁ ପ୍ରିୟବ୍ରତ ବାହାରିବା ପାଇଁ ପ୍ରସ୍ତୁତ ହେଉଥିବା ଜାଣି ଭାବିଲେ, ସେ ଘରୁ ଦି’ଟା ଅନ୍ତତଃ ଭାତ ଖାଇଦେଇ ଯିବା ଆବଶ୍ୟକ । କେତେବେଳେ ପହଞ୍ଚିବ, ସେଠାରେ ହୁଏତ ଅସୁବିଧା ହୋଇପାରେ । ଦି’ଟା ଖାଇନେବା ଭଲ ହେବ ।

 

କ’ଣ ସେ ଖାଇଲା । ଅବା ଖାଇ ନାହିଁ, ସେତ ଜାଣି ନାହାନ୍ତି ପଚାରି ବୁଝି ନେଲେ ।

 

“ଆରେ ତୁ ଖାଇଲୁଣି ?”

 

–ହଁ ଖାଇ ସାରିଛି ।

 

ଘରୁ ଯିବାବେଳେ ଠାକୁରଙ୍କ ନାମ ସ୍ମରଣ କରି ଯାତ୍ରା କଲେ, ଯାତ୍ରାର ଶୁଭ ହୁଏ ବୋଲି ସତ୍ୟବ୍ରତଙ୍କର ବିଶ୍ଵାସ । ସାଧାରଣତଃ ମଣିଷ ସବୁକ୍ଷେତ୍ରରେ ଈଶ୍ଵରଙ୍କର ଆଶୀର୍ବାଦ ଚାହିଁଥାଏ । ତେଣୁ ଯେତେବେଳେ ସେ କେଉଁଠାକୁ ବାହାରେ, ସେତେବେଳେ ଠାକୁରଙ୍କୁ ପ୍ରଣାମଟିଏ ଜଣାଇ ବାହାରିଥାଏ । ତା’ର ବିଶ୍ଵାସ ଠାକୁର ତା’ ଯାତ୍ରାରେ ସହାୟକ ହେବେ ।

 

ସତ୍ୟବ୍ରତ ସବୁକ୍ଷେତ୍ରରେ ଠାକୁରଙ୍କର ସାହାଯ୍ୟ ଚାହାନ୍ତି । କିପରି ଠାକୁରେ ତାଙ୍କର ମଙ୍ଗଳ କରନ୍ତୁ, ସେଲାଗି ତାଙ୍କୁ ସବୁ ସମୟରେ ନିଜ ଗୁହାରି ଜଣାନ୍ତି । ପ୍ରିୟବ୍ରତ ବଡ଼ମଣିଷ ହେଉ, ବଂଶର ମର୍ଯ୍ୟାଦା ବଜାୟ ରଖୁ । ବାପ, ମାଆ ସ୍ଵର୍ଗରେ ଥାଇ ଖୁସି ହୁଅନ୍ତୁ । ଏଲାଗି ଠାକୁରଙ୍କୁ ବହୁଥର ଡାକିଛନ୍ତି । ଆଜି କେମିତି ବା ସେହି ଠାକୁରଙ୍କୁ ଭୁଲିଯାଇପାରିବେ !

 

କେବଳ ସେ କାହିଁକି, ପ୍ରିୟବ୍ରତବି ଠାକୁରଙ୍କୁ ସ୍ମରଣ କରି ଘରୁ ବିଦାୟ ନେଉ । ସେହି ଠାକୁର ନିଶ୍ଚୟ ଡାକ ଶୁଣିବେ ।

 

“ଠାକୁରଙ୍କୁ ମୁଣ୍ଡିଆ ମାରି ଯାଆ । ନିଶ୍ଚୟ ଶୁଭ ହେବ । ସେ କେତେ ଲୋକଙ୍କର ଡାକ ଶୁଣୁଛନ୍ତି, ଆମ ଡାକ କ’ଣ ଶୁଣିବେନାହିଁ ! ଆମେ ତାଙ୍କର କି ଦୋଷ ବା କରିଛେ ।”

 

ସତ୍ୟବ୍ରତ ବହୁ କଷ୍ଟରେ ଏବଂ ସ୍ତ୍ରୀଙ୍କ ଇଚ୍ଛା ବିରୁଦ୍ଧରେ ସଂଗ୍ରହ କରିଥିବା ଟଙ୍କା ଆଣିଲେ ।

 

ପ୍ରିୟବ୍ରତ ସେତେବେଳ ଯାଏଁ ଜାଣି ନଥାଏ ଯେ, ଭାଇ ଟଙ୍କା ସଂଗ୍ରହ କରିପାରିଛନ୍ତି କି ନା । ଏହି ସନ୍ଦେହରେ ମନ ଘାଣ୍ଟି ଚକଟି ହେଉଛି; ମାତ୍ର କିଛି ସେ ମୁହଁଖୋଲି କହିପାରୁନାହିଁ । ଠାକୁର ମନ୍ଦିରକୁ ଗଲା । ଠାକୁରଙ୍କୁ ଗୁହାରି ଜଣାଇ ଫେରିଆସିଲା ପରେ; ଭାଇ ଯେ ଆଜି ନିଶ୍ଚୟ ଟଙ୍କା ଦେଉଛନ୍ତି ଏଯାଏଁ ତା’ର କିଛି ସୂଚନା ସେ ପାଇଲାନାହିଁ ।

 

ମନରେ ଗଭୀର ଉଦ୍‌ବେଗ–ବିରାଟ ଆଶା ଭାଙ୍ଗିପଡ଼ୁଛି । ସାଥୀ ପିଲାମାନେ ଫର୍ମ୍ ପୂରଣ କରିବେ । ସେ କିପରି ବିଶ୍ଵବିଦ୍ୟାଳୟକୁ ଯାଇ ଫେରି ଆସିବ ! ତାକୁ ବିଶେଷ ଖରାପ ବୋଧହେବ ।

 

ତଥାପି ତା’ ମନରେ ଆଶାଥାଏ, ଭାଇ ତ କେବେହେଲେ ତାକୁ ନିରାଶ କରି ନାହାନ୍ତି, ଆଜି କ’ଣ ସତରେ ସେ ନିରାଶ ହେବ ! ପରିବାରର ଅବସ୍ଥା ଭଲ ନାହିଁ । ଆର୍ଥିକ ଅସ୍ଵଚ୍ଛଳତା ପ୍ରତି ମୁହୂର୍ତ୍ତରେ ପରିବାରକୁ ଘେରି ରହୁଛି । ବିଭିନ୍ନ ଆଡ଼ୁ ସମସ୍ୟା ମାଡ଼ିରହିଛି । ଋଣ ପରେ ଋଣ କେତେ ଯେ ବାକି ପଡ଼ିଛି, ତା’ର ସୀମା ନାହିଁ ।

 

ସବୁ ସେ ବୁଝିଛି । କିଛି ତ ଅଜଣା ନାହିଁ । ତଥାପି ଭାଇଙ୍କ ସାହାଯ୍ୟ ଓ ସହାନୁଭୂତିକୁ ପାଥେୟ ବରି ସେ ଧାଇଁଛି । ତା’ର ଆଉ ଦ୍ଵିତୀୟ ବୋଲି କେହି ନାହାନ୍ତି । ଏତେ ଅସୁବିଧା ଓ ସମସ୍ୟା ଭିତରେ ସୁଦ୍ଧା ସତ୍ୟବ୍ରତ କେବେ କେଉଁ କଥାରେ ଊଣା କରିନାହାନ୍ତି । ସନ୍ଦେହ ଓ ଆଶଙ୍କା–ଦୃଢ଼ବିଶ୍ଵାସ ସେ ଖାଲି ହାତରେ ଯିବନାହିଁ । ଭାଇ ନିଶ୍ଚୟ ଫର୍ମ୍ ପୂରଣପାଇଁ ବ୍ୟବସ୍ଥା କରିଛନ୍ତି ।

–ଆରେ ଠାକୁର ମନ୍ଦିରରୁ ଆସିଲୁଣି ?

–ହଁ, ଏଇ ଫେରିଲି ।

–ଏଇ ନେ ତୋ ଫର୍ମ୍ ପୂରଣପାଇଁ ଟଙ୍କା । ଆଉ ଇଏ ହେଉଛି ଏ ମାସର ଖର୍ଚ୍ଚ ଟଙ୍କା । ହୋଇଯିବ ତ !

ପ୍ରିୟବ୍ରତ ବୁଦ୍ଧିମାନ, ବିବେକୀ । ସେ ସବୁ କଥା ବୁଝିପାରୁଛି । ଗତକାଲି ଖଜଣାପାଇଁ ପିଅନ ନୋଟିସ୍‍ ଦେଇଯାଇଛି । ସେପାଇଁ ଭାଇଙ୍କ ମନରେ ଦୁଶ୍ଚିନ୍ତା । ରୋଜଗାର ତ ଆଉ କେହି କରୁନାହାନ୍ତି । ସେହି ଭାଇଙ୍କ ଉପରେ ସବୁ ନିର୍ଭର । ସେ ଯେଉଁଠୁ ଯେପରି ହେଉ ଟଙ୍କା ସଂଗ୍ରହ କରି ଘର ଚଳାଇ ବିଶ୍ଵବିଦ୍ୟାଳୟ ପର୍ଯ୍ୟନ୍ତ ସାନ ଭାଇକୁ ପାଠ ପଢ଼ିବାପାଇଁ ପଠାଇ ପାରିଛନ୍ତି । ପ୍ରିୟବ୍ରତ ମୁହଁ ଖୋଲି ଆଉ କିଛି ଅଧିକ ଟଙ୍କା ମାଗିପାରିଲା ନାହିଁ । ଲାଜଲାଜ ହୋଇ ଉତ୍ତରଟିଏ ଦେଲା ।

–ହଁ ଚଳେଇ ନେବି ।

ପ୍ରିୟବ୍ରତର ଏଇ ଲାଜଲାଜ ଉତ୍ତରକୁ ସତ୍ୟବ୍ରତ ଠିକ୍‌ ବୁଝିନେଲେ । ବୁଝିବେନି ବା କିପରି ! ଭାଇର ମନକଥା ଭାଇ ବୁଝିପାରିବା କ’ଣ ବେଶି ସମୟ ଲାଗେ । ଯାହା ପ୍ରତି ଆଦର ଓ ମମତା ଥାଏ, ସେ ନିଶ୍ଚୟଭାବେ, ମୁଖମଣ୍ଡଳରୁ ମନକଥା ଅନୁଭବ କରିପାରେ ।

 

ସତ୍ୟବ୍ରତ ନିଜକୁ କେବେହେଲେ ପ୍ରିୟବ୍ରତଠାରୁ ବିଚ୍ଛିନ୍ନ କରି ଚିନ୍ତା କରିନାହାନ୍ତି । ଆତ୍ମା ସହ ମିଶି ରହିଥିଲାପରି ସେ ଅନୁଭବ କରିଛନ୍ତି । ପ୍ରିୟବ୍ରତର ସୁଖରେ ସେ ସୁଖୀ ଓ ଦୁଃଖରେ ଦୁଃଖୀ ହୋଇ ରହିବାରେ ତାଙ୍କର ଆତ୍ମତୃପ୍ତି । ଏତେବେଳେ ସେ ବା ପ୍ରିୟବ୍ରତର ମନୋଭାବ ନବୁଝିପାରିବେ କିପରି !

 

–ନାରେ ପାଗଳା । ଚଳାଇ ନେବୁ କ’ଣ ? ସତ କହ । ମନ ଖୋଲି କହୁନୁ । କ’ଣ, ଆଉ କିଛି ଦରକାର ?

 

ପ୍ରିୟବ୍ରତ ତଥାପି ନୀରବ ରହିଲା । କାଳେ ଭାଇଙ୍କପାଖରେ ଆଉ ଟଙ୍କା ନଥିବ, ସେପାଇଁ ସେ ଅଧିକ ବୋଝ ଲଦିବାକୁ ଭଲ ମନେ କରୁ ନଥାଏ ।

 

ସତ୍ୟବ୍ରତ ସାନଭାଇର ମନସ୍ତତ୍ତ୍ଵ ଧରିନେଇ ପାରିଲେ । ଅନୁଭବୀ ଯିଏ, ସେ କିପରି ଅନ୍ୟର ସମସ୍ୟାକୁ ଅନୁଭବ କରିନପାରିବ ।

 

ଆରେ ନୀରବ ରହୁଛୁ କାହିଁକି ? କହ ଆଉ କେତେହେଲେ ଚଳିଯିବ !”

 

–ଭାବିଥିଲି, ପରୀକ୍ଷା ପୂର୍ବରୁ ଆଉ ଗୋଟିଏ ସାର୍ଟ୍ କରିଥାଆନ୍ତି ଯେ । ହେଲେ.....

 

–ସେୟା କହ । ଟଙ୍କା ନଅଣ୍ଟ ପଡ଼ିବ ତ ! ମନଖୋଲି କହିଲେ ସିନା ଜାଣିପାରିବି ।

 

ପୁଣି କ’ଣ ଭାବିଲା କେଜାଣି, ପ୍ରିୟବ୍ରତ ଧୀରସ୍ୱରରେ ନିଜ ମନକଥା ପ୍ରକାଶ କଲା ।

 

–ଭାଇ ଥାଉ । ଚଳିଯିବି । ପରେ ଦେଖିବା ।

 

ସତ୍ୟବ୍ରତ ଏଥର ଏ ଉତ୍ତରକୁ ଗୁରୁତ୍ୱ ଦେଲେ । ପାରିବାରିକ ପରିସ୍ଥିତି ଦୃଷ୍ଟିରୁ ସେ ବହୁ ଭାବିଚିନ୍ତି ଏପରି ସିନା କହୁଛି, ହେଲେ କିନ୍ତୁ ତା’ର ଏହା ଯେ ନିତାନ୍ତ ଆବଶ୍ୟକ ନହେଲେ ପାଞ୍ଚ ଜଣରେ ଜଣେ ପରି ସରିସା ହେବ କିପରି ! ଘରେ ରହି ଚଳିବା, ବାହାରେ ରହି ଚଳିବା ଭିତରେ କେତେ ଯେ ପାର୍ଥକ୍ୟ ରହିଛି, ଏକଥା ତାଙ୍କୁ ଜଣା ।

 

ସେ ଏ କଥାର ଗୁରୁତ୍ଵ ବୁଝିନେଲେ । ପୋଷାକ ଖଣ୍ଡେ ତା’ର ନିହାତି ଆବଶ୍ୟକ । ସେତକତ ବ୍ୟବସ୍ଥା କରିବାକୁ ହେବ । ସବୁ ଅସୁବିଧା ଭିତରେ ଏତେ କାମ ହୋଇପାରୁଛି, ସାର୍ଟ୍ ଖଣ୍ଡେ ହୋଇପାରିବନି କାହିଁକି ?

 

ଏହି ମନୋବଳରେ ପ୍ରିୟବ୍ରତର ଦମ୍ଭ ବଢ଼ିଗଲା । ସାହସ ଅଧିକ ସଞ୍ଚାରିତ ହେଲା । ସାମାନ୍ୟ ସାର୍ଟ୍ ଖଣ୍ଡେପାଇଁ ବ୍ୟସ୍ତ ହୋଇ ଭାଙ୍ଗିପଡ଼ିବା ଠିକ୍‌ ନୁହେଁ–ସେ ଭାବିନେଲା । ତଥାପି ମନକୁ ମନ ପଚାରି ବସେ କିଛି ଅନ୍ୟାୟ କରିନାହିଁ ତ !

 

ଭାଇଙ୍କ ଉପରେ ଅଧିକ ବୋଝ ଭାର ଲଦାହେଉଛି । କାହିଁକି ସେ ସାର୍ଟ୍‍ କଥା ଉଠାଇଲା ବୋଲି ଅନେକ ଥର ଭାବିଲା । ଯେମିତିହେଉ ଚଳିଯାଇଥିଲେ ହୋଇଥାଆନ୍ତା ବୋଲି ମନେମନେ ଚିନ୍ତାକଲା । ସେତକ ଟଙ୍କା ନେଇ ଚଳିଯିବା ପାଇଁ ସ୍ଥିର କରିନେଲା ।

 

–ଯାଉଛି । ପରେ ଆସିଲେ–

 

–କାହିଁକିରେ ? ରହ ଟଙ୍କା ନେଇଯିବୁ । ତୋ ନୂଆବୋଉକୁ ଦେଖାକରିଛୁ ?

 

ସତ୍ୟବ୍ରତ ଭାବିଲେ–ଭାଉଜ ଦିଅର ଭିତରେ ଯେଉଁ ସମ୍ପର୍କ ଥାଉନା କାହିଁକି, ପ୍ରିୟବ୍ରତ ତା’ କର୍ତ୍ତବ୍ୟ ପଥରୁ ଓହରି ନ ଯାଉ । ସେ ଏ ଘରର ପୁଅ ହୋଇ ଯଦି ସମ୍ମାନ କ’ଣ, ମର୍ଯ୍ୟାଦା କ’ଣ ବୁଝିବନାହିଁ, ତେବେ ଆଉ ବା କିଏ ବୁଝିବ !

 

ଇତିଶ୍ରୀ ଘର ଭିତରେ ଥାଆନ୍ତି । ସତ୍ୟବ୍ରତ ଡାକ ପକାଇଲେ ।

 

–ଇତି, ଇତି, ଇଆଡ଼େ ଟିକେ ଆସ । ପ୍ରିୟବ୍ରତ ବାହାରିଲାଣି ପରା ।

 

–ନୂଆବୋଉକୁ ଦେଖାକରି ଆସିଛି ଭାଇ ।

 

ଇତିଶ୍ରୀ ପହଞ୍ଚିଲାମାତ୍ରେ, ଜଣାଗଲା ଯେପରି ଏଇ ବିଦାୟକାଳୀନ ଦୃଶ୍ୟରେ ସେ ସନ୍ତୋଷ ନୁହଁନ୍ତି । କେମିତି ଗୋଟାଏ ବିରକ୍ତିର ଭାବ ତାଙ୍କ ମୁଖମଣ୍ଡଳରେ ପରିଷ୍କାରଭାବେ ଉକୁଟି ଉଠୁଥାଏ । ସେଠାରେ ସେ ବେଶି ସମୟ ଉପସ୍ଥିତ ହୋଇ ରହିବାକୁ ଯେପରି ଚାହୁଁ ନଥିଲେ । ସତେ ଯେମିତି ଅତି ବିରକ୍ତିରେ ସତ୍ୟବ୍ରତଙ୍କ ଡାକ ଶୁଣି ଏଠାକୁ ଆସିଛନ୍ତି । ନ ଆସିବାର ତ ଉପାୟ ନାହିଁ !

 

ଅନ୍ୟମନସ୍କ ଭାବରେ ବ୍ୟସ୍ତ ମନରେ କହିଲେ–

 

–ଡାକିଲ କାହିଁକି ? କିଛି କାମ ଅଛି !

 

–ପ୍ରିୟବ୍ରତ, ବର୍ତ୍ତମାନ ବିଶ୍ଵବିଦ୍ୟାଳୟକୁ ଯାଉଛି । ଆଜି ତା’ର ଫର୍ମ୍ ପୂରଣ । ବହୁଦିନର ଆଶା ଆକାଂକ୍ଷା ଆମର ପୂର୍ଣ୍ଣ ହେବାକୁ ଯାଉଛି । ତାକୁ ଟିକେ ବିଦାୟ ଦିଅ । ଗଲାବେଳେ ଗୁରୁଜନମାନଙ୍କଠାରୁ ଆଶୀର୍ବାଦ ନେଇଯାଉ, ତା’ର ମଙ୍ଗଳ ହେବ ।

 

ଯାଆନ୍ତୁ । ମୁଁ କ’ଣ କରିବି ? ତୁମେ ଅଛ । ମୁଁ କ’ଣ କିଛି ଦେଇପାରିବି ?

 

ପ୍ରିୟବ୍ରତ ଛାତିରେ ଗୋଟାଏ ବଡ଼ ପାହାଡ଼ ଖସି ପଡ଼ିଲାପରି ସେ ଅନୁଭବ କଲା । ଆଖିରେ ଲୁହ ପୂରିଉଠିଲା । ଘରୁ ବିଦାୟ ସମୟରେ ଏପରି ବିରକ୍ତିସୂଚକ କଥା ସେ ଶୁଣିବ, ଏହା କଳ୍ପନା କରି ନଥିଲା । ସବୁକୁତ ସହ୍ୟ କରିବାକୁ ହେବ । ଏମିତି କେତେକଅଣ ଜୀବନରେ ଶୁଣିଲାଣି, ଆହୁରିବି ଶୁଣିବ । ଏଇ ଏତକ କଥାରେ କି ସେ ବିଚଳିତ ହେବ ! ସହିବା ତା’ ଜୀବନରେ ଦେହଘଷା ହୋଇଗଲାଣି ।

 

ଏଇବେଳରେ ପ୍ରିୟବ୍ରତକୁ ଏପରି କଥା ଶୁଣାଇବା ଉଚିତ ନୁହେଁ । ଇତିଶ୍ରୀଙ୍କ ମୁଖରେ ଏହା ଶୋଭା ପାଏନାହିଁ । ସତ୍ୟବ୍ରତ ନିଶ୍ଚିତ ଜାଣି ସୁଦ୍ଧା, ବିଦାୟବେଳେ ଆହୁରି ଅଧିକ ପରିବେଶକୁ ତିକ୍ତ କରିବାପାଇଁ ସେ ଭଲ ମନେକଲେ ନାହିଁ । କଥାକୁ ଶୁଣି ନ ଶୁଣିଲା ପରି ଚୁପ୍‌ ରହିଲେ ।

 

ଅସଲ କଥା ଉପରକୁ ଆସି ସତ୍ୟବ୍ରତ ତିକ୍ତ ହୋଇ ଆସୁଥିବା ପରିବେଶକୁ ଭିନ୍ନ ରୂପ ଦେଲେ ।

 

ଫର୍ମ୍ ଫିଲ୍‍ପ ଟଙ୍କା ଓ ଏ ମାସର ଖର୍ଚ୍ଚ ସେ ପ୍ରିୟବ୍ରତକୁ ଦେଇ ଦେଇଛନ୍ତି ଜାଣିବା ପରେ ଇତିଶ୍ରୀ ରାଗରେ ଅଧିକ ଜଳିଗଲେ ।

“ସବୁ ତ ଦେଇସାରିଛ, ଏବେ ଯାଆନ୍ତୁ । ଆଉ ଅପେକ୍ଷା କାହିଁକି ?”

“ପରୀକ୍ଷା ପୂର୍ବରୁ ସେ ସାର୍ଟ୍‍ ଖଣ୍ଡେ ଚାହୁଁଛି ।’’

ଏତକ ଶୁଣିବାମାତ୍ରେ, ଇତିଶ୍ରୀଙ୍କ ମୁଖମଣ୍ଡଳରେ ବିରକ୍ତିର ଚିହ୍ନ ଫୁଟିଉଠିଲା ।

“ଶେଷକୁ ଏଇତକ ବାକି ଥିଲା ! ନା ଆଉ କିଛି ଅଛି ? ସେପାଇଁବି ଦେଇଦିଅ । ବାକି ରହିବ କାହିଁକି ? ଅନେକ ତ ଦେଲଣି । ଏଇଟାବି ଦେଇ ଦେଉନ ।”

ପ୍ରିୟବ୍ରତ ଠିକ୍‌ ବୁଝିପାରିଲା ଇତିଶ୍ରୀଙ୍କୁ । ଭାଉଜଙ୍କ ଇଚ୍ଛା ବିରୁଦ୍ଧରେ ଭାଇ ନଯାଆନ୍ତୁ ଏହା ତା’ର ଇଚ୍ଛା । ବାଧ୍ୟ ହୋଇ ମନର କ୍ଷୋଭକୁ ଅଭିମାନରେ ପ୍ରକାଶ କଲା । ସ୍ନେହ ଶ୍ରଦ୍ଧା ମାଗି ଅଣାଯାଇପାରେନା । ଏହା ଅନ୍ତର ତଳୁ ଝରଣାପରି ବହିଆସେ । କାହାର ବାଧ୍ୟବାଧକତାରେ ମମତା ଚିରସ୍ଥାୟୀ ହୁଏନା । ମଣିଷକୁ ବାଧ୍ୟକଲେ, ସେ ସ୍ନେହ ଦେଇପାରେନା–ମମତା ଢାଳି ପାରେନା । ମୁହଁ ଦେଖଣା ସ୍ନେହ ଶ୍ରଦ୍ଧା ଅଳୀକ–ଅନ୍ତର ଖୋଲା ମମତା ଚିରଦିନ । ମୂଲ୍ୟ ତା’ର କଳନା କରିହୁଏନା ।

ପ୍ରିୟବ୍ରତକୁ ଇତିଶ୍ରୀଙ୍କ ଢଙ୍ଗରଙ୍ଗ ଆନନ୍ଦ ଦେଲାନାହିଁ । ଅପର ମଣିଷର ଭାଷା ଶୁଣିଲାପରି ସେ ମନେକଲେ । ଭାଉଜଙ୍କୁ କାହିଁକି ଆଉ ଅଧିକ କିଛି କହିବାପାଇଁ ସୁଯୋଗ ଦେବେ-। ତା’ ପୂର୍ବରୁ ସେ କହିପକାଇଲେ–ଥାଉ ନୂଆବୋଉ; ପରେ ସାର୍ଟ୍‍ କରିବି ।

 

ଏକଥା ଉପରେ ପ୍ରତିବାଦ ଜଣାଇଲେ ସତ୍ୟବ୍ରତ । ମନର ଆଗ୍ରହକୁ ଚାପିବାପାଇଁ ସେ ଚାହାଁନ୍ତି ନାହିଁ । ତାଙ୍କ ଦୃଷ୍ଟିରେ ପ୍ରିୟବ୍ରତ ପିଲା । ଆଗରେ ପରୀକ୍ଷା । ନୂଆ ସାର୍ଟ୍‍ ଖଣ୍ଡେ ତିଆରି କରିବାକୁ ତା’ର ଇଚ୍ଛା । ସେଥିରେ ସେ ବାଧା ଦେବା ଠିକ୍‌ ହେବନାହିଁ । ଏପାଇଁ ହୁଏତ ତା’ ମନରେ କ୍ଷୋଭ ସୃଷ୍ଟି ହୋଇପାରେ ।

 

ବିଦାୟ ସମୟରେ ନିଜର ଭାଉଜ ହୋଇ, ଇତିଶ୍ରୀ ଯାହା ସବୁ କହିଲେଣି, ସେସବୁ କଥା ଯେ ପ୍ରିୟବ୍ରତକୁ ନିଶ୍ଚୟ ଆଘାତ ଦେଉଛି, ଏହା ଭାବିବାଲାଗି ତାଙ୍କୁ ବେଶି ସମୟ ଲାଗିଲାନାହିଁ । ପୁଣି ଏତେବେଳେ ଯଦି ସାର୍ଟ୍‍ ଖଣ୍ଡେ ତା’ ମନଲାଖି ନହୁଏ, ତେବେ ତା’ ମନର ପ୍ରତିକ୍ରିୟା କେତେ ଯେ ବଢ଼ିଯିବ, ଏହା ସେ ଭଲଭାବରେ ଜାଣୁଛନ୍ତି । ପ୍ରିୟବ୍ରତର ଅଭିମାନ–ସ୍ଵରର ମର୍ମାର୍ଥକୁ ବୁଝିବାପାଇଁ ତାଙ୍କୁ ଖୁବ୍‌ ସହଜ ମନେହେଲା ।

 

ତା’ର ସାର୍ଟ୍‍ ଖଣ୍ଡେ ନିହାତି ଆବଶ୍ୟକ । ତାକୁ ଆଉ ଶହେ ଟଙ୍କା ଦେଲ ।

 

“ମୋ’ ପାଖରେ କାହିଁ ?”

 

“ତୁମେ ଦେଇଥାଅ, ପରେ ମୁଁ ତୁମକୁ ଦେଇଦେବି ।”

 

“କ’ଣ ଘର ଖର୍ଚ୍ଚରୁ ?”

 

ଘର ଖର୍ଚ୍ଚ ଚାଲିଛି ଚାଲିବ । ତାକୁ ତ କେହି ବନ୍ଦ କରିପାରିବେ ନାହିଁ । ଏକଥା କ’ଣ ସତ୍ୟବ୍ରତଙ୍କୁ ଜଣାନାହିଁ । ତେବେ ଆଜି, କାଲି ଏମିତି କିଛିଦିନ ପାଇଁ ତ ଅଭାବ ପଡ଼ିବ ନାହିଁ । ସେଥିରୁ ଦେଇଦେଲେ, ପରେ ପୁଣି ଆସି ଭରଣା ହୋଇଯିବ । ଏହି ଚିନ୍ତାରେ ସତ୍ୟବ୍ରତ ଇତିଶ୍ରୀଙ୍କଠାରୁ ଟଙ୍କା ଚାହୁଁଛନ୍ତି ।

 

ପ୍ରିୟବ୍ରତ ଦୂରକୁ ଯାଉଛି । ବିଦେଶରେ ଏକୁଟିଆ ରହିବ । ତା’ର ସବୁ ବ୍ୟବସ୍ଥା କରିଦେବା ସତ୍ୟବ୍ରତଙ୍କର କର୍ତ୍ତବ୍ୟ ବୋଲି ଭାବନ୍ତି । ଏଠି ଯେମିତି ହେଲେ ଚଳିଯାଇ ହେବ । କେଉଁଠୁଁ ଧାର ଉଧାର ଅଣାଯାଇପାରେ; ମାତ୍ର ସେଠାରେ ତାକୁ କିଏ ବା ଦେବ ? ଏ ପରୀକ୍ଷା ସମୟରେ ପଢ଼ୁ ପଢ଼ୁ ସମୟତ ଯିବ, ଟଙ୍କା ଧାରପାଇଁ ଯିବାକୁ ତା’ର ସମୟ କାହିଁ ? କାହିଁକି ସେ ଟଙ୍କାପାଇଁ ମଥା ଖେଳାଇବ ! ଟଙ୍କା ଲାଗି ଚିନ୍ତାକଲେ, ପାଠପଢ଼ିବ କେତେବେଳେ !

 

ଏମିତି ଭାବି ଭାବି ସତ୍ୟବ୍ରତ ଇତିଶ୍ରୀଙ୍କୁ ଟଙ୍କା ଦେବାକୁ କହିଥିଲେ; ମାତ୍ର ସେ ହଠାତ୍‌ କଥାଟାକୁ ଏମିତି ଭାବରେ ପ୍ରତ୍ୟାଖ୍ୟାନ କରିଦେବେ–ସତ୍ୟବ୍ରତ ଆଦୌ ଭାବି ନଥିଲେ ।

 

ବର୍ତ୍ତମାନ ଆଉ ଅନ୍ୟ ଉପାୟ କିଛି ନାହିଁ । ପ୍ରିୟବ୍ରତର ଯିବା ସମୟ ହୋଇଗଲାଣି । ହଠାତ୍‌ ବା ସେ କେଉଁଠୁଁ ଆଣିପାରୁଛନ୍ତି । ଲଜ୍ଜା ଓ ସଂକୋଚକୁ ଭୁଲି ପୁଣି ଥରେ ଇତିଶ୍ରୀଙ୍କୁ କହିଲେ ।

 

ଏଥର ଇତିଶ୍ରୀଙ୍କୁ ସମ୍ଭାଳେ କିଏ !

 

“ମୋତେ ଯେ କହୁଛ ଦେବାପାଇଁ, ମୁଁ ଘରଖର୍ଚ୍ଚରୁ କେମିତି ଦେବି ?”

 

ବେଶ୍‌ତ ମୋତେ ବୁଦ୍ଧି ଶିଖାଉଛ !

 

ହଁ ସେଇ ଟଙ୍କାରୁ ଦିଅ । ଆମେ କ’ଣ ପରେ ଚଳାଇ ନେବାନି !

 

ଯାହାର ଟଙ୍କାଟିଏ ଦେବାକୁବି ଆଗ୍ରହ ନାହିଁ; ସେ ପୁଣି ଏତେଗୁଡ଼ାଏ ଟଙ୍କା କିପରି ବା ଦେଇପାରିବ ! ଆଗ୍ରହ ମଣିଷକୁ ସବୁକ୍ଷେତ୍ରରେ ବହୁଦୂରକୁ ଆଗେଇ ନେଇଥାଏ । ଅନାଗ୍ରହୀ ବ୍ୟକ୍ତି ଜୀବନରେ କିଛି କାର୍ଯ୍ୟକୁ ଆସିପାରେନା । ସବୁ କ୍ଷେତ୍ରରେ ଆଗ୍ରହ ନିତାନ୍ତ ଆବଶ୍ୟକ । ଏହି ଆଗ୍ରହ, ଶ୍ରଦ୍ଧା ଓ ଆନ୍ତରିକତାରୁ ଜନ୍ମ ନେଇଥାଏ । ଶ୍ରଦ୍ଧା ନ ଆସିଲେ, କେବେହେଲେ ଆଗ୍ରହ ସୃଷ୍ଟି ହେବା ସମ୍ଭବ ନୁହେଁ ।

 

ଇତିଶ୍ରୀଙ୍କଠାରେ ଏପାଇଁ ଶ୍ରଦ୍ଧା ଓ ଆନ୍ତରିକତାର ଅଭାବ ରହିଛି । ସେତେବେଳେ ସେ ବା’ ପରିସ୍ଥିତିର ମୁକାବିଲା ପାଇଁ ଆଗ୍ରହ ପ୍ରକାଶ କରିବେ କିପରି ?

 

ସତ୍ୟବ୍ରତ ସେଇକଥା ଉପରେ ଗୁରୁତ୍ଵ ଦେଇ କହିବାମାତ୍ରେ ଇତିଶ୍ରୀ ବଡ଼ପାଟିଟାଏ କଲେ ।

 

କି କଥା ତୁମେ କହୁଛ କହିଲ ! ଗହମ ଗୋଟିଗଣିତା ପରି ଘର ଖର୍ଚ୍ଚକୁ ଟଙ୍କା ରହିଛି । ପିଲାପିଲି ଘର । ହାତରେ କିଛି ନ ରଖି ଶୂନ୍ୟ ହାତରେ ଚଳିବ କିପରି ?

 

ଇତିଶ୍ରୀ ‘ନା’ ବୋଲି ନକହି, ସେହି କଥାକୁ ବର୍ଣ୍ଣନା ଛଳରେ ବଙ୍କେଇ କହୁଛନ୍ତି ବୋଲି ସତ୍ୟବ୍ରତ ବେଶ୍‌ ହୃଦୟଙ୍ଗମ କରିନେଲେ ।

 

ସତ୍ୟବ୍ରତ କ’ଣ ଜାଣିନାହାନ୍ତି, ଘର ଖର୍ଚ୍ଚପାଇଁ ଯେତିକ ରହିଛି, ତାହା ଯଥେଷ୍ଟ ନୁହେଁ । ଅଧିକା ଆଦୌ ନାହିଁ । ତଥାପି ଜରୁରୀ ପରିସ୍ଥିତିର ଗୁରୁତ୍ଵ ବୁଝିବାକୁ ପଡ଼ିବ । ଘର କରି କେବଳ ପରିବାରର ଖିଆପିଆ ପାଇଁ ଖର୍ଚ୍ଚ, ଖର୍ଚ୍ଚ ତ ନୁହେଁ ! ପ୍ରିୟବ୍ରତକୁ ଟଙ୍କା ଦେବା ମଧ୍ୟ ଘର ଖର୍ଚ୍ଚ ଭିତରେ । ସେ ଏ ଘରର ପୁଅ । ତା’ ପଢ଼ା ଖର୍ଚ୍ଚକୁ ଘରଖର୍ଚ୍ଚ ବୋଲି ଧରା ନଯିବ କାହିଁକି ! ଏହି ଯୁକ୍ତି ଉପରେ ସେ ଅଟଳ ଥିଲେବି ସୁଦ୍ଧା ଏସବୁ ବାଢ଼ିବାପାଇଁ ଭଲ ମନେ କରୁ ନାହାନ୍ତି । ବୁଝାଇ ଶୁଝାଇ ପରିସ୍ଥିତିକୁ ସମାଧାନ କରିବାକୁ ସେ ଚାହାନ୍ତି ।

 

“ବୁଝ, କଥାଟା ଉପରେ ଗୁରୁତ୍ଵ ଦିଅ । ପ୍ରିୟବ୍ରତ ମୋର ଭାଇ । ଏ ଘରର ସନ୍ତାନ । ତାକୁ ପାଞ୍ଚ ଜଣରେ ଜଣେ ହେବାକୁ ପଡ଼ିବ । ସେ ଦୃଷ୍ଟିରୁ ତା’ର ସାର୍ଟ୍‍ ଖଣ୍ଡେ ଅତ୍ୟନ୍ତ ଆବଶ୍ୟକ-।”

 

“ତୁମେ ତାହାହେଲେ କହୁଛ, ଘର ଖର୍ଚ୍ଚ ଟଙ୍କାରୁ ତାକୁ ଦେଇଦେବି !”

 

“ତୁମେ କହୁନ ? ମୋ’ ପାଖରେ ଆଉ ଟଙ୍କା କାହିଁ, କେଉଁଠୁଁ ତାକୁ ଦେଇହେବ । ତା’ ଗାଡ଼ିବେଳ ହୋଇଯାଉଛି । ତାକୁ ବିଦାକର ।”

 

“ଘରଖର୍ଚ୍ଚ ଟଙ୍କାରୁ ଗୋଟେ ପଇସା ଦେଇ ହେବନି । ପୁଅର ଜନ୍ମଦିନ ଆଉ ମାସଟିଏ ରହିଲା । ସେଥିପାଇଁ ଟଙ୍କା ଦରକାର । ଝିଅଟା ଲାଗି ଭଲ ଶାଢ଼ି ଖଣ୍ଡେ ଦୋକାନରେ ବାଛିଦେଇ ଆସିଛି । ଆଜି ସଞ୍ଜରେ ଯିବି ଆଣିବା ଲାଗି । ଏସବୁ ପରେ ଟଙ୍କା କାହିଁ ଯେ, ଆଉ କାହାକୁ ଦେବି-?”

 

ଇତିଶ୍ରୀଙ୍କ ଯୁକ୍ତିଗୁଡ଼ାକ ସତ୍ୟବ୍ରତଙ୍କୁ ହାଲୁକା ମନେ ହେଲା । ଏଥିରେ ସେମିତି କିଛି ଗୁରୁତ୍ଵ ଓ ଅର୍ଥ ଅଛି ବୋଲି ସେ ଭାବି ପାରିଲେ ନାହିଁ । ପୁଅ ଜନ୍ମଦିନ ଆହୁରି ମାସଟିଏ ରହିଛି । ଏହି ପନ୍ଦରଦିନ ଭିତରେ କେତେକଣ ପରିବର୍ତ୍ତନ ହୋଇଯାଇଥିବ । ସେତେବେଳକୁ କ’ଣ ଟଙ୍କା ହାତକୁ ଆସି ନଥିବ । ମାସଟିଏ ପୂର୍ବରୁ ଗୋଟାଏ ନିର୍ଦ୍ଦିଷ୍ଟ ଉତ୍ସବପାଇଁ ଏଇ ଦିନରୁ ଟଙ୍କା ଖର୍ଚ୍ଚ ନ କରିବାରେ ଅର୍ଥ କ’ଣ ହୁଏ ? ଏସବୁ ଯେକୌଣସି ପ୍ରକାରେ ଖସିଯିବାର ଯୁକ୍ତି, ସତ୍ୟବ୍ରତ ଜାଣିନେଇ ପାରିଲେ ।

 

“ଆମେ ତ ଏଇଠି ଅଛେ । ଏସବୁ ଯେମିତି ହେଲେ ଯୋଗାଡ଼ କରିହେବ । ହେଲେ ବିଦେଶରେ ପ୍ରିୟବ୍ରତ କ’ଣ କରିପାରିବ ? କିଏ ତାକୁ ସେଠି ଟଙ୍କା ଦେବ !”

 

ଏପରି ପରିସ୍ଥିତିକୁ ପ୍ରିୟବ୍ରତ ଭିନ୍ନ ବାଟରେ ଗ୍ରହଣ କଲା । ମନରେ ତା’ର ଆଘାତ ବେଳକୁ ବେଳ ବଢ଼ିବାକୁ ଲାଗିଲା । ଦୁଶ୍ଚିନ୍ତାରେ ମନ ଘାରି ହୋଇଗଲା । ତା’ର ଆଉ କିଏ ଅଛି ଯେ, ସେ କାହାକୁ ଏ ଦୁଃଖଗୁଡ଼ାକ ଜଣାଇବ । ଭାଇ ନାଚାର, ଏ କଥା ଜାଣିଛି । ପରିବେଶ ଭିତରୁ ଖସିଯିବାକୁ ବାଟ ଖୋଜୁଥାଏ ।

 

“ଘରେ ଅସୁବିଧା ଅଛି । ମୋ’ ସାର୍ଟ୍‍ ଏବେ ନହେଲେ ଚଳିବ । ପରେ ଦେଖିବା । ନ ହେଉ, ଗାଡ଼ିବେଳ ହେଲାଣି । ମୁଁ ଯାଉଛି ।”

 

“ନା ନା ନା, ତୁ ଆଦୌ ଚିନ୍ତା କରନା । ମୁଁ ଥାଉଁଥାଉଁ ତୋ’ ମନଲାଖି ସାର୍ଟ୍‍ ଖଣ୍ଡେ କରିପାରିବୁ ନାହିଁ ? ମୁଁ ଏତକ ତୋତେ ଦେଇ ପାରିବିନି !”

 

“ତାଙ୍କୁ କ’ଣ ଦିଆହୋଇନି ।”

 

ପ୍ରିୟବ୍ରତ ଭିକାରି ନୁହେଁ । କାହା ଦୟା ଉପରେ ଚଳିବ କାହିଁକି ? ଦୟା ଓ ସାହାଯ୍ୟର ପ୍ରଶ୍ନ ଉଠିଲେ ହିସାବନିକାଶ ଓ ଦେବା ନଦେବାର କଥା ସିନା ଉଠେ । ଏଠିତ ସମ୍ପୂର୍ଣ୍ଣ କର୍ତ୍ତବ୍ୟ ଉପରେ ନିର୍ଭର କରୁଛି । ଇତିଶ୍ରୀଙ୍କ ଏପରି ମନ୍ତବ୍ୟ ସତ୍ୟବ୍ରତ ଆଦୌ ଗ୍ରହଣ କରି ପାରିଲେ ନାହିଁ-। ପ୍ରିୟବ୍ରତ ଏସବୁ ଶୁଣି କ’ଣ ଯେ ଭାବୁଛି, ସେହି ଚିନ୍ତା ସତ୍ୟବ୍ରତଙ୍କୁ ଗ୍ରାସ କଲା ।

 

–ତା’ର ଚଳିବାପାଇଁ ଯେତେକ ଆବଶ୍ୟକ, ସେତକ ସେ ନେଇଛି । ଅଧିକ ତ କେବେ ପ୍ରିୟବ୍ରତ ଆଶା କରେନା । ମୁଁ ତା’ କଥା ଭଲ ଭାବରେ ଜାଣିଛି ।

 

–ସବୁବେଳେ ଖାଲି ଟଙ୍କା ଟଙ୍କା ଟଙ୍କା । କେଉଁଠୁଁ ଟଙ୍କା ଆସିବ ? ଟଙ୍କା କ’ଣ ଏଠି ପୋତା ହୋଇଛି; ନା ଗଛ ଲଗାଯାଇଛି !

 

–ଏସବୁ କହି ଲାଭ କ’ଣ ? ଯେତେବେଳେ ଯାହା ଆସୁଛି, ସବୁକୁ ମୁକାବିଲା କରିବାକୁ ହେବ । ବ୍ୟସ୍ତ ହେଉଛ କାହିଁକି ? ତା’ ଯିବା ଆସିବାବେଳେ ଏମିତି କହିବା କ’ଣ ଉଚିତ ?

 

–ମୋତେ ଏଠିକି କାହିଁକି ଡାକିଥିଲ ? ମୁଁ ତ ଆପେଆପେ ଆସିନାହିଁ । ଡାକିଥିଲ କ’ଣ ଅପମାନ ଦେବାପାଇଁ !

ଅପମାନ ଦେବା ସତ୍ୟବ୍ରତଙ୍କର ଉଦ୍ଦେଶ୍ୟ ନୁହେଁ । ଘର ଭିତରେ ଏମିତି କ’ଣ କଥାବାର୍ତ୍ତା ହୁଏ ନାହିଁ ! ଗୋଟାଏ କାର୍ଯ୍ୟ କରିବା ପୂର୍ବରୁ ଆଲୋଚନା, ଯୁକ୍ତିର୍ତକ ହୁଏ, ପରେ ସେ କାର୍ଯ୍ୟ ସମାଧାନ ହୋଇଯାଏ । ଏହାକୁ ନିଜ ଲୋକ କ’ଣ କେବେ ଅପମାନ ଭାବିପାରେ ! ସତ୍ୟବ୍ରତ ବୁଝାମଣା ଭିତରେ ସବୁ କଥାବାର୍ତ୍ତା କରୁଥିବାବେଳେ ଇତିଶ୍ରୀ ଯେ ଏପରି ଭାବି ବସିବେ, ସତ୍ୟବ୍ରତ କଳ୍ପନା କରି ପାରି ନଥିଲେ ।

ପ୍ରକୃତରେ ଇତିଶ୍ରୀଙ୍କୁ ସେ ଡକାଇଛନ୍ତି । ପ୍ରିୟବ୍ରତର ବିଦାୟବେଳେ ଆଶୀର୍ବାଦ ଦେବାପାଇଁ ସତ୍ୟବ୍ରତ ତାଙ୍କୁ ଡକାଇଥିଲେ । ମାତ୍ର ପରିସ୍ଥିତି ଏମିତି ହେବ, କିଏ ବା ଜାଣିଥିଲା !

ପ୍ରିୟବ୍ରତ ଯିବାକୁ ବାହାରିଲା । ଏପରି ଅସ୍ଵସ୍ତିକର ପରିବେଶରୁ ଯେତେଶୀଘ୍ର ମୁକ୍ତ ହୋଇଯିବା ଭଲ ବୋଲି ସେ ଭାବିନେଲା ।

–ଭାଉଜ, ବିଦାୟବେଳେ ଶେଷଥର ପାଇଁ ଆଶୀର୍ବାଦ କର । ତୁମର ପ୍ରିୟବ୍ରତ କୃତକାର୍ଯ୍ୟ ହେଉ । ଯାତ୍ରା ତା’ର ସଫଳ ହେଉ । ଯାଉଛି ଭାଉଜ ।

ସେ ବିଦାୟକାଳୀନ ପ୍ରଣାମ ଜଣାଇବା ପାଇଁ ଇତିଶ୍ରୀଙ୍କ ପାଖକୁ ଚାଲିଯିବାବେଳେ, ଇତିଶ୍ରୀ ବିରକ୍ତରେ ଚାଲିଗଲେ ।

ପ୍ରିୟବ୍ରତ ଏଥିରେ ଯେତିକି ଦୁଃଖିତ ନହେଲା, ତା’ଠୁ ଅଧିକ ଦୁଃଖିତ ହେଲେ ସତ୍ୟବ୍ରତ-। ତାଙ୍କ ଉପସ୍ଥିତିରେ କେତେ ଆଉ ଅପ୍ରୀତିକର ପରିସ୍ଥିତିକୁ ସହ୍ୟ କରିବେ ? ଆଭିଜାତ୍ୟର ମୋହ ଟାଣି ଧରିଛି ।

 

–ଭାବନା ପ୍ରିୟ, ସଂସାର ଭିତରେ ଘର କରିଥିଲେ ସବୁକୁ ସହିବାକୁ ହେବ ।

 

ଲୁହ ଛଳଛଳ ଆଖିରେ ପ୍ରିୟବ୍ରତ ନିଜର ଭାବୋଚ୍ଚ୍ୱାସକୁ ସମ୍ଭାଳି ପାରିଲା ନାହିଁ ।

 

–କି ଅପରାଧ କରିଥିଲି, ବିଦାୟବେଳେ ନୂଆବୋଉ ଟିକେ ଆଶୀର୍ବାଦବି କଲେନି ! ତାଙ୍କ ଇଚ୍ଛା । ଭାବିଥିଲି ଗୁରୁଜନମାନଙ୍କର ଆଶୀର୍ବାଦକୁ ସମ୍ବଳ କରି ବିଦାୟ ନେବି । ସେତକବି ମୋ’ ଭାଗ୍ୟରେ ଯୁଟିଲା ନାହିଁ ।

 

–ଚିନ୍ତା କରନା ପ୍ରିୟ, ସମସ୍ତଙ୍କ ଆଶୀର୍ବାଦ ତୋତେ ମିଳିଛି । ତୁ ନିଶ୍ଚୟ ବଡ଼ମଣିଷ ହେବୁ । ଏଇ ପରୀକ୍ଷାରେ କେବଳ ନୁହେଁ ସବୁ ପରୀକ୍ଷାରେ ନିଶ୍ଚୟ ତୁ କୃତକାର୍ଯ୍ୟ ହେବୁ ।

 

–ଆଜି ମନଟା ଭାଙ୍ଗିପଡ଼ିଲା । ଏଇ ନେଇଯାଆନ୍ତୁ ଆପଣଙ୍କ ଟଙ୍କା । ପରୀକ୍ଷା ଦେବାକୁ ମନ ଆଉ ମୋର ଆଗଉ ନାହିଁ ଭାଇ । ଭାଗ୍ୟରେ ଯାହା ହେବାର ଅଛି ହେବ ।

 

ଏଇ କଥା ପଦକ ଯେମିତି ସତ୍ୟବ୍ରତଙ୍କ କଲିଜାକୁ ଥରାଇ ଦେଲା । ସେ ଭୀଷଣ ଯନ୍ତ୍ରଣା ପାଇଲେ । ପ୍ରିୟବ୍ରତ ଯେ ଏପରି କରିବାକୁ ବାଧ୍ୟ ହୋଇଛି, ଏଥିରେ ବୁଝିବାପାଇଁ ସତ୍ୟବ୍ରତଙ୍କୁ ଅସୁବିଧା ରହିଲା ନାହିଁ । ନିଜ ମନର ପ୍ରତିକ୍ରିୟା ପ୍ରକାଶ କରି ଉଠିଲେ ।

 

–କ’ଣ କହିଲୁ ପ୍ରିୟ ! ଶେଷରେ ମୋତେ ତୁ ଆଘାତ ଦେଲୁ ! ଟଙ୍କା ନେବୁ ନାହିଁ କହି ପାରିଲୁ ? ଜୀବନର ସବୁ ମମତା, ସ୍ନେହ ଢାଳି ସାରିଲା ପରେ, ତୁ ମୋତେ ଏମିତି ଧକ୍କା ଦେବୁ–ମୁଁ ତ ଭାବି ନଥିଲି । ଆଉଥରେ ଚିନ୍ତାକର ପ୍ରିୟ ।

 

ସେ ଜାଣିଛି, ଏପରି କହି ଭୁଲ୍‌ କରିଛି । ଏଥିରେ ଭାଇ ହୁଏତ ଧକ୍କା ପାଇବେ । ସାମାନ୍ୟ ସାର୍ଟ୍‍ ଖଣ୍ଡେପାଇଁ ଯଦି ବିଦାୟବେଳେ, ଭାଉଜ ଏମିତି କହିପାରନ୍ତି, ସେ ବା ଆଉ କାହିଁକି ଏ ଘର ଉପରେ ଆଶା ରଖିପାରିବ ! ବାପା ମରିଗଲା ପରେ, ଭାଇ ତାକୁ ମଣିଷ କରୁଛନ୍ତି । ଏକଥା କ’ଣ ବୁଝିବାପାଇଁ ପ୍ରିୟବ୍ରତକୁ ଆହୁରି ସମୟ ଲାଗିବ । ସେ ଭଲ ଭାବରେ ଭାଇଙ୍କର ସ୍ନେହ ମମତା ବୁଝିପାରିଛି । ପୁଣି ମନରେ ତା’ର ପ୍ରଶ୍ନ ଉଠେ । କାହିଁକି ପ୍ରତି ମୁହୂର୍ତ୍ତରେ ତା’ରିପାଇଁ ଘରେ ଅଶାନ୍ତି ସୃଷ୍ଟି ହେବ ? ଭାଉଜ ତ କମ୍‌ ବିରକ୍ତ ହେଉ ନାହାନ୍ତି ! ଅଭିମାନ ସ୍ଵରରେ କହିବାକୁ ଆରମ୍ଭ କଲା ।

 

–ବାପା ବୋଉ ମରିଗଲା ପରେ, ଭାଇ ଭାଉଜଙ୍କୁ ବାପା ବୋଉ ପରି ଭକ୍ତି କରି ଆସିଛି-। ଭାଇ ଭାଉଜଙ୍କୁ ସମ୍ବଳ କରି ଆସିଥିଲି । ଏ’ପାଇଁ ମୁଁ ଗର୍ବ ଅନୁଭବ କରେ । ହେଲେ କିନ୍ତୁ ଆଜି ମୋର ସେ ଗର୍ବ ଭାଙ୍ଗିଲା ପରି ଜଣାପଡ଼ୁଛି ।

 

–ନା ନା, ପାଗଳଙ୍କ ପରି ଏତେଗୁଡ଼ାଏ ଅଯଥା କଥା ଭାବନା । ଆମେ ତୋ’ପାଇଁ ଅଛୁ-। ତୁ ଏ ଘରର ଗର୍ବ ଗୌରବ !

 

ଅଭିମାନ କରନା । ଆରେ, ବାପୁ, ଦୀପୁ, ଲିଲି, କୁଆଡ଼େ ସବୁ ଗଲ । ଦାଦାକୁ ନମସ୍କାର କରିଯାଅ ।

 

–ସେମାନେ ସବୁ ଟିଉସନ୍‍କୁ ଗଲେଣି ଭାଇ । ମୁଁ ଏବେ ଯାଉଛି ।

 

–ହଁ ସେ ସାର୍ଟ୍‍ କନାପାଇଁ ଟଙ୍କା ନେଇ ଯା ଶହେ ଟଙ୍କା । ତୁ ଯା, ତୋ ଗାଡ଼ିବେଳ ହୋଇଗଲାଣି ।

 

–ସୁବିଧା କ’ଣ ହେବ !

 

–ଆରେ ସେ ସବୁ ତୁ ଭାବୁଛୁ କାହିଁକି ? ମୋ ପାଖରେ ଟଙ୍କା ଥିଲା ଯେ, ହେଲେ ତା’ ଅନ୍ୟ ବାବଦରେ ରଖିଥିଲି । ସେପାଇଁ ତୋ’ ନୂଆବୋଉକୁ କହୁଥିଲି । ମୁଁ ଚଳାଇନେବି । ତୋ’ ଭାବିବା ଦରକାର ନାହିଁ ।

 

ସତ୍ୟବ୍ରତ ଘର ଭିତରକୁ ଟଙ୍କାପାଇଁ ଗଲେ ।

 

ଏପାଇଁ କିଛି ପ୍ରିୟବ୍ରତ ନ ଭାବୁ, ଘରର ଆର୍ଥିକ ପରିସ୍ଥିତି କିମ୍ବା ମତାନ୍ତର ନେଇ ସେ ଚିନ୍ତା ନକରୁ, ଏହା ହେଉଛି ସତ୍ୟବ୍ରତଙ୍କର ଇଚ୍ଛା । ସେ ଘର ଭିତରୁ ଆସି ତା’ ହାତକୁ ଟଙ୍କା ବଢ଼ାଇ ଦେଲେ ।

 

–ପରୀକ୍ଷା ଆଉ ଅଳ୍ପ ଦିନ । ତୋତେ ବ୍ୟସ୍ତ ରହିବାକୁ ହେବ । ତୁ ଏବେ ଘରକୁ ନଆସି, ପରୀକ୍ଷା ପରେ ଆସିବୁ । ଆଉ ଟଙ୍କା ଆବଶ୍ୟକ ପଡ଼ିଲେ ମୋ’ ପାଖକୁ ଲେଖିବୁ । ଆଦୌ କିଛି ଭାବିବୁ ନାହିଁ । ପହଞ୍ଚି ଚିଠି ଦେବୁ ।

 

–ଏଇ ତ ମୋର ଶେଷ ପରୀକ୍ଷା । ପାଠ ଶେଷ ହେଉଛି । ଆଉ ଘରୁ ଟଙ୍କା ନେବି ବା କାହିଁକି ? କାହିଁକି ବା ଭାଉଜଙ୍କ ମନରେ କଷ୍ଟ ଦେବି ।

 

–ପାଠ କା’ର ଜୀବନରେ ସରେନା । ପାଠ ପା ଅସରା । ମଣିଷ ପଢ଼ିପାରିଲେ ହୁଏ ।

 

–ଆଉ କ’ଣ ପଢ଼ିପାରିବି ? ସେ ଭାଗ୍ୟ କ’ଣ ମୋର ଅଛି !

 

–କାହିଁକି ନୁହେଁ ? ଆହୁରି ପଢ଼ । ବେଶି ବେଶି ପଢ଼ି ପଢ଼ି ଯାଆ, ଆମେ ଖୁସି ହେବୁ । ଆମେ ତୋ ପଛରେ ତ ଅଛୁ । ଚିନ୍ତା କ’ଣ ? ଏତେ ବ୍ୟସ୍ତ ହେବାର କ’ଣ ଅଛି । ତୁ ଯା । ସେସବୁ ପର କଥା ଆଗାମୀ ଯୋଜନା ।

 

ପ୍ରିୟବ୍ରତ ପ୍ରଣାମ ଜଣାଇ ସତ୍ୟବ୍ରତଙ୍କଠାରୁ ବିଦାୟ ନେଇ ଯାଉଥିବାବେଳେ, ତା’ ଆଖିରୁ ଲୁହ ଧାର ଗଡ଼ି ଆସିବା ଦେଖି, ସତ୍ୟବ୍ରତ ଧୈର୍ଯ୍ୟ ଧରି ପାରିଲେ ନାହିଁ ।

 

ତାଙ୍କ ଆଖିରୁବି ଦି’ ଟୋପା ଲୁହ ଗଡ଼ି ପଡ଼ିଲା ।

 

ଚାରି

 

ବିଶ୍ଵବିଦ୍ୟାଳୟ ଛାତ୍ରୀ ନିବାସର–ପୋର୍ଟିକୋ ସମ୍ମୁଖରେ କିଛି ସମୟ ଠିଆ ହେବାପରେ, ପ୍ରିୟବ୍ରତ ଅବସୋସରେ ଭାଙ୍ଗିପଡ଼ିଲା । ଦୁଃଖରେ ତା’ ମନ ଭାରି ହୋଇଗଲା । ନାହିଁନଥିବା ଚିନ୍ତା ତାକୁ ବେଳକୁ ବେଳ ବେଶି ଘାରି ଯିବାର କାରଣ କିଛି ସେ ବୁଝିପାରିଲା ନାହିଁ ।

 

ଫର୍ମ୍ ପୂରଣ ଶେଷ ହେବାପରେ, ଦୁଶ୍ଚିନ୍ତା ମୁକ୍ତ ହୋଇ ଏଠାକୁ ଆସିଥିଲା ମଞ୍ଜୁକୁ ସାକ୍ଷାତ କରିବାପାଇଁ । କେତେ ଆକାଶୀ କଳ୍ପନା ନେଇ ବୁଲୁଛି । ମାତ୍ର ସବୁ ଯେମିତି ମରୀଚିକା ବୋଧ ହେଲା ।

 

ତା’ ଆଗରେ ନାନାରଙ୍ଗର ଫୁଲ ଫୁଟି ଉଠିଲାବେଳେ ହୃଦୟର ଆବେଗ ଚାପି ପାରେନା । କାହାକୁ ହେଲେ ତୋଳି ନେବାକୁ ସେ ଆଶାୟୀ ନୁହେଁ । ତା’ପରି ବିଶ୍ଵବିଦ୍ୟାଳୟର କୃତୀ ଛାତ୍ରପାଇଁ ସେଇଟା ତ ବେଶୀ ବଡ଼କଥା ହେବ ନାହିଁ । ମନର ଏପରି ପରିକଳ୍ପନାକୁ ରୂପ ଦେବା ଲାଗି ତାକୁ କ’ଣ ଆଉ ଅଧିକ ଦୂର ଯିବାକୁ ହୁଅନ୍ତା !

 

ଫୁଲ ପରେ ଫୁଲ ଦେଖି ଦେଖି, ପୁଣି ଫୁଲର ଆସର ଶୋଭା ନିଜ ଆଖିରେ ଦେଖିଲା ପରେ ସୁଦ୍ଧା ପ୍ରିୟବ୍ରତ ଏସବୁ ଫୁଲରୁ କେଉଁଟାକୁ ହେଲେ ଯେ ତୋଳି ନେବାକୁ ଆଗ୍ରହୀ ନୁହେଁ, ଫୁଲମାନେ ତାହା ବେଶ୍‌ ଅନୁମାନ କରିପାରିଲେ ।

 

ବଗିଚାରେ ଏତେ ରଙ୍ଗର ଫୁଲ ! କେତେ ସୁବାସରେ ଭରପୂର । ଯେଉଁ ଫୁଲଟି ତା’ର ଅତ୍ୟନ୍ତ ଆଦରଣୀୟା, ତା’ଠୁଁ ବହୁଗୁଣରେ ଏଠି ଫୁଟିଥିବା କେତୋଟି ଫୁଲ ଯେ ଅଧିକ ଆକର୍ଷଣୀୟା, ଏହା ପ୍ରତି ଯେପରି ତା’ର ଦୃଷ୍ଟି ନାହିଁ । ଯେଉଁ ଫୁଲର ସୁବାସରେ ଜୀବନ ତା’ର ସୁବାସିତ, ଯାହାର କୋମଳ ସ୍ପର୍ଶରେ ସେ କଠୋର କଳ୍ପନାକୁ ଭୁଲି ବାସ୍ତବତାର ପାହାଚରେ ଉପନୀତ ହୋଇପାରିଛି, ତାକୁ ବା ସେ ପାସୋରି ପାରିବ କିପରି ?

 

ପ୍ରିୟବ୍ରତ ଗୋଟିଏ ସ୍ଥାନରେ ଏତେ ସମୟ ଅପେକ୍ଷା କରିବା ଭିତରେ ସେ ମଞ୍ଜୁକୁ ସିନା ଦେଖିନାହିଁ, କିନ୍ତୁ ତା’ପରି ଅନ୍ୟ ଅନେକଙ୍କୁ ତ ଭେଟି ସାରିଲାଣି । ମାତ୍ର କାହାକୁ ପଦଟିଏ କିଛି କହି ନାହିଁ । କିଛି କହିବାକୁ କି ପଚାରିବାକୁ ସେ କାହିଁକି କେଜାଣି ଭଲ ମନେ କରୁନି ।

 

ସେମିତି ସେ ଏକାକୀ ଠିଆ ହୋଇଥାଏ । ମନହେଲେ ବେଳେବେଳେ ପାଦ ଚାଳନା କରେ । ଛାତ୍ରୀ ନିବାସ ସମ୍ମୁଖରେ ଥିବା ବିରାଟ ପଡ଼ିଆ ଆଡ଼କୁ ଅନାଏ । ଆକାଶକୁ ଚାହେଁ । ଏଡ଼େ ବଡ଼ ଆକାଶକୁ ଆଖି ତା’ର ପାଏନା । ତଥାପି ସେ ଚାହେଁ । ତା’ ଆଖି ନ ପାଇଲେବି ସୁଦ୍ଧା, ଆକାଶକୁ ଚାହିଁବାରେ ଯେ ଅନେକ ଆନନ୍ଦ ଅଛି, ଏକଥା ତାକୁ ଭଲ ଭାବରେ ଜଣାଥିଲା ।

 

ମଣିଷ ଯାହା ପାଇପାରେନା, ପାଇବା ଯାହା ସମ୍ଭବ ହେଉନି, ତଥାପି କ’ଣ ସେ ତାକୁ ଆଶା କରେନା ! ବିରାଟ ଆକାଶ ଦେହକୁ ତା’ ଛୋଟ ଛୋଟ ଆଖି ନପାଉ ପଛେ, ତଥାପି ଦେଖି ପାରିବାର କି ପ୍ରବଳ ଆକାଂକ୍ଷା ସତେ !

 

ବିସ୍ତୀର୍ଣ୍ଣ ପଡ଼ିଆଟା କୋଳରେ ଯଦି ଆଶ୍ରା ନିଅନ୍ତା, ତେବେ କେତେ ସ୍ଥାନ ବା ଲୋଡ଼ା ହୁଅନ୍ତା ! ସେ ତ ଅତି ସାନ । ତଥାପି ତା’ର ଆଶା ହୁଏ ଏହି ପଡ଼ିଆଟା ଭିତରେ ସେ ଟିକେ ବସି ଯାଆନ୍ତା କି ! ଏକାକୀ ବସିବା ଅପେକ୍ଷା, ପଡ଼ିଆକୁ ସାକ୍ଷୀ ରଖି ସ୍ଵଗତୋକ୍ତି କରିବାଠାରୁ, ବିରକ୍ତି ମଞ୍ଚରେ ଅଜଣା ଅଶୁଣା ଗୀତ ପଦେ ଶୁଣିବାରେ କ୍ଷତି ବା କ’ଣ ? ଏମିତିବି ସେ କେତେଥର ସେହି ମଧୁକଣ୍ଠର ନିରୋଳା ଗୀତ ଶୁଣିଛି । ସବୁ କ୍ଳାନ୍ତି ସବୁ ପଛକଥା ଯେମିତି ଏହି ପଡ଼ିଆର ଗୋଟିଏ ଛୋଟ କୋଣରେ ଲୁଚି ଯାଇଛି ।

 

ହେଲେ ଆଜି.......

 

ଆଜି ଆଉ କେମିତି ବା ସେ ଏଇ ପଡ଼ିଆଟାକୁ ଏକାଏକା ଉପଭୋଗ କରିବ ।

 

ଭାବିବାର ଅନ୍ତ ନାହିଁ । ପ୍ରିୟବ୍ରତ ଭାବି ଚାଲିଛି ।

 

ତା’ ଭାଗ୍ୟରେ ଯେ କେବେ ଦିନେ ଏଠି ଏତେ ସମୟ ଏମିତି ଏକୁଟିଆ ଅପେକ୍ଷା କରିବାକୁ ପଡ଼ିବ, ସେ ତ ତାହା କେବେ ଭାବି ନଥିଲା ।

 

ଆଜି କିନ୍ତୁ ସେ ନିରୁପାୟ । ନିଃସହାୟ । ନିଃସଙ୍ଗ ।

 

କେମିତି ବା ପ୍ରିୟବ୍ରତ ନିଃସଙ୍ଗତା ଭେଦକରି ଯାଇ ପାରିବ !

 

ଏହି ନିଃସଙ୍ଗ ମଣିଷ ହୋଇ ରହି ନ ପାରିବ ବୋଲି ସେ ସହଯାତ୍ରାଟିଏ ଖୋଜିଥିଲେ । ତା’ ଯାତ୍ରାପଥରେ ଏକାଧିକ ସହଯାତ୍ରୀ ହେବାକୁ ଆଗେଇ ଆସିଛନ୍ତି । ଆପଣା ଛାଏଁ ସେମାନେ ବିଶ୍ଵବିଦ୍ୟାଳୟର କୃତୀଛାତ୍ର ପ୍ରିୟବ୍ରତ ପାଖରେ ପରାଜୟ ସ୍ଵୀକାର କରିଛନ୍ତି । ଯୌବନଦୀପ୍ତ ଉଦ୍ଦାମତା ନିକଟରେ ପ୍ରିୟବ୍ରତ ମଥା ନୁଆଁଇ ନାହିଁ ।

 

ଜୀବନ ଯାତ୍ରାର ସେ ପରାସ୍ତ ସୈନିକ ନୁହେଁ । ବରଂ ଅନ୍ୟମାନଙ୍କୁ ପରାସ୍ତ କରି ସେ ହୋଇ ପାରିଛି ବିଜୟୀ । ତା’ର ଉନ୍ନତ ଚରିତ୍ର ଓ ରୁଚିପୂର୍ଣ୍ଣ ବ୍ୟବହାର ସହପାଠିନୀମାନଙ୍କୁ ଆକୃଷ୍ଟ କରିଛି । ବୟସର ତାଡ଼ନାରେ ସେମାନେ ପ୍ରିୟବ୍ରତର ନିକଟତର ହୋଇ ଆସିବାକୁ ପରିକଳ୍ପନା କଲାବେଳେ, ସବୁ ଯେମିତି ଧୂଳିସାତ୍ ହୋଇ ଯାଇଛି ।

 

ତା’ ଜୀବନନାଟିକାରେ ଜଣେ ତ ନୁହେଁ । ଏମିତି ଅନେକ ଆପଣା ଛାଏଁ ଚରିତ୍ର ହୋଇଯିବା ଲାଗି ବ୍ୟାକୁଳତା ପ୍ରକାଶ କରିଥିଲେ । ସୌନ୍ଦର୍ଯ୍ୟ ଓ ସୁଗଠନରେ ମନରାଜ୍ୟକୁ ଜୟ କରିନେବା ପାଇଁ ଯଥେଷ୍ଟ ଭରସା ମଧ୍ୟ ସଞ୍ଚାର କରିଛନ୍ତି । କେହି କେହି ଅଯାଚିତଭାବରେ ତା’ ଯାତ୍ରାପଥରେ ଯାତ୍ରୀ ହୋଇ ବସିଛନ୍ତି । ମାତ୍ର ପ୍ରିୟବ୍ରତର ମନ ପରଦାରେ ସେମାନେ ସ୍ଥାୟୀ ହୋଇ ରହିପାରି ନାହାନ୍ତି ।

 

ଛାତ୍ରୀନିବାସ ଭିତରୁ ଜଣେ ଜଣେ ସହପାଠିନୀ ଆସି ପୋର୍ଟିକୋ ପାଖରେ ପ୍ରିୟବ୍ରତକୁ ଦେଖି ସଙ୍କୋଚବୋଧ କରୁଛନ୍ତି । କେହି ସାହସ କରି ପଦଟିଏ ମଧ୍ୟ ପଚାରିପାରୁ ନାହାନ୍ତି । ସମସ୍ତେ ସମ୍ମାନ ଜଣାଇ ନିଜ ନିଜ ବାଟରେ ଚାଲି ଯାଆନ୍ତି ।

 

ସେମାନଙ୍କ ମନରେ କେତେ ପରିକଳ୍ପନା ସତେ !

 

ଆଜିବି ଯଦି ତା’ ମୁହଁରୁ କେହି କିଛି ଶୁଣନ୍ତା, ତେବେ ସେ ତୃପ୍ତ ହୁଅନ୍ତା । ମାତ୍ର ପ୍ରିୟବ୍ରତ ଲମ୍ପଟ ନୁହେଁ । ସ୍ନେହ ଶ୍ରଦ୍ଧା ବିନିମୟରେ ମଣିଷ କ’ଣ ପ୍ରତାରକ ହୋଇପାରେ ! ଏହାକୁ ନେଇ ପ୍ରତାରଣା କରିବା ତ ସମ୍ଭବ ନୁହେଁ ।

 

ମଞ୍ଜୁ ସହ ତା’ର କିଛିଦିନ ହେଲା ସାକ୍ଷାତ ହୋଇ ନାହିଁ । ଘରୁ ବିଦାୟ ନେଇ ଆସିବାବେଳେ, ଭାଉଜ ଯେଉଁ ପରିସ୍ଥିତି ସୃଷ୍ଟି କଲେ, ସେଥିରେ ପ୍ରିୟବ୍ରତ ମର୍ମାହତ । ଆଘାତପ୍ରାପ୍ତ ହୋଇ ଫର୍ମ୍ ପୂରଣ ଲାଗି ଆସିଥିଲା । ଏତେ ଅଶାନ୍ତି ଓ ବାଧାବିଘ୍ନ ସତ୍ତ୍ୱେ ତା’ ଫର୍ମ୍ ପୂରଣ ବେଶ୍‌ ସୁରୁଖୁରୁରେ ହୋଇ ଯାଇଛି । ଏଲାଗି ସେ ବାପା ବୋଉଙ୍କ ଆଶୀର୍ବାଦ ପାଖରେ କୃତଜ୍ଞତା ଜଣାଇଛି ।

 

ମାତ୍ର ଫର୍ମ୍ ପୂରଣ ସମୟରେ ମଞ୍ଜୁକୁ ଦେଖିପାରି ନଥିବା ହେତୁ ମନରେ ତା’ର ଅବସୋସ । ଅନେକ ସହପାଠିନୀଙ୍କୁ ଦେଖିଲେ, କିନ୍ତୁ ଅନେକଙ୍କ ଭିତରେ ମାତ୍ର ସେହି ଜଣକର ଅନୁପସ୍ଥିତି ତାକୁ ଅଶାନ୍ତ କରି ଦେଇଛି । ବହୁ ସହପାଠିନୀଙ୍କୁ ଦେଖିଲା ପରେବି ମଧ୍ୟ, ସେ ଖୁସି ହୋଇ ପାରିନି । ସମୟରେ ତା’ ମନକଥା କିଏ ବା ବୁଝିପାରିବ !

 

ମନ ତା’ର ଜଳିଯାଉଛି । ଜଳି ଯାଉଥିବା ମନକୁ କ’ଣ ସହଜରେ ବୁଝି ହୁଏ ! ବନ ଜଳିଗଲେ ସିନା ହଠାତ୍‌ ଜାଣି ହୁଏ ।

 

ସେଠିବି ଥିଲା ବିଭିନ୍ନ ଫୁଲଙ୍କ ଆସର । ମାତ୍ର ସେହି ଶୋଭା ପସରା ଭିତରେ ସେ ହଜି ପାରିଲା ନାହିଁ । ନିଜକୁ ହଜାଇ ପାରିବାପାଇଁ ଅସମର୍ଥ ମନେ କଲା ।

 

ଗୋଟିଏ ଫୁଲରେ ସନ୍ତୁଷ୍ଟ ହେଉଥିବା ଭଅଁର ଲାଗି ଏକାଧିକ ଫୁଲର ଆବଶ୍ୟକତା ତ ନଥାଏ । ଲମ୍ପଟ ସିନା ବାର ଫୁଲ ଚାଖି ଚାଖି ଯାଉଥାଏ । ହେଲେ କିନ୍ତୁ କାହାକୁ କ’ଣ ଆପଣାର କରିପାରେ ! ସାରା ଜୀବନ ଲାଗି କେହିତ ଢାଳନ୍ତି ନାହିଁ ।

 

ଛାତ୍ରୀନିବାସର ପିଅନ ହାତରେ ଖବର ଦେଇ ସେ ଅପେକ୍ଷା କରିଥାଏ । କେବେ ତ ଏତେବେଳଯାଏ ତାକୁ ଅପେକ୍ଷା କରିବାକୁ ହୁଏ ନାହିଁ । ତେବେ ଆଜି କାହିଁକି ଏହାର ବ୍ୟତିକ୍ରମ !

 

ଏତେ ସମୟ ଅପେକ୍ଷା କରିବି ସୁଦ୍ଧା, ତଥାପି ସେ ବିରକ୍ତ ନୁହେଁ । ବିଭିନ୍ନ ଭାବନାରେ ବୁଡ଼ି ଯାଇବି ଅପେକ୍ଷାରତ । ଫୁଲଟିର ବାସନା ଯେମିତି ସମଗ୍ର ଶରୀରରେ ତା’ର ଖେଳି ଯାଉଛି ।

 

ପ୍ରିୟବ୍ରତ ବ୍ୟଗ୍ର ହୋଇ ଉଠିଲା । ଚିନ୍ତାରେ ମନ ଭାରାକ୍ରାନ୍ତ ହେଲା । କେତେ ପ୍ରକାରର ଭାବନା ମନକୁ ଛୁଇଁ ଯାଉଥାଏ ।

 

ମଞ୍ଜୁର ଦେହ କ’ଣ ଅସୁସ୍ଥ ? ସେ କ’ଣ ଶଯ୍ୟାଶାୟିନୀ ! କ'ଣ ଅସୁବିଧା ହୋଇଛି ତା’ର ! ସେ କିଛି ଭାବିପାରୁନି । ଥଳକୁଳ ନପାଇ ଅଧିକ ଚିନ୍ତିତ ହେଲା ।

 

କୂଳରେ ଲାଗି ପାରୁ ନଥିବା ନାଆଟି ଯେପରି ସାଗର ଭିତରେ ସାହାହରା ହୋଇ ଦୋହଲୁ ଥାଏ, ଠିକ୍‌ ସେମିତି ପ୍ରିୟବ୍ରତର ମନ ବିଚଳିତ ଚଞ୍ଚଳ–ଅସ୍ଥିର ହେଉଛି ।

 

ମଞ୍ଜୁ କ’ଣ ଛାତ୍ରୀ ନିବାସରେ ନାହିଁ ! ଆଜି ତ ତାକୁ ବିଶ୍ଵବିଦ୍ୟାଳୟ ପରିସର ଭିତରେ ସେ ଦେଖିବାକୁ ପାଇନି । ତେବେ ତା’ର ଖବର ନେବ କେଉଁଠୁଁ ? କେଉଁ ସହପାଠିନୀକୁ ସେ ଅବା ତା’ର ଠିକଣା ପଚାରିବ ! ଭଲ ମନେ କଲାନି । ତଥାପି ମନକୁ ସ୍ଥିର କରିବା ଲକ୍ଷ୍ୟରେ ପଚାରି ବୁଝିବାକୁ ସିଦ୍ଧାନ୍ତ ନେଲା ।

 

ପୁଣି ମନକୁ ମନ ଭାବିନେଲା । ଯଦି ଏହା ପଚାରିବାକୁ ତା’ର ଦୁର୍ବଳତା ବୋଲି କେହି ଭାବେ, ତେବେ ସମ୍ମାନ ରହିବତ !

 

ଏମିତି ଅନେକ ସହପାଠିନୀଙ୍କୁ ନିରାଶ କରି, ସେ ଯେତେବେଳେ ଆଶା କରାଯାଉ ନଥିବା ସହପାଠିନୀକୁ ଆପଣାର ଭାବି ନେଇଛି, ସେତେବେଳେ ପ୍ରିୟବ୍ରତ ଆଉ କେଉଁ ମୌଳିକ ସାହସ ସଞ୍ଚାର କରି ପାରିବ ! କେମିତି ତା’ ବିଷୟରେ ପଦେ ପଚାରିବ ?

 

ଯାହାହେଉ, ନିଜର ଦୁର୍ବଳତା ବୋଲି କିଏ ଭାବୁ ପଛେ, ମନର ଭାବାବେଗକୁ ଅପ୍ରକାଶ୍ୟ ରଖିବା ଠିକ୍‌ ନୁହେଁ । ଠିକ୍‌, ଭୁଲ୍‌, ନବିଚାରି ମନ ଭିତରେ ସୃଷ୍ଟି ହୋଇଥିବା ଭାବକୁ ପ୍ରକାଶ କରି ଦୁଶ୍ଚିନ୍ତାମୁକ୍ତ ହେବା ଭଲ । କିନ୍ତୁ ମନ ଭିତରେ ଭାବକୁ ଗୋପନୀୟ ରଖି ଦୁଶ୍ଚିନ୍ତାରେ ଘାରିହେବା ଆଦୌ ଉଚିତ ନୁହେଁ ।

 

ପ୍ରିୟବ୍ରତ ପଚାରିବା ଲାଗି ମନକୁ ଦୃଢ଼ କଲା !

 

ଅନ୍ୟ କେଉଁ ସହପାଠିନୀଙ୍କୁ ତା’ ଖବର ଅନ୍ତର ପଚାରିବା ପାଇଁ ବ୍ୟସ୍ତ ହୋଇ ପଡ଼ିବାବେଳେ ପିଅନ ତା’ ଆଡ଼କୁ ଫେରୁଥିବାର ଦେଖିଲା ।

 

ଅତି ଉତ୍କଣ୍ଠିତ ହୋଇ ପାହାଚ ଆଡ଼କୁ ଧାଇଁଗଲା ।

 

“ଆଜ୍ଞା ଆସୁଛନ୍ତି ।”

 

ପିଅନଠାରୁ ଏତକ ଶୁଣିବା ପରେ ସାମାନ୍ୟ ଆଶ୍ଵସ୍ତ ହେଲା ପ୍ରିୟବ୍ରତ ।

ସେ ଆସିଲା ନାହିଁ । ରୁମ୍‌ରେ କ’ଣ ଜରୁରୀ କାର୍ଯ୍ୟରେ ବ୍ୟସ୍ତ ଅଛିକି ? ସେ ତ କେବେ ପ୍ରିୟବ୍ରତ ନାଁ ଶୁଣି ନୀରବରେ ବସି ରହିବା ବାନ୍ଧବୀ ନୁହେଁ । ମଞ୍ଜୁ ପ୍ରିୟବ୍ରତର ନାଁ ଶୁଣିବାମାତ୍ରେ, ଆସିଥିବାର ଖବର ପାଇଲେ ସଙ୍ଗେ ସଙ୍ଗେ ପୋର୍ଟିକୋ ପାଖକୁ ଚାଲିଆସେ । ଯେତେ ବଡ଼ କାର୍ଯ୍ୟରେ ବ୍ୟସ୍ତ ଥିଲେ ମଧ୍ୟ, ସେ ଶୀଘ୍ର ବାହାରକୁ ଆସି ପ୍ରିୟବ୍ରତକୁ ଦେଖାକରେ ।

ଏମିତି ଅନେକ ଥର ତା’ ଜୀବନରେ ଘଟିଛି । ହାତରେ ଅନ୍ୟ କାମ ଅନେକ ଥାଏ । ମଞ୍ଜୁକୁ ଦେଖା କରିବା ଲାଗି ଇଚ୍ଛା ହେଲେ ସେ ଏଠାକୁ ଚାଲି ଆସେ । ହାତରେ ଅଳ୍ପ ସମୟ । ଖବର ପାଇଲାମାତ୍ରେ ମଞ୍ଜୁ ତା’ ପାଖରେ ପହଞ୍ଚେ । କେତେ ମୁହୂର୍ତ୍ତ ଭିତରେ କଥାଭାଷା ଶେଷ କରି ଛାତ୍ରୀ ନିବାସରୁ ଫେରିଆସେ ।

ଆଜି କ’ଣ ତାକୁ ସେପରି ସୁଯୋଗ ମିଳିଲା ନାହିଁ । ଏମିତି ବ୍ୟତିକ୍ରମର କାରଣ ସେ କିଛିବି ଭାବି ପାରୁ ନାହିଁ ।

ଅପେକ୍ଷା କଲା । ଅପେକ୍ଷାର ବା ଶେଷ କାହିଁ ? ତେବେ ଏମିତି କ’ଣ ପ୍ରିୟବ୍ରତ ଅପେକ୍ଷା କରି ସବୁ ସମୟକୁ ହତ୍ୟା କରିବ ! କାହିଁକି, କ’ଣ ପାଇଁ ବା ଜାଣି ଜାଣି ଅପେକ୍ଷା ଭିତରେ ତା’ ମୂଲ୍ୟବାନ ସମୟକୁ ବିତାଇ ଦେବ ।

ପୁଣି ନିଜକୁ ନିଜେ ପଚାରି ବସେ । ନାଚାର ହୋଇଥିବା ମଣିଷ କ’ଣ ଅନେକ ଅପେକ୍ଷା ଭିତର ଦେଇ ଗତି କରିଥାଏ ? ଏହି ଅପେକ୍ଷାରୁ ତାକୁ କ’ଣ ଯଥେଷ୍ଟ ଭରସା ମିଳିଥାଏ-? ସବୁ ହଜାଇ ଥିବା ମଣିଷ ପକ୍ଷେ ଅପେକ୍ଷା କ’ଣ ବହୁ ମୂଲ୍ୟବାନ !

 

ଏମିତି କେତେକଅଣ ପ୍ରଶ୍ନବାଚୀ ଭିତରେ ବୁଡ଼ି ରହି ସେ ବିଚାର ନେଲା ଯେ, ତା’ ପରି ଗୋଟାଏ ଆଦର୍ଶ ଚରିତ୍ରପାଇଁ ଏପରି ଅପେକ୍ଷାର ଯଥାର୍ଥତା ରହିଛି । ଅପେକ୍ଷା ନ କରି ଆଉ ଅନ୍ୟ କ’ଣ ବା ସେ କରି ପାରିବ !

 

ଅପେକ୍ଷାର ଶେଷ ନହେଉ ପଛେ, ସେ ଏହି ଅପେକ୍ଷା ଭିତରେ ବରଂ ଶେଷ ହୋଇ ଯାଇପାରେ, ତଥାପି ଅପେକ୍ଷାକୁ ବିରକ୍ତି ମନେ କଲା ନାହିଁ ।

 

ପିଅନ ଫେରି ଆସିଛି । ସେ ରୁମ୍‌ରେ ଥିବାର ସମ୍ବାଦ ଆସି, ତା’ପାଖରେ ପହଞ୍ଚିଛି । ତେବେ ରୁମ୍‌ ବାହାରକୁ ଆସୁନି କାହିଁକି ? ଏ ଖବର ଯଦି କେହି ଟିକେ ପ୍ରିୟବ୍ରତକୁ ଦେଇପାରନ୍ତା, ସେ ଯଥେଷ୍ଟ କୃତଜ୍ଞତା ଜଣାନ୍ତା ।

 

ପ୍ରିୟବ୍ରତ ଦୀର୍ଘ ସମୟ ଅପେକ୍ଷା ଲାଗି ଚିନ୍ତିତ ନୁହେଁ । ନ ଆସିବାର କାରଣ ନଜାଣିପାରି ସେ ବିବ୍ରତ । ଏପରି ଘଟଣାକୁ ଆଉ କାହା ପାଖରେ ବା ପ୍ରକାଶ କରିପାରିବ !

 

ଥରେ ଯାହାକୁ ମଣିଷ ଶ୍ରଦ୍ଧା ଦେଇ ପାରିଛି, ହୃଦୟର ସବୁ ଆବେଗ ଯାହାପାଇଁ ଢାଳିଦେଇଛି, ଏତେ ଶୀଘ୍ର ସେହି ମଣିଷ ତା' ପ୍ରତି ଅବହେଳା କରିପାରିବ ବା କେମିତି !

 

ଏ ମନକଥା ଖୋଲିପାରିବା ସମ୍ଭବ ନୁହେଁ । ସବୁ କଥା କ’ଣ ଖୋଲି ହୁଏ । ଖୋଲାଯାଇ ସବୁ କୁହାଯାଉଥିଲେ, ଏ ଦୁନିଆରେ ଗୋପନୀୟତାର ମୂଲ୍ୟ ନ୍ୟୁନ ହୋଇ ଯାଆନ୍ତା-। ମଣିଷ ଆଉ ପରଖି ପାରନ୍ତା ନାହିଁ, ଅନ୍ୟ କାହାକୁ ଚିହ୍ନିବାପାଇଁ ଚେଷ୍ଟା କରନ୍ତା ନାହିଁ-। ନିଜ ସୀମାକୁ ସୁଦୀର୍ଘ ସୀମାଞ୍ଚଳ ବୋଲି ମନେ କରି ନିଅନ୍ତା । ଅନ୍ୟର ସୀମା–ବିସ୍ତୃତିକୁ ଆଦୌ ମାପନ୍ତା ନାହିଁ । ମାପିବାପାଇଁ କି କଳିବାପାଇଁ, ମନ ଭିତରେ ଯୋଜନା ଗଢ଼ା ହୁଅନ୍ତା ନାହିଁ ।

 

ପ୍ରିୟବ୍ରତ ମନର ଦୁଃଖକୁ ଚାପିରଖି ଅପେକ୍ଷା କରିଥାଏ । ଛାତ୍ରୀ ନିବାସର ମୁଖ୍ୟ ଦ୍ୱାର ମୁହଁକୁ ଚାହିଁଦେଇ ମନରେ ଅଧିକ ବଳ ସଞ୍ଚାର କଲା । ଆଉ ଟିକିଏ ନିକଟକୁ ଯିବାକୁ ଚେଷ୍ଟା କଲା-

 

ଏଥର ସ୍ପଷ୍ଟ ଦେଖିପାରିଲା ମଞ୍ଜୁ ପୋର୍ଟିକୋ ଆଡ଼କୁ ଆସୁଛି ।

 

ଝଡ଼ବାତ୍ୟାରେ କ୍ଷତବିକ୍ଷତ ନୌକାଟି ହଠାତ୍‌ ଯେତେବେଳେ କୂଳର ସନ୍ଧାନ ପାଇଯାଏ, କେତେ ସେ ଆନନ୍ଦ ନପାଏ । ସେହି ଆନନ୍ଦିତ ମୁହୂର୍ତ୍ତକୁ ଖୋଲିଦେବାକୁ ବ୍ୟାକୁଳ ହୋଇପଡ଼େ । ଆପେଆପେ ଅସୀମ ଆନନ୍ଦ ଉପଭୋଗ କରେ ।

 

ଏମିତି ଏକ ପରିବେଶରେ ଆଶ୍ଵସ୍ତ ହେଲା ପ୍ରିୟବ୍ରତ । ଫେରିଆସିଲା ନିଜ ଇଲାକାକୁ । ଯେଉଁ ଫୁଲର ବାସ୍ନା କେତେ ଦୂରରୁ ଭାସି ଆସି ତା’ର ସମଗ୍ର ଶରୀରରେ ନୂତନ ରୋମାଞ୍ଚ ଭରିଦିଏ, ସେହି ଫୁଲକୁ ନିଜ ପାଖରେ ପାଇ ଆତ୍ମବିଭୋର ହୋଇ ପଡ଼ିଲା ।

 

ମଞ୍ଜୁର ସ୍ଵାଭାବିକ ହସହସ ମୁଖମଣ୍ଡଳ ମଳିନ ପଡ଼ିଯାଇଛି । ଚାଲିରେ ସେମିତି ଭାବବିହ୍ଵଳତା ନାହିଁ । ପାଦରେ ଛନ୍ଦ ଚପଳତା ଅନୁଭୂତ ହେଉନାହିଁ । ନୟନ ଯୁଗଳ ମୁଦି ମୁଦି ପଡ଼ିଥାଏ ।

 

କିଛିଦିନ ବିଚ୍ଛେଦ ପରେ ସାକ୍ଷାତ ହେଲେ, ସେ ଯେମିତି ଅଭିମାନିନୀ ହୋଇଉଠେ, ଆଜି ସେପରି ଅଭିନୟ ନାହିଁ । ଚଳଚଞ୍ଚଳ ପାଦ ତା’ର ନିସ୍ତବ୍ଧ ।

 

ମୁହଁରୁ ତା’ର କଥା ବାହାରିଲା ନାହିଁ ।

 

ଆଶ୍ଚର୍ଯ୍ୟ ହେଲା ପ୍ରିୟବ୍ରତ । କଥା କ’ଣ ?

 

ମଞ୍ଜୁତ କେବେ ପ୍ରିୟବ୍ରତ ପାଖରେ ନୀରବ ରହେନା । କଥାରେ ପ୍ରଗଳ୍‍ଭ ହୋଇ ଉଠିବା ମଞ୍ଜୁ, ଏପରି ବାକ୍‌ଶୂନ୍ୟ ହୋଇ ପଡ଼ୁଛି କାହିଁକି !

 

କାହା କଥାରେ ସେ କ’ଣ ଆଘାତପ୍ରାପ୍ତା ! ଅପମାନିତା ହୋଇ ମଞ୍ଜୁ କ’ଣ ଏପରି ମଳିନ ଦିଶୁଛି । ଦୁଃଖରେ ଭାଙ୍ଗିପଡ଼ିଛି କାହିଁକି ?

 

ଦୁହିଁଙ୍କ ସମ୍ପର୍କ ଓ ଆନ୍ତରିକତାକୁ କେନ୍ଦ୍ରକରି କେତେ ତ ଗୁଜବ ଝଡ଼ପରି ସୃଷ୍ଟି ହୋଇଛି, ପୁଣିବି ତାହା ଝଡ଼ ବେଗରେ ଚାଲିଯାଇଛି । ତା’ ଅନୁପସ୍ଥିତିରେ ସେ ସେମିତି କିଛି ଦୁର୍ଘଟଣାର ସମ୍ମୁଖୀନ ହୋଇଛି କି ? କାହିଁ କିଛିତ ତା’ କାନରେ ବାଜିଲା ନାହିଁ !

 

ଆଜି କ’ଣ ମଞ୍ଜୁ ଫର୍ମ୍ ପୂରଣ କରିନାହିଁ ? ଅବା ଫର୍ମ୍ ପୂରଣ କରିଦେଇ ତା’ ଆସିବା ପୂର୍ବରୁ ଛାତ୍ରୀ ନିବାସକୁ ଚାଲିଆସିଛି ! କିଛି ବୁଝି ନପାରି ପ୍ରିୟବ୍ରତ ମନେମନେ ଅନେକ ଭାବିଲା । ସଠିକ୍‌ ଉତ୍ତର ପାଇଲା ନାହିଁ । ସେ କିଛି କହିବା ପୂର୍ବରୁ ପଚାରି ଦେଲା–

 

“ତମେ ଆଜି ଫର୍ମ୍ ଫିଲପ୍‌ ସାରି କେତେବେଳେ ଚାଲି ଆସିଲ ?”

 

ଏତକ କହିବାମାତ୍ରେ ମଳିନ ମୁଖମଣ୍ଡଳ ଆହୁରି କରୁଣାର୍ଦ୍ର ହୋଇ ଉଠିଲା । ଆଖିରେ ତା’ର ଲୁହ ଜକେଇ ଆସିବା ଦେଖି ପ୍ରିୟବ୍ରତ ଆଶ୍ଚର୍ଯ୍ୟ । ଅଧିକ ଭାବାବେଗ ତାକୁ ଅକଳ୍ପନୀୟ ପରିବେଶକୁ ନେଇଗଲା ।

 

“ତୁମେ କାନ୍ଦୁଛ ନା କ’ଣ ?”

 

ମଞ୍ଜୁ ଏଥର ଆଉ ନୀରବ ରହିପାରିଲା ନାହିଁ । କାନ୍ଦ କାନ୍ଦ କଣ୍ଠରେ ସ୍ଵତଃ ମୁହଁରୁ ପ୍ରକାଶ କଲା ।

 

“ନା, କାନ୍ଦିବି କାହିଁକି ?”

 

ପ୍ରିୟବ୍ରତ ଏଯାଏଁ ଏହାର କାରଣ କିଛି ଜାଣିପାରିଲା ନାହିଁ । ମଞ୍ଜୁ ଆଖିରେ ଲୁହ ସେ କେବେ ଦେଖି ନାହିଁ । ହସର ପସରା ଭିତରେ ଯିଏ ଦୁଇଟି ପ୍ରାଣକୁ ବାନ୍ଧି ଦେଇପାରେ, ନୀରସ ଶୁଷ୍କ ଜୀବନରେ ଯେ ହସର ଧାରା ବୁହାଇପାରେ, ସେ ଯେ ଆଜି ତାକୁ ଦେଖି କାନ୍ଦିବ, ଏହା ତା’ କଳ୍ପନାର ବାହାର ।

 

ଏପରି କ’ଣ କିଛି ଏଇ କେଇଦିନ ଭିତରେ ତା’ ଜୀବନରେ ଘଟିଯାଇଛି, ଯାହା ମଞ୍ଜୁ ପ୍ରକାଶ କରିପାରୁନି ! ପ୍ରିୟବ୍ରତ ପାଖରେ ସଙ୍କୋଚର ତ ପ୍ରଶ୍ନ ଉଠିବା କଥା ନୁହେଁ ! ତା’ ମନ ଭିତରେ ପ୍ରଶ୍ନବାଚୀ ସୃଷ୍ଟି ହେଲା ।

 

ବେଳେବେଳେ ନଘଟିବା କଥା ଘଟେ । ଆଶା କରାଯାଇ ନଥିବା ଘଟଣା କ’ଣ ସୃଷ୍ଟି ହୁଏ ନାହିଁ ? ପରିବର୍ତ୍ତନ ବିବର୍ତ୍ତନ ତ ସୃଷ୍ଟିର ରହସ୍ୟ । ସେ ଏହି ରହସ୍ୟକୁ ଭେଦ କରୁଛି ବା କିପରି !

 

ଏପରି ଏକ ସମୟରେ ପ୍ରିୟବ୍ରତ ଆସି ଭୁଲ୍‌ କି ଠିକ୍‌ କରିଛି, କିଛି ଭାବିପାରୁନି । ସେ କ’ଣ ତା’ର ଉପସ୍ଥିତି ବର୍ତ୍ତମାନ ଚାହୁଁ ନଥିଲା ! ଏହା ତ କେବେ ପ୍ରିୟବ୍ରତ ବିଶ୍ଵାସ କରିପାରିବ ନାହିଁ-। କି’ ଅବସ୍ଥାର ବା ମଞ୍ଜୁ ସମ୍ମୁଖୀନ ହୋଇଛି ! ଜାଣିପାରିଲେ ଅସୁବିଧା ଦୂରପାଇଁ ଚେଷ୍ଟା କରନ୍ତା-

 

କାହାକୁ ଅବା ପଚାରିବ ? ବନ୍ଧୁତା ଓ ଆନ୍ତରିକତାକୁ କଦର୍ଥ କରୁଥିବା ଦୁନିଆରେ କାହାକୁ ସେ ତା’ର ମନ ଖୋଲା କଥା କହି ପାରିବ ! ଲିଭିଯାଇଥିବା ବିଜୁଳି ଆଲୋକ, ଏଇ ପୋର୍ଟିକୋ ଏଇ ପରିସର ପାଖରେ ସେ ନିଜକୁ ନିଃସ୍ଵ ମନେକଲା । ଏମାନେ ତା’ ଜୀବନର ମୂକ ସାକ୍ଷୀ । କେତେ ନୀରବ କାହାଣୀର ସ୍ଵରଲିପି ।

 

ମଞ୍ଜୁପାଇଁ ପ୍ରିୟବ୍ରତ କୌଣସି କାର୍ଯ୍ୟ ଲାଗି କେବେ ପଛାଇ ଯାଇନି, କି ପ୍ରିୟବ୍ରତ ଲାଗି ମଞ୍ଜୁ ପକ୍ଷେ ଯେତେଟା ସମ୍ଭବ, ତାହା କରିବାପାଇଁବି କେବେ କୁଣ୍ଠାବୋଧ କରିନି । ଏପରି ସ୍ଥଳେ ପ୍ରିୟବ୍ରତ ଧୈର୍ଯ୍ୟ ଧରି ରହିବ ବା କିପରି ? ଅସୁବିଧାର ଗୋପନ ରହସ୍ୟ ଜାଣିବାକୁ ଚାହିଁଲା, ପାଗଳ ପରି ମନଟା ଏଣେତେଣେ ଧାଇଁଲା ।

 

ପୁଣି ସେ ଅବୁଝା ମନରୁ ପଚାରିଦେଲା–

 

“ନା, ତୁମେ ଲୁଚାଉଛ ମନେହେଉଛି । ଯେମିତି କ’ଣ ରହସ୍ୟ ଲୁଚି ରହିଛି । ୟା ଭିତରେ କିଛି କଥା ଅଛି, ଯାହା ତୁମେ ଖୋଲୁନ । ମୋତେ କହିବାରେ କ’ଣ ବାଧା ଅଛି ମଞ୍ଜୁ !”

 

ମଞ୍ଜୁ ଏଥର ଆଉ ମନକଥା ଲୁଚାଇବାକୁ ଭଲ ମନେକଲାନି । ଏତେଦିନ ପରେ ସାକ୍ଷାତ । କିପରି ବା କ’ଣ କିଛି ନ କହିବ ! ସେ ତ ପ୍ରିୟବ୍ରତର ଅପେକ୍ଷାରେ ରହିଥିଲା । ପ୍ରିୟବ୍ରତବି ସାକ୍ଷାତପାଇଁ ଆସିଛି ।

 

ମଳିନ ମୁଖମଣ୍ଡଳରେ କ୍ରମଶଃ ଭିନ୍ନ ରୂପ ରାଗ ସ୍ପଷ୍ଟ ହୋଇଆସୁଛି । ଅବସୋସ ଓ ଚିନ୍ତାର ଅନ୍ଧକାର ଦୂର ହେଉନାହିଁ । ମନର ଭାବାବେଗକୁ ମଞ୍ଜୁ ପରି ଯୌବନରେ ଢଳଢ଼ଳ ରୂପଶ୍ରୀମଣ୍ଡିତା ତରୁଣୀ ଆଉ କେତେବେଳଯାଏ ବା ଚାପିରଖି ପାରନ୍ତା !

 

ଆଳାପ ଆସର ଭିତରକୁ ଚାଲିଯିବାକୁ ଚାହିଁଲା ।

 

“କେବେ ଆସିଲ, ତୁମେ କେତେବେଳେ ଫର୍ମ୍ ଫିଲପ୍‌ କଲ ?”

 

‘‘ମୁଁ ଆଜି ପହଞ୍ଚିଲି, ଦିନ ୧୨ଟା ସୁଦ୍ଧା ଫର୍ମ୍ ଫିଲପ୍‌ ସାରିଦେଲି ।” ହେଲେ ତୁମେ...-?” ‘‘ତୁମକୁ ତ କାହିଁ ପାଇଲିନାହିଁ ।”

 

“ଆଉବି ପାଇବ ନାହିଁ ।”

 

ଏତକ କଥା ମଞ୍ଜୁଲତା କହିଦେଲା ସିନା; ମାତ୍ର କହିସାରିଲା ପରେ ଆଉ ନିଜକୁ ସମ୍ଭାଳି ପାରିଲାନାହିଁ । କୋହପରେ କୋହ ପରିବେଶକୁ ଅଧିକ କାରୁଣ୍ୟରେ ଭରିଦେଲା । ତା’ରି ଭିତରେ ଦୁଇଟି ଜୀବନ ବାନ୍ଧିହୋଇପଡ଼ିଲା ।

 

ହାସ୍ୟମୁଖର ଜୀବନ କ’ଣ ଅଶ୍ରୁ, ସଜଳ ହୁଏନାହିଁ । ହସ ଅଶ୍ରୁକୁ ପାଥେୟ କରି ଜୀବନ–ତରୀ ସିନା ଗତି କରିବାରେ ପୂର୍ଣ୍ଣତା ଅଛି ।

 

ପୁଣି କହିବା ଆରମ୍ଭ କଲା–

 

“ମୋ କଥା କାହିଁକି ପଚାରୁଛ ? ପଚାରି ଲାଭ କ’ଣ ? ଏଠି ମୁଁ ଆଉ ରହିବି କାହିଁକି ଯେ, ତୁମେ ମୋତେ ଦେଖିବ, କି କିଛି କଥା ପଚାରିବ ।”

 

ପ୍ରିୟବ୍ରତର ମାନସିକ ଅଶାନ୍ତି କ୍ରମେ ବଢ଼ିବାକୁ ଲାଗିଲା । ତା’ର ଉପସ୍ଥିତିରେ ସେ ସ୍ଵାଭାବିକ ଅବସ୍ଥାକୁ ଫେରିଆସୁଥିଲା; ମାତ୍ର ପୁଣି କାହିଁକି ପଟ୍ଟ ପରିବର୍ତ୍ତନ ! କାହିଁକି ତା’ ଜୀବନ–ମଞ୍ଚରେ ଅସନ୍ତୋଷର କଳା–ପରଦା !

 

ହଠାତ୍ ମଣିଷ ସ୍ଵାଭାବିକ ଅବସ୍ଥାକୁ ଫେରି ଆସି, ପୁଣିବି ବେଳେବେଳେ ଅସ୍ଵାଭାବିକ ପରିସ୍ଥିତିର ସମ୍ମୁଖୀନ ହୁଏ । ଏମିତି ପରିବେଶ ଓ ପରିସ୍ଥିତି ତାକୁ ଜୀବନ ଯାତ୍ରାରେ ସଂଗ୍ରାମୀ ଓ ଧୈର୍ଯ୍ୟବାନ କରିବାପାଇଁ ପ୍ରେରଣା ଦିଏ–ଉତ୍ସାହ ଭରିଦିଏ ।

 

ମଣିଷକୁ କେହି ସାନ୍ତ୍ୱନା ନଦେଲେବି ସୁଦ୍ଧା; ତା’ ଅବଚେତନ ମନରେ କିଏ ଯେମିତି ପ୍ରେରଣାର ଉତ୍ସ ଭରିଦେଇଯାଏ । ଏହି ଉତ୍ସ ଖୋଜିବାର ତା’ର କେତେ ଆନନ୍ଦ ସତେ !

 

କିନ୍ତୁ ହତଭାଗ୍ୟ ଜୀବନରେ ବେଳେବେଳେ ପ୍ରେରଣା ଓ ଉତ୍ସାହର ଉତ୍ସ ମରି ହଜିଯାଏ-। ସେ ପଥ ଖୋଜି ଖୋଜି ଯାଏଁ, ପୁଣି ହଠାତ୍‌ ପଥ ଭୁଲିବସେ । କାରଣ ତା’ପାଇଁ ଅଗୋଚର ରହେ ।

 

ପ୍ରିୟବ୍ରତ ଏମିତି ପଟ୍ଟ ପରିବର୍ତ୍ତନର କାରଣ ଜାଣିବ ବା କିପରି ? ତା’ ଅଗୋଚରରେ କେତେକଅଣ ଘଟିଆସିଲାଣି । ତଥାପି ମନକୁ ଦୃଢ଼ କଲା । ମଞ୍ଜୁର ମନ ଗହୀରର ଭାଷାକୁ ବୁଝିବାପାଇଁ ଆଗ୍ରହୀ ହେଲା ।

 

“କଥା ଲୁଚେଇ ଏମିତି ଅଭିମାନ କଲେ, ତା’ର ଅର୍ଥ କ’ଣ କିଛି ହୁଏ ?”

 

ଏଥର ମଞ୍ଜୁ ଆଉ ପ୍ରିୟବ୍ରତର ଅଭିମାନ ଜାଲରୁ ମୁକ୍ତ ହୋଇ ପାରିଲାନି । ଅଭିମାନର ଭାଷା ଓ ତା’ର ସଂଳାପ ଭିତରେ କେତେ ଶକ୍ତିଶାଳୀ ଆବେଗ ଲୁକ୍କାୟିତ ଏକଥା ଅଭିମାନୀ ସିନା ବୁଝିପାରେ ।

 

ମଣିଷ ଅଭିମାନୀ ନହେଲେ, ଅଭିମାନର ଭାଷାକୁ ବୁଝିବ ବା କିପରି ? ଏହି ଭାଷାରେ କେତେ ଜୀବନ୍ତ ରୂପ ରାଗ ଭରିରହିଛି, ତାକୁ ଧରିପାରିବା କ’ଣ ସାଧାରଣ ମଣିଷ ପକ୍ଷେ ଏତେଟା ସହଜ !

 

ପ୍ରିୟବ୍ରତ ଅଭିମାନୀ । ସେପାଇଁ ତା’ କଣ୍ଠରେ ଅଭିମାନର ଭାଷା । ମଞ୍ଜୁବି ତ କମ୍‌ ଅଭିମାନିନୀ ନୁହେଁ ! ତେଣୁ ତା’ପାଇଁ ଅଭିମାନର ଭାଷା ବୁଝିବା କଷ୍ଟ ହେଲା ନାହିଁ । କହିପକାଇଲା–

 

“ତାହାହେଲେ, ସତରେ କ’ଣ ମୋ’ ମନର କଥା ବୁଝିବାପାଇଁ ଚାହୁଁଛ ।”

 

ସମ୍ପର୍କ ଦୁଇଟି ଆତ୍ମାର ଏକ ସେତୁ । ଏହି ସେତୁ ନିର୍ମାଣ ହୁଏ ଦୁଇଟି ଆତ୍ମାକୁ ନେଇ । ଗୋଟିକର ଅବହେଳା ଓ ବିତୃଷ୍ଣା ସମ୍ପର୍କ ଲାଗି ଅନ୍ତରାୟ ହୁଏ । ଉଭୟର ମନ, ଭାବନା, ଆନ୍ତରିକତା ସୃଷ୍ଟି କରେ । ପ୍ରକୃତିର ମନକୁ ନେଇ ପୁରୁଷ ତା’ ମନକୁ ନ ଗଢ଼ିବ ବା କିପରି ! ପୁରୁଷକୁ ଏ ଦିଗରେ ନାରୀର ସହଯୋଗ ଓ ମମତା କମ୍‌ ତ ଖୋରାକ ଯୋଗାଏ ନାହିଁ !

 

ପ୍ରିୟବ୍ରତ କଥା ମଞ୍ଜୁ ମନରେ ସାନ୍ତ୍ଵନା ଆଣିଦେଲା । ବହୁ ଦିନରୁ ହଜାଇଥିବା ତା’ ଆତ୍ମୀୟର ଉପସ୍ଥିତିରେ ସବୁ ମାନସିକ ଅଶାନ୍ତି ଯେପରି କ୍ଷଣିକରେ ଦୂରେଇ ଗଲା । ମନର ଅବସ୍ଥା କ୍ରମେ ପରିବର୍ତ୍ତନ ହେବାକୁ ଲାଗିଲା । ଯାହାକୁ ମଣିଷ ଆପଣାର ବୋଲି ଭାବିଛି, ସେହି ଆପଣା ଲୋକଠାରୁ ସାନ୍ତ୍ୱନାର ବାଣୀ ଶୁଣିବାପରେ ଦୁଶ୍ଚିନ୍ତା ମୁକ୍ତ ହେବାତ ଦୁନିଆର ରୀତି ।

 

ପ୍ରିୟବ୍ରତ ଏଥର ପୂର୍ବର ସ୍ଵାଭାବିକ ଅବସ୍ଥାକୁ ଫେରିଆସିଲା । ଅଭିମାନ ଦୂରକରିବାପାଇଁ ଏବଂ ମଞ୍ଜୁ ମନରେ ଆନନ୍ଦ ଦେବାଲାଗି ସେ ମନେମନେ କଳ୍ପନାକରି ଚାଲିଲା ।

 

“ଆଜିତ ନୁହେଁ, ଅନେକ ଦିନରୁ ଏ ଚିନ୍ତା ମୋତେ ପାଗଳ କରିଛି । ତୁମ ମନର କଥା ଶୁଣିବାପାଇଁ ମୁଁ କେତେ ଯେ ଆଗ୍ରହୀ ସେକଥା ମୁଁ ଏକା ଜାଣିଛି ମଞ୍ଜୁ ।”

 

ସ୍ଵାଭାବିକ ପରିସ୍ଥିତି ସୃଷ୍ଟି ହେଲାପରି ମନେହେଲା । ମଞ୍ଜୁ ଧନ୍ୟବାଦ ଜଣାଇ ଅଧରରେ ସ୍ମିତ ହାସ୍ୟ ଖେଳାଇଦେଲା । ଅଧିକ ଉତ୍ସାହିତ ହୋଇପଡ଼ିଲାବେଳେ ପାଟିରୁ ବାହାରି ପଡ଼ିଲା–

 

“ଏ କଥା ଶୁଣି ଖୁସି ହେଲି ।”

 

କ’ଣ ଏତିକିରେ ମୁଁ ତୁମ ମନଗହନରେ ଲୁଚି ରହିଥିବା କଥାଟାକୁ ବୁଝିପାରିଲି ?

 

ମଞ୍ଜୁ ଭୁଲିଗଲା ତା’ର ମାନସିକ ଅଶାନ୍ତି । ଭୁଲିଗଲା ତା’ର ଦୁଃଖ ଓ ଅବସୋସକୁ ।

 

ନିକଟରେ ବିପଦ ସମୟରେ ଜଣେ ଆତ୍ମୀୟ ବ୍ୟକ୍ତିଙ୍କୁ ପାଇଗଲା ପରେ ବିପଦଗ୍ରସ୍ତ ମଣିଷ ଜୀବନ ଯେପରି କ୍ଷୀଣ ଆଶାଲୋକରେ ଆଲୋକିତ ହୋଇ ଉଠେ, ଠିକ୍ ତାହାହିଁ ଘଟିଲା ମଞ୍ଜୁ କ୍ଷେତ୍ରରେ ।

 

ଆଉ ସଙ୍କୋଚ ରଖିଲାନାହିଁ । ପଚାରି ଦେଲା–

 

“ତୁମ ପାଖରେ କେତେ ଟଙ୍କା ଅଛି ?”

 

“ମାନେ !”

 

“ଫର୍ମ୍ ଫିଲପ୍‌ ପରେ ତୁମ ପାଖରେ ଆଉ କେତେ ଟଙ୍କା ବଳିଛି ?”

ପ୍ରିୟବ୍ରତ ଆଉ ସମୟ ଅପେକ୍ଷା ନ କରି ସାହାଯ୍ୟ କରିବା ଉଦ୍ଦେଶ୍ୟରେ ନିଜକୁ ଦୃଢ଼କରି ବସିଲା । ମଞ୍ଜୁ କ’ଣ ଟଙ୍କା ଅଭାବରେ ଅସୁବିଧାର ସମ୍ମୁଖୀନ ହୋଇଛି ! ମଣିଷ ତ ସବୁବେଳେ ସଳଖ ପଥରେ ଗତି କରିପାରେନା । ହୁଏତ ତା’ପାଇଁ କିଛି ଅଡ଼ୁଆ କି ଅସୁବିଧା ସୃଷ୍ଟି ହୋଇପାରିଥାଏ ।

ମଣିଷ କ’ଣ ସବୁବେଳେ ଅର୍ଥର ଭଣ୍ଡାର ଭିତରେ ବୁଡ଼ିରହି ସୁବିଧା ଭୋଗ କରୁଥାଏ ! ଏଇ ମଣିଷ ପୁଣି ବେଳେବେଳେ ସବୁ ଥାଇ କିଛି ନଥିଲା ପରି ଅସୁବିଧାର ସମ୍ମୁଖୀନ ହୁଏତ !

“ତୁମର କ’ଣ ଟଙ୍କା ଦରକାର ?”

ପ୍ରିୟବ୍ରତ ବିସ୍ମୟ ହୋଇ, ସାହାଯ୍ୟ ଦେବା ମନୋବୃତ୍ତିରେ ଏତକ ପ୍ରଶ୍ନ କରିବାମାତ୍ରେ ମଞ୍ଜୁ ସବୁକଥା ଖୋଲିଦେଲା ।

ମଣିଷ ସୁବିଧା ଅସୁବିଧାରେ କେତେ କଥା ଚିନ୍ତାକରେ । କହିବାପାଇଁ ପରିକଳ୍ପନା କରେ; ମାତ୍ର ମନଲାଖି ମଣିଷ ପାଇଲେ ସେ ଯାଇ ତାହା ପ୍ରକାଶକରେ । ନଚେତ୍‌ ମନକଥା ସେମିତି ମନରେ ଚାପି ରଖିଥାଏ । ମଞ୍ଜୁ, ପ୍ରିୟବ୍ରତ ପାଖରେ ମନକଥା ନ ଖୋଲି ଆଉ ଅନ୍ୟ କାହା ପାଖରେ ବା ନିଜ କଥାକୁ କହନ୍ତା !

ଆଜି ସୁଦ୍ଧା ମଞ୍ଜୁର ବାପା ତା’ପାଇଁ ଟଙ୍କା ପଠାଇ ନାହାନ୍ତି ବୋଲି ଯେତେବେଳେ ପ୍ରିୟବ୍ରତ ମଞ୍ଜୁଠାରୁ ଶୁଣିଲା, ସେତେବେଳେ ସେ ବିଚଳିତ ହୋଇପଡ଼ିଲା । କିପରି ତାକୁ ସାହାଯ୍ୟ କରିବ, ଭାବି ବସିଲା ।

 

ତେବେ କ’ଣ ମଞ୍ଜୁ ଆଜି ଫର୍ମ୍ ଫିଲ୍‌ପ କରିନାହିଁ ! ଏତେ ପରିଶ୍ରମ କରି ପାଠ ପଢ଼ିଲା ପରେ ଫର୍ମ୍ ଫିଲ୍‌ପ କରିବାବି ତା’ ଭାଗ୍ୟରେ କ’ଣ ସମ୍ଭବ ହେଲାନାହିଁ ? ଏହା ଚିନ୍ତାକରି ପ୍ରିୟବ୍ରତ କହିଲା–

 

"ତୁମେ ଆଜି ଫର୍ମ୍ ଫିଲ୍‌ପ କରିନାହଁ ବୋଲି ଏତେ ଦୁଃଖିତା ! ଏଇଟା କ’ଣ ଗୋଟେ ସମସ୍ୟା ହୋଇ ରହିବ ?

 

ପୁଣି ମଞ୍ଜୁ ଆଖିରେ ଲୁହ ଆସିଗଲା । କହିପାରିଲାନି । ଯାହା କହିଲା ତା’ ଅସ୍ପଷ୍ଟ ।

 

ତେବେ ସେତିକିରୁ ବୁଝାପଡ଼ିଲା ଯେ, ତା’ ସହପାଠିନୀ ଅନୁରାଧା, ଜୟଶ୍ରୀ, ଲିପି, ତନୁଶ୍ରୀ, ମାଳବିକା ସମସ୍ତେ ଫର୍ମ୍ ଫିଲ୍‌ପ କରିଛନ୍ତି, ମାତ୍ର ସେ ଏକା ବାକି ପଡ଼ିଯାଇଛି ।

 

"ଏଥିରେ ବ୍ୟସ୍ତ ହେବାର କ’ଣ ଅଛି ? ଆସନ୍ତାକାଲି ତ ଫର୍ମ୍ ଫିଲ୍‌ପବି ହୋଇପାରିବ-। ଏଇ ନିଅ, ରଖିଥାଅ ।"

 

ସତ୍ୟବ୍ରତକୁ ତା’ ଭାଇ ଦେଇଥିବା ଅଧିକା ଟଙ୍କାରୁ ସେ ଫର୍ମ୍ ପୂରଣ ବାବଦରେ ମଞ୍ଜୁକୁ ଯାହା ଆବଶ୍ୟକ ଦେଇଦେବା ଦେଖି, ମଞ୍ଜୁ ବିସ୍ମିତା ହେଲା । କାଳେ ପ୍ରିୟବ୍ରତର କିଛି ଅସୁବିଧା ହୋଇପାରେ, ସେପାଇଁ ପଚାରି ଦେଲା–

 

"ଅସୁବିଧା ହେବନି ତ ?"

 

ପ୍ରିୟବ୍ରତ ଫର୍ମ୍ ଫିଲ୍‌ପ କରି ସାରିଛି । ନିଜେ ଚଳିବା ଓ ସାର୍ଟ୍‍ ତିଆରି କରିବାପାଇଁ ସତ୍ୟବ୍ରତ ତାକୁ ଅଧିକ ଟଙ୍କା ଦେଇଥିଲେ । ବର୍ତ୍ତମାନ ଟଙ୍କାପାଇଁ ଯେଉଁ କାମ ଅଟକୁଛି, ଏହି ଟଙ୍କାରେ ହୋଇଯିବା ଭଲ ବୋଲି ସ୍ଥିର କରିନେଇଛି । ଏଥିରେ ଆଉ ସେ ଭାବିବ ବା କାହିଁକି ? ସେପାଇଁ ମଞ୍ଜୁ ମନକୁ ବୁଝାଇବାକୁ ଚେଷ୍ଟାକଲା ।

 

"ସୁବିଧା ଅସୁବିଧା ସବୁ ଏଇ ମଣିଷ ଉପରେ ନିର୍ଭରକରେ । ତୁମେ ସେକଥା ଭାବୁଛ କାହିଁକି ? ଆମ ଭିତରେ ଏଇ ସାହାଯ୍ୟ ଓ ସହଯୋଗ କ’ଣ ରହିବନାହିଁ ।"

 

"ବାପା ପଠାଇବାମାତ୍ରେ ମୁଁ ତୁମ ଟଙ୍କା ଦେଇଦେବି ।”

 

“ବ୍ୟସ୍ତ ହେବାର କିଛି ନାହିଁ । ସାର୍ଟ୍‍ପାଇଁ ଭାଇ ଏ ଟଙ୍କା ଦେଇଥିଲେ । ତା’ ସାଙ୍ଗେ ଏ ମାସର ଚଳିବା ଖର୍ଚ୍ଚବି ଥିଲା । ବର୍ତ୍ତମାନ କିଛି ଆବଶ୍ୟକ ନାହିଁ । କାମଟା ହୋଇଯାଉ ।”

 

ମଞ୍ଜୁ ଏବେ ସମ୍ପୂର୍ଣ୍ଣ ଆଶା ନେଇ ଧାଇଁଲା ।

 

"ସତରେ ଭଗବାନଙ୍କର ବିଚାର ପାଖରେ ସବୁ କ୍ଷେତ୍ରରେ ମୁଣ୍ଡ ନୁଆଁଇବାକୁ ପଡ଼େ । ତୁମେ ଯେବେ ଆଜି ହଷ୍ଟେଲ୍‍କୁ ଆସି ନଥାଆନ୍ତ, ତେବେ...."

 

"ଅନେକ ଦିନ ହେଲା ତୁମ ସାଙ୍ଗେ ସାକ୍ଷାତ ହୋଇନି, ଆସିବିନି କେମିତି ? ମନଟା ଥୟ ହେଉନି । ଭାବିଲି, ମଞ୍ଜୁର ହୁଏତ କିଛି ଅସୁବିଧା ହୋଇଛି ।”

 

‘‘ମୁଁ ତ ସେୟା ଭାବୁଥିଲି । କେମିତି ଏତେଦିନ ଧରି ଗାଁରେ ରହିଗଲେ ।”

 

ପ୍ରିୟବ୍ରତ ମୁହଁରେ ହସ ଖେଳିଗଲା । ତା’ ହାସ୍ୟ ଅଧର ଦେଖି ମଞ୍ଜୁର ବିଷଣ୍ଣ ମୁଖମଣ୍ଡଳ କୁଆଡ଼େ ଉଭାଇ ଗଲାଣି ।

 

ପରୀକ୍ଷା ଆଉ ଅଳ୍ପ ଦିନ । ଆଉ ସିନେମା ଦେଖି ଯାଇହେବନି ! ମଞ୍ଜୁ ଓ ତା’ ନିଜ ମନକୁ ହାଲୁକା କରିବାପାଇଁ, ସିନେମା ଯିବା ପ୍ରସ୍ତାବ ପ୍ରିୟବ୍ରତ ବାଢ଼ିଲା ।

 

ମଞ୍ଜୁ କେବେ ଏ କଥାରେ ମନା କରିବନାହିଁ ସେ ଜାଣେ । ସତକୁସତ ସେ ଏହି ପ୍ରସ୍ତାବରେ ରାଜି ହୋଇଗଲା ।

 

ମଞ୍ଜୁ ତରବର ହୋଇ ରୁମ୍‌ ଭିତରକୁ ଚାଲିଗଲା । ଶୀଘ୍ର ପୋଷାକ ବଦଳାଇ ବାହାରି ପଡ଼ିଲା ମନ ଖୁସିରେ ।

 

ଦୁହେଁ ସିନେମା ଅଭିମୁଖେ ଚାଲିଥାଆନ୍ତି ।

 

ଆଜି କାହିଁକି କେଜାଣି ମଞ୍ଜୁ ମନକୁ ଅତି ବାସ୍ତବ କଥାଟିଏ ଛୁଇଁଗଲା । କେତେଥର ଭାବିଛି ବୋଧହୁଏ ଏକଥା ପଚାରିବା ପାଇଁ, ମାତ୍ର ପଚାରି ପାରିନି । କ’ଣ ଗୋଟାଏ ପଚାରିବ ପଚାରିବ ହେଉଛି ବୋଲି ପ୍ରିୟବ୍ରତ ତା’ ଭାବଭଙ୍ଗୀରୁ ଜାଣିପାରିଲା ।

 

ମନ ଯିଏ ଯାହାପାଇଁ ଢାଳି ଦେଇଥାଏ, ସେହି ସିନା ତା’ ମନକଥାକୁ ଜାଣିପାରେ । ଅବା ଜାଣିବାପାଇଁ ଆଗ୍ରହୀ ହୁଏ । ମୁହଁ ଓ ଭାବଭଙ୍ଗୀରୁ ମନକୁ ଚିହ୍ନିପାରେ । ଅକୁହା କଥାକୁ ଅନୁମାନ କରିନେଇପାରେ ।

 

ପ୍ରିୟବ୍ରତ ଅଧିକ ସାହସ ଓ ଉତ୍ସାହ ଦେଇ ‘‘କ’ଣ କହିବାକୁ ଚାହୁଁଛ ପଚାରୁନ" ବୋଲି କହିଲା ।

 

ମଞ୍ଜୁ ଏପରି ଆବେଗ ଢଳା କଥାରେ ସାହସ ଓ ଉତ୍ସାହ ପାଇଲା । ଏଥର ମନକଥାକୁ ଖୋଲି ଦେବାରେ ବାଧା ତ ନାହିଁ । କୁଣ୍ଠାବୋଧ କଲାନାହିଁ ।

 

"ତମ ସହିତ ମୋର ଏ ଆଳାପ ଓ ମିଳନ ଭିତରେ ଆଗାମୀ ଜୀବନପାଇଁ ଯେଉଁ କଳ୍ପିତ ଦୁନିଆ ଗଢ଼ିଉଠିଛି, ଆମ କଥା ତୁମ ଭାଇ ଭାଉଜ ଜାଣନ୍ତି ତ ? ମୁଁ ତ କେତେ କଳ୍ପନା କରି ବସିଛି ।”

 

ପ୍ରିୟବ୍ରତ ହଠାତ୍‌ ଉତ୍ତର ଦେଇପାରିଲା ନାହିଁ । ସେ ଯେପରି ଏମିତି ପ୍ରଶ୍ନ ତା’ଠାରୁ କେବେ ଆଶା କରୁ ନଥିଲା । ସେ ଯେ ଆଜି କାହିଁକି ଏପରି ପ୍ରଶ୍ନକଲା, ଏଥିରେ ମୂଳ ରହସ୍ୟ କ’ଣ ଅଛିକି ବୋଲି ଚିନ୍ତା କଲା; ମାତ୍ର ଏହାର ରହସ୍ୟ କିଛି ସେ ପାଇପାରିଲା ନାହିଁ ।

 

ପୁଣି ମନେମନେ ଭାବିଲା–ଏବେବି କ’ଣ ମଞ୍ଜୁ ମନରେ ସନ୍ଦେହ ରହିଛି ? ତା’ କାନକୁ କ’ଣ ଏହା ଭିତରେ ଯାହା ସବୁ ଘଟି ଯାଇଛି, କିଛି ଯାଇନାହିଁ !

 

ମାଳବିକା ପରି ଅନେକ ସହପାଠିନୀ ପ୍ରିୟବ୍ରତ ଜୀବନରେ ଆସିଛନ୍ତି । ମାଳବିକା ସୁନ୍ଦରୀ–ଗଠନ ତା’ର ଗୋଟିଏ ଚାଉଳରେ ଗଢ଼ା । ଆଖିରେ ତା’ର ଆକର୍ଷଣୀୟ ଚାହାଣି । କଥାରେ ଅନ୍ୟକୁ କିଣିନେବାର ଅସୀମ ଶକ୍ତି ।

ପ୍ରିୟବ୍ରତକୁ ମାଳବିକା ନିଜର କରିବାଲାଗି ଅନେକ ଚେଷ୍ଟା କରିଥିଲା । ବିଶ୍ୱବିଦ୍ୟାଳୟର ହିରୋଇନୀ ସେ । ତା’ କାର୍ଯ୍ୟକଳାପକୁ ନେଇ ଦୀର୍ଘ ଦିନ ଧରି କମ୍‌ ଚହଳବି ପଡ଼ିନାହିଁ । ଗୁଜବର ନିଆଁ ଆଜିବି ଜଳୁଛି ।

ମାଳବିକା ହିରୋଇନୀ ଭାବରେ ସମସ୍ତଙ୍କୁ ନିଜର କରିପାରେ । ପ୍ରିୟବ୍ରତ ପରି ମେଧାବୀ ଓ ସୁନ୍ଦର ଯୁବକକୁ ସେ ଯେ ଆପଣାର କରିନେଇଛି, ଏଥିରେ କେହି ସନ୍ଦେହୀ ନଥାଆନ୍ତି; ମାତ୍ର ସବୁ ପରିକଳ୍ପନା ତା’ର ଧୂଳିସାତ୍‌ ହୋଇଯାଇଛି । ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ଏଥିରେ ଆଶ୍ଚର୍ଯ୍ୟ ହେବାରବି କିଛି ନଥିଲା । କାରଣ ପ୍ରିୟବ୍ରତ ଏମିତି ଅନେକ ସହପାଠିନୀଙ୍କ ଆଶାକୁ ଚୂରମାର କରିଦେଇଛି । କାହାକୁ ପ୍ରତିଶ୍ରୁତି ଦେଇପାରିନି । ବୃଥା ଆଶା ପୋଷଣ କରି କେତେ ଯେ ନିରାଶ ହୋଇଛନ୍ତି, ଏଥିରେ ହିସାବ ନାହିଁ ।

ତନୁଶ୍ରୀର ବାପ ମା’ ପ୍ରିୟବ୍ରତକୁ ଜ୍ଵାଇଁ କରିବାପାଇଁ ମନସ୍ଥ କରିଥିଲେ । ଦୁହେଁ ସହପାଠୀ । ପଢ଼ା ଶେଷହେଲେ ପ୍ରିୟବ୍ରତର ଭାଇ ଭାଉଜଙ୍କ ପାଖକୁ ପ୍ରସ୍ତାବ ନେବାପାଇଁ ତନୁଶ୍ରୀର ବାପା ଭାବିଥିଲେ । ଏହି ଘରୋଇ କଥା ବିଶ୍ଵବିଦ୍ୟାଳୟ ପରିସରରେ ବାଜିଛି । ଅନେକ ତାକୁ ଅର୍ଥର ପ୍ରଲୋଭନରେ ପ୍ରଲୋଭିତ କରିବାପାଇଁ ତନୁଶ୍ରୀର ବାପା ବୋଉ ଚେଷ୍ଟା କରିଛନ୍ତି । ପ୍ରିୟବ୍ରତ କାନରେ ବହୁ ମୂଲ୍ୟବାନ ଯୌତୁକ ଦାନର ପ୍ରସ୍ତାବ ପଡ଼ିବାର ବ୍ୟବସ୍ଥା ହୋଇଛି ।

ତନୁଶ୍ରୀ ହିରୋଇନ ହୋଇ ନପାରେ । ତେବେ ସେ ଯେ ମଞ୍ଜୁଠାରୁ ଯଥେଷ୍ଟ ସୁନ୍ଦରୀ, ଏଥିରେ ତ ସନ୍ଦେହ କରିହେବନି । ବାପା ତା'ର ଆଇ.ଏ.ଏସ୍‌. ଅଫିସର । ଗୋଟିଏ ବୋଲି କନ୍ୟା-। ଓଡ଼ିଶାର ବଡ଼ବଡ଼ ସହରରେ ତାଙ୍କର କୋଠାଘର ଅଛି । ବାପାଙ୍କ ବାପା ଥିଲେ ଜମିଦାର-। ସେହି ସୂତ୍ରରୁ ବହୁ ପରିମାଣର ଜମିବାଡ଼ିର ଅଧିକାରୀ ହୋଇ ପାରିଛନ୍ତି ତନୁଶ୍ରୀର ବାପା ।

ପ୍ରିୟବ୍ରତ ଇଚ୍ଛାକଲେ, ଆମେରିକା ଓ ଲଣ୍ଡନ ପ୍ରଭୃତି ବଡ଼ବଡ଼ ଧନଶାଳୀ ରାଷ୍ଟ୍ରକୁ ଅଧିକ ଅଧ୍ୟୟନ ପାଇଁ ଯାଇପାରିବ । ତନୁଶ୍ରୀର ବାପା ମାଆ ପ୍ରିୟବ୍ରତକୁ ଦୂରଦେଶକୁ ପଠାଇବାପାଇଁ ଆଗ୍ରହ । ଯେତେ ଟଙ୍କା ଖର୍ଚ୍ଚ ହେଲେବି ସୁଦ୍ଧା, ସେ ଖର୍ଚ୍ଚ କରିବାକୁ ପ୍ରସ୍ତୁତ ।

ପାଠ ପଢ଼ା ସରିଲେ ହୁଏତ ବାହାଘର ହୋଇପାରେ; ମାତ୍ର ଏବେଠୁଁ ପ୍ରସ୍ତାବ ହୋଇ ରହିଥାଉ । ପ୍ରିୟବ୍ରତ ଏଥିରେ ସମ୍ମତି ଦେଇ ଦେଉ । ବାପ ମାଆଙ୍କ ମନରୁ ସନ୍ଦେହ ଦୂର ହୋଇଯାଉ । ଏଲାଗି ଅନେକ ଥର ପ୍ରିୟବ୍ରତକୁ ପ୍ରବର୍ତ୍ତା ଯାଇଛି । ଅନେକଙ୍କ ଜରିଆରେ ତା’ ମନ ପରୀକ୍ଷା କରାଯାଇଛି; କିନ୍ତୁ ସବୁ ଯେମିତି ବିଫଳ ହୋଇଛି ।

ମଞ୍ଜୁ ରୂପରେ ସେମିତି ସୁନ୍ଦର ନୁହେଁ । ମଧ୍ୟବିତ୍ତ ଘରର ଝିଅଟିଏ । ବୃତ୍ତି ଉପରେ ତା’ ପାଠ ପଢ଼ା ନିର୍ଭର କରେ । ଭଲ ପଢ଼େ । ପଢ଼ାରେ ତା’ର ଆଗ୍ରହ ଲାଗି ଶିକ୍ଷକମହଲରେ ମଞ୍ଜୁର ସୁନାମ ।

ଦୁହେଁ କାହିଁକି ଯେ ପରସ୍ପର ପ୍ରତି ଏତେ ଆକୃଷ୍ଟ, ଏପାଇଁ କେତେ ଆଲୋଚନା, କେତେ ସମାଲୋଚନା ଚାଲିଛି ତା’ର କଳନା ନାହିଁ; ମାତ୍ର ଅର୍ଥ ଓ ରୂପର ପ୍ରଲୋଭନ ପ୍ରିୟବ୍ରତକୁ ବାନ୍ଧି ପାରିନାହିଁ । ହୃଦୟର ମିଳନ ପାଖରେ ଅର୍ଥ ଓ ରୂପ କ’ଣ ବିଜୟୀ ହୋଇପାରେ ! ପ୍ରିୟବ୍ରତ ମନେମନେ ଯାହା ଥରେ ସ୍ଥିର କରିନେଇଛି, ସେଥିରୁ ସେ ବା ବିଚ୍ୟୁତ ହେବ କିପରି !

ସେ କ’ଣ ଜାଣି ନାହିଁ ଯେ, ମଞ୍ଜୁର ବାପା ତନୁଶ୍ରୀର ବାପାଠାରୁ ଅଧିକ ଟଙ୍କାର ଯୌତୁକ ଦେବାକୁ ସମର୍ଥ ନୁହନ୍ତି । ଗୋଟିଏ ଜମିଦାର ବଂଶର ଆଇ.ଏ.ଏସ୍‌. ପୁଅ ସହିତ, ସାମାନ୍ୟ ଜଣେ କିରାଣି କିପରି ବା ତୁଳନୀୟ ହୋଇପାରନ୍ତା ! ମଞ୍ଜୁର ବାପା ଜଣେ କିରାଣି । ସ୍ଵଳ୍ପ ଆୟ ଭିତରେ ବିରାଟ ପରିବାର ଚଳାଇବାକୁ ହୁଏ । ପୁଣି ମଞ୍ଜୁ ଏକା ତ ନୁହେଁ, ତା’ରି ପରି ଏମିତି ଆହୁରି ତିନିଟି ଝିଅକୁ ବିଭା ଦେବାକୁ ହେବ । କନ୍ୟାଦାୟରୁ ମୁକ୍ତି ପାଇବା ଲାଗି ସ୍ୱଳ୍ପ ବେତନଭୋଗୀ ଯେତେ ଚିନ୍ତିତ, ଅଧିକ ଆୟକାରୀ ବାପ କାହିଁକି ବା କନ୍ୟାଦାୟ ଲାଗି ସେତେ ମୁଣ୍ଡ ଖେଳାଇବେ ?

ଏସବୁକୁ ମଞ୍ଜୁଲତା ଭଲ ଭାବରେ ଜାଣିଛି । ଜାଣି ସୁଦ୍ଧା କ’ଣ ଏହି ଘଟଣା ନେଇ ତା’ର ସନ୍ଦେହ ଆସିଛି କି ? ସାରା ବିଶ୍ଵବିଦ୍ୟାଳୟରେ ଦିନେ ସନ୍ଦେହ ଓ ଚିନ୍ତା ଘେରିଯାଇଥିଲା । ତନୁଶ୍ରୀ ଘରେ କେମିତି ପ୍ରିୟବ୍ରତକୁ ନେଇ ଆଶାର ସୌଧ ଗଠିତ ହୋଇଥିଲା, ସେ ବିଷୟରେ ମଞ୍ଜୁ ସଚେତନ ।

Unknown

ସେ ସୌଧ ଭାଙ୍ଗିଯାଇଛି । ଏ କଥାବି ତାକୁ ଅଜଣା ନାହିଁ ।

ମାଳବିକା ମନରେ ଅଶାନ୍ତି । ତନୁଶ୍ରୀ ନିରାଶ ହୋଇଛି । ପ୍ରିୟବ୍ରତକୁ ସାଥୀ ଭାବରେ ପାଇବାପାଇଁ ଦୁହେଁ ଆଗ୍ରହୀ ଥିଲେ; କିନ୍ତୁ ଆଜି ନିରାଶାର ଦୀର୍ଘ ଶ୍ଵାସ ପକାଇବାକୁ ହୋଇଛି ।

ମଞ୍ଜୁ ଅସୁନ୍ଦରୀ । ମାଳବିକା ପାଖରେ ରୂପରେ ଓ ଗଠନରେ ବହୁ ନିମ୍ନରେ । ଏପାଇଁ ସେ ନିଜକୁ ଖୁବ୍‌ ଛୋଟବି ମନେକରେ । ଅନ୍ୟ କାହାର ରୂପ ଓ ଗଠନ ସହିତ ନିଜକୁ ସେ ତୁଳନା କରେନାହିଁ ।

ପ୍ରିୟବ୍ରତ ପରି ମେଧାବୀ ଓ ପ୍ରିୟ ଛାତ୍ର ଯେ ତା’ପ୍ରତି ଆକୃଷ୍ଟ ହୋଇପାରିବ, ଏହାବି ତା’ କଳ୍ପନାର ବାହାର; ମାତ୍ର ବନ୍ଧନପାଇଁ ଏସବୁ କ’ଣ ସୃଷ୍ଟି କରିପାରେ ?

ବନ୍ଧନ ଶାଶ୍ଵତ–ଚିରନ୍ତନ । ଏହା ଅନାବିଳ–ପବିତ୍ର । ସ୍ନେହାବଦ୍ଧ ।

ପ୍ରିୟବ୍ରତ ମଞ୍ଜୁ କଥାରେ ଉତ୍ତର କିଛି ଦେଇପାରିଲା ନାହିଁ । କେବଳ ତା’ରି କଥା ଉପରେ ତାକୁ ଓଲଟି ପ୍ରଶ୍ନଟିଏ ପଚାରିଲା ।

“ଆଉ ତୁମ ବାପା ବୋଉ ?”

ଏଥର ମଞ୍ଜୁ ନୀରବ ରହିଲା । ବାକ୍‌ଯୁଦ୍ଧରେ ପରାଜିତା ସେ । ସନ୍ତୋଷ ଓ ପରିତୃପ୍ତିର ହସ ଧାରଟିଏ ତା’ ମୁହଁରେ ଖେଳିଗଲା ।

ସେମାନେ ଆଜି ଛୋଟପିଲା ନୁହଁନ୍ତି । ବୟସ ହୋଇଯାଇଛି । ଯୌବନରେ ଭାରାକ୍ରାନ୍ତ ଦୁଇଟି ଜୀବନ ଆପଣାର ନୀଡ଼ ରଚନାରେ ଆଗ୍ରହୀ । ଦୁହିଁଙ୍କ ସହଯୋଗରେ ଗୋଟିଏ ନୂତନ ଦୁନିଆ ଗଠନ ସ୍ଵପ୍ନରେ ଆତ୍ମବିହ୍ଵଳ । ଏଥିରେ ବାପ ମାଆ ଆପତ୍ତି କରିବେନାହିଁ ବୋଲି ମଞ୍ଜୁର ଯେମିତି ବିଶ୍ଵାସ, ଭାଇ ଭାଉଜ ଏପାଇଁ ବାଧା ଦେବେନାହିଁ ବୋଲି ପ୍ରିୟବ୍ରତର ମଧ୍ୟ ସେପରି ଆଶା-

ସିନେମା ଦେଖି ଫେରିବାପରେ, ମଞ୍ଜୁ ଛାତ୍ରୀନିବାସରେ ସୁଖୀ ହୋଇପାରିଲା ନାହିଁ । ପରିବେଶ ତାକୁ କେମିତି ଅଣନିଃଶ୍ଵାସୀ ମନେହେଲା ।

ତା’ ବିରୁଦ୍ଧରେ ଏତେ ଆଲୋଚନା, ଏତେ ସମାଲୋଚନା ସେ ଶୁଣି ଶୁଣି ବିରକ୍ତ ହୋଇ ପଡ଼ିଲା । ଦୁଃଖରେ ମ୍ରିୟମାଣ ହୋଇଗଲା ।

ପ୍ରିୟବ୍ରତବି କମ୍‌ ତ ସମାଲୋଚନାର ଶରବ୍ୟ ହେଉ ନଥାଏ ! ନିଜ ସମ୍ପର୍କରେ ଶୁଣୁଥିବା ମନ୍ତବ୍ୟକୁ ସେ ସହ୍ୟ କରିବାପାଇଁ ଚେଷ୍ଟାକଲା; ମାତ୍ର ତା’ ସମ୍ପର୍କୀୟ ମତାମତକୁ ସେ ଆଦୌ ଗ୍ରହଣ କରିପାରିଲାନାହିଁ । ମନ ବିଦ୍ରୋହ କରି ଉଠୁଥାଏ । ହେଲେ କାହାକୁ ବା କ’ଣ କହିବ ? ଅଧିକାଂଶ ସହପାଠିନୀ ତା’ ବିରୁଦ୍ଧରେ । ଆଉ କାହାକୁ ନେଇ ସେ ନିଜ ଇଲାକା ତିଆରି କରିପାରିବ !

ପ୍ରିୟବ୍ରତ କାହାକୁ ସାହାଯ୍ୟ କରିପାରେନା । ମାତ୍ର ସମସ୍ତଙ୍କ ପ୍ରତି ସ୍ନେହ ଓ ସହାନୁଭୂତି ଅସୀମ । ଦୁଃଖୀର ଦୁଃଖ ବୁଝେ–ଦରଦ ଢାଳିପାରେ; କିନ୍ତୁ ପଇସାଟିଏ ସାହାଯ୍ୟ ଦେବାକୁ ସେ ସମର୍ଥ ହୋଇପାରେନା । କେଉଁଠୁଁ ବା ଆଣିବ ? ଭାଇଙ୍କଠାରୁ ଯେତିକି ଆଣେ, ସେତିକିରେ ସେ ନିଜେ କିପରି ଚଳିବ, ତାହା ବ୍ୟବସ୍ଥା କରେ । ଆଉ ଅଧିକ ଟଙ୍କା କାହିଁ ଯେ, କାହାକୁ ସେ ମନ ବୁଝିଲାଭଳି ସାହାଯ୍ୟ ଦେବ !

ଏକଥା କେହି ବୁଝନ୍ତିନାହିଁ । କେଉଁ ପରିସ୍ଥିତି ଭିତରେ ସେ ଗତି କରୁଛି, ତାହା ପ୍ରତି କାହାର ଦୃଷ୍ଟି ନଥାଏ ।

ଆଜି ଘଟଣାଟିଏ ଘଟିଛି । ମାନବେନ୍ଦ୍ର, ପ୍ରିୟବ୍ରତର ସହପାଠୀ । ଆର୍ଥିକ ଅବସ୍ଥା ତା’ର ସ୍ଵଚ୍ଛଳ ନୁହେଁ । କେବଳ ପଢ଼ିବାର ଆଗ୍ରହ ତାକୁ ଆଗେଇ ଆଣିଛି । ଫର୍ମ୍ ଫିଲପ୍‌ କରିପାରୁ ନଥାଏ-। ଆଉ କିଛି ଟଙ୍କା ତା’ର ଆବଶ୍ୟକ; ମାତ୍ର ଦୁଇ ତିନିଦିନ ପାଇଁ ଧାରସୂତ୍ରରେ ପ୍ରିୟବ୍ରତକୁ ଟଙ୍କା ଲାଗି ଅନୁରୋଧ କରିଥିଲା । କେତେ ବିନୟ ହୋଇଥିଲା; କିନ୍ତୁ ପ୍ରିୟବ୍ରତ ହାତରୁ ଟଙ୍କା ଛାଡ଼ିବା ଲାଗି ଆଦୌ ଇଚ୍ଛା କରି ନଥିଲା । ମାଳବିକା ଓ ଅନ୍ୟ କେତେଜଣ ସହପାଠିନୀଙ୍କ କାନକୁ ଏ କଥା ଆସିଛି । ସବୁ ସେମାନେ ଶୁଣିଛନ୍ତି । ପ୍ରିୟବ୍ରତର ଅକ୍ଷମତା ଓ ଅସାମର୍ଥ୍ୟ ପାଇଁ ସେମାନେ ପଦେହେଲେ ମନ୍ତବ୍ୟ ଦେଇନାହାନ୍ତି ।

ମାତ୍ର ଏଇ କେଇ ଘଣ୍ଟା ପରେ, ପ୍ରିୟବ୍ରତ ନିଜ ଚଳିବା ଟଙ୍କାରୁ ଦାନ କରିପାରିବା ଦେଖି, ସେମାନେ ଈର୍ଷାପରାୟଣ ହୋଇ ଉଠିଲେ । ଏଇ ଟିକି କଥାକୁ ନେଇ ସମାଲୋଚନାର ଝଡ଼ରେ ଛାତ୍ରୀନିବାସ ମୁଖରିତ ହେବାକୁ ଲାଗିଲା ।

ନାରୀ ସ୍ଵାଭାବିକ ଈର୍ଷାପରାୟଣା । ତା’ ହୃଦୟ ଭିତରେ ଈର୍ଷାର ନିଆଁ କୁହୁଳୁ ଥାଏ । ବାହାରକୁ ସେହି ନିଆଁର ଝୁଲ ଟିକିଏ ଛିଟିକି ଆସିଲେ, ଅନ୍ୟର ହୃଦୟକୁ ଜାଳି ପକାଏ । ପୋଡ଼ି ଧ୍ଵଂସ କରିବାକୁ ପଛାଏ ନାହିଁ ।

ମାଳବିକା ଓ ତନୁଶ୍ରୀ ଏଥିରୁ ମୁକ୍ତ ରହିବେ ବା କିପରି ?

 

ପାଞ୍ଚ

 

ଇତିଶ୍ରୀ ସକାଳୁ ବିଛଣା ଛାଡ଼ିବାମାତ୍ରେ ସନାତନକୁ ଦେଖିନେଇ ରାଗିଉଠିଲେ । ଯେଉଁ ସନାତନକୁ କେନ୍ଦ୍ରକରି ସ୍ଵାମୀ ସ୍ତ୍ରୀଙ୍କ ଭିତରେ କେତେ ମନାନ୍ତର, କେତେ ମତାନ୍ତର ସୃଷ୍ଟି ହୋଇଯାଇଛି, ସେହି ସନାତନକୁ ଘରପାଖରେ ଦେଖି ଇତିଶ୍ରୀ ମନେମନେ ରାଗରେ ଜଳିଗଲେ । କେତେ କଥା କହିବାପାଇଁ ଭାବି ବସିଲେ ।

 

ସନାତନକୁ ଦେଖି ନେଇ ଘରଭିତରେ ସେ ପାଟି ଆରମ୍ଭ କରିଦେଲେ ।

 

ସନାତନର ଏହି ଘର ପ୍ରତି ଏତେ ମମତା, ଏତେ ଶ୍ରଦ୍ଧା, ତାହା ଇତିଶ୍ରୀ କିପରି ବୁଝିପାରୁନାହାନ୍ତି, ସେହି କଥା ସତ୍ୟବ୍ରତ ଭାବୁଥାଆନ୍ତି ।

 

ବେଳକୁ ବେଳ ସନାତନକୁ ଆଖିରେ ରଖି ସେ ବେଶି ବେଶି ପାଟିତୁଣ୍ଡ କରିବା ଦେଖି, ସତ୍ୟବ୍ରତ ଏଥିରେ ହସ୍ତକ୍ଷେପ କଲେ ।

 

ମଣିଷ କ’ଣ ଏତେଗୁଡ଼ାଏ କଥା ଶୁଣିପାରିବ ! ସେ ତ କାଠ ପଥର ନୁହେଁ । ତାହାଠିଁ ଜୀବନ ଅଛି–ସେ ସକ୍ରିୟ । ତେବେ ସେ କ୍ରିୟାର ପ୍ରତିକ୍ରିୟା ପ୍ରକାଶ ନକରିବ ବା କାହିଁକି । ଗୋଟିଏ କଥାର ରୋମନ୍ଥନକୁ ଶୁଣି ଶୁଣି ସେ କ’ଣ ପଦେ କିଛି କହିବନାହିଁ ?

 

କେଉଁ ମଣିଷ ଏପରି ପ୍ରତିକ୍ରିୟାଶୂନ୍ୟ, ତାହା ଜାଣିବା କଷ୍ଟକର । ଏହି ପ୍ରତିକ୍ରିୟାକୁ ମଣିଷ କେତେ ପ୍ରକାରରେ, କେତେ ଚିନ୍ତାରେ ପ୍ରକାଶ କରୁଛି, ତା’ର ସୀମା ନାହିଁ । ତେବେ ଗୋଟିଏ ଶ୍ରେଣୀର ବ୍ୟକ୍ତି କ୍ରିୟା ଲାଗି ହଠାତ୍‌ ପ୍ରତିକ୍ରିୟା ସୃଷ୍ଟି କରିଦିଅନ୍ତି । ଆଉ ଗୋଟିଏ ଶ୍ରେଣୀର ବ୍ୟକ୍ତି, ଯେଉଁମାନେ କି କ୍ରିୟା ଘଟିଲାପରେ, ବହୁ ଚିନ୍ତାକରି ଅନେକ ସମୟ ପରେ ପ୍ରତିକ୍ରିୟା ସୃଷ୍ଟି କରନ୍ତି ।

 

ସତ୍ୟବ୍ରତ ପ୍ରତିକ୍ରିୟାର ବିଶ୍ଵାସୀ ନୁହଁନ୍ତି । ପ୍ରତିକ୍ରିୟା ଯେ ସମୟେ ସମୟେ ମନ୍ଦ ଫଳ ଦେଇଥାଏ, ଏକଥା ତାଙ୍କୁ ଅଜଣା ନାହିଁ । ତେବେ ପ୍ରତିକ୍ରିୟାକୁ ଯେ ଉଚିତ ପଥରେ ଲଗାଯାଇପାରେ, ଏକଥା ସତ୍ୟବ୍ରତଙ୍କୁ ଭଲ ଭାବରେ ଜଣା ।

 

ପ୍ରତିକ୍ରିୟା ଭାଙ୍ଗିଦେଇପାରେ–ବିପ୍ଳବ ସୃଷ୍ଟି କରିପାରେ । ପୁଣି ସେହି ପ୍ରତିକ୍ରିୟା ନୂତନ ଦୁନିଆ ଗଠନ କରିଯାଏ । ନୂଆ ସ୍ଵର ଲାଗି ଇଙ୍ଗିତ ଦେଇଯାଏ । ସବୁବେଳେ ସେ ଭାଙ୍ଗେନା–ବିପ୍ଳବ କରେନା । ବୁଝାମଣାର ସୂତ୍ର ଖୋଲିଦେଇଯାଏ ।

 

ଇତିଶ୍ରୀଙ୍କର ଆଜି ଯେପରି ଆଉ କିଛି କାମଧନ୍ଦା ନାହିଁ । ସେ ସେହି ଗୋଟିଏ ଅଭିଯୋଗ ଉପରେ ଠିଆହୋଇଛନ୍ତି । ବାରମ୍ବାର ବିରକ୍ତି ଓ ଅଶାନ୍ତି ଦେଖି ଦେଖି ସତ୍ୟବ୍ରତବି ରାଗି ଉଠିଲେଣି ।

 

“କାହିଁକି ଏମିତି ସକାଳୁ ପହରୁ ପାଟିଟା କରୁଛ କହିଲ ?”

 

“ମୋ’ ପାଟିଟା ଖାଲି ଦେଖାଯାଉଛି, ନୁହେଁ ? ପାଟି କରିବି ନାହିଁ ?”

 

ଇତିଶ୍ରୀଙ୍କ ବ୍ୟବହାରରେ ସତ୍ୟବ୍ରତ ଅସନ୍ତୁଷ୍ଟ ହୋଇଉଠିଲେ ।

 

ଶାନ୍ତି–ପ୍ରତିଷ୍ଠା ଯାହାର ଲକ୍ଷ୍ୟ, ସେ କ’ଣ ଅଶାନ୍ତ ବାତାବରଣ ଭିତରେ ସନ୍ତୁଷ୍ଟ ହୋଇପାରିବ ? ଧୀରସ୍ଥିର ଭାବରେ ସବୁ କଥା ସଂସାର ଭିତରେ ବୁଝାବୁଝି ହୋଇ ପାରିଲେ, କୌଣସି ସମସ୍ୟା ଅମୀମାଂସିତ ରହେନାହିଁ । ସତ୍ୟବ୍ରତ ପୋଖତ ସଂସାରୀ ପରି କଥାଗୁଡ଼ାକ ପ୍ରକାଶ କରୁଥିବାବେଳେ, ଇତିଶ୍ରୀଙ୍କ ମନୋଭାବ ଭିନ୍ନ ପ୍ରକାରର ଦେଖି ବୁଝାଇ ବସିଲେ ।

 

“ଧୀରସ୍ଥିର ହୋଇ ଯାହା କହିବା କଥା କହିଲେ ସିନା, କିଏ ହେଲେ କଥାଟା ବୁଝିପାରିବ, କି ଏପାଇଁ କ’ଣ ଆବଶ୍ୟକ ତାହା କରିପାରିବ । କେବଳ ତୁଚ୍ଛାଟାରେ ପାଟି କମ୍ପେଇ ଲାଭ ବା କ’ଣ ?”

 

ଇତିଶ୍ରୀ ଏସବୁ ଶୁଣିବା ଅବସ୍ଥାରେ ନଥାଆନ୍ତି । ସନାତନର ଉପସ୍ଥିତି ତାଙ୍କୁ ରଗାଇ ଦେଲାଣି । ରାଗଟା ସତ୍ୟବ୍ରତଙ୍କ ଉପରେ ଯେତିକି ନାହିଁ, ତା’ଠୁଁ ବେଶି ରାଗ ସନାତନ ଉପରେ । ସେ ନିଜ ମନୋଭାବକୁ ପ୍ରକାଶ କରିଦେଲେ ।

 

“ମୋ’ କହିବା କଥା, ଏତେ ସକାଳୁ ସନାତନ ଆସି ଆମ ପିଣ୍ଡାରେ କାହିଁକି ବସିଛି !”

 

ଯେଉଁ ଘର ସହ ମଣିଷର ସଦ୍‍ଭାବ, ଯାହା ସହିତ ତା’ର ଅନାବିଳ ପ୍ରୀତି ସମ୍ପର୍କ ଓ ବନ୍ଧୁତା, ସେହି ଘର ଓ ସେହି ମଣିଷକୁ ଆଉ ଜଣେ ମଣିଷ ଭୁଲିପାରିବ ବା କିପରି ? ଏହା ତ କେବେହେଲେ ମଣିଷ ପକ୍ଷେ ସମ୍ଭବପର ନୁହେଁ ।

 

ସନାତନ ଏ ଘରକୁ ଆସିଲେ କ୍ଷତି ବା କ’ଣ ? ସେ ଜଣେ ମଣିଷ ତ ! ତା’ ପାଖରେ ସ୍ନେହ, ମମତା ଓ ସମ୍ପର୍କର ମୂଲ୍ୟ ଊଣା ହୁଅନ୍ତା କେମିତି ! ଏଇ ଘରେ ସେ ବଢ଼ିଛି । ଏଇ ଘର ପ୍ରତି ତା’ର ମମତା ରହିଛି । ଆଜି ଏତେ ଶୀଘ୍ର ଏ ଘରକୁ କ’ଣ ସେ ଭୁଲିପାରୁଛି !

 

ସତ୍ୟବ୍ରତ ସନାତନକୁ ବୁଝିଛନ୍ତି । ଆଉ ବୁଝିପାରିଛନ୍ତି ତା’ର ହୃଦୟ ଓ ଆନ୍ତରିକତାକୁ । ସେ ଦରିଦ୍ର ଥିଲା–ଆଜି ହୋଇଛି ବହୁ ପ୍ରାଚୁର୍ଯ୍ୟର ଅଧିକାରୀ । ଅବସ୍ଥାର ତଫାତ୍‌ ଥାଇପାରେ । ସେଦିନ ଓ ଆଜିର ପରିସ୍ଥିତି ଭିତର ଭିନ୍ନତାର ପ୍ରାଚୀର ଠିଆହୋଇପାରେ; ମାତ୍ର ମମତା ଚିରସ୍ଥାୟୀ-। ତାହା ଅପରିବର୍ତ୍ତିତ । ହୃଦୟ ଭିତରେ ଯାହା ଥରେ ସାଇତା ହୋଇ ରହିଲା, ତା’ର ପରିବର୍ତ୍ତନ କିଏ ବା କରିବ !

 

ଭଗବାନ ଶ୍ରଦ୍ଧାରେ ସନ୍ତୁଷ୍ଟ । ଭକ୍ତିରେ ତୃପ୍ତ । ସେ କୌଣସି ମଣିଷଠାରୁ ଆଉ କିଛି ଆଶା କରନ୍ତିନାହିଁ । ଭକ୍ତ ଓ ଭଗବାନର ସମ୍ପର୍କକୁ କେବେହେଲେ ଦିଆନିଆ, ଯିବା ଆସିବା ଓ ଖିଆପିଆର ପରିକଳ୍ପନା ଭିତରେ ଆବଦ୍ଧ କରିଦେବା ଠିକ୍‌ ହେବ ନାହିଁ ! ସେଦିନ ପରା ଦାସିଆ ବାଉରି ହାତରୁ ସ୍ଵୟଂ ପ୍ରଭୁ ଜଗନ୍ନାଥ ନଡ଼ିଆଟି ନେଇଯାଇଥିଲେ ।

 

ସମସ୍ତେ ଚାହିଁଛନ୍ତି । ଯାତ୍ରା ଲାଗିଛି । ଲୋକ ଗହଳି । କିଏ କେତେ ପ୍ରକାର ଭୋଗ ସରଞ୍ଜାମ ବାଢ଼ି ସାଇତି ରଖିଛି । ପ୍ରଭୁଙ୍କର ମନଲାଖି ଭୋଗ ଦେବାପାଇଁ ସେମାନଙ୍କର କେତେ ପରିକଳ୍ପନା ସତେ ! ଏପାଇଁ ଯେତେ ଯାହା ଟଙ୍କା ଖର୍ଚ୍ଚ ହେଉ ପଛେ ଚିନ୍ତା ନାହିଁ, ପ୍ରଭୁଙ୍କ ପାଖରେ ଭୋଗ ଦିଆଯିବ । ଭୋଗରେ ପ୍ରଭୁ ସନ୍ତୁଷ୍ଟ ହେବେ ।

 

ଦାସିଆ ବାଉରି କୁଳରେ ଜନ୍ମ । ଜାତିରେ ନୀର, ପୁଣି ହାତରେ ପଇସା କାହିଁ ଯେ ବେଶି ଟଙ୍କାର ଭୋଗ ନେଇଯିବ ?

 

ପ୍ରଭୁଙ୍କୁ ସେ ଭୋଗ ନଦେବ ବା କିପରି ? ଯେତକ ତା’ର ସମ୍ବଳ ଅଛି, ସେତିକିରେ ଭୋଗ ଲଗାଇ ପାରିବ ତ । ତେବେ ଏପାଇଁ ଏତେ ଚିନ୍ତା କରିବାର କ’ଣ ଅଛି ! ମନରେ ଦୃଢ଼ ଆଶା । ଭକ୍ତର ଶ୍ରଦ୍ଧା ନିବେଦନ ବ୍ୟର୍ଥ ହେବନାହିଁ ।

 

ସତକୁସତ, ଏତେ ଲୋକ ଗହଳି ଭିତରେ ବାଉରି ପିଲା ଦାସିଆ ହାତରୁ ଜଗନ୍ନାଥ ଭୋଗ ନଡ଼ିଆ ନେଇଗଲେ । ଚାହିଁ ଥାଆନ୍ତି ସମସ୍ତେ । ସ୍ତବ୍ଧ ହୋଇଗଲେ । ଦାସିଆ ବାଉରିର ଜୀବନ ଧନ୍ୟ । ଚହଳ ପଡ଼ିଗଲା । ଛାର ବାଉରିଟା ହାତରୁ ଆମ ଠାକୁରେ କେମିତି ନିଜେ ଆସି ନଡ଼ିଆଟା ନେଇଗଲେ । ନଡ଼ିଆଠାରୁ ଆହୁରି ଅଧିକ ମୂଲ୍ୟବାନ ଭୋଗ ସାଇତା ହୋଇଥିଲା; ହେଲେ ମାତ୍ର ଏହି ଶୁଖିଲା ନଡ଼ିଆଟି ଉପରେ ତାଙ୍କର ଏତେ ଶ୍ରଦ୍ଧା ! ବାଉରି ପିଲାଟା ଛୁଇଁଲା ପରେ ଠାକୁରଙ୍କର ଜାତି ଗଲା । ଠାକୁର ଛୁଅନ୍ତା ହେଲେ । ସମାଜରେ ଯେଉଁ କୁଳଟା ହେୟ, ସବୁଠୁ ନୀଚ ବିବେଚିତ ହୁଏ, ସେହି କୁଳର ମଣିଷତ ଦାସିଆ । ଠାକୁର କେମିତି ମଣିଷକୁ ନିଜର କରିନେଲେ !

 

ଠାକୁର ତ ସମସ୍ତଙ୍କୁ ନିଜର କରନ୍ତି, ଏଇ ମଣିଷ ସିନା ପାତରଅନ୍ତର କରେ । ଠାକୁର କାହାର ଦେଖାଣିଆ ଭୋଗ ସଜଡ଼ାରେ ସନ୍ତୁଷ୍ଟ ହୁଅନ୍ତି ନାହିଁ । ଯିଏ ତାଙ୍କୁ ଅନ୍ତର ଭିତରେ ଡାକିପାରେ, ତାକୁଇ କେବଳ ସେ ଦେଖାଦିଅନ୍ତି । ତାଙ୍କ ଦୃଷ୍ଟିରେ ମଣିଷ ତ ଗୋଟିଏ ଜାତି । ମଣିଷକୁ ପୁଣି ଏତେ ଜାତି କରୁଛି କିଏ ! ମଣିଷ ନିଜର ସ୍ଵାର୍ଥପାଇଁ କେତେକଅଣ କରେ । ଧର୍ମକୁ ମାନେନା । ସତ୍ୟକୁ ବଳିଦେବାକୁ ପଛାଏ ନାହିଁ । ଅବିଚାର ଲାଗି ତିଳେ କୁଣ୍ଠାବୋଧ କରେନା । ଅନ୍ୟାୟ ଆଚରଣ ପାଇଁ ଅନୁତପ୍ତ ହୁଏନା । ଏଇମିତି ଏତେଗୁଡ଼ାଏ ଅକର୍ମକରି ମଣିଷ ନିଜର ବାହାଦୁରି ପ୍ରଦର୍ଶନ କଲାପରି, ଆପେଆପେ ଦକ୍ଷ ବୋଲି ପରିଚୟ ଦେଇ ତୃପ୍ତ ହୋଇଗଲା ପରି, ଜାତି ସୃଷ୍ଟିକରି ଜାତିଆଣ ଭେଦର ପ୍ରାଚୀର ଠିଆକରିଛି । ଏଥିରେ ମଣିଷ କେଉଁ ସଦ୍‌ବୁଦ୍ଧିର ବା ପରିଚୟ ଦେଇଛି !

 

ଯିଏ ଡାକେ, ହୃଦୟ ଯା’ର ପ୍ରଭୁଙ୍କ ଲାଗି ଆପେଆପେ ଖୋଲି ଖୋଲି ଯାଏଁ; ସେହି ସିନା ପ୍ରଭୁଙ୍କର ଦର୍ଶନ ପାଏ । ପ୍ରଭୁ ତା’ରି ଉପରେ ସନ୍ତୋଷ ପ୍ରକାଶ କରନ୍ତି । ସିଂହାସନ ଦୋହଲି ଉଠେ । ପ୍ରଭୁଙ୍କ ଦେହରେ ଶିହରଣ ଭରିଯାଏ । ଭକ୍ତ ପାଖରେ ବିରାଜମାନ ନହେଲେ, ଅନ୍ୟ ଉପାୟ ତାଙ୍କୁ ଦିଶେ ନାହିଁ । ସିଂହାସନ ଉପରୁ ତାଙ୍କୁ ଉଠାଇ ଆଣିବାକୁ ଭକ୍ତ ଏକା ସମର୍ଥ ହୋଇପାରେ । ଆଉ ବା କା’ର ସେମିତି ସାମର୍ଥ୍ୟ ରହିଛି !

 

ଦିନ ପରେ ଦିନ ବିତିଯାଉଛି । ମହାପୁରୁଷ ଶ୍ରୀରାମକୃଷ୍ଣ ମା’ କାଳୀଙ୍କର ଦର୍ଶନ ପାଇଲେ ନାହିଁ । ତାଙ୍କପରି ନିଷ୍ଠାପର ପୂଜକ ଯଦି ମା’ଙ୍କର ଦର୍ଶନ ପାଇପାରିଲେ ନାହିଁ, ତେବେ ସେପରି ଜୀବନ ରଖି ଲାଭ ବା କ’ଣ ? ନିଜ ପୂଜାରେ ତ୍ରୁଟିତ ରହିନାହିଁ, ଆନ୍ତରିକତାର ଅଭାବ ନାହିଁ । ଆଉ ତେବେ ମା’ଙ୍କର ଦର୍ଶନରୁ ସେ ବଞ୍ଚିତ କାହିଁକି ? ମନ ଭିତରେ ଏମିତି ନାନା ପ୍ରଶ୍ନ ଉଠିବାକୁ ଲାଗିଲା । ଶ୍ରୀ ରାମକୃଷ୍ଣଙ୍କ ମନ ଅଥୟ ହେଉଥାଏ । ଯେଉଁ ମା’ କାଳୀଙ୍କୁ ଏତେ ଭକ୍ତିରେ ସେ ପୂଜା କରୁଛନ୍ତି, ପାଖେପାଖେ ରହି ତାଙ୍କ ସେବାର ତତ୍ତ୍ଵ ନେଇଛନ୍ତି, ସେ ପୁଣି ଏତେ ନିକଟତର ହୋଇ ତାଙ୍କୁ ଦେଖି ନ ପାରିବେ କିପରି ?

 

ମନରେ ବିଶ୍ଵାସହିଁ ପ୍ରଭୁଙ୍କୁ ଆଣି ଭକ୍ତ ପାଖରେ ପହଞ୍ଚାଇ ଦିଏ । ତା’ର ଦୃଢ଼ ମନୋବଳ ପାଖରେ ଆଉସବୁ ପରାଜିତ ହୁଏ । ରାମକୃଷ୍ଣଙ୍କଠାରେ ଦୃଢ଼ବିଶ୍ଵାସ ରହିଥିଲା ।

 

ଦିନେ ମନକୁ କ’ଣ ଆସିଲା କେଜାଣି, ମା’ଙ୍କୁ ଦର୍ଶନ କରିବାପାଇଁ ଜିଦ୍‌ ଧରିଲେ । କାହିଁକି ମା’ ମୋତେ ଦେଖା ନ ଦେବେ ? ମା’ ହୋଇ ପୁଅକୁ ଦେଖା ନଦେବେ ବା କିପରି ! ମୁଁ କ’ଣ ପୁଅଭାବରେ ମା’ଙ୍କର ପୂଜା ଓ ସେବା ଅର୍ଚ୍ଚନାରେ ଅବହେଳା କରିଛି ?

 

ତାହାବି ସେ ବୁଝିପାରିଲେ ନାହିଁ । ତେବେ ଏପରି ଜୀବନ ରଖି ଲାଭତ ନାହିଁ । ମା’ଙ୍କୁ ଦର୍ଶନ ନ କରି ପାରିଲେ ଜୀବନ ଧରି ରହିବେ ନାହିଁ ବୋଲି ସ୍ଥିର କଲେ ।

 

କାଳୀଙ୍କ ମନ୍ଦିରକୁ ପ୍ରବେଶ କଲେ । ପାଖରେ ଥାଏ ଖଣ୍ଡାଟି । ଭକ୍ତ ହାତରେ ମା’ଙ୍କର ଖଣ୍ଡା । ଏ ଜୀବନ ବରଂ ସେହି ମା’ଙ୍କ ଖଣ୍ଡାରେ ଶେଷ ହୋଇଯିବାରେ ଆନନ୍ଦ ଅଛି, ଏମିତି ଜୀବନଧରି ରହିବାକୁ ସେ ଧିକ୍‌ ମନେକଲେ ।

 

ନିଜେ ଶ୍ରୀରାମକୃଷ୍ଣ ଖଣ୍ଡାଟି ଆଣି ନିଜ ବେକରେ ଲଗାଇବାମାତ୍ରେ ପ୍ରଭୁଙ୍କର ଆସ୍ଥାନ ଦୋହଲିଗଲା । ଆଉ କ’ଣ ପ୍ରଭୁ ସିଂହାସନ ଉପରେ ରହିପାରିଲେ । ଧାଇଁ ଆସିଲେ ଭକ୍ତ ନିକଟକୁ । ଖଣ୍ଡାଟି ନିଜେ ହାତରେ ଧରିନେଲେ ।

 

ଭକ୍ତର ଜୀବନ ଅଯଥାରେ ନଷ୍ଟ ହେବା କ’ଣ ପ୍ରଭୁ ସହ୍ୟକରି ପାରନ୍ତେ ।

 

ସ୍ନେହ, ଶ୍ରଦ୍ଧା ଓ ଆନ୍ତରିକତା ଫଳରେ ପ୍ରଭୁ ନିଃଶ୍ଚଳ ହୋଇ ରହିପାରନ୍ତି ନାହିଁ । ପଥରବି କଥାକହେ । ପଥର ମୁହଁରେ ଭାଷା ଫୁଟେ । ସତ୍ୟବ୍ରତ ଏ ବିଶ୍ଵାସ ହରାଇ ନାହାନ୍ତି । ମମତା ପାଖରେ ଦେବତା ତ ଆବଦ୍ଧ । ସନାତନତ ଛାର ମଣିଷ । ସେ ବା ବ୍ୟତିକ୍ରମ ହେବ କିପରି ?

 

ସତ୍ୟବ୍ରତ ଇତିଶ୍ରୀଙ୍କୁ ବୁଝାଇଲେ । ବହୁ ଚେଷ୍ଟାକରି ପତ୍ନୀଙ୍କ ମନ ବୁଝିଲା ଭଳି କଥା କହିବା ଆରମ୍ଭ କଲେ ।

 

“ଏଇ ଘର ପ୍ରତି ସନାତନର ମମତା ତୁଟିନାହିଁ” । ସେପାଇଁ ସେ ଆସୁଛି । ଆସୁ । ଏଥିରେ ବିଚଳିତ ହେବାର କାରଣତ ମୁଁ କିଛି ଦେଖୁନାହିଁ । ତୁମେ ତା’ ଆସିବା ଉପରେ ଏତେ ଗୁରୁତ୍ଵ ଦେଇଛ କାହିଁକି ?”

 

ଇତିଶ୍ରୀ ସନାତନର ଆଗମନକୁ ହାଲୁକା ଭାବରେ ଗ୍ରହଣ କରିବାକୁ ନାରାଜ । ସନାତନ ପ୍ରତି ତାଙ୍କର ହେୟଭାବ ରହିଛି, ତାକୁ ସେ ଖୁବ୍‌ ନ୍ୟୁନ ଦୃଷ୍ଟିରେ ଦେଖନ୍ତି । ଏତେବେଳେ ସେ’ବା ସନାତନ ପ୍ରତି ସ୍ନେହ ଢାଳିପାରୁଛନ୍ତି କିପରି ! ଏମିତି ବରାବର ସନାତନ ତାଙ୍କ ଘରକୁ ଆସିବାଟା ଭଲନୁହେଁ ସେ ଭାବନ୍ତି । ଟଙ୍କା ଧାର ଆସିଛି ବୋଲି ସିନା ସେ ଆସି ସେଠାରେ ପହଞ୍ଚୁଛି । ସେତକ ଚୁକ୍ତି କରିଦେଲେ ଯାଆନ୍ତା ବୋଲି ଇତିଶ୍ରୀଙ୍କର କହିବା କଥା । ଯେମିତି ହେଉ, ଟଙ୍କା କେତୋଟି ବ୍ୟବସ୍ଥାକରି ଦେଇଦେଲେ କାମ ସରନ୍ତା ବୋଲି ସେ ବିରକ୍ତିରେ କହିଲେ ।

 

ସତ୍ୟବ୍ରତ ଏହାଶୁଣି ହଠାତ୍‌ କହିପକାଇଲେ–“ଟଙ୍କା ଦିଆଯିବ ନାହିଁ, ସେ କ’ଣ ଛାଡ଼ିଦେବ !”

 

“ସେ ସବୁ କଥା ନୁହେଁ । ଆଗ ଟଙ୍କା ଦେଇନାହଁ । ପୁଣି ଯାଇ କାହିଁକି ଟଙ୍କା ଆଣୁଥିଲ-?”

 

ଏମିତି ଅଡ଼ୁଆ ପ୍ରଶ୍ନ ଶୁଣିବାକୁ ସତ୍ୟବ୍ରତ ଆଦୌ ଆଗ୍ରହୀ ନୁହନ୍ତି । ସଂସାର ଭିତରେ ଘର କରିଥିଲେ ଧାର ଉଧାର ଲାଗିଥାଏ । ଧାର ତ କେହି ଇଚ୍ଛାକରି କରେନା । କିଏବା ଧାର ଉଧାର କରି ମୁଣ୍ଡରେ ଜାଣି ଜାଣି ବୋଝ ଲଦିବାକୁ ସୁଖ ମଣେ ! ତେବେ ମଣିଷ ଏପରି ପରିସ୍ଥିତିର ସମ୍ମୁଖୀନ ହୁଏ, ଯେତେବେଳେ ସେ ଇଚ୍ଛା ବିରୁଦ୍ଧରେ ଯାଇ ଧାର ଆଣେ ।

 

ବର୍ତ୍ତମାନ ସତ୍ୟବ୍ରତଙ୍କ ଭାଗ୍ୟର ପରିବର୍ତ୍ତନ ଘଟିଛି । ପରପାଖରେ ହାତ ପତାଇବା ଛଡ଼ା ଅନ୍ୟ ଉପାୟ ବା କ’ଣ ଅଛି ?

 

ପରିସ୍ଥିତି ଓ ପରିବେଶକୁ ଏଡ଼ିଦେବା ସହଜ ନୁହେଁ । ସମସ୍ତେତ ପରିସ୍ଥିତିର ଦାସ । ଦେବତାବି ଦିନେ ଏହି ପରିସ୍ଥିତି ପାଇଁ, ଗଧପାଦରେ ଆଶ୍ରୟ ନେଇଥିଲେ ।

 

ମଣିଷ ବେଳେବେଳେ ଆପଣା ମୁଣ୍ଡଉପରେ ବୋଝ ପରେ ବୋଝ ଲଦି ବସେ । ପୁଣି ମୁଣ୍ଡକୁ ବୋଝମୁକ୍ତ କରିଦିଏ । ଜାଣି ଜାଣି କେହି ମୁଣ୍ଡ ଉପରେ ବୋଝ ଲଦିବାକୁ ଭଲ ମନେ କରେନା ।

 

ମାତ୍ର ଏସବୁ ରୀତିନୀତି ପ୍ରତି ଇତିଶ୍ରୀ ସଚେତନ ନଥାଆନ୍ତି । କୌଣସି କଥା ସେ ଶୁଣିବା ଅବସ୍ଥାରେ ନଥିଲେ । ଅଧିକ ବିରକ୍ତ ପ୍ରକାଶକରି ପରିବେଶକୁ ବିଷାକ୍ତ କରିଦେଲେ ।

 

“ମଥା ଉପରେ ବୋଝ ପରେ ବୋଝ ଜାଣିଶୁଣି ତୁମେ ଲଦୁଛ । ଅନ୍ୟର ଟଙ୍କା ନ ଶୁଝି ପୁଣି କେଉଁ ମୁହଁରେ ଟଙ୍କା ଧାରପାଇଁ ଯାଇଥିଲ !”

 

ଦାଣ୍ଡରେ ସନାତନ । ଏସବୁ ଶୁଣି ତା’ ମନରେ କି ପ୍ରତିକ୍ରିୟା ସୃଷ୍ଟି ନ ହେଉଥିବ ! ଇତିଶ୍ରୀ ଯାହା କହିବା କଥା, ବରଂ ପରେ କହନ୍ତୁ । ହେଲେ ସନାତନକୁ ପିଣ୍ଡା ଉପରେ ବସାଇ ଏଗୁଡ଼ାକ ନକହନ୍ତୁ ବୋଲି ସତ୍ୟବ୍ରତ ଇତିଶ୍ରୀଙ୍କୁ ଆକଟ କଲେ ।

 

ସତ୍ୟବ୍ରତଙ୍କୁ ଏକଥାଗୁଡ଼ା ଭଲ ଲାଗୁ ନଥାଏ । ବାହାରେ ସନାତନ ବସିଛି । ବିବେକ ବାଧା ଦେଲା । ପରେ ଏସବୁ ଯୁକ୍ତିତର୍କ କରାଯାଇପାରେ । ବାହାରେ ଅନ୍ୟ ଲୋକକୁ ବସାଇ, ଘରେ ଏମିତି ଯୁକ୍ତିତର୍କ ଚାଲିବା ଆଦୌ ଶୋଭନୀୟ ନୁହେଁ । ଇତିଶ୍ରୀଙ୍କ ପାଟିତ ବନ୍ଦ ହେବାର ନୁହେଁ । ଅନେକ ଚେଷ୍ଟାକରି ବିଫଳ ହେଲେଣି । ଆଉ କିଛି ନକହି ବାହାରକୁ ଚାଲିଆସିଲେ ।

 

“ଆରେ, ସନାତନ ! ତୁ କେତେବେଳୁ ଆସିଲୁଣି ?”

 

ସନାତନ ତାଙ୍କୁ ଦେଖିନେବାମାତ୍ରେ ନମସ୍କାର ଜଣାଇଲା । ‘ଏଇ ଆସିଲି ବାବୁ’ କହିବା କ୍ଷଣେ ସତ୍ୟବ୍ରତ ଆନନ୍ଦରେ କହିପକାଇଲେ–

 

“ଆମ ଘର ପ୍ରତି ତୋର କେତେ ମମତା ସତେ !”

 

“ସେକଥା ଦୁନିଆ ଜାଣିଛି ବାବୁ ।”

 

“ଆରେ ତୁ କୁଆଡ଼େ ଆସିଥିଲୁ ?”

 

ଆସିବାର କାରଣ ଆଉ କ’ଣ ସେ କହି ପାରିବ ! ପ୍ରିୟବ୍ରତ ଆଜି ଏଡ଼ୁଟେ ହେଲାଣି । ତା’ କୋଳରେ ବସାଇ, କାଖରେ କାଖେଇ, କାନ୍ଧରେ ରଖି ଯାହାକୁ ପିଲାବେଳେ କେତେ ଗେହ୍ଲ କରିଥିଲା’ ଆଜି ସେ ଏତେ ବଡ଼ ହୋଇଗଲାଣି, ଏତେଗୁଡ଼ା ପାଠପଢ଼ି ସାରିଲାଣି ଜାଣି ମନ ତା’ର ଖୁସି ହୋଇ ଯାଇଛି । ତାକୁ ଥରେ ଦେଖିବାପାଇଁ ଚାହିଁଲା । ଅନେକ ଦିନ ହେଲା ସେ ପ୍ରିୟବ୍ରତକୁ ଦେଖି ନାହିଁ । ଆଜିବି ଦେଖା ମିଳୁନାହିଁ । ସନାତନ ସନ୍ଦେହରେ ପଚାରିଲା–

 

“ପ୍ରିୟବାବୁ ଆଉ ଆସି ନାହାନ୍ତି ବୋଧେ ।”

 

“ସେ କ’ଣ ବର୍ତ୍ତମାନ ଆଉ ଆସିବ ? ପରୀକ୍ଷାପାଇଁ ବ୍ୟସ୍ତ ଥିବ । ଘରକୁ ଆସିବାପାଇଁ ମୁଁ ନାହିଁ କରିଛି ।”

 

ପ୍ରିୟବ୍ରତ ଭଲରେ ଅଛି । ସେ ସୁବିଧାରେ ପରୀକ୍ଷା ଦେଇ ପାରୁଛି । ବର୍ତ୍ତମାନ କୌଣସି ପ୍ରତିବନ୍ଧକ ନାହିଁ । ଏତକ ସନାତନ ଶୁଣି ସେ ଚାହିଁ ରହିଥାଏ । କାହିଁ କେଉଁ ବର୍ଷ ତଳେ’ ସେ ପ୍ରିୟବ୍ରତକୁ ସ୍ନେହ କରୁଥିଲା । ଆଜି ସେ ଏତେ ଅକପଟ ସ୍ନେହ ମମତା ଭିତରେ ଯେ ତାକୁ ବାନ୍ଧି ରଖିଛି’ ଏକଥା ବା ଏ ସାଧାରଣ ମଣିଷ ବୁଝିବ କିପରି !

 

ସନାତନ ସତ୍ୟବ୍ରତଙ୍କ ଘରେ ଚାକିରି କରିଥିଲା । ମାସିକ ଦରମା ନେଇ ସେ କାମ କରେ । ଏହି ଟଙ୍କା କ’ଣ ତା’ ଜୀବନପାଇଁ ଏକମାତ୍ର ଲକ୍ଷ୍ୟଥିଲା । ସେ କ’ଣ ଯାନ୍ତ୍ରିକ ରୀତିରେ ସେଠି ଚାକିରି କରିଥିଲା । ମଣିଷକୁ ଯଦି ଟଙ୍କା ଦେଇ ସବୁ କାମ କରି ନେଇ ହେଉ ଥାଆନ୍ତା, ଦୁନିଆରେ ସମ୍ପର୍କ ଓ ବନ୍ଧୁତାର ମୂଲ୍ୟ ତ କିଛି ରହନ୍ତା ନାହିଁ । ଟଙ୍କା ବଳରେ ସବୁ ମିଳିପାରେ ମାତ୍ର ସ୍ନେହ ମମତା ତ ମିଳିବ ନାହିଁ । ମଣିଷ ନିଜକୁ ଅନ୍ୟ ପାଖରେ ଉତ୍ସର୍ଗ କରି ନ ପାରିଲେ, ନିଜ ହୃଦୟରୁ ଶ୍ରଦ୍ଧା ତା’ଠି ଢାଳି ପାରିବ କିପରି !

 

ସନାତନ, ପ୍ରିୟବ୍ରତ ପାଖରେ ଯେପରି ହୃଦୟ ଢାଳି ପାରିଥିଲା, ସେପରି ହୃଦୟ ନେଇ ଆଜି ଖୋଜୁଛି ସେଦିନର ତା’ ସାନବାବୁକୁ । ଆଜି ସେ ପାଉନି । ସେଦିନ ସବୁ ଦୁଃଖ ଭୁଲି ଯାଉଥିଲା, ସବୁ ଦୁଶ୍ଚିନ୍ତା ଭିତରେ ତା’ ସାନବାବୁର ଦରୋଟି ହସ, ଖିଲି ଖିଲି କଥା, ପାଦ ଟଳମଳ ଚାଲି ତାକୁ କେତେ ଆନନ୍ଦ ନ ଦେଇଛି ସତେ !

 

ତା’ ବଡ଼ ସାଆନ୍ତାଣୀଠୁଁ ପ୍ରିୟବ୍ରତ ଲାଗି ସେ ମାଡ଼ଖାଇଛି । ତାକୁବି ସନାତନ ସହିଛି ।

 

ମାଆ ପିଲାକୁ ଶାସନ କରେ । ଶାସନାଧୀନ କରି ରଖିବାପାଇଁ ମାଆ ସବୁବେଳେ ସତର୍କ ରହିଥାଏ । ପିଲା ଶୃଙ୍ଖଳିତ ଓ ସୁସଂଯତ ଦେଉ, ଏହାପାଇଁ ମା’ର ଚେଷ୍ଟା ଚାଲିଥାଏ । ପ୍ରିୟବ୍ରତ କିପରି ଶୃଙ୍ଖଳିତ ହେବ ସେ ଲାଗି ସାଆନ୍ତାଣୀ ନିଜ ଶାସନ ଭିତରେ ରଖିଥିଲେ ।

 

ଦିନକର କଥା । ପ୍ରିୟବ୍ରତ ସେତେବେଳକୁ ପିଲା ବୟସର । କ’ଣ ଟିକେ କଥାରେ ଅମାନିଆ ହୁଏ । ମା’ ବହୁକରି ବୁଝାଇଲେବି ସୁଦ୍ଧା ସେ ବୁଝିଲା ନାହିଁ । ତା’ର ଜିଦ୍‌ ସେ ରାତିରେ ସପନପୁରକୁ ଚନ୍ଦନଯାତ୍ରା ଦେଖିଯିବ । ମାଆ ଯେତେ ବାରଣ କଲେବି ସେ ମାନୁ ନଥାଏ । ଶେଷରେ ମାଆ ବିରକ୍ତ ହୋଇ ତାକୁ ଚାପୁଡ଼ାଏ ପକାଇଲେ ।

 

ପ୍ରିୟବ୍ରତ କାନ୍ଦିବା ଆରମ୍ଭ କଲା । ସନାତନ କେଉଁଠି ଥିଲା କେଜାଣି, ତା’ କାନରେ ଏ କାନ୍ଦଣା ସ୍ଵର ବାଜିବାମାତ୍ରେ, ସେ ଧାଇଁ ଆସିଲା । ପ୍ରିୟବ୍ରତକୁ ତା’ ମାଆ ମାଡ଼ ଦେଇ ଶାସନ କରୁଥିବା ଦେଖି ସନାତନ ଅଧୈର୍ଯ୍ୟ ହୋଇପଡ଼ିଲା । ତାକୁ ବହୁ ବାଧିଲା । ପ୍ରିୟବ୍ରତର କାନ୍ଦ ସେ ସହ୍ୟ କରିପାରିଲାନି ।

 

ନିଜ ପିଠି ଦେଖାଇ ସନାତନ କହିଲା–“ସାଆନ୍ତାଣୀ, ଏ ପିଲାକୁ କାହିଁକି ମାରୁଛ, ମୋତେ ମାଡ଼ ଦିଅ । ପିଲାକୁ ମାରନି । ମୋ ପିଲା ଦେହରେ ହାତ ଦେଲେ ମୁଁ ସହିପାରୁନି ସାଆନ୍ତାଣୀ ।”

 

ସାଆନ୍ତାଣୀ ସେତେବେଳେ ରାଗି ଥାଆନ୍ତି । ରାଗରେ ସନାତନ ଉପରେ ଚାପୁଡ଼ାଟାଏ ବସିଗଲା । ସେହି ମାଡ଼ ଖାଇ ସୁଦ୍ଧା, ସନାତନ ପ୍ରିୟବ୍ରତକୁ କାଖେଇ ନେଇ ଆସିଲା ।

 

“ଏଇ ଗୋଟାଏ କଥା ସାଆନ୍ତାଣୀ । ଚନ୍ଦନ ଦେଖି କେତେ ପିଲା ଯାଉଛନ୍ତି । ସେପାଇଁ ସାନ ପିଲାଟା କାନ୍ଦୁଛି । ଏଥିରେ ତାକୁ ମାଡ଼ ଦେବାର କ’ଣ ଅଛି ! ସେ ତ ସେମିତି ଜିଦ୍‌ଖୋର ହୋଇଛନ୍ତି । ବୁଝାଇ ଦେଲେ ହେବନି ।”

 

“ସନାତନ, ତୁ ଏମିତି କହନା । ତୋରି ଗେହ୍ଲା ଯୋଗୁଁ ସେ ଆଜି ଏମିତି ହୋଇଛି ।”

 

“ମା’, ପିଲାଲୋକ । ବୁଝାଇ ଦେଲେ ବୁଝି ଯିବେନି ।”

 

ଏତକ କହି ପ୍ରିୟବ୍ରତକୁ ବୁଝାଇ ଶୁଝାଇ କହିଲା–“କାନ୍ଦନା ମୁଁ ଚନ୍ଦନ ଦେଖାଇ ନେଇଯିବି ।”

 

ଏମିତି କେତେ ସ୍ମୃତି ସନାତନର ମନେ ପଡ଼ୁଛି । ଦିନ ସିନା ଚାଲି ଯାଇଛି । ସ୍ମୃତିତ ପଡ଼ି ରହିଛି । ଏହି ସ୍ମୃତିଗୁଡ଼ାକ ସନାତନକୁ ବାନ୍ଧି ରଖିଛି । ସ୍ମୃତି କବଳରୁ ମୁକ୍ତି ପାଇବା କ’ଣ ସହଜ ?

 

ସେହି ଆକର୍ଷଣକୁ ସମ୍ବଳ କରି ସେ ପଚାରିଲା–“ପ୍ରିୟବାବୁଙ୍କର କିଛି ଅସୁବିଧା ହେଲାନାହିଁ ତ ବାବୁ ?”

 

“ନା ସନାତନ, ଭଗବାନଙ୍କ ଆଶୀର୍ବାଦରୁ ସବୁ ସମାଧାନ ହୋଇଗଲା । ଆଉ ତୋ’ ସାହାଯ୍ୟ କଥା ସତରେ ଭୁଲି ହେବନି । ହଁ ତୁ ଆସିଥିଲୁ କାହିଁକି ?”

 

“ଅନେକ ଦିନରୁ ଆସି ନଥିଲିତ, ଚାଲି ଆସିଲି ।”

 

ସତ୍ୟବ୍ରତ ସନାତନଠାରୁ ଏତକ ଶୁଣିଲା ପରେ, ଏ ଘର ପ୍ରତି ତା’ର ଏତେ ମମତା ଅଛି, ସେ ଭାବିପାରିଲେ ନାହିଁ । ଏହି ଘର ପ୍ରତି ସନାତନ ଅନୁରକ୍ତ, ଅତୀତର ଦିନଗୁଡ଼ାକ ପାଇଁ ସେ ମମତାବଦ୍ଧ । ସିଏତ ପ୍ରକୃତରେ ବୁଝିବାକୁ ଗଲେ ଏ ଘରର କେହି ନୁହେଁ । ଅଥଚ ଏ ଘରକୁ ଯଦି ଆପଣାର କରି ପାରିଲା–ହୃଦୟ ଢାଳି ମମତା ପାଖରେ ପରିବାରକୁ ବାନ୍ଧି ପାରିଲା, ତେବେ ଭାଇ ହୋଇ ନିଜ ଭାଇକୁ ମମତାର ବନ୍ଧନରେ ବାନ୍ଧି ରଖିବାରେ କ୍ଷତିତ କିଛି ନାହିଁ । ବରଂ ସେହି ବନ୍ଧନ ଯେପରି କୋହଳ ହୋଇ ନଯାଏ, ତା'ପ୍ରତି ଦୃଷ୍ଟିଦେବା ସତ୍ୟବ୍ରତଙ୍କର କର୍ତ୍ତବ୍ୟ ବୋଲି ସେ ଭାବିଛନ୍ତି ।

 

ସନାତନ କେତେ ଦୂରର ହୋଇ ଯଦି ଏଇ ଘରର ଅତି ନିକଟତର ହୋଇ ପାରିଛି, ତେବେ ଭାଇ ଭାଇ ଦୂରେଇ ରହିବା କ’ଣ ଶୋଭନୀୟ ହେବ ! ସନାତନର ମମତାବଦ୍ଧତା ପାଖରେ ସେ ନିଜକୁ କଳନା କଲେ । କିଛି ତାଙ୍କର ତ୍ରୁଟି ରହି ନାହିଁତ ? ସାନଭାଇକୁ ଆନ୍ତରିକତାର ବାହୁବନ୍ଧନରେ ଭିଡ଼ି ଧରିବାର ଆକର୍ଷଣ ଦୁର୍ବଳ ହୋଇ ଯାଇନିତ ?

 

ଏମିତି ଭାବାନ୍ତର ପରେ ସତ୍ୟବ୍ରତ ସନାତନ ଆଡ଼କୁ ଗମ୍ଭୀର ଭାବରେ ଚାହିଁଦେଲେ । ସନାତନ, ବାବୁଙ୍କର ଭାବାନ୍ତରକୁ ଅନୁଭବ କଲା ବୋଧେ । ସେ ତାଙ୍କୁ କୃତ୍ରିମ ଗମ୍ଭୀର ଚାହାଣିରେ ଅନାଇ ରହିବାମାତ୍ରେ, ସତ୍ୟବ୍ରତ କହି ପକାଇଲେ–

 

“ଏ ଘର ପ୍ରତି ତୋରତ ମମତା ରହିଛି । ତୁ ଆସିବୁନି କେମିତି ?”

 

“ସାଆନ୍ତାଣୀ ଘରେ ଅଛନ୍ତି ବାବୁ ?”

 

ଇତିଶ୍ରୀଙ୍କୁ ସାକ୍ଷାତ କରିବା ଲାଗି ସନାତନ ଆଗ୍ରହୀ ଜାଣି, ସତ୍ୟବ୍ରତ ତାଙ୍କୁ ଡକାଇଲେ-। ଇତିଶ୍ରୀ ଆସି ଦେଖନ୍ତିତ ସନାତନ ସେତେବେଳୁ ରହିଛି । ତାକୁ ଦେଖି ସେ ଆହୁରି ଅଧିକ ରାଗି ଉଠିଲେ । ବିରକ୍ତି ମିଶ୍ରିତ ଆଶ୍ଚର୍ଯ୍ୟ ସ୍ୱରରେ ପଚାରିଲେ–

 

“ଆରେ ସନାତନ, ତୁ କ’ଣ ସକାଳୁ ସକାଳୁ !”

 

ସନାତନ ତାଙ୍କୁ ପ୍ରଣାମ ଜଣାଇଲା । ଯେତେହେଲେ ସେ ଏହି ଘରର ପୁରୁଣା ସେବକ-। ସବୁ ସତ୍ତ୍ଵେ ଇତିଶ୍ରୀଙ୍କୁ ଭୁଲିପାରି ନାହିଁ ।

 

ନାରୀ ବିରକ୍ତ ହୋଇପାରେ । ଅସନ୍ତୁଷ୍ଟ ହୋଇପାରେ । କିନ୍ତୁ ନିଷ୍ଠୁରତା ଭିତରେ ମାତୃ ହୃଦୟର କାରୁଣ୍ୟ ତା’ଠିଁ ଭରି ରହିଥାଏ । ବେଳେବେଳେ ତାହା ବାହାରକୁ ବାହାରି ଆସେ ।

 

ଇତିଶ୍ରୀ ସନାତନକୁ ନିମନ୍ତ୍ରଣ ଜଣାଇଲେ ।

 

“ଆଜି ସଞ୍ଜବେଳେ ଆମ ଘରକୁ ଆସିବୁ ସନାତନ ।”

 

“କାହିଁକି ମା’ ? କ’ଣ କିଛି ଅଛି !”

 

“ଆଜି ଦୀପୁର ଜନ୍ମଦିନ ।”

 

ପ୍ରିୟବ୍ରତ ଆନନ୍ଦରେ ବୁଡ଼ିଗଲା । ଯେତେ କାମ ଥାଉପଛେ, ସେ ନିଶ୍ଚୟ ଆସିବ, ଭାବିନେଲା । ସବୁ କାମ କାର୍ଯ୍ୟରେ ସନାତନ ଯୋଗ ଦେଇଛି । ପରିବାରର ଜଣେ ହୋଇ ସହଯୋଗ କରିଛି । ଏଥିରେ ନ ଆସିବ ବା କିପରି ! ଏହାକୁ ସେ ନିଜ କର୍ତ୍ତବ୍ୟ ବୋଲି ଭାବେ ।

 

“ଏଥିରେ ଆଉ କହିବାକୁ ଅଛି ସାଆନ୍ତାଣୀ । ମୁଁ ନିଶ୍ଚୟ ଆସିବି । ଶୀଘ୍ରବି ଟିକେ ଆସିବି । କାମ କିଛି ଥିବ ।”

 

“ସକାଳୁ ସକାଳୁ କ’ଣ ଚାଲି ଆସିଥିଲୁ ବାବୁଙ୍କ ପାଖକୁ ?”

 

“ହଁ ଏମିତି ଟିକେ ବୁଲି ଆସିଥିଲି ମା’ ।”

 

ଯେତେ ଯାହା ହେଉପଛେ, ସନାତନ କେମିତି ବା ତା’ ମନ ଅଭିଯୋଗ ଖୋଲିକରି କହିପାରିବ ! ଯେଉଁ ଘରେ ମୁହଁ ଖୋଲି ପଦେ କଥା କହିପାରେନା ସବୁବେଳେ ଡରି ଡରି ଲାଜେଇ ଲାଜେଇ କଥା କହେ, ଚାଲିରେ ବିନୟତା ଫୁଟିଉଠେ, କଥା ଭାଷାରେ ନ୍ୟୁନତା ଭରି ରହିଥାଏ, ଆଜି ପୁଣି ଏଡ଼େବଡ଼ କଥା ସେହି ଘରେ କହିବା କ’ଣ ତା’ ପକ୍ଷେ ସମ୍ଭବପର ହେଉଛି !

 

ସନାତନ ମୁହଁ ଖୋଲି କଥା କହିପାରିଲା ନାହିଁ । ଲାଜ ମାଡ଼ୁଥାଏ, ମାତ୍ର ଇତିଶ୍ରୀ ବୋଧହୁଏ ତା’ ମନୋଭାବକୁ ଠିକ୍‌ ଠଉରାଇ ନେଲେ । ସଙ୍କୋଚବୋଧ କରିବା ଦେଖି ସେ କଥାଟାକୁ ଖୋଲିଦେଲେ ।

 

“ବାବୁଙ୍କ ପାଖକୁ ଟଙ୍କାପାଇଁ ଆସିଛୁ ବୋଧେ ?”

 

ଏଥର ସନାତନ ପେଟ ଭୋକ, ମୁହଁ ଲାଜ ଲୁଚାଇ ପାରିଲା ନାହିଁ । ବିଚରା ବଡ଼ ଅଡ଼ୁଆରେ ପଡ଼ିଗଲା । କେଡ଼େବଡ଼ କଥାଟିଏ ! କେମିତି ବା ସେ ମୁହଁ ଖୋଲି କହିପାରୁଛି । ଏତେ ସାହସ ତା’ର କ’ଣ ଅଛି ? ଅସଲ କଥାଟାକୁ ଅସଲ ବାଟରେ ନକହି, ବଙ୍କେଇ କହିବାକୁ ଚେଷ୍ଟାକଲା । ସେତକ କହୁଥିଲାବେଳେ ତା’ ପାଟି ଏବେବି ଖନି ବାଜିଯାଉଥାଏ । ତେବେ ନ କହିଲେ ତ ନ ହେଉଛି । ଗୁଜରାଣ ମେଣ୍ଟୁନାହିଁ । ସବୁକୁ ଭାବି ସେ କହିଲା–

 

“ଟଙ୍କାପାଇଁ କ’ଣ କେବେ ମୁଁ ଏମିତି ଆସି ଥାଆନ୍ତି ସାଆନ୍ତାଣୀ ! ହଳେ ବଳଦ କିଣିବି ଯେ, ଟଙ୍କା ଦରକାର ଅଛି ଯାହା, ତାହା ହେଉନାହିଁ । କିଛି ନଅଣ୍ଟ ପଡ଼ୁଛି । ସେଥିପାଇଁ ମାଗିବା କଥା ।”

 

ଇତିଶ୍ରୀଙ୍କ ରାଗ ପୁଣି କାହିଁକି କେଜାଣି ମାଡ଼ିଆସିଲା । ‘‘ଏକଥା ତମ ବାବୁଙ୍କୁ କହ” କହିଦେଇ ସେ ଘର ଭିତରକୁ ଚାଲିଗଲେ । ଘର ଭିତର ଇତିଶ୍ରୀ ପାଟିରେ କମ୍ପାଇବା ଦେଖି ସତ୍ୟବ୍ରତ ଆଉ ନୀରବ ରହିପାରିଲେ ନାହିଁ । ଯେମିତି ହେଉ, ସନାତନକୁ ବର୍ତ୍ତମାନ ପାଇଁ ବିଦା କରିଦେବାକୁ ସେ ସ୍ଥିର କଲେ । ହାତରେ ପଇସା ନାହିଁ । ଦେଉଛନ୍ତି ବା କିପରି !

 

“ଆରେ ସନାତନ, ତୋର ଟଙ୍କା ଦରକାର ମୁଁ ବୁଝୁଛି, ହେଲେ ଆଜି କାହିଁ ?”

 

ସନାତନ ଲାଜ ଲାଜ ହୋଇ କହିଲା–

 

“ବାବୁ, ପଛ ଟଙ୍କା ମାଗୁନାହିଁ । ଆପଣ ସୁବିଧା ହେଲେ ଦେବେ । ଆଗ ଟଙ୍କାଟା ଦେଇଦେଲେ ଚଳନ୍ତା । ଚାଷ କାମ ଆରମ୍ଭ ହେବ । ବଳଦ ଯୋଗାଡ଼ ନକଲେ ଚାଷକରିବି କିପରି-?”

 

ସନାତନର ଆବଶ୍ୟକତା ସେ ହୃଦୟଙ୍ଗମ କଲେ; ମାତ୍ର ନିରୁପାୟ ।

 

“ସବୁ ବୁଝୁଛି ସନାତନ ! ତୁ ମୋତେ ଦରକାରବେଳେ ସାହାଯ୍ୟ କରିଛୁ । ତୋତେ ମୁଁ ଠିକ୍‌ ସମୟରେ ଦେଇଦେବା କଥା । କିନ୍ତୁ.......”

 

“ସାହାଯ୍ୟ ନୁହେଁ ବାବୁ ! ମୋ କର୍ତ୍ତବ୍ୟ ।”

 

ଋଣଗ୍ରହୀତା ସତ୍ୟବ୍ରତ ଏପରି ବିନୟ ସ୍ଵରରେ ଯେଉଁ ମାନସିକ ଆଘାତ ପାଇଲେ, ସେକଥା ତାଙ୍କ ବିନା ଆଉ କିଏ ବା ଅନୁଭବ କରିପାରିବ ? ସନାତନ ପୁଣି ଯେ ଦିନେ ସାନ୍ତ୍ୱନା ଦେବାଲାଗି ତାଙ୍କୁ ଏପରି ଭାଷାରେ କଥା କହିବ, ଏହା ତ ସେ କଳ୍ପନା କରି ନଥିଲେ । ଏହି କଥା ପଦକ ଯେମିତି ତାଙ୍କ କଲିଜା ଥରାଇଦେଲା ।

 

ସନାତନର ବିନୟ ସ୍ଵର କେତେ ଯେ ଶକ୍ତିଶାଳୀ, ତାହା କେବଳ ଆଘାତପ୍ରାପ୍ତ ସଚେତନ ବ୍ୟକ୍ତି ସିନା କହିପାରିବ; ମାତ୍ର ଏ ଶକ୍ତିଶାଳୀତା ନେତନହୀନ ଓ ମାନସିକ ଦୁର୍ବଳ ମଣିଷ ପାଖରେ ମୂଲ୍ୟବାନ ହେବ ବା କାହିଁକି ?

 

ଆଘାତରେ ଯନ୍ତ୍ରଣାପୂର୍ଣ୍ଣ ହୃଦୟ ଭିତରୁ ବାହାରି ଆସିଲା–

 

“ତୁ ଯାହାକୁ କର୍ତ୍ତବ୍ୟ ବୋଲି କହୁଛୁ, ମୁଁ ତାକୁ ସାହାଯ୍ୟ ବୋଲି ଭାବୁଛି । ହେଲେ କିନ୍ତୁ ସତରେ ନିରୁପାୟ ସନାତନ ।”

 

“ବାବୁ କିଛି ଟଙ୍କା କ’ଣ ସୁବିଧା ହୋଇପାରନ୍ତା ନାହିଁ ?

 

ଏଥିରେ ଆହୁରି ଅଧିକ ଲଜ୍ଜିତ ହେଲେ ସନାତନ । ସତରେ ସେ କ’ଣ ତାଙ୍କର ଅପାରଗତା ଅନୁଭବ କରିପାରୁନି ! ଅସମର୍ଥତାକୁ ବିଶ୍ଵାସ କରିପାରୁନି ! ସତ୍ୟବ୍ରତ ନିଜର ଦୁର୍ବଳତାକୁ ଖୋଲିଦେବାରେ ଲଜ୍ଜାବୋଧ କରିନାହାନ୍ତି । ଦୁର୍ବଳତାକୁ ଘୋଡ଼ାଇରଖି ଅଯଥା ଅଭିନୟରେ ଲାଭ ବା କ’ଣ !

 

‘‘ଆଦୌ ନାହିଁରେ ସନାତନ, ବିଶ୍ଵାସ କର । ତୋ’ ପାଖରେ ମିଛ କହିଲେ ଭଗବାନ ମୋତେ କ୍ଷମା ଦେବେନାହିଁ ।”

 

“ବାବୁ, ବଡ଼ ଆଶାରେ ଆସିଥିଲି । ଯାଉଛି ।”

 

“ଯେ ସାହାଯ୍ୟ ପାଇଛି, ଯେ କୃତଜ୍ଞ ହୋଇଛି, ସେ ତ ଆଉ କୃତଘ୍ନ ହୋଇପାରିବ ନାହିଁ-। କୃତଘ୍ନ କ’ଣ ମଣିଷ ହୋଇପାରେ ! ସେ କୃତଜ୍ଞତାର ସୁଦୃଢ଼ ଭୂମି ଉପରେ ଭୂମିକା ସୃଷ୍ଟିକରେ-

 

ସତ୍ୟବ୍ରତ ଏତେବେଳେ ଦୁଃଖ ପ୍ରକାଶ ବ୍ୟତୀତ ଆଉ ଅଧିକ ବା କ’ଣ କରିପାରିବେ ! ଇଚ୍ଛା ଥିଲେବି ସୁଦ୍ଧା, ଦେଇପାରିବା ସମ୍ଭବ ହେଉନାହିଁ । ସନାତନ ପାଖରେ ବାରବାର ଲଜ୍ଜିତ ହୋଇ, ଦୁଃଖ ପ୍ରକାଶ କରିବାକୁ ସେ ଆଦୌ ପସନ୍ଦ କରୁନାହାନ୍ତି । ତଥାପି, ସେଥିରୁ କ’ଣ ମୁକ୍ତି ମିଳୁଛି ।

 

ନମ୍ର କଣ୍ଠରେ କହିଲେ–“ମୁଁ ଦୁଃଖିତ ତୋ’ପାଇଁ ସନାତନ । ସେତେବେଳେ ମୁଁ ତୋତେ ଟଙ୍କା ମାଗିଛି, ତୁ ସଙ୍ଗେ ସଙ୍ଗେ ମୋତେ ଦେଇଛୁ । ଜରୁରୀ ପରିସ୍ଥିତିକୁ ତୁ ବୁଝିପାରିଛୁ । ହେଲେ ଏ ବେଳରେ ତୋତେ ମୁଁ ଦେଇପାରୁନି ।”

 

ସନାତନ ଉତ୍ତର କିଛି ଦେଇପାରିଲା ନାହିଁ । ମନକଥା ମନରେ ଚାପି ‘‘ହଉ ସାଆନ୍ତେ, ସୁବିଧା ଦେଖି ଦେବେ, ମୁଁ ଯାଉଛି” କହି ସେ ଚାଲିଗଲା ।

 

ସନାତନ ଚାଲିଗଲା ପରେ, ନିଜକୁ ନିଜେ ସତ୍ୟବ୍ରତ ଧିକ୍‌କାର କଲେ । ନିଜକୁ ପ୍ରଶ୍ନ ପରେ କେତେ ପ୍ରଶ୍ନ ପଚାରିଲେ ।

 

ସତେ କେତେ ଭାଗ୍ୟହୀନ ମୁଁ । ସନାତନ ପୁଣି ମୋ’ ପାଖକୁ ଟଙ୍କା ତାଗଦା କରିବାକୁ ଆସିଲା । ଆଉ ବା ଭାଗ୍ୟରେ କ’ଣ ଘଟି ନପାରେ ! ଘରେ ତା’ରିପାଇଁ ଏତେ କଥା ଶୁଣୁଛି । ସବୁବେଳେ ତା’ର ପାଠପଢ଼ାକୁ କେନ୍ଦ୍ରକରି ଘରେ ଅଶାନ୍ତିର ନିଆଁ କୁହୁଳୁଛି । ତାକୁ ଯେତେବେଳେ ପ୍ରତିଶ୍ରୁତି ଦେଇଛି, ପ୍ରତିଶ୍ରୁତି ଭଙ୍ଗକରିବା କ’ଣ ଠିକ୍‌ ହେବ ? ସବୁ ସହିବି–ସବୁକଥା ଶୁଣିବାକୁ ପ୍ରସ୍ତୁତ ଅଛି । ସେ ମଣିଷ ହେବ । ବଂଶର ଗୌରବ ରକ୍ଷାକରିବ–ମୁଁ ତାକୁ ବାଧାଦେଇ ପାରିବିନି । ନା ନା ନା, କେହିବି ତାକୁ ବାଧାଦେଇ ପାରିବେନି ।

 

ଏମିତି ବିଚଳିତ ହୋଇ ପଡ଼ୁଥିବାବେଳେ, ଡାକବାଲା ଆସି ତାଙ୍କୁ ଅନ୍ୟମନସ୍କ କରିଦେଲା ।

 

ଆଜିବି ତା’ ଚିଠି ଆସିଲା ନାହିଁ ।

 

ମଣିଷର ସ୍ଵପ୍ନ ଆଜି ତ ସରି ଯାଉନି । ଆସନ୍ତାକାଲିର ସେ ପରା ଆଶା–ଯାତ୍ରୀ ।

 

ଛଅ

 

ସେ ପୁଣି ଥରେ ଡାକିଲା ପରେ ଇତିଶ୍ରୀ ବିରକ୍ତରେ ଜବାବ ଦେଲେ । ଅନିଚ୍ଛା ପ୍ରକାଶ କରି, ଅସନ୍ତୁଷ୍ଟ ହୋଇ ବାହାରକୁ ଯାଇ ପଚାରିଲେ–କାହିଁକି ଡାକୁଥିଲ ?’’

 

ଆଜି ରାତିଟା ଶୁଭବେଳାରେ ପାହିଛି ।

 

ସତ୍ୟବ୍ରତ ଚିଠିଟି ପଢ଼ିସାରି, ତାକୁ ମଥାରେ ମାରି ଠାକୁରଙ୍କୁ ସ୍ମରଣ କଲେ । ଚିଠିଟି ଡାକବାଲା ଦେଇଗଲାବେଳୁ ମନରେ ସନ୍ଦେହ ଥିଲା । କେତେ ଆଶଙ୍କାରେ ମନ ଭରି ଯାଇଥାଏ ।

 

ପ୍ରତିଦିନ ଡାକବାଲାକୁ ପଚାରି ପଚାରି ନିରାଶ ହୁଅନ୍ତି । ଆଜି ଡାକବାଲା ଚିଠିଟି ଦେଇଗଲାମାତ୍ରେ ସେ ଆନନ୍ଦରେ ଇତିଶ୍ରୀଙ୍କୁ ଡାକ ପକାଇଲେ ।

 

କେତେଦିନ ହେଲା ପ୍ରିୟବ୍ରତଠାରୁ ଚିଠି ନ ପାଇ ସତ୍ୟବ୍ରତ ଚିନ୍ତିତ । ଆଜି ଖୁସି ନହେବେ କିପରି ?

 

ପରୀକ୍ଷା ତା’ର ଚାଲିଥିବ–କ’ଣ କରୁଛି, କେବେ ଆସିବ, କିଛି ଲେଖିନାହିଁ । ମନଟା କେମିତି କେମିତି ହେଉଥାଏ । ଚିଠିରୁ ତା’ ପରୀକ୍ଷା କଥା ଜାଣି ‘ଆହୁରି ଭଲ ହେଉ, ଠାକୁରେ ତା’ର ମଙ୍ଗଳ କରନ୍ତୁ’’ ବୋଲି କାମନା କଲେ । କେତେ ଦିଅଁଦେବତାଙ୍କୁ ମନାସି ଗଲେ ।

 

ଅତି ଆନନ୍ଦରେ କହିଲେ–‘‘ଦେଖିଲଣି, ପ୍ରିୟବ୍ରତ ଚିଠି ଦେଇଛି । ଶୁଣୁଛ, କୁଆଡ଼େ ଗଲ ମ !’’

ଆଜି ଇତିଶ୍ରୀ ପୁଅ ଦୀପୁର ଜନ୍ମଦିନ ପାଇଁ ବ୍ୟସ୍ତ ଅଛନ୍ତି । କେଉଁ କଥା ଶୁଣିବାକୁ ସେ ପ୍ରସ୍ତୁତ ନୁହନ୍ତି । କ୍ଷିରିପୁରି ତିଆରି ଚାଲିଛି । କେତେ ବନ୍ଧୁବାନ୍ଧବ ଆସି ଦିନବେଳୁ ଦୀପୁକୁ ଦେଖାକରି ଗଲେଣି । ସେମାନେ ଆସି ଆଶୀର୍ବାଦ ଦେଇ ଯାଉଛନ୍ତି । ଆହୁରି ଆସୁଛନ୍ତି । ଏମିତି ଯିବା ଲାଗି ଲାଗି ରହିଛି ।

ସତ୍ୟବ୍ରତଙ୍କ ଅପେକ୍ଷା ଇତିଶ୍ରୀ ବେଶି ବ୍ୟସ୍ତ । କିଏ ଆସିଲା ଗଲା, ଖାଇଲା ନ ଖାଇଲା, ଚର୍ଚ୍ଚା ହେଲା କି ନା, ଅସୁବିଧା କେଉଁଠି ରହିଲା, ସବୁ ବିଷୟ ଇତିଶ୍ରୀ ବୁଝୁଛନ୍ତି । ହାତରେ ସେମିତି ବିଶେଷ ଅର୍ଥ ନାହିଁ । ସତ୍ୟବ୍ରତ ଏ ଲାଗି କିଛି ଦେଇପାରୁ ନାହାନ୍ତି । ଇତିଶ୍ରୀ ଯେପରି ହେଉ ଯୋଗାଡ଼ କରି ଜନ୍ମଦିନ ଉତ୍ସବକୁ ପାଳନ କରୁଛନ୍ତି । ସବୁବର୍ଷ ଭଲ ଭାବରେ ହୋଇଆସିଛି-। ଆଜି ଅଭାବ ପଡ଼ିଲା ବୋଲି ନହେବ ବା କିପରି ! ଇତିଶ୍ରୀ ଏପାଇଁ ଲାଗିଛନ୍ତି ।

ସତ୍ୟବ୍ରତଙ୍କ ଡାକ ଶୁଣିବି, ନ ଶୁଣିଲା ପରି ମନେ ହେଉଥିଲା; କିନ୍ତୁ ତାଙ୍କର ଘନଘନ ତାଗଦା ଇତିଶ୍ରୀଙ୍କୁ ଘରେ ରଖାଇ ଦେଲାନାହିଁ ।

‘‘ଦେଖିଲଣି, ପ୍ରିୟବ୍ରତ ଚିଠି ଦେଇଛି ।’’

‘‘ସେ ଚିଠିରୁ ମୋତେ କ’ଣ ମିଳିବ ? ଆଜିପରି ଗୋଟେ ଦିନରେ ମୋ’ ପୁଅ ଲାଗି ଟଙ୍କା କେଇଟା ଖର୍ଚ୍ଚ କରିବାକୁ ମନ ବଳିଲା ନାହିଁ; ସେଥିରେ ପୁଣି ଭାଇ ଗୁଣମଣିଙ୍କ ଚିଠି ଦେଖାଯାଉଛି । ରଖ ମ, ତୁମ ଚିଠିକୁ ।’’

 

ବଡ଼ ଆଶ୍ଚର୍ଯ୍ୟର କଥା । ନିଜର ବୋଲି ଭାବି ପ୍ରିୟବ୍ରତ ଆଜିପରି ଶୁଭ ଦିନରେ ଚିଠିଟିଏ ଦେଇଛି । ଆସି ନପାରିବା ହେତୁ ଦୁଃଖ ପ୍ରକାଶ କରିଛି । ପୁତୁରାକୁ ଆଶୀର୍ବାଦ ଜଣାଇଛି-। ସେତିକି କ’ଣ ସ୍ନେହ ମମତାର ସୂଚକ ନୁହେଁ । ଆଗରେ ପରୀକ୍ଷା–ପରୀକ୍ଷାଠାରୁ ଜନ୍ମଦିନ ଉତ୍ସବ ତ ବେଶି ମୂଲ୍ୟବାନ ନୁହେଁ ! ସେ ତ ଭୁଲ କିଛି କରିନାହିଁ ।

 

ସତ୍ୟବ୍ରତ ଉଦାର ହୃଦୟରେ ଏମିତି ଚିନ୍ତା କରୁଥିବାବେଳେ, ଇତିଶ୍ରୀ କିନ୍ତୁ ଏହାକୁ ଏପରି ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି ।

 

ମୁଖମଣ୍ଡଳରୁ ବିରକ୍ତ ଓ ଅଶାନ୍ତିର ସୂଚନା ପାଇବା ଦେଖି, ସତ୍ୟବ୍ରତ ଚିଠିଟିକୁ ପଢ଼ାଇ ଶୁଣାଇ ଦେଲେ,

 

ନୂଆବୋଉ, ପ୍ରଣାମ ନେବ । ଭାଇଙ୍କୁ ମୋର ପ୍ରଣାମ । ଆଜି ଦୀପୁର ଜନ୍ମଦିନ । ଇଚ୍ଛା କରିଥିଲି ଆମ ପୁଅ ଦୀପୁର ଏ ଶୁଭ ଜନ୍ମତିଥିରେ ଘରକୁ ଯାଇ, ଉତ୍ସବରେ ଯୋଗଦେଇ ଥାଆନ୍ତି, କିନ୍ତୁ ପରୀକ୍ଷାପାଇଁ ବ୍ୟସ୍ତ ଥିବାରୁ ଯାଇ ପାରିଲିନାହିଁ । ସେଥିପାଇଁ ମୁଁ ଦୁଃଖିତ । ପରୀକ୍ଷାରେ ଭଲ ହେଉଛି । ଆଜି ଦିନରେ ଦୀପୁପାଇଁ ମୋର ଶୁଭେଚ୍ଛା । ଅନ୍ୟ ପିଲାମାନଙ୍କୁ ମୋର ସ୍ନେହାଶୀର୍ବାଦ–ସ୍ନେହର ପ୍ରିୟବ୍ରତ ।

 

ଇତିଶ୍ରୀ ଏପରି ଏକ ସ୍ନେହବୋଳା ଓ ଆନ୍ତରିକତାପୂର୍ଣ୍ଣ ଭାଷାରେ ପରିପୂର୍ଣ୍ଣ ଚିଠିଟିରେ ଆଦୌ ଖୁସି ହେଲେନାହିଁ । ଏହାକୁ ସେ ମୂଲ୍ୟ ନ ଦେଇ, ବରଂ ଅଧିକ ବିରକ୍ତି ପ୍ରକାଶକଲେ ।

 

‘‘ଇଚ୍ଛା କରିଥିଲେ, ସେ କ’ଣ ଆସିପାରି ନଥାନ୍ତା, ଏସବୁ ଲୋକଦେଖାଣିଆ ।’’

 

‘‘ପରୀକ୍ଷା ଯୋଗୁଁ, ନଆସିପାରି ଚିଠି ଖଣ୍ଡେ ଦେଇଛି । ସେତକ କ’ଣ ଯଥେଷ୍ଟ ହେଲା‌ନାହିଁ । ତାକୁ ଭୁଲ୍‌ ବୁଝୁଛ କାହିଁକି ?’’

 

ଇତିଶ୍ରୀ ଏ ସବୁ ତ ଶୁଣିବାପାଇଁ ଏଠାକୁ ଆସିନାହାନ୍ତି । ବାଧ୍ୟରେ ଘରୁ ବାହାରି ଆସିଥିଲେ । ପରିବେଶକୁ ତିକ୍ତ କରିବା ଲାଗି କହିଲେ–

 

‘‘ଭାଇ ଭାଇ ବୋଲି ଜୀବନ ଗଲା । କାହା କଥା ତ ଶୁଣିଲ ନାହିଁ, କି ପରିସ୍ଥିତି ସୃଷ୍ଟି ନହେଲା, କହିଲ ?’’

 

ଜୀବନ ବହୁ ପରିସ୍ଥିତିକୁ ମୁକାବିଲା କରେ । ଅନେକ ପରିସ୍ଥିତି ଭିତରଦେଇ ଜୀବନ ଗତି କରିପାରିଲେ, ଜୀବନର ବାସ୍ତବ ସ୍ଵାଦ ଯେ ଅନୁଭବ କରିହୁଏ, ଏକଥା ପ୍ରକୃତ ମଣିଷକୁ ଜଣାଅଛି ।

 

ଦୁନିଆର ବିଭିନ୍ନ ସମସ୍ୟା ଓ ପରିସ୍ଥିତିକୁ ଭୟକରି ମଣିଷ ଦୁନିଆଠୁ ଦୂରକୁ ଚାଲିଯିବା ଠିକ୍‌ ତ ନୁହେଁ । ଏଇଠି ରହି ? ସବୁ ପରିସ୍ଥିତିକୁ ମୁହାଁମୁହିଁ ଭାବରେ ଅନୁଭବ କରିବା ହେଉଛି ସୁପୁରୁଷର ଲକ୍ଷଣ; ମାତ୍ର ପଳାୟନବାଦ ତ କାପୁରୁଷର ଧର୍ମ ।

 

ସତ୍ୟବ୍ରତ ଏପରି ଦାର୍ଶନିକ ସତ୍ୟ ଉପରେ ଠିଆହୋଇ ଆସିଛନ୍ତି, ଇତିଶ୍ରୀଙ୍କ ବିରକ୍ତି ଓ ଅସନ୍ତୋଷରେ ସେ କିପରି ବା ସେଥିରୁ ଓହରି ଆସିବେ !

 

କହିଲେ–‘‘ଏମିତି ପରିସ୍ଥିତି ଜୀବନରେ ବହୁତ ଆସେ । ସବୁକୁ ତ ସହିବାପାଇଁ ମଣିଷର ଜନ୍ମ ।

 

ଇତିଶ୍ରୀଙ୍କ ସ୍ଵଭାବ ଅଧିକ ପ୍ରକାଶ ପାଇଲା ।

 

‘‘ସେତେବେଳୁ କହୁଛି, ପ୍ରିୟବ୍ରତର ପାଠପଢ଼ା ବନ୍ଦ କରିଦିଅ । ମୋ କଥାକୁ ଟିକେହେଲେ କାନ ଦେଲନାହିଁ । ଏବେ ଯେଉଁ ସବୁ ଋଣରେ ବୁଡ଼ିଗଲଣି, କିଏ ଭଲା ତୁମକୁ ରକ୍ଷାକରିବ କହିଲ ?’’

 

–ଏ ସବୁ ଭାଗ୍ୟ କଥା । ଭଗବାନଙ୍କ ସଂସାରରେ ମଣିଷର ହାତ ବା କ’ଣ ଅଛି । ସବୁ ତ ତାଙ୍କର ଇଚ୍ଛା ।

 

ଯାହାଙ୍କ ଇଚ୍ଛାରେ ବିଶ୍ଵ ପରିଚାଳିତ, ସେହି ଇଚ୍ଛାମୟ ପୁରୁଷଙ୍କ ନିର୍ଦ୍ଦେଶକୁ କେଉଁ ମଣିଷ ବା ଫାଙ୍କିଦେଇ ପାରିବ ! କାହାକୁ, କେତେବେଳେ ସେ କିପରି ଦୃଷ୍ଟିରେ ଦେଖିବେ, ସେ କେବଳ ସେହିକଥାହିଁ ଜାଣନ୍ତି । ତାଙ୍କଛଡ଼ା ଆଉ ଅନ୍ୟ କିଏ ବା ସଂସାରକର୍ତ୍ତାଙ୍କର ଇଚ୍ଛାକୁ ବୁଝିପାରେ !

 

ପ୍ରକୃତିର ଯାହା ସବୁ ନିୟମ ବୋଲି ଜଣାଯାଉଛି, ସେହିସବୁ ନିୟମଦ୍ୱାରା ବାସ୍ତବରେ ସଂସାର ପରିଚାଳିତ । ଏହି ନିୟମ ସବୁ ଅନ୍ୟ କିଛି ନୁହେଁ, ଏହା ସେହି ପରମାତ୍ମାଙ୍କ ବ୍ୟକ୍ତରୂପ କହିଲେ ଭୁଲ୍‌ ହେବନାହିଁ । ମଣିଷ ତାଙ୍କର ପୂର୍ଣ୍ଣରୂପ କିମ୍ବା ରୂପର ଅଂଶ ବିଶେଷ ଦେଖିବାକୁ ସକ୍ଷମ ନୁହେଁ; ମାତ୍ର ଏ ଦୁନିଆର ସକଳ ନୀତି ନିୟମର ସେ ହେଉଛନ୍ତି ପ୍ରବର୍ତ୍ତକ । ସବୁ ବିଧାନର ନିର୍ଦ୍ଦେଶକ । ମଣିଷ ତାଙ୍କଦ୍ୱାରା ନିର୍ଦ୍ଦିଷ୍ଟ ବିଧାନ ସବୁ ଜୀବନରେ ଗ୍ରହଣ କରି ଚାଲିଥାଏ । କିନ୍ତୁ ବିଧାତା–ପୁରୁଷଙ୍କୁ ସେ ଦେଖିପାରେନା ! । ତେଣୁ ମଣିଷ ତାଙ୍କର ଅଧୀନରେ ନାହିଁ, ଜୀବନର ପ୍ରବାହ ସେମିତି ଗତିକରି ଚାଲିଛି ବୋଲି ସାଧାରଣତଃ ସେ ଭାବିନିଏ; ମାତ୍ର ଏହା ସେପରି ସହଜ କଥା ନୁହେଁ । ସବୁ ଯେ ତାଙ୍କର ନିର୍ଦ୍ଦେଶରେ ଚାଲିଛି ଏବଂ ଆମ ଅଗୋଚରରେ ରହି ସେ ସମଗ୍ର ବ୍ରହ୍ମାଣ୍ଡକୁ ଚଳାଉଛନ୍ତି, ଏ ସତ୍ୟ ମଣିଷକୁ ଗ୍ରହଣ କରିବାକୁ ହେବ ।

 

ଈଶ୍ଵରଙ୍କ ପ୍ରାଣସତ୍ତା–ଯାହା ଭିତରେ ତାଙ୍କର ପରା, ବରା, ଶ୍ରେଷ୍ଠା ପ୍ରକୃତି ନିହିତ, ସେହି ଏ ସମଗ୍ର ଜଗତକୁ ଧରି ରଖିପାରିଛି । ସେ ହେଉଛନ୍ତି ଏ ବିଶ୍ଵର ଆଦିମୂଳ ଓ ଏହାର ସୃଷ୍ଟିକର୍ତ୍ତା । ତାଙ୍କରିଠାରେ ଏହି ବିଶ୍ୱହିଁ ଲୀନ ହୋଇଯାଏ ।

 

ଏହି ସତ୍ୟକୁ ଭଗବତ୍‌ ଗୀତାରେ ପ୍ରକାଶ କରାଯାଇଛି । ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ନିଜ ମୁଖରେ କହିଛନ୍ତି–

 

ଅପରେୟ ମିତସ୍ତ୍ଵନ୍ୟାଂ ପ୍ରକୃତିଂ ବିଦ୍ଧିମେ ପରାମ୍‌ ।

 

ଜୀବଭୂତାଂ ମହାବାହୋ ! ଯୟେଦଂ ଧାର୍ଯ୍ୟତେ ଜଗତ୍ ।

 

ଏତଦ୍‌–ଯୋନୀନି ଭୂତାନି ସର୍ବାଣୀତ୍ୟୁପଧାରାୟ

 

ଅହଂ କୃତ୍ସ୍ନସ୍ୟ ଜଗତଃ ପ୍ରଭବଃ ପ୍ରଳୟସ୍ତଥା ।’’

 

ମଣିମାଳା ପରି ଏ ଜଗତ ତାଙ୍କଠାରେ ଗୁନ୍ଥା ହୋଇଛି । ତେଣୁ ସୃଷ୍ଟିକର୍ତ୍ତାଙ୍କ ବ୍ୟତୀତ ଏ ଦୁନିଆ ଆଉ କାହାକୁ ନେଇ ବା ଗତି କରିବ ? ସବୁ ତାଙ୍କରି ମାୟା–ସବୁ ତାଙ୍କରି ଲୀଳା । ତାଙ୍କ ବ୍ୟତୀତ ଏଠାରେ ଅନ୍ୟ କେହି ନାହିଁ । ସେହିହିଁ ଏକମାତ୍ର ସତ୍ୟ । ଏକଥାକୁ ଶ୍ରୀକୃଷ୍ଣ ନିଜେ ଅର୍ଜୁନଙ୍କୁ କହିଥିଲେ ।

 

‘‘ମତ୍ତଃ ପରତରଂ ନାନ୍ୟତ୍‌ କିଞ୍ଚିଦସ୍ତି ଧନଞ୍ଜୟ !

 

ମୟି ସର୍ବମିଦଂ ପ୍ରୋତଂ ସୂତ୍ରେ ମଣିଗଣା ଇବ ।’’

 

ଏକଥା ଅନୁଭବ କରି ମଧ୍ୟ ମଣିଷ ବହୁ କ୍ଷେତ୍ରରେ ନିଜକୁ ସର୍ବଶକ୍ତିମାନ ମନେ କରୁଛି-। ଈଶ୍ଵରଙ୍କୁ ଫାଙ୍କି ଦେବାର ପ୍ରବଳ ବାସନା ରଖୁଛି ।

 

ଇତିଶ୍ରୀ ଦୁନିଆର ଏ ସତ୍ୟକୁ ଗ୍ରହଣ କରିବାକୁ ରାଜି ନୁହନ୍ତି । ସତ୍ୟବ୍ରତ ପରିସ୍ଥିତି ପାଇଁ ଦାୟୀ, ସେ ଇଚ୍ଛା କରିଥିଲେ ଘରେ ଏପରି ପରିସ୍ଥିତି ସୃଷ୍ଟି ହୋଇ ନଥାନ୍ତା ବୋଲି ତାଙ୍କର ଧାରଣା-। ସେପାଇଁ କହି ପକାଇଲେ–

 

‘‘ନିଜେ ପରିସ୍ଥିତି ସୃଷ୍ଟି କରିଦେଇ, ଭଗବାନଙ୍କୁ ଡାକିଲେ ସେ କ’ଣ କେବେ ଦୟା କରିବେ ?’’

 

‘‘କର୍ମଫଳ ମଣିଷକୁ ଭୋଗ କରିବାକୁ ହେବ । କଥା ଶୁଣିବାକୁ ଥିଲେ, ସେଥିରୁ କେହି ମୁକ୍ତି ପାଇବେ ନାହିଁ । ତମେ ଏତେ ବ୍ୟସ୍ତ ହେଉଛ କାହିଁକି ?’’

 

‘‘ଆଜି ଦୀପୁର ଜନ୍ମଦିନ, ତା’ପାଇଁ ଟିକିଏ ତ ଚିନ୍ତା କଲ ନାହିଁ ?’’

 

–ଚିନ୍ତାକରି କ’ଣ ବା କରିପାରିଥାନ୍ତି ! ଯେତିକି ସମ୍ବଳ ଅଛି, ସେତିକିରେ ଉତ୍ସବ ଶେଷ କର । ସବୁ ଏହି ପ୍ରଭୁଙ୍କର ଇଚ୍ଛା ।

 

‘‘ଭାଇର ପାଠପଢ଼ା ପାଇଁ କରଜ ଆଣିପାରୁଛ, ହେଲେ ଆଜିପରି ଦିନରେ ଟଙ୍କା କେଇଟା ଯୋଗାଡ଼ କରି ପାରିଲ ନାହିଁ !’’

 

ସତ୍ୟବ୍ରତଙ୍କ ଦୃଷ୍ଟିରେ ପାଠପଢ଼ା ଓ ପରୀକ୍ଷାଲାଗି ଫର୍ମ୍ ଫିଲପ୍‌, ଜନ୍ମଦିନର ଉତ୍ସବଠାରୁ ଢେରେ ମୂଲ୍ୟବାନ । ମାତ୍ର ଏ କଥା କି ଇତିଶ୍ରୀ ବୁଝୁଛନ୍ତି । ଏତକ ସ୍ଵାମୀଙ୍କ ମୁହଁରୁ ଶୁଣିଲାମାତ୍ରେ, କଥା ନ ସରୁଣୁ କହି ପକାଇଲେ–

 

‘‘କ’ଣ କହିଲ ! ଦୀପୁର ଜନ୍ମଦିନଠୁ ପ୍ରିୟବ୍ରତର ପାଠପଢ଼ା ବେଶି ମୂଲ୍ୟବାନ ! ଏତେ ବଡ଼ ?’’

 

ଇତିଶ୍ରୀଙ୍କର ଅଯଥା ଯୁକ୍ତି ସତ୍ୟବ୍ରତଙ୍କ ମନଲାଖି ହେଲାନାହିଁ । ଅବୁଝା ହେଉଥିବା ଦେଖି ସେ ନରମ ସ୍ଵରରେ ଆହୁରି ବୁଝାଇବାକୁ ଚେଷ୍ଟା କଲେ ।

 

–ଏମିତି ଅବୁଝା ହୁଅନି ଇତି । ସ୍ଥିର ମନରେ ଆଉଥରେ ଚିନ୍ତାକର । ସେ ପାସ୍‌ କଲେ ଚାକିରି ତ କରିବ । ତୁମର କ’ଣ ଦୁଃଖ ଯିବ ନାହିଁ ?

 

‘‘ସେଥିପାଇଁ କରଜ ପରେ କରଜ କରି ଚାଲିଛ ନୁହେଁ ? ସନାତନ କେତେ ମନଦୁଃଖ କରି ଫେରିଗଲା !’’

 

–‘‘ମଣିଷର ସୁବିଧା ଅସୁବିଧା ଥାଏ । ସନାତନ ଠିକ୍‌ ବୁଝିପାରିଛି । ତୁମେ ଏତେ ବ୍ୟସ୍ତ ହୋଇ ପଡ଼ୁଛ କାହିଁକି ? ସଂସାର ଭିତରେ ଘର କରି ପଥର ପଡ଼ିବାକୁ ଡରିଲେ କ’ଣ ହେବ ?’’

 

‘‘ମୋତେ ତ କେମିତି ଲାଗୁଛି । ଟଙ୍କାଗୁଡ଼ାକ ଯେତେ କରଜ ହେଲାଣି ନା, କେବେ ସେସବୁ ଶୁଝାଯିବ କେଜାଣି !’’

 

–ପ୍ରିୟବ୍ରତର ପରୀକ୍ଷା ସରିଯିବ । ସେ ଆଉ ଟଙ୍କା ନେବ ନାହିଁ । ବରଂ ଚାକିରି କରି ଘରକୁ ଟଙ୍କାଦେଇ ପାରିବ । ଆମର ଆଉ ଅଭାବ ରହିବ କାହିଁକି ?

 

‘‘ଚାହିଁଥାଅ, କେବେ ସେ ଚାକିରି କରିବ, ଆମକୁ ପୋଷିବ ।’’

 

ନିଶ୍ଚୟ ସେ ଚାକିରି କଲାପରେ ଘରକୁ ଚାହିଁବ । ଘରର ଅବସ୍ଥା ପ୍ରତି ଦୃଷ୍ଟିଦେବ । ତା’ପାଇଁ ଅନ୍ତତଃ ଯେଉଁ ଟଙ୍କା ଋଣ ହୋଇଛି, ତାକୁ ପରିଶୋଧ ଲାଗି ଉଦ୍ୟମ କରିବ ତ । ଏ ବିଶ୍ଵାସ ସତ୍ୟବ୍ରତଙ୍କର ରହିଛି, ମାତ୍ର ଇତିଶ୍ରୀ ଏହାର ବିରୋଧୀ । ସେ ପ୍ରତିବାଦ କରି କହିଲେ–‘‘ଆଶା ତୁମର ବୃଥା । କିଏ ବା କାହାର ଆଜିର ଏ ଦୁନିଆରେ ?’’

 

ଇତିଶ୍ରୀ ପ୍ରିୟବ୍ରତକୁ ଯେତେ ପର ବୋଲି ଭାବୁଛନ୍ତି, ସତ୍ୟବ୍ରତ ତାକୁ ସେତିକି ନିଜର ବୋଲି ଭାବି ସ୍ନେହ କରୁଛନ୍ତି । ସେ ଯେ ଆବଶ୍ୟକ ପଡ଼ିଲେ ନିଶ୍ଚୟ ସାହାଯ୍ୟ କରିବ, ଏ ବିଶ୍ଵାସ ତାଙ୍କ ମନରୁ ଯାଇନାହିଁ । ସେ ଦେଉ ନଦେଉ, ସେ ପ୍ରତି ତାଙ୍କରବି ନଜର ନଥାଏ । କିନ୍ତୁ ସେ ସୁଖରେ ରହୁ, ତା’ ସୁଖରେ ସତ୍ୟବ୍ରତ ଖୁସି ହେବେ ଏହା ସବୁବେଳେ ଭାବନ୍ତି । ମାତ୍ର ଇତିଶ୍ରୀ ଭିନ୍ନ ପ୍ରକାରର ଚିନ୍ତାରେ ପ୍ରିୟବ୍ରତକୁ ବିଚାର କରନ୍ତି । ସେ କହନ୍ତି–ପ୍ରିୟବ୍ରତ ମଣିଷ ହେଲେ ତା’ ସଂସାରପାଇଁ ବ୍ୟସ୍ତ ରହିବ । ସେମାନଙ୍କ ଲାଗି ସେ କିଛି କାମରେ ଲାଗିବ ନାହିଁ ।

 

ଏହି ଚିନ୍ତାଧାରା ଉପରେ ସତ୍ୟବ୍ରତ ଆଘାତ ଦିଅନ୍ତି । ଭାଇ ଉପରୁ ଭାଇର ଅଧିକାର ତୁଟି ଯାଉଛି ବା କିପରି ! ଭାଇ ତ ଭାଇକୁ ନେଇ ଶକ୍ତିଶାଳୀ ହୁଏ । ନିଜକୁ ଦୃଢ଼ କରେ । ସାହସୀ ହୁଏ । ପରିବାରରେ ଭାଇ ବଳକୁ ନେଇ, ଅନ୍ୟ ଜଣେ ଭାଇ ଗଡ଼ ଜିତିଯାଏ । ମାତ୍ର ଭାଇ ଯଦି ଭାଇର ଆଶାକୁ ଧୂଳିସାତ୍‌ କରିଦିଏ, ସେତେବେଳେ ଭାଇ ଦୁର୍ବଳ ହୋଇଯାଏ । ମନରେ ବିରାଟ ଧକ୍କା ଆସି ପହଞ୍ଚେ । ପ୍ରିୟବ୍ରତ କେବେ ଯେ ଏପରି ଭାଇ ମନରେ ଧକ୍କା ଦେଇ ପାରିବ, ଏ ବିଶ୍ଵାସ ସତ୍ୟବ୍ରତଙ୍କୁ ହୁଏ ନାହିଁ । ସେ ଇତିଶ୍ରୀଙ୍କୁ କହିଲେ–

 

‘‘ପ୍ରିୟବ୍ରତ ଏଇ ଘରର ସନ୍ତାନ । ସେ ଶିକ୍ଷିତ, ସେ ଯୋଗ୍ୟ । ସେ ନିଶ୍ଚୟ ବଂଶର ମାନ ସମ୍ମାନ ରକ୍ଷା କରିବ । ନିଶ୍ଚୟ ଶିକ୍ଷାର ମହତ୍ତ୍ଵ ବିଜାୟ ରଖିବ । ସେ ମୋର ସାନ ଭାଇ ହେଲେ, ଦୀପୁର କ’ଣ କେହି ନୁହେଁ ! ଦୀପୁପାଇଁ ତା’ ହୃଦୟରେ କ’ଣ ଟିକେହେଲେ ସ୍ନେହ ନାହିଁ । ଭାଉଜପାଇଁ ସେ କ’ଣ କିଛି ତ୍ୟାଗ କରିପାରିବ ନାହିଁ ?’’

 

–ଥାଉଁଥାଉଁ, ଏବେ ତୁମ ଭାଇ ଗୁଣ ଗାଇବା ଶେଷ କର । ଏଗୁଡ଼ାକ ଶୁଣିବାପାଇଁ ମୋର ବେଳ କାହିଁ ? ସେ କ’ଣ ମୋତେ ସ୍ଵର୍ଗକୁ ନେବ ! ସେ ବା କ’ଣ ମୋତେ ସାହାଯ୍ୟ କରିବ-?

 

ସତ୍ୟବ୍ରତଙ୍କ ମଥା ଗୋଳମାଳ ହୋଇଯାଉଥାଏ । ଭାଇ ଭାଇର ସ୍ନେହ ମମତାର ଧାରା କ’ଣ ଟିକେ ହେଲେବି ଇତିଶ୍ରୀଙ୍କ ପାଖକୁ ବହି ଆସିନାହିଁ ! ଜନନୀର ସ୍ନେହ ଓ ବାତ୍ସଲ୍ୟ ମମତା ନାରୀ କ’ଣ ଭୁଲିଯାଇପାରେ ! ତେବେ ପ୍ରିୟବ୍ରତ ଲାଗି ଊଣା ହେଉଛି କାହିଁକି ?

 

ସାତ

 

‘‘ଶୁଣିଲଣି ତୁମ ଭାଇ ଗୁଣମଣିଙ୍କ କଥା !’’

 

‘‘କେଉଁ କଥା ମ ! ତା’ ପରୀକ୍ଷା କଥା ତ ?’’

 

ସତ୍ୟବ୍ରତଙ୍କଠାରୁ ଏତକ ଶୁଣିବାମାତ୍ରେ, ଇତିଶ୍ରୀ ଅଧିକ ବିଦ୍ରୂପ ଆରମ୍ଭ କଲେ ।

 

‘‘ତୁମେ ଖାଲି ତା’ ପରୀକ୍ଷା ବିଷୟ ଚିନ୍ତା କରୁଥାଅ । ଭାଇକୁ ନେଇ ଗର୍ବ କରୁଛ । ହେଲେ ତା’ କଥା ଏବେ ଶୁଣିଲଣି ?’’

 

ସତ୍ୟବ୍ରତ ଅକାବକା ହୋଇ ତାଙ୍କୁ ଚାହିଁ ରହିଲେ । କିଛି ବୁଝିପାରିଲେ ନାହିଁ । ନିର୍ବାକ୍‍ ହୋଇ ବିସ୍ମିତ ନୟନରେ ଇତିଶ୍ରୀଙ୍କୁ ଚାହିଁ, କେଉଁ କଥା ସେ କହୁଛନ୍ତି, ତାହା ଜାଣିବାପାଇଁ ଆଗ୍ରହୀ ହେଲେ ।

 

‘‘ମଞ୍ଜୁବାଳା ସାଙ୍ଗେ ତା’ର ବା’ଘର ହେଉଛି ।’’

 

ଛାତିରେ କିଏ ଯେମିତି ପଥରଟାଏ ଲଦି ଦେଲା । ଯନ୍ତ୍ରଣା ଅନୁଭବ କଲେ । ହୃଦୟ ବେଦନାରେ ଫାଟିପଡ଼ିବାକୁ ବସିଲା । ମାତ୍ର ସବୁ ଯେମିତି ଅବ୍ୟକ୍ତ ରହିଗଲା ।

 

‘‘ଏ ସବୁ ବାଜେ କଥା କାହିଁକି କୁହ । କାହିଁକି ଏମିତି କଥା କହି ମୋ ମନରେ ଦୁଃଖ ଦେଉଛ । କେଉଁଠୁଁ ଏ କଥା ଶୁଣିଲ ! ବିଶ୍ଵାସ ତ ହେଉନାହିଁ ।

 

‘‘ହେଉ ଦେଖିବ ।’’

 

ସତ୍ୟବ୍ରତ ବିଶ୍ୱାସ କରିପାରିଲେ ନାହିଁ । ତାଙ୍କ ମୁହଁରେ କଳା ବୋଳି, ପ୍ରିୟବ୍ରତ ପରି ଭାଇ ଯେ ଏପରି କାର୍ଯ୍ୟ କରିଯିବ, ଏହା ସେ ଆଦୌ ବିଶ୍ଵାସ କରିବେ ବା କିପରି ! କେତେ ପରିକଳ୍ପନାର ସୌଧ ଗଠିତ ହୋଇଛି । ପ୍ରିୟବ୍ରତର ପାଠ ପଢ଼ା ସରିଲେ, ତା’ ବା’ଘର ହେବ । ମନଲାଖି ପାତ୍ରୀଟିଏ ଠିକ୍‌ କରାହୋଇଛି । ସୁନ୍ଦରୀ, ଶିକ୍ଷିତ ଓ ଧନୀର କନ୍ୟାକୁ ସେ ଘରକୁ ବୋହୂ କରି ଆଣିବେ । ପ୍ରିୟବ୍ରତ ଖୁସି ହେବ । ଏମିତି କେତେକଅଣ କଳ୍ପନା କରିଛନ୍ତି । ମାତ୍ର ଆଜି ଏମିତି ଶୁଣି ମନ ବିଚଳିତ ହୋଇ ଯାଉଛି । ହଠାତ୍‌ବି ସେ ବିଶ୍ଵାସ କରିପାରୁନାହାନ୍ତି ।

 

‘‘କିଏ ତୁମକୁ ଏ ଖବର ଦେଲା ?’’

 

‘‘ତୁମ ଭାଇ ଗୋପନରେ ଯାହା ସବୁ ଦୂରରେ ଥାଇ କରୁଛି, ଏ ଖବର କ’ଣ ମୋ’ କାନରେ ବାଜୁନାହିଁ ଭାବୁଛ ?’’

 

ଇତିଶ୍ରୀ, ପ୍ରିୟବ୍ରତ ବିରୁଦ୍ଧରେ ଯେତେ କଥା କହିଲେବି ସୁଦ୍ଧା ସତ୍ୟବ୍ରତ ତାକୁ ବିଶ୍ଵାସ କରିବାକୁ ପ୍ରସ୍ତୁତ ନୁହନ୍ତି । ପ୍ରିୟବ୍ରତର ଆଚାର ଓ ଚରିତ୍ର ଉପରେ ତାଙ୍କର ଅଟଳ ବିଶ୍ଵାସ । ଗତକାଲି କିଏ ଆସି ତାଙ୍କୁ ପ୍ରିୟବ୍ରତର ପରୀକ୍ଷା ବିଷୟରେ ଖବର ଦେଇ ଯାଇଛି । ଇତିଶ୍ରୀଙ୍କୁ ସେହି ଖବର ଦେବାକୁ ସେ ଭୁଲି ଯାଇଥିଲେ । ଏତେବେଳେ ସେହି କଥା ମନେ ପଡ଼ିଗଲା । ଶୁଣ ଏକ ଶୁଭଖବର । ପ୍ରିୟବ୍ରତ ପରୀକ୍ଷାରେ ଖୁବ୍‌ ଭଲ କରିଛି । ସବୁ ପିଲାଙ୍କ ଉପରେ ସେ ଶ୍ରେଷ୍ଠ ସ୍ଥାନ ହାସଲ କରିବ । ମୁଁ ଶୁଣିବାକୁ ପାଉଛି । କେତେ ଆନନ୍ଦର କଥା କହିଲ ?’’

 

‘‘ମୁଁ ତ ଶୁଣୁଛି ସେ ମଞ୍ଜୁବାଳା ସହ ସମ୍ପର୍କ ରଖି ପଢ଼ାରେ ଅବହେଳା କରିଛି ।’’

 

ସତ୍ୟବ୍ରତ ଏପରି କଥାକୁ ଗୁଜବ ଭାବରେ ଗ୍ରହଣ କରୁଛନ୍ତି । ବିରକ୍ତ ହୋଇ ଇତିଶ୍ରୀଙ୍କ ମନ୍ତବ୍ୟର ପ୍ରତିବାଦ କଲେ ।

 

–କହିଲି ପା ଏପରି ବାଜେ କଥା କହିବ ନାହିଁ । ଏ କଥାର କ’ଣ କିଛି ଅର୍ଥ ହୁଏ ।

 

–ତେବେ କୁହ, ସିଏ କାହିଁକି ତା’ପାଖକୁ ଏତେ ଥର ଯାଉଛି ?

 

‘‘ସହପାଠୀ ଭାବରେ ପ୍ରିୟବ୍ରତ, ତା’ ସହପାଠିନୀ ପାଖକୁ ଯିବାରେ କ୍ଷତି କ’ଣ ? ତୁମେ କାହିଁକି ଏହାକୁ ଅନ୍ୟ ଦୃଷ୍ଟିରେ ଦେଖୁଛ କହିଲ ?’’

 

ଦେଶ ସ୍ଵାଧୀନ ହୋଇଛି । ଶିକ୍ଷାର ପ୍ରସାର ଘଟିଛି । ନାରୀଶିକ୍ଷାର ପ୍ରସାର ସଙ୍ଗେ ସଙ୍ଗେ, ସହଶିକ୍ଷା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି । ଛାତ୍ରଛାତ୍ରୀ ମିଳିମିଶି ମୁକ୍ତ ଭାବରେ ଏକାଠି ପାଠ ପଢ଼ିବେ । ସେମାନଙ୍କ ଭିତରେ ଚିନ୍ତାର ଆଦାନପ୍ରଦାନ ହେବ । ଏଥିରେ ଦୁର୍ବଳତା ବା ଆବିଳତା ରହିବ କାହିଁକି ?

 

ବହୁ ବଡ଼ବଡ଼ ମଣିଷ ତ ଏହି ସହଶିକ୍ଷା ଉପରେ କେତେ ଗୁରୁତ୍ଵ ଦେଇ ଆସିଛନ୍ତି । ଦିନଥିଲା, ଯେତେବେଳେ ନାରୀଶିକ୍ଷାର ପ୍ରସାର ଘଟି ନଥିଲା । ଝିଅମାନେ ସେତେବେଳେ ବେଶି ପଢ଼ି ନଥିଲେ, ଆଜିକାଲି ପାଠପ୍ରତି ଝିଅମାନଙ୍କର ଆଗ୍ରହ ବୃଦ୍ଧି ପାଇଛି । ସେମାନେ ସହଶିକ୍ଷା, କାର୍ଯ୍ୟକ୍ରମ ସଫଳ ରୂପାୟନ ଦେବାରେ ଯଥେଷ୍ଟ ସାହାଯ୍ୟ କରୁଛନ୍ତି । ଏତେବେଳେ ଛାତ୍ରଛାତ୍ରୀଙ୍କ ସମ୍ପର୍କ ଓ ସଦ୍‌ଭାବକୁ ନେଇ କେହି ନିନ୍ଦା ରଟନା କରିବା ଆଦୌ ଭଲ ନୁହେଁ ବୋଲି ସତ୍ୟବ୍ରତଙ୍କ ଯୁକ୍ତି । ମାତ୍ର ଏ ଯୁକ୍ତିକୁ ଇତିଶ୍ରୀ କ’ଣ ଗ୍ରହଣ କରିପାରୁଛନ୍ତି । ସେ ଏତେ କଥା ଶୁଣିଲା ପରେ ତଥାପିବି କହିଲେ–

 

‘‘ମୁଁ ତ ଏକା ନୁହେଁ । ଦୁନିଆ କହୁଛି । ତୁମେ ଯଦି ନ ଜାଣିଛ ଜାଣିଯିବ, ଏତେ ବ୍ୟସ୍ତ ହେବାର କ’ଣ ଅଛି ?’’

 

‘‘ତୁମେ ଏ ସମ୍ବାଦ କାହାଠୁଁ ପାଇଲ ଶୁଣେ ।’’

 

ଇତିଶ୍ରୀ ଡରିବା ଲୋକ ନୁହଁନ୍ତି । ସତ କଥା ଖୋଲିବାକୁ ପଛାଇ ଯିବେ ବା କାହିଁକି ! ଯାହା ତାଙ୍କ କାନରେ ବାଜିଛି, ତାକୁ ସେ ଖୋଲିଦେଲେ ।

 

‘‘ଆମ ଗାଁ ବିପ୍ରବାବୁଙ୍କ ଭଣଜା ରମେଶ ହେଉଛି ପ୍ରିୟବ୍ରତର ସାଙ୍ଗ । ସେ ମୋତେ ଏକଥା କହିଛି । ସେ ବା ମିଛ କହିବ କାହିଁକି ?’’

 

ଘରର ଐତିହ୍ୟ ଓ ପରମ୍ପରା ପ୍ରତି ପ୍ରିୟବ୍ରତ ସଚେତନ । ଏ ବଂଶର ସନ୍ତାନ କେବେ କଳଙ୍କ ହୋଇପାରେନାହିଁ । ବଂଶର ଆଭିଜାତ୍ୟ ଅଛି । ସେହି ଦୃଷ୍ଟିରୁ ତା’ରବି ଆଭିଜାତ୍ୟ ରହିଛି । ପରମ୍ପରା ଅଛି । ଆଜି ହୁଏତ ସତ୍ୟବ୍ରତ ଦରିଦ୍ର ହୋଇ ପାରନ୍ତି, କିନ୍ତୁ ଏ ଘରର ଐତିହ୍ୟ ଓ ସମ୍ମାନ ତ ନଷ୍ଟ ହୋଇ ନାହିଁ । ପ୍ରିୟବ୍ରତ ଘରର ସବୁ ଗୌରବ ବଜାୟ ରଖିଛି । ତା’ଠୁ କେବେ ଏପରି ଆଶା କରାଯାଏନା ବୋଲି ସତ୍ୟବ୍ରତଙ୍କର ଦୃଢ଼ ଧାରଣା ।

 

ଇତିଶ୍ରୀ ଏହି ଧାରଣାକୁ ଭାଙ୍ଗିଦେଇ କହିଲେ–‘‘ଦେଖିବ, ସବୁ ଆଶା ତୁମର ବୃଥା ହେବ ।’’

 

ସତ୍ୟବ୍ରତ ବିରକ୍ତ ହୋଇ ରାଗରେ କହି ଚାଲିଲେ–‘‘ତୁମେ ତେବେ କହୁଛ ସେ ଏ ଘରର ମାନ ସମ୍ମାନ, ଇଜ୍ଜତ ଗୌରବ ପରମ୍ପରାକୁ ସବୁ ଜାଳି ପୋଡ଼ି ଧ୍ଵଂସ କରିଦେବ !’’

 

‘‘ସେହି କଥା ତ ମୁଁ କହୁଛି ।’’

 

ଇତିଶ୍ରୀ ଯାହା ଭାବୁଛନ୍ତି, ତାହା ଅମୂଳକ ବୋଲି ସତ୍ୟବ୍ରତଙ୍କର ଧାରଣା । ଆଧୁନିକ ଯୁଗରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା କିମ୍ବା କଥାଭାଷାକୁ ସଂକୀର୍ଣ୍ଣ ମନ ଦେଇ ବିଚାର କରିବା ଠିକ୍‌ ନୁହେଁ । ଆଧୁନିକ ଯୁଗର ଧାରାକୁ ଆଧୁନିକ ମଣିଷ ବାଧାଦେଇ ନୂତନ ଚେତନାର ପଥରୋଧ ନକରୁ ।

 

ଯୁଗ ସହିତ ତାଳ ଦେଇ ନ ଯାଇ ପାରିଲେ, ମଣିଷ ପଛେଇ ଯିବ ଏହାହିଁ ହେଉଛି ସତ୍ୟବ୍ରତଙ୍କର ବିଶ୍ଵାସ ।

 

ମାତ୍ର ତାଙ୍କ ପତ୍ନୀ ହେଉଛନ୍ତି ଭିନ୍ନ ପ୍ରକାରର । ବିଶେଷତଃ ପ୍ରିୟବ୍ରତର ଏପରି ଖୋଲାଖୋଲି ମିଳାମିଶାକୁ ସେ ଆଦୌ ଭଲ ଦୃଷ୍ଟିରେ ଦେଖିପାରୁ ନାହାନ୍ତି । ତାଙ୍କୁ ଏସବୁ ଭଲ ଲାଗୁନାହିଁ । ଶୁଣିଲାବେଳୁ ନାକ ଟେକୁଛନ୍ତି ।

 

ସତ୍ୟବ୍ରତ ମନେମନେ ଭାବିଲେ, ଯଦି ଏହା ସତ୍ୟ ହୋଇଥାଏ ତେବେ ତାଙ୍କ ଟାଣ ରହିବ ନାହିଁ । ଆଜି ଯୁଗରେ ପିଲାଙ୍କ ଉପରେ ଆଦୌ ବିଶ୍ଵାସ ନାହିଁ, କେତେବେଳେ କେଉଁ କଥା ! ତଥାପି ମୁହଁ ଲାଜ ଆଉ ମନ ବେଦନାକୁ ଚାପି ନିଅନ୍ତି । ଇତିଶ୍ରୀଙ୍କୁ ବୁଝାନ୍ତି–

 

‘‘ଭଲ ଲାଗୁ କି ନ ଲାଗୁ ସେଥିରେ ଯାଏଁ ଆସେ ନାହିଁ । ଆମକୁ ସବୁ ପରିସ୍ଥିତିର ମୁକାବିଲା କରିବାକୁ ହେବ । ଯେତେ ଦୁଃଖ ଆସିଲେ, ବାଧା ଆସିଲେ ସେ ସବୁକୁ ତ ଆମକୁ ସହିବାକୁ ପଡ଼ିବ ।’’

 

ଇତିଶ୍ରୀ ରାଗରେ ତମତମ ହୋଇ ଏହାର ଉତ୍ତର ଦେଲେ–ତାହାହେଲେ, ତୁମେ କ’ଣ କହୁଛ, ମଞ୍ଜୁବାଳାକୁ ଆମେ ଘରକୁ ବୋହୂ କରି ଆଣିବା ?’’

 

ହଠାତ୍‌ ସତ୍ୟବ୍ରତ ଏହାର ଉତ୍ତର ଦେଇ ପାରିଲେ ନାହିଁ । ଏପରି ପ୍ରଶ୍ନର କ’ଣ ବା ଉତ୍ତର ଦେବେ ! କ’ଣ କହି ନିଜକୁ ସାନ୍ତ୍ୱନା ଦେଇ ପାରିବେ, ସେ ତାହା ଭାବିପାରୁ ନାହାନ୍ତି । କେବଳ ମନକୁ ବୁଝାଇବା ପାଇଁ ଅନ୍ୟମନସ୍କ ଭାବରେ ଶୁଷ୍କ କଣ୍ଠରେ କହି ପକାଇଲେ–ଏ ସବୁର ପ୍ରଶ୍ନ ଉଠିଲା କେଉଁଠି ? ତୁମେ ବହୁଦୂରକୁ ଆଗେଇ ଯାଇ ଏପରି କଥାଗୁଡ଼ାକ ଆଉ କୁହ ନାହିଁ ।’’

 

‘‘ବଡ଼ ଆଶ୍ଚର୍ଯ୍ୟ ଲୋକ ତୁମେ !’’

 

‘‘ମୁଁ ଆଶ୍ଚର୍ଯ୍ୟ, ନା ତୁମେ ! ଏ କଥାର ସତ୍ୟତା କେତେ, କିଛି ନବୁଝି ନ ଶୁଝି, କାହିଁକି ଏମିତି ଅସ୍ଥିର ହେଉଛ ?’’

 

‘‘ଆଉ ବୁଝିବି କ’ଣ ? ତୁମେ କ’ଣ ଭାବିଛ, ଆମ କଥା ଅନୁସାରେ ତା’ ବାହାଘର ହେବ ?’’

 

–ତା’ ବାହାଘର କ’ଣ ଏବେ ହେଉଛି ? ସେ ସବୁ ପ୍ରଜାପତି ଘଟସୂତ୍ର । ଏଥିରେ ଚିନ୍ତା କରିବାର କ’ଣ ଅଛି ! ଯଦି ଆମେ ଚାହୁଁଥିବା ସେହି ଝିଅ ବୋହୂ ହୋଇ ଆସୁ, ଏବଂ ଏ ଘରକୁ ଯଦି ଆସିବାର ଥାଏ ତେବେ ଆସିବ । ଖାଲି ଚାହିଁଲେ ହେବ ନାହିଁ ସବୁ କପାଳଲେଖନ ଉପରେ ନିର୍ଭର କରେ ।

 

ସତ୍ୟବ୍ରତଙ୍କ ପରିବାରକୁ ମଞ୍ଜୁବାଳା ବୋହୂ ହୋଇ ଆସିବାଲାଗି ଯୋଗ୍ୟ ନୁହେଁ, ଇତିଶ୍ରୀ ଓ ତାଙ୍କ ସ୍ଵାମୀ ଜାଣନ୍ତି । ତାଙ୍କ ବଂଶ ବିଷୟରେ ଦୁହେଁ ସୂଚନା ପାଇଛନ୍ତି । ନାମଜାଦା ବଂଶ ନୁହେଁ, ଏହାଠୁ ଆହୁରି ଉଚ୍ଚ ବଂଶର ଝିଅ କଥା ପ୍ରସ୍ତାବ ଆସିଛି । ସତ୍ୟବ୍ରତ କାହାରିକୁ ନିରାଶ କରି ନାହାନ୍ତି । ପାଠପଢ଼ା ଶେଷ ପରେ ବିବାହ ସମ୍ପର୍କରେ ସେ ଚିନ୍ତା କରିବେ କହିଛନ୍ତି, ମାତ୍ର ଆଜି ସେ ଆଉ କ’ଣ କହିବେ !

 

–ତାହାହେଲେ ତୁମେ କ’ଣ କହୁଛ, ସେ ତା’ ମନକୁ ଚାହିଁ ଯା’ ଇଚ୍ଛା ତାହା କରିଯିବ !

 

‘‘ସେ ଆଉ କ’ଣ ଛୋଟପିଲାଟିଏ ହୋଇଛି ଯେ, ତାକୁ ଆମେ ନିର୍ଦ୍ଦେଶ ଦେବା ! କେଉଁଟା ଭେଲ, କେଉଁଟା ଭଲ ସେ କ’ଣ ଜାଣିପାରୁନି ! ସେ ବିଚାରଶକ୍ତି ତା’ର ଯଥେଷ୍ଟ ଆସିଗଲାଣି । ଯାହା ଭଲ ମନେ କରିବ, ସେ କରିବ । ଏଥିରେ ଆମେ ମୁଣ୍ଡ ଖେଳାଇବା କାହିଁକି-?’’

 

ଇତିଶ୍ରୀ ଜାଣିପାରିଲେ ଯେ, ସତ୍ୟବ୍ରତ ପ୍ରିୟବ୍ରତର କୌଣସି ଦୁର୍ବଳତା ଶୁଣିବା ଲାଗି ପ୍ରସ୍ତୁତ ନୁହନ୍ତି । ତଥାପି ତାଙ୍କର ବିରକ୍ତି ଓ ଅଶାନ୍ତି ଦୂର ହେଲା ନାହିଁ । ଏଥର ମଧ୍ୟ ତାଙ୍କ ଯୋଜନା ବିଫଳ ହେଲା ।

 

ସ୍ନେହ ମମତା ଓ ଆନ୍ତରିକତାର ବନ୍ଧନ ଚିରସ୍ଥାୟୀ । ତା’ କ’ଣ ଏତେ ସହଜରେ ଭାଙ୍ଗିଯାଇପାରେ !

 

ଇତିଶ୍ରୀଙ୍କ ମୁହଁରେ ବିଷଣ୍ଣତା ଘୋଟି ଆସିଲା ।

 

ସତ୍ୟବ୍ରତ ଭାବୁଥିଲେ–ଇତିଶ୍ରୀ କ’ଣ ‘ଲକ୍ଷ୍ମଣ’ଙ୍କ ଭାଉଜ ହୋଇପାରିବେ ନାହିଁ !

 

ଆଠ

 

ସନାତନ କିଛି ଭାବିପାରିଲା ନାହିଁ । ଆଶ୍ଚର୍ଯ୍ୟ ହୋଇ ଚିଠିଟି ପଢ଼ିଲା । ଏତେବେଳେ ସେ ବା କ’ଣ କରିପାରିବ । ତା’ର ଥଳକୂଳ ନପାଇ ଦଣ୍ଡେ ଠିଆହୋଇ ରହିଲା । ହଠାତ୍‌ ମଥାକୁ ତା’ର କୌଣସି ବୁଦ୍ଧି ଆସୁ ନଥାଏ । ଯେତେହେଲେ ସାଆନ୍ତଙ୍କ ପୁଅତ ପିଲାଲୋକ । ପିଲାଟା ହାତରେ କ’ଣ ବା’ କହିପାରିବ ! ଦୁଶ୍ଚିନ୍ତାରେ ଠିଆ ହୋଇ ଭାବୁଛି । ବିମଳା ଆସି ପହଞ୍ଚି ତାକୁ ଅନ୍ୟମନସ୍କ କରିଦେଲା ।

 

‘‘ଜାଣି ନାହଁକି ? ଇଏ ପା ଆମ ସତ୍ୟବ୍ରତବାବୁଙ୍କ ପୁଅ !’’

 

ବିମଳା ତା’ ଆସିବାର କାରଣ କିଛି ଜାଣି ନଥାଏ । ଆଶ୍ଚର୍ଯ୍ୟ ହୋଇ ପଚାରିଲା–‘‘ଇଏ କୁଆଡ଼େ ?’’

 

କି କାମରେ ଆସିଛି ବୋଲି ସନାତନ ହଠାତ୍‌ ମୁହଁ ଖୋଲି କହିପାରୁନି । କିଛି କହିବାର ଭାଷା ଯେପରି ତାକୁ ମିଳୁ ନଥାଏ । ଆକାବାକା ହୋଇ ଠିଆହେଲା । ସତ୍ୟବ୍ରତ ତାଙ୍କ ପୁଅକୁ କହିଲା–

 

‘‘ମୁଁ ଯାଇ ଦେଖା କରିବି ବାପାଙ୍କୁ କହିବ ।’’

 

ଏତକ ଖବର ନେଇ ସେ ଚାଲିଗଲା ।

 

ବିମଳା ସେମିତି ଚାହିଁଥାଏ । କିଛି ଉତ୍ତର ପାଇନାହିଁ । ପୁଣି ପଚାରିଲା–‘‘ତାଙ୍କ ପୁଅକୁ କାହିଁକି ପଠାଇଥିଲେ କି ?’’

 

ସନାତନ କଥାଟାକୁ ଲୁଚାଇବ ବା କାହିଁକି ? କାଳେ ବିମଳା ମନରେ ଅଧିକ ସନ୍ଦେହ ହେବ ଏହା ଭାବି ଘଟଣାଟିକୁ ଖୋଲିଦେଲା ।

 

‘‘ସତ୍ୟବ୍ରତବାବୁଙ୍କର କିଛି ଟଙ୍କା ଦରକାର । ନିହାତି ଜରୁରୀ । ହାତରେ କାମ ଥିବାରୁ ଆସି ନପାରି ତାଙ୍କ ପୁଅକୁ ପଠାଇଥିଲେ ।’’

 

‘‘କ’ଣ କହିଲ ? ପୁଣି ସେ ଟଙ୍କା ମାଗିଛନ୍ତି ! କେଉଁ ମୁହଁରେ ? ଲାଗଲାଗ ଏତେଥର ଟଙ୍କା ଦେଲେଣି, ଦେଇ ନାହାନ୍ତି । ଦେବାର ନାଁ ବି ଧରୁନାହାନ୍ତି । ପୁଣି ମାଗିଛନ୍ତି ଟଙ୍କା ! ମୋଟେ ନୁହେଁ । ସେସବୁ କଥା ହେବନି ।’’

 

ସନାତନ ବିମଳାର ଯୁକ୍ତିକୁ ହୃଦୟଙ୍ଗମ କଲା । କଥାରେ ଯେ ବାସ୍ତବତା ଅଛି, ଏହା ବୁଝିବାପାଇଁ ସନାତନକୁ ବେଶି ସମୟ ଲାଗିଲା ନାହିଁ । ବହୁ କ୍ଷେତ୍ରରେ ବାସ୍ତବତାକୁ ଭୁଲି ମୁହଁକୁ ଚାହିଁ କାର୍ଯ୍ୟ କରିବାକୁ ହୋଇଥାଏ । ଏଥିରେ କ୍ଷତିର ମାତ୍ରା ଯଥେଷ୍ଟ ଥିଲେବି ସୁଦ୍ଧା, ଜୀବନ କ୍ଷେତ୍ରରେ ଏଡ଼ି ହୁଏ ନାହିଁ । ବାଧ୍ୟବାଧକତା ଭିତରେ ମଣିଷକୁ ଇଚ୍ଛା ବିରୁଦ୍ଧରେ ଗତି କରିବାକୁ ହୁଏ-। ସନାତନ ଏହିପରି ଏକ ପରିସ୍ଥିତିର ସମ୍ମୁଖୀନ ହୋଇ କ’ଣ କରିବ, ତାହା ସେ ସ୍ଥିର କରିବା ସମ୍ଭବ ହେଲା ନାହିଁ ।

 

ବିମଳାର କଥାକୁ ଫାଙ୍କିଦେଇ ହେଉନି । ସେ ଘଟଣାକୁ ବ୍ୟବସାୟ ଦୃଷ୍ଟିରୁ ଗ୍ରହଣ କରିଛି । ଏତେ ଦିନ ଧରି କାହା ଉପରେ ଟଙ୍କା ରହେ ନାହିଁ । ବର୍ଷ ବର୍ଷ ଧରି ସତ୍ୟବ୍ରତଙ୍କ ଉପରେ ଟଙ୍କା ପଡ଼ିଛି । ପୁଣି ଏବେ ପ୍ରିୟବ୍ରତ ଲାଗି ଟଙ୍କା ଧାର ନେଇଛନ୍ତି । ଦେଇପାରି ନାହାନ୍ତି । ସନାତନ ମୁହଁ ଖୋଲି କହିଲାଣି, ତଥାପି ଟଙ୍କା ମିଳିନାହିଁ । କେବେବି ମିଳବ ତା’ର କିଛି ଠିକଣା ନାହିଁ । ତେବେ ଆଜି ପୁଣି କେଉଁ ଭରସାରେ ବା ସନାତନ ଟଙ୍କା ଦେବ !

 

ତଥାପି କାହିଁକି କେଜାଣି ସନାତନର ମନ କେମିତି କେମିତି ହେଲା । ନୀରବ ରହିପାରିଲା ନାହିଁ । ବିବେକ ବାଧା ଦେଲା । ଏପରି ଏକ ଘଡ଼ିସନ୍ଧିବେଳରେ ସତ୍ୟବ୍ରତଙ୍କୁ ସାହାଯ୍ୟ କରିବାକୁ ସେ ଭଲ ମନେକଲା । ତେବେ ଯାହା ହେଉ ପଛେ ନିଜ ସ୍ତ୍ରୀର ଇଚ୍ଛା ବିରୁଦ୍ଧରେ ଯାଉଛି ବା କିପରି ? ତାକୁ ବୁଝାଇ ଶୁଝାଇ ଏତେବେଳେ ଯାହା କିଛି ବ୍ୟବସ୍ଥା କରିବାକୁ ଚାହିଁଲା ।

 

‘‘ବୁଝିଲ, ବାବୁଙ୍କର ଟଙ୍କା ନିହାତି ଦରକାର । ନହେଲେ କାଲି ସକାଳେ ଘର କୋରକ ହେବ ।’’ କୋରକ କଥା ଶୁଣି ବିମଳା ଛାତିରେ ଛନକା ପଶିଲା । କି କୋରକ, କ’ଣ, କାହିଁକି, ଏସବୁ ସେ କିଛି ଜାଣି ନଥାଏ । ସନାତନ ମୁହଁକୁ ଆଶ୍ଚର୍ଯ୍ୟରେ ଚାହିଁଲା ।

 

‘‘ଏମିତି ଚାହିଁଛ କ’ଣ ମ ! ସତ୍ୟବ୍ରତବାବୁଙ୍କ ଘରେ କାଲି ସକାଳେ କୋରକ ନାଗରା ବାଜିବ । କମ୍ ଟଙ୍କା ତ ନୁହେଁ, ଚାରିହଜାର ତିନିଶହ ଟଙ୍କାର ନୋଟିସ୍‌ ଆସିଛି । ସମବାୟ ଋଣ ସୁଧ ଅସଲ ମିଶି ଏତିକି ଟଙ୍କା ହୋଇଛି ।’’

 

ଆଜିତ ନୁହେଁ । ମାତ୍ର ଏକହଜାର ଟଙ୍କା ଅସୁଲ ଉପରେ ଅନେକ ଦିନର ସୁଧ ମିଶି, ଏବେ ସୁଧମୂଳ ବାବଦକୁ ଏତିକି ଟଙ୍କା ହିସାବ ହୋଇ କୋରକ ଆସିଛି । ସଂସାର ଚଳାଇବା, ପ୍ରିୟବ୍ରତକୁ ପାଠ ପଢ଼ାଇବା ଦିଗରେ ତାଙ୍କର ସବୁ ଟଙ୍କା ଯାଇଛି । ଆଉ ଅଧିକ ଟଙ୍କା କାହିଁ ଯେ, ବାହାର ହାତ ଉଧାର ଶୁଝିବେ !

 

ମଣିଷତ ଜାଣିଶୁଣି ଋଣ ଭାରରେ ଶଢ଼ି ଯାଏନା ! ପରିସ୍ଥିତି ତାକୁ ଋଣ ଭାର ବହନ କରିବାକୁ ବାଧ୍ୟ କରିଥାଏ । ସେ ସବୁ ଭାରକୁ ଅନିଚ୍ଛା ସତ୍ତ୍ୱେ ସହ୍ୟ କରେ ।

 

ପ୍ରିୟବ୍ରତ ପାଠ ପଢ଼ୁଛି । ପାଠପଢ଼ା ପରେ ଚାକିରି କରିବ, ଘରର ଭାଗ୍ୟ ବଦଳିଯିବ । ତା’ ଉପରେ ସବୁ ନିର୍ଭର କରିଛି । ତାକୁ ଲକ୍ଷ୍ୟରଖି ସତ୍ୟବ୍ରତ ସବୁକୁ ଭୁଲି ଯାଇଛନ୍ତି । ତାହା ତ ପଛକଥା । ଏବେ ନିରୁପାୟ ହୋଇ ସନାତନ ପାଖକୁ ଚିଠିଟିଏ ଲେଖିଛନ୍ତି ।

 

ବିମଳା ଆଉ ମନାକରି ପାରିଲା ନାହିଁ । ବିପଦରେ ସାହାଯ୍ୟ କରିବାଲାଗି ପରାମର୍ଶ ଦେଲା ।

 

ସନାତନ, ବିମଳାର ମତାମତ ପାଇଗଲା ପରେ ଆହୁରି ବୁଝାଇବାକୁ ଚେଷ୍ଟାକଲା ।

 

ମଣିଷ ଏତେ ନିର୍ଲଜ୍ଜ ହୋଇପାରେନା । ତା’ର ସମ୍ମାନ ଅଛି, ମର୍ଯ୍ୟାଦା ଅଛି । ବିବେକ ଅଛି । ସେ କେବେ ଜଣକୁ ବାରମ୍ବାର ଧାର ମାଗି ନିଜର ସମ୍ମାନ ହରାଇବାକୁ ଚାହେଁନା । ନିଜକୁ ଅନ୍ୟ ପାଖରେ ନ୍ୟୁନ କରିଦେବାକୁ ଭଲ ମନେ କରେନା । ମାତ୍ର ନିରୁପାୟ ହେଲେ ମଣିଷ ପକ୍ଷେ ସବୁ କାର୍ଯ୍ୟ ସମ୍ଭବ ମନେହୁଏ । ତା’ ଆଖି ଆଗରେ ପରିସ୍ଥିତିର ମୁକାବିଲାହିଁ ଏକମାତ୍ର ସତ୍ୟ ହୋଇଉଠେ । ଆଉ ସବୁ ଗୌଣ ମନେ ହୋଇଥାଏ ।

 

ସତ୍ୟବ୍ରତଙ୍କୁ ସାହାଯ୍ୟ କରିପାରିଲେ, ନିଜେ ଧନ୍ୟ ହେବ ମନେ କରୁଥିବାବେଳେ ବିମଳା ବାସ୍ତବତା ଉପରେ ଠିଆହୋଇ କହି ଚାଲିଲା–

 

‘‘କ’ଣ କିଛି ମଥାକୁ ଢୁକୁ ନାହିଁକି ! ଟିକେ ଚିନ୍ତାକର । ଏବେ ତା’ କଥା ଭାବ । କେତେଦିନ ଆଉ ଝିଅଟା ବା’ ନ ହୋଇ ଘରେ ଥିବ ?’’

 

କଥାଟା ସନାତନର ମନକୁ ଛୁଇଁଲା । ତା’ ଝିଅ ଲକ୍ଷ୍ମୀର ବୟସ ୧୭ ଯାଇ ୧୮ ପଶିଲା । ତା’ଲାଗି ପାତ୍ରଟିଏ ଠିକଣା ହୋଇନି । ଧନଥିଲେ କ’ଣ ହେବ !

 

କହିଲା–‘‘ଭାବୁଛି ଯେ, ହେଲେ ବରପାତ୍ର ମିଳିଲେ ତ ! ଇଏ ସବୁତ ପ୍ରଜାପତି ଘଟସୂତ୍ର କଥା, ମନକଲେ କ’ଣ ହୁଏ ।’’

 

‘‘ବର ମିଳୁନାହିଁ କ’ଣ କହୁଛମ ! ତମ ହାତରେ ପା ବର ଥୁଆ ହୋଇଛି ।’’

 

ସନାତନ ବିମଳା କଥାରୁ କିଛି ଲକ୍ଷ୍ୟକରି ପାରିଲା ନାହିଁ । ଅନେକ ଆଡ଼େ ବୁଲିଛି । କେତେ ଘୂରି ଘୂରି ଥକିଲା । ସବୁ ଉଦ୍ୟମ ବୃଥା ହୋଇଛି । ଝିଅ ତା’ର ଅପାଠୋଇ । ଅସୁନ୍ଦରୀ । ଧନ ସିନା ଅଛି, ଯୌତୁକ ଦେଇପାରିବ, ହେଲେ ଯୌତୁକକୁ ଦେଖି ଭଲ ବର ମିଳିବାତ ସହଜ ନୁହେଁ । କେତେ ଦିନ ହେଲା ତା’ ମଥା ଖେଳୁଛି । କେତେକଅଣ ଉଦ୍ୟମ କରିସାରିଛି । କେଉଁଠି କିଛି ସଫଳ ହୋଇନି । ମାତ୍ର ଆଜି ଏମିତି କଥା ଶୁଣି ସେ ବିସ୍ମିତ ହେଲା । ବିମଳା କଥାର ରହସ୍ୟ କିଛି ବୁଝିପାରିଲା ନାହିଁ । କଥାଟାକୁ ଅତି ହାଲୁକା ଭାବରେ ନେଲା ।

 

‘‘ଆଜି ସଞ୍ଜରେ ସତ୍ୟବ୍ରତବାବୁଙ୍କ ଘରକୁ ଯିବି । ଟଙ୍କା ଦେଇ ଆସିବି । ଆସିଲାବେଳେ ଟିକେ ବିଚିତ୍ର ଘରେ ମୁହଁମାରି ଆସିବି । ତା’ ଭଣଜା ରାଜି ହେଉ ନଥିଲା, ତେବେ କ’ଣ କେତେଦୂର କଥା ଗଲା, ତାହା ଜାଣିପାରିବା ।’’

 

‘‘ଏତେ ଆଉ ମଥା ଖେଳାଅ ନାହିଁ । କହିଲି ପା ବର ତୁମରି ହାତରେ ଅଛି । କଥାଟା କ’ଣ କିଛି ବୁଝିପାରୁନ ନା, ବୁଝି ଅବୁଝା ହେଉଛ ମ !’’

 

ସତରେ ସନାତନ କିଛି ବୁଝିପାରୁନି । ତା’ ହାତରେ ଯଦି ଝିଅ ଲାଗି ବର ରହିଛି, ତେବେ ସେ ଏତେ ଦିନ ହେଲା ଏଲାଗି ଘୂରୁଛି କାହିଁକି ! କମ୍‌ ମଥା ଖେଳାଉ ନାହିଁ । ଏଥରବି ସେ ବିମଳାର କଥାକୁ ଠଉରାଇ ପାରିଲା ନାହିଁ ।

 

ବିମଳା ବିରକ୍ତ ହୋଇ ପଡ଼ିଲା ।

 

‘‘ଏମିତି କ’ଣ ନବୁଝିଲା ଭଳି ହେଉଛମ ! ଟଙ୍କା ଦେଲାବେଳକୁ ଦେଇ ଦେଉଛ, ତାଙ୍କଠାରୁ କାମଟାଏ ହାସଲ କରୁନ ?’’

 

‘‘କଉ କାମ କହିଲ ?’’

 

‘‘ତୁମେ ତାଙ୍କୁ ମୁହଁ ମୁହ୍ଲାଜା ନ ଏଡ଼ି ଏତେଗୁଡ଼ିଏ ଟଙ୍କା ଦେଲଣି, ନଦେଲେ ନାହିଁ, ତାଙ୍କ ଘର ସହିତ ଆମର ବନ୍ଧୁବାନ୍ଧିଦିଅ ।’’

 

ଏପରି ମନ୍ତବ୍ୟ ସନାତନକୁ ବଡ଼ ଅଡ଼ୁଆରେ ପକାଇଲା । ଏହାର ଉତ୍ତର ସେ କ’ଣ ଦେଇ ପାରିବ । ତାକୁ ଅସମ୍ଭବ ଲାଗିଲା । ଉତ୍ତର କିଛି ନପାଇ, ନୀରବ ରହିବା ଦେଖି ବିମଳା କହିଲା–

 

‘‘ତାଙ୍କ ସାନଭାଇ ପ୍ରିୟବ୍ରତ ସହ ଆମ ଝିଅର ବିଭାଘର ଠିକ୍ କରୁନ । ମୁଁ ତ କେଉଁ ଦିନରୁ ଏକଥା ଭାବି ମନେମନେ ସ୍ଥିର କରି ରଖିଛି । ଟଙ୍କା ନଦେଲେ ନାହିଁ ସେ ବି କ’ଣ ଟଙ୍କା ଶୁଝିପାରିବେ ଯେ, ଆମେ ଆଶା ରଖିବା, ବା’ଘର କରିଦେବା ପାଇଁ ତୁମେ ପ୍ରସ୍ତାବ ଦିଅ ।’’

 

ସନାତନ ମନକୁ ଏକଥା ପାଇଲା ନାହିଁ । କମ୍ ବଡ଼ ସାହସର କଥା ନୁହେଁ । ସତ୍ୟବ୍ରତବାବୁଙ୍କ ସାନଭାଇ ସହ ସନାତନ ଝିଅର ବା’ଘର ହେବ । ଯିଏ ଶୁଣିବ ସେ ହସିବ । ବାବୁଘରେ ଏକଥା ପକାଇବା ପାଇଁ ତା’ର ତ ସାହସ ନାହିଁ । କେମିତି ଯେ ବିମଳା ପାଟିରୁ ଏଡ଼େବଡ଼ କଥା ବାହାରିଲା, ସେ ଭାବିବାକୁ ଲାଗିଲା ।

 

ଆକାଶକଇଁଆ ଚିଲିକା ମାଛପରି ବିମଳାର ଏ ପ୍ରସ୍ତାବ ମନେ ହେଲା । କିନ୍ତୁ ପ୍ରସ୍ତାବଟି କାର୍ଯ୍ୟକାରୀ ହୋଇପାରିଲେ ଭଲ ହୁଅନ୍ତା ବୋଲି ଭାବିଲା । ହେଲେ ଏଡ଼େ ବଡ଼କଥାଟାକୁ ନେଇ ଆଣି ଥୋଇ ପାରିବ ବା କିଏ ? ଭୂମି ଲାଭ, କନ୍ୟା ଲାଭ, ବର ଲାଭ, ଏସବୁ ଭାଗ୍ୟର କଥା । ମନ କଲେ ତାହା ହୁଏ ନାହିଁ ।

 

ପ୍ରସ୍ତାବଟି ମନ ଭିତରେ ରଖିଲା । ମାତ୍ର ସାହସ ହେଉ ନଥାଏ କହିବାପାଇଁ । ବିମଳା ସନାତନର ଭାବଭଙ୍ଗୀ ଠଉରାଇ ପାରିଲା ।

 

‘‘ବ୍ୟସ୍ତ ହୁଅନି । ଏସବୁ ସ୍ତ୍ରୀ ମହଲରେ ହେବ । ତୁମେ ମୋତେ ଟଙ୍କାଟା ଦିଅ । ମୁଁ ସଙ୍ଗରେ ନେଇ ସତ୍ୟବ୍ରତଙ୍କ ଘରକୁ ଯିବି । ତାଙ୍କ ସ୍ତ୍ରୀଙ୍କୁ ଏ ପ୍ରସ୍ତାବ ଦେବି । ଦେଖିବା, ନହେଲେ ନହେବ । ସେଥିରେ ଯାଏଁ ଆସେ ନାହିଁ । ତେବେ ମୋର ଯାହା ବିଶ୍ଵାସ, ସେମାନେ ରାଜି ହେବେ-। ନହେଲେ ଏତେଗୁଡ଼େ ଟଙ୍କା ଆମକୁ ଶୁଝିବେ କେମିତି ?’’

 

ସନାତନ ଭାବିଲା–କଥାଟା ମନ୍ଦ ନୁହେଁ । ତେବେ ନେଇ ଆଣି ଥୋଇ ପାରିବାଟା ସିନା ଅସଲ କାର୍ଯ୍ୟ, ଖାଲି କହିଦେଲେ ହେବନିତ !

 

ଶଙ୍କିପଡ଼ୁଥାଏ । କମ୍‌ ବଡ଼କଥାଟାଏ ନୁହେଁ ! କେଡ଼େ ବଡ଼ ଗଡ଼ ଜିଣିବାକୁ ଚାହୁଁଛି । ସେଦିନର ସନାତନ, ଆଜି ହେବ ଚୌଧୁରୀ ବଂଶର ପରମ ବନ୍ଧୁ । ତା’ ଝିଅ ହେବ ସେହି ପରିବାରର ଆଦରଣୀୟା କୁଳବଧୂ । କାହିଁ ରାଣୀ, କାହିଁ ଚନ୍ଦ୍ରକାଣୀର ପରିକଳ୍ପନା କରି ବସିଲା । ଏଡ଼େବଡ଼ ଭାଗ୍ୟ କ’ଣ ଏ ଜୀବନରେ ତା’ର ଆସିବ !

 

ଭାବୁଛି, ଭାବିବାର ଅନ୍ତ ନାହିଁ । ସୀମାହୀନ ଏହି ଜୀବନଯାତ୍ରାରେ ମଣିଷ କେତେ ନା କ’ଣ ଭାବିଯାଏ ସିନା, ସବୁ କ’ଣ ଫଳବତୀ ହୁଏ ? ତଥାପି ମଣିଷ ଆଶା ବାନ୍ଧେ, ଆଶାହରା ହୋଇ ରହେନା । ରାବଣ ପରି ସ୍ଵର୍ଗକୁ ସେ ସିଡ଼ି ବାନ୍ଧିବାର ପରିକଳ୍ପନାରେ ତା’ର ଆନନ୍ଦ । ସେ ସଫଳ ନହେଉ ପଛେ, ଆଶାରେହିଁ ତ ମଣିଷ ବଞ୍ଚିରହେ । ସନାତନ ଏହି ସତ୍ୟ–ଦର୍ଶନ ଉପରୁ ଓହରି ଆସିବ ବା କାହିଁକି ?

 

ପୁଣି ବେଳେବେଳେ ନିଜକୁ ପ୍ରଶ୍ନ କଲା–ଏହା ତା’ର ପାଗଳାର ପ୍ରଳାପ ନୁହେଁ ତ !

 

ନଅ

 

ଆଜି ସତ୍ୟବ୍ରତଙ୍କ ଦାଣ୍ଡରେ ଲୋକଗହଳି । ଗାଁଯାକର ଲୋକ ସେଇଠି ରୁଣ୍ଡ ହୋଇଛନ୍ତି । ଦାଣ୍ଡପିଣ୍ଡାରେ ଋଣ ଆଦାୟକାରୀ ଦଳ ବସିଛନ୍ତି । ଯେତେ ଡାକିଲେବି ସୁଦ୍ଧା ସତ୍ୟବ୍ରତ ଘରୁ ବାହାରୁ ନାହାନ୍ତି । ସେ ତ ଉପାୟ ଶୂନ୍ୟ । କାହିଁକି ବା ବାହାରକୁ ଆସିବେ ! ବାହାରକୁ ଆସି ଆଉ କ’ଣ ବା କହିବେ ? ଏମିତି ତ ଅନେକ ଥର କୁହାବୋଲା କହି କୋରକ ବନ୍ଦ କରିଛନ୍ତି । ଆଜି ଆଉ ସେ କିଛି କହିବାପାଇଁ ମନ ବଳାଉନାହାନ୍ତି । ସରକାରଙ୍କ ପ୍ରତିନିଧି ଆଜି ଋଣ ଟଙ୍କା ଦେବାଲାଗି ଜିଦ୍‌ ଧରିଛନ୍ତି । ଯେପରି ହେଉ, ସତ୍ୟବ୍ରତଙ୍କୁ ଋଣ ଟଙ୍କା ପରିଶୋଧ କରିବାକୁ ହେବ । ନଚେତ୍‌ ଚୌଧୁରୀ ବଂଶର ସମ୍ମାନ ପଦାରେ ପଡ଼ିବ ।

 

ନାହିଁନଥିବା କଥା, କେବେ ଘଟି ନଥିବା ଘଟଣା, ତାଙ୍କ ଘରେ ଘଟିବ, ଏକଥା ସେ ବଞ୍ଚି ଥାଉଁଥାଉଁ କ’ଣ ଦେଖିପାରିବେ ! ଚିନ୍ତାରେ ବିବ୍ରତ ହୋଇ ଘରେ ବସିଛନ୍ତି । ଆଜି ଟଙ୍କା ନ ଦେଇ ପାରିଲେ, ଘର କୋରକ କରାହେବ । ନାଗରାବାଲା ବସିଛି । ସତ୍ୟବ୍ରତ ଆଉ ଅଳ୍ପ ସମୟ ଭିତରେ ଟଙ୍କା ପରିଶୋଧର ବ୍ୟବସ୍ଥା ନକଲେ ନାଗରା ବାଜିବ ।

 

କି ଦୃଶ୍ୟ ନ ଘଟିବ ସତେ ! ଯାହାଙ୍କର ବାପା ଏମିତି କେତେଥର ନାଗରାବାଲା ନେଇ ଅସଂଖ୍ୟ ଘର କୋରକ କରିଥିଲେ, ତାଙ୍କରି ପୁଅ ଅମଳରେ ପୁଣି ନିଜ ଘର କୋରକ ହେବ । କମ୍ ନିନ୍ଦାର କଥା ନୁହେଁ ।

 

ଦାଣ୍ଡରେ ଲୋକେ ଛିଛାକର କରୁଛନ୍ତି । ବାପର ନାଆଁକୁ ପୁଅଟା ପୋଡ଼ିଖାଇଲା, ସମ୍ମାନ ରକ୍ଷା କରିବାକୁ ଯୋଗ୍ୟ ହୋଇପାରିଲା ନାହିଁ, ଶେଷରେ ପୁଣି ଅଜଣା ଅଶୁଣା ଲୋକେ ଘରେ ପଶି କୋରକ କରିବେ, ଏମିତି କେତେକଅଣ ଫୁଟୁରୁଫାଟର ହେଉଥାଆନ୍ତି ।

 

ସନାତନ କ’ଣ ଭୁଲିଗଲା ! କାଲି ସଞ୍ଜବେଳେ ଆସିବ ବୋଲି କହିଲା, କାହିଁ ଆସିଲାତ ନାହିଁ ! ବୋଧହୁଏ ଆଉ ସେ ସାହାଯ୍ୟ କରିବାକୁ ଆଗ୍ରହୀ ନୁହେଁ; କେତେ ବା ଆଉ ସାହାଯ୍ୟ କରିପାରିବ ! ଅନେକ ଦେଲାଣି । ବରଂ ନିଜ ତରଫରୁ କଥା ରଖିପାରିନାହାନ୍ତି ବୋଲି ସତ୍ୟବ୍ରତ ଲଜ୍ଜାବୋଧ କରୁଛନ୍ତି । ହେଲେ ସେ ତ ଖବରଟା ଦେଇଯାଆନ୍ତା ? କ’ଣ ଆଉ ତା’ର ଅସୁବିଧା ହେଲା ?

 

ଇତିଶ୍ରୀ ଆଉ କିଛି କହିପାରୁ ନଥାଆନ୍ତି । ପାଟିରୁ କିଛି ଭାଷା ବାହାରିଲା ନାହିଁ ।

 

ଏତିକିବେଳେ ବାଡ଼ିପଟରୁ ଶୁଭିଲା–

 

‘‘ମାଆ ଅଛ ! ଇଆଡ଼େ ଟିକେ ଆସିବ କି ?’’

 

‘‘ଦେଖିଲ, ବାଡ଼ିପଟରେ କିଏ ଡାକୁଛିନା କ’ଣ ମ !’’

 

ଇତିଶ୍ରୀ ତରବର ହୋଇ ବାଡ଼ିପଟ କବାଟ ଖୋଲିଲେ । ତାଙ୍କୁ ଦେଖି ବିମଳା ପ୍ରଣାମଟିଏ ଜଣାଇଲା ।

 

‘‘ଆଲୋ, ତୋତେ ମୁଁ ଚିହ୍ନିପାରୁନି । ତୁ କା’ଘର ବୋହୂ, କହିଲୁ ?’’

 

‘‘ମାଆ, କାଲି ସଞ୍ଜରେ ଇଏ ଆସି ଥାଆନ୍ତେ । ଦେହ ଭଲନାହିଁ, ଆସିପାରିଲେ ନାହିଁ । ଦେହ ଭଲ ହୋଇନି । ଆସିନପାରି ମୋତେ ପଠାଇଛନ୍ତି । ଏଇ ନିଅ, ପଠାଇଛନ୍ତି ଟଙ୍କା ।’’

 

ସନାତନ ଆସି ନପାରି, ତିନିହଜାର ଟଙ୍କା ପଠାଇଛି । କମ୍‌ ବଡ଼ ସାହାଯ୍ୟ ତ ନୁହେଁ; ଏଇବେଳରେ ଏ ଯେଉଁ ସାହାଯ୍ୟ, କେତେ ଯେ ଉପକାରରେ ଲାଗିଲା, ତା’ର କ’ଣ କଳନା ଅଛି ! ମଣିଷ ସମ୍ପର୍କ ରଖେ ବିପଦ ଆପଦରେ ଭରସା ପାଇବାପାଇଁ । ସାମାଜିକ ହୋଇ ରହେ ଏମିତି ଘଡ଼ିସନ୍ଧି ମୁହୂର୍ତ୍ତରେ ବଳ ଓ ସାହସ ପାଇବା ଲାଗି ।

 

ଇତିଶ୍ରୀ ବିମଳା ପାଖରୁ ଟଙ୍କା ଗ୍ରହଣ କଲେ । ଆନନ୍ଦରେ ବିହ୍ଵଳ ହୋଇପଡ଼ି, ସେ ତାକୁ ଘରଭିତରକୁ ଡାକିନେଲେ । ସତ୍ୟବ୍ରତଙ୍କ ହାତରେ ଟଙ୍କା ବଢ଼ାଇ ଦେଇ କହିଲେ–‘ଏବେ ସମାଧାନ କରିଦିଅ । ଦାଣ୍ଡରେ ଲୋକଭିଡ଼ ଆହୁରି ବଢ଼ିଲାଣି ।’

 

ବିମଳା ଲାଜ ଲାଜ ହୋଇ ସତ୍ୟବ୍ରତଙ୍କୁ ପ୍ରଣାମଟିଏ କଲା । ତା’ ଲାଜକରିବା ଦେଖି, ଇତିଶ୍ରୀ ତାକୁ ଆଉ ଗୋଟିଏ ଘରକୁ ନେଇଗଲେ ।

 

ଇତିଶ୍ରୀ ବିମଳାକୁ ବସାଇ ସନାତନର ଭଲମନ୍ଦ ବୁଝିଲେ । ସନାତନର ଏ ଘର ପ୍ରତି ମମତା ଅଛି । ଏ ଘରକୁ ସେ ବହୁତ ଭଲପାଏ । ଭଲ ନପାଇ ପାରିଲେ କିଏ କାହିଁକି ବା ଏତେ ତ୍ୟାଗ ସ୍ଵୀକାର କରିପାରନ୍ତା ! ଆଜି ଯୁଗରେ ଗୋଟେ ପଇସା କିଏ କାହାକୁ ଦେବା କଷ୍ଟକର, ଏତେ ଟଙ୍କା ମାଗିବାମାତ୍ରେ କ’ଣ ମିଳିଯିବା ସହଜ । ସନାତନକୁ ଆମେ କ’ଣ ବା ଦେଇପାରୁଛୁ, ହେଲେ ସେ ଆମ ପରିବାର ଲାଗି କମ୍‌ତ ସାହାଯ୍ୟ ଦେଇନାହିଁ ! ଇତିଶ୍ରୀ ଏହିପରି ଭାବୁ ଭାବୁ ବିମଳା ଧୀରେ ଧୀରେ କହିଲା–

 

‘‘ମା’, ସେ ଆଉ କିଛି ଦେଇଥାଆନ୍ତେ ଯେ, ହେଲେ ସୁବିଧା ହେଲାନି । କାମ ମେଣ୍ଟିଲା ତ ।’’

 

‘‘ସେକଥା ଆଉ କହିବାକୁ ଅଛି । ଏବେଳରେ ଏ ଘରର ସମ୍ମାନ ରଖିଛି ସନାତନ । ଏତେ ତ ପଠାଇଛି, ଆଉ ନହେଲା ନାହିଁ । ଆମ ବାବୁ, ବାକି କେତେ ଟଙ୍କା ନଅଣ୍ଟ ପଡ଼ୁଛି ଚଳାଇ ଦେବେନି ।’’

 

ବିମଳା ଆଉ ବେଶି ସମୟ ବସିବ କାହିଁକି । ଭାବିଲା–‘ଏବେଳରେ ସମସ୍ତେ ବ୍ୟସ୍ତ ଅଛନ୍ତି । ମନର ଅବସ୍ଥା ଭଲନାହିଁ । ଏତିକିରେ ଆଜି ବିଦାୟ ନେବି, ପରେ ପୁଣି ଆସିବି ।’

 

ମା’ ମୁଁ ଯାଉଛି । ପରେ ତେବେ ତାଙ୍କୁ ପଠାଇଦେବି ।

 

ଇତିଶ୍ରୀ ତା’କଥା ନସରୁଣୁ କହିପକାଇଲେ–‘ଇଏ ଗୋଟେ କଥା ! ଏମିତି ଆସି, ଏମିତି କିଏ ଚାଲିଯାଏ । ତୁମ ଘର ସହ ଏ ଘରର ଯେଉଁ ସମ୍ପର୍କ ସେକଥା ତ ଭାଷାରେ କହି ହେବନି । ସନାତନ ଏବେ ଆହୁରି ଏ ସମ୍ପର୍କକୁ ବଢ଼ାଇ ଦେଲା ।’

 

‘ମା’, ସେ ସମ୍ପର୍କ ତ ରହିଛି, ନିଶ୍ଚିତ ରହିବ ।’

 

ବିମଳାଠାରୁ ଏତକ ଶୁଣି ଇତିଶ୍ରୀ ସନାତନ ପାଖରେ ମନେମନେ କୃତଜ୍ଞତା ଜଣାଇଲେ । ୟେ ଦୁନିଆରେ ଏମିତି କେତେ କାହାର କାହା ସହିତ ସମ୍ପର୍କ ରହିଛି । ସମସ୍ତେ ସିନା ସଂପଦରେ ସଖା, ହେଲେ ବିପଦରେ କେତେ ଜଣ ବା ଏପରି ସାହସ ଦେଇ ଠିଆହୁଅନ୍ତି । ଏଇ ଦୁନିଆରେବି ଏପରି ଜଣେ ଜଣେ ଅଛନ୍ତି, ଯାହାଙ୍କ ସହ ସମ୍ପର୍କ ରଖିଲେ ଯୁଗଯୁଗର ରକ୍ତର ସମ୍ପର୍କ ପରି ଅନୁଭବ କରିହୁଏ, ସେମାନଙ୍କ ସଦ୍‌ଭାବ ଓ ବନ୍ଧୁତା ଅଭୁଲା ହୋଇ ରହେ । ସନାତନ ହେଉଛି ସେପରି ଜଣେ ସମ୍ପର୍କର ମଣିଷ, ଯାହାଠି ରକ୍ତର ସମ୍ପର୍କ ଅନୁଭବ କରିହେଉଛି ବୋଲି ଇତିଶ୍ରୀ ମନେକଲେ । ସେ ତାଙ୍କର ଖୁବ୍‌ ନିକଟତର ହୋଇ ଆସିଲା । ତା’ ପ୍ରତି ଥିବା ନ୍ୟୂନଭାବ ଆଉ ରହିଲାନାହିଁ । ସେ ଇତିଶ୍ରୀଙ୍କ ହୃଦୟ ଭିତରେ ଏକ ସ୍ଵତନ୍ତ୍ର ସ୍ଥାନ ଅଧିକାର କଲା । ତା’ର ସ୍ନେହ ଓ ସମ୍ପର୍କର ନିଷ୍ଠାପାଇଁ ସେ ତାଙ୍କଠାରେ ପ୍ରିୟ ହୋଇ ଯିବାକୁ ଲାଗିଲା । ପ୍ରଥମ ସାକ୍ଷାତରେ ବିମଳାର ବ୍ୟବହାର, ଆଚାର, ବିଚାର ଓ ଭାବିଚିନ୍ତି କଥା କହିବାର ଢଙ୍ଗଢ଼ାଙ୍ଗ ତାଙ୍କୁ ସନ୍ତୁଷ୍ଟ କଲା । ତାକୁ ସେ ଆପଣାର କରି ପକାଇଲେ । ଗୋଟାପଣେ ସେ ବି ତାଙ୍କର ହୋଇଯିବାକୁ ବସିଲା ।

 

‘‘ସମ୍ପର୍କ ଥରେ ଯୋଡ଼ି ହୋଇଗଲେ, ତାହା କ’ଣ ସହଜରେ ଆଉ ଭାଙ୍ଗିଯାଏ ! ତୁମ ଘର ସହ ଆମର ଯେଉଁ ସମ୍ପର୍କ, ତାହା ତ ଆଜି ନୁହେଁ, ଅନେକ ଦିନର । ସେସବୁ ସନାତନ କହିବ-।’’

 

–ମୁଁ ଜାଣିଛି ସେସବୁ । ନ ଜାଣିଥିଲେ ମୁଁ କ’ଣ ଆସିଥାଆନ୍ତି !

 

ଇତିଶ୍ରୀ ବିମଳା କଥାରେ ସନ୍ତୁଷ୍ଟ ତ । ଏବେ ସେ ଗୋଟାପଣେ ତା’ର ହୋଇଗଲେ । ସବୁ ଶ୍ରଦ୍ଧା ବିମଳା ଉପରେ ଅଜାଡ଼ି ପକାଇଲେ । କେଉଁ ଦିନରୁ ଦେଖି ନଥିବା ଆପଣା ଲୋକକୁ ହଠାତ୍ ଦେଖିନେଲେ, ମନରେ ଯେଉଁ ଭାବ ସଞ୍ଚାର ହୁଏ, ବିମଳାକୁ ପାଇ ଇତିଶ୍ରୀ ଠିକ୍ ସେପରି ଭାବବିହ୍ଵଳ ହୋଇପଡ଼ିଲେ ।

‘‘ଯେତେବେଳେ ଆସିଛୁ ଝିଅ, ଆଉ କ’ଣ କଥାଟା ସମାଧାନ ନହୋଇ ରହନ୍ତା । କେଉଁ ଜନ୍ମରେ ତୁମେ ଦୁହେଁ ଆମର ନିଶ୍ଚିତ ବନ୍ଧୁ ଥିଲ । ନହେଲେ ଏତେ ମମତା କାହିଁକି ଲାଗୁଛି !”

‘ମା’ ମମତା କ’ଣ କେହି ଲଗାଏ । ତାହା ତ ଆପେଆପେ ଆସେ । ମୁଁ ତ ଭାବୁଛି ଆହୁରି ମମତା ଲାଗି ଆସିଲାଣି ।’

‘‘ଠାକୁରେ କରନ୍ତୁ ଝିଅ, ଆମ ଭିତରେ ସେହି ସମ୍ପର୍କ ରହିଥାଉ । ଚା’ ଟିକେ ଖା ।’’

‘‘ମା’ ମୁଁ ଚା’ ତ ଖାଏନାହିଁ । ଥାଉ, ଆଉ କେବେ ଖାଇବିନି ।’’

‘‘ତୁ କେଉଁଠି ଆସୁଛୁ ଯେ, ଖିଆପିଆ ଚାଲିବ ! ଆସିଲେ ଗଲେ ସିନା ସମ୍ପର୍କଟା ରହିବ-।’’

‘‘ମା’, ମୁଁ ତ ସେଇଆ ଭାବୁଛି । ଏମିତି କରିଦେବା, ଯାହାକି ଯିବା ଆସିବା ଖିଆପିଆ ଲାଗି ସବୁଦିନେ, ଗୋଟେ ସମ୍ପର୍କ ଲାଗି ରହିବ ।

‘‘ଇତିଶ୍ରୀ କଥା କିଛି ବୁଝି ପାରୁ ନଥାଆନ୍ତି । କଥା ନା କଥା, ଏମିତି ଭାବରେ ଶୁଣି ଶୁଣି ସମୟ କଟାଉଛନ୍ତି । କହିଲେ ତୁ ଆସି କିଛି ଟିକେ ନଖାଇ ଚାଲି ଯିବାଟା ମୋତେ କାହିଁକି ଭଲଲାଗୁନି । ହେଲେ ସର୍ବତ ଟିକେ ଖା ମା’ ।’’

 

–ମୋପାଇଁ ବ୍ୟସ୍ତ ହେବାର କିଛି ନାହିଁ । ମୁଁ ତ ନିଜ ଲୋକ । ଯିବା ଆସିବା ଲାଗିଲା, ଏ ଘରୁ କ’ଣ ଖାଇବିନି ।

 

‘‘ଆରେ ସୁରିଆ, ସର୍ବତ ଗ୍ଲାସେ ଆଣିଲୁ ।’’

 

ବିମଳା ବ୍ୟସ୍ତ ହୋଇପଡ଼ିଲା । ‘‘ସର୍ବତ କ’ଣ ହେବ ! ନ ହୋଇଥିଲେ କ’ଣ ହୋଇ ନଥାନ୍ତା’’ ବୋଲି କହିଲା ।

 

ଇତିଶ୍ରୀ ତା’ ଉପରେ ଶ୍ରଦ୍ଧା ଅଜାଡ଼ି ଦେଇଥିବାବେଳେ, ଚର୍ଚ୍ଚାର ଅଭାବ ହେଉଛି ବା କେମିତି ! ସିଏ ତ ଆଜି ଆଉ ଅନ୍ୟ କେହି ନୁହେଁ । ତାଙ୍କ ଘରେ ଜଣେ ବନ୍ଧୁ ଭାବରେ ଉପସ୍ଥିତ । ଇତିଶ୍ରୀ ତାକୁ ଆପଣାର ଜଣେ ବନ୍ଧୁ ଭାବି ନେଇଛନ୍ତି । ଏତେବେଳେ ତା’ ଚର୍ଚ୍ଚାର ଅବହେଳା ହେବାର ନୁହେଁ ।

 

ସୁରିଆ ଏଇ ଚୌଧୁରୀ ଘରେ କାହିଁ କେଉଁ ଦିନରୁ ରହିଲାଣି । କେତେ ଝଡ଼ ବର୍ଷା ଓ କାକର ସେ ସହିଲାଣି । ପିଲାଟି ଦିନରୁ ରହିଆସିଛି ଛାଡ଼ି ଯାଇ ପାରିନି ! କ’ଣ ବା ତା’ର ଅଛି ଆଉ, କେଉଁଠାକୁ ବା ସେ ଯିବ ? ଘରସଂସାର ସବୁ ତା’ର ଏଇ ସତ୍ୟବ୍ରତଙ୍କ ଘର ।

 

ସର୍ବତ ଆଣି ପହଞ୍ଚିଲାମାତ୍ରେ, ଇତିଶ୍ରୀ ନିଜେ ନେଇ ବିମଳାକୁ ଦେଲେ । ସୁରିଆକୁ ବଡ଼ ବାଧିଲା । ଆଖି ତା’ର ଆଜି କ’ଣ ନ ଦେଖିଲା ! ମୁହଁତ ଖୋଲି ପାରିବ ନାହିଁ । ଆଖି ବୁଜିଦେଇ ଚାଲିଗଲା; କିନ୍ତୁ ବିମଳା ଏଥିରେ ଗର୍ବ ଅନୁଭବ କଲା । ତା’ ସ୍ଵାମୀ ଦିନେ ଏମିତି ଚର୍ଚ୍ଚା ଏ ଘରୁ ପାଇନି । ଏତେ ସମ୍ମାନର ଅଧିକାରୀ ହୋଇପାରି ନାହିଁ । ସନାତନର ସମ୍ମାନପାଇଁ କେହି ଟିକେ ଏଠି ଚିନ୍ତା କରନ୍ତି ନାହିଁ । ସେ ଯେ ଜଣେ ମଣିଷ, ତା’ର ଯେ ସମ୍ମାନ ରହିଛି, ଏହା ପ୍ରତି ଯେପରି କାହାରି ନଜର ନଥାଏ । ସବୁ ବିମଳା ଶୁଣିଛି । କର୍ମର ଫଳ ବୋଲି ଭାବିନେଇଛି । ଆଜି ସେ ନିଜ ପାଖରେ ବିସ୍ମିତ ହେବନି ବା କିପରି !

 

ସତ୍ୟବ୍ରତ ବଙ୍ଗଳାରୁ କହିଲେ–‘‘କ’ଣ ଏମିତି ଗପି ଚାଲିଥିବ ନା, କିଛି ଖିଆପିଆ ହେଲାଣି ! ଆଉ ସନାତନର ହାଲ୍‌ଚାଲ୍‌ କ’ଣ ? କେତେ ଟଙ୍କା ଆମ ଉପରେ ତା’ର ହେଲା, କିଛି ହିସାବ ଦେଇଛି ।’’

 

ବିମଳା ଲାଜ ଲାଜ ହୋଇ ଧୀର ଗଳାରେ କହିଲା–‘‘କ’ଣ କହୁଥିଲେ ସେମିତି ସାଧାରଣ ହିସାବରେ ସୁଧ ମୂଳ ମିଶି ଆଠ ହଜାର ହେଲାଣି ବୋଲି, ସେପାଇଁ କାହିଁକି ଚିନ୍ତା କରୁଛନ୍ତି !’’

 

ସତ୍ୟବ୍ରତ ଆଉ କିଛି କହିବା ପୂର୍ବରୁ ଇତିଶ୍ରୀ କହିପକାଇଲେ–ଚିନ୍ତା ହେବନି ! ଆଜି ଏ ଯୁଗରେ ଏତେଗୁଡ଼ାଏ କିଏ କାହାକୁ ଦେଉଛି ବା । ଶୁଝିପାରିଲେ ତ ହୁଏ । ଆଗରୁ ଦେଇଛି । ପୁଣି ପ୍ରିୟବ୍ରତ ପାଇଁ ଯେତେବେଳେ ଯାହା ଦରକାର ତା’ଠୁଁ ଆସୁଛି । ଆଜି ତ ସହଜେ....’’

 

‘‘ଏମିତି କ’ଣ ବନ୍ଧୁବାନ୍ଧବ ଭିତରେ ହୁଏନାହିଁ । ଘର କରିଥିଲେ କେତେ ଧାର ଉଧାର ହୁଏ । ପ୍ରିୟବ୍ରତବାବୁଙ୍କ ପାଠପଢ଼ା ପାଇଁ ଟଙ୍କା ଧାରହୋଇଛି । ଶୁଝାଯିବ । ଆମକୁ ନଦେଲେ କ’ଣ ଆମେ କିଛି କହିବୁ ! ବନ୍ଧୁବାନ୍ଧବ ସମ୍ପର୍କରେ ସବୁ ଚଳେ ।’’

 

‘‘ଏମିତି ସମ୍ପର୍କ ତ ମୁଁ ଦୁନିଆରେ ଦେଖିନାହିଁ । ଏ ଟଙ୍କାଗୁଡ଼ାକ ଦିଆଯିବ, କେମିତି ମୁଁ ସେଇକଥା ଭାବୁଛି । କେମିତି ଏଥିରୁ ମୁକ୍ତି ମିଳିବ ! ଆଉ କିଏ ହୋଇଥିଲେ ତ କ’ଣ ବୋଲି କ’ଣ କରିସାରନ୍ତାଣି । ସନାତନ ବୋଲି ରକ୍ଷା ।’’

 

‘‘ଏ ସବୁ କ’ଣ କହୁଛନ୍ତି ! ତୁମ ମୁହଁରେ ଏକଥା କ’ଣ ଶୋଭା ପାଉଛି ! ଏମିତି କହି ଆମକୁ ଦୂରେଇ ଦେଉଛନ୍ତି କାହିଁକି ? ବାବୁଙ୍କ ଅବସ୍ଥା କ’ଣ ଆମକୁ ଜଣାନାହିଁ ! ସେ କ’ଣ ଏତେଗୁଡ଼େ ଟଙ୍କା ଦେଇପାରିବେ ଯେ, ଆମେ ପାଇବାପାଇଁ ଆଶା ରଖିବୁ ?’’

 

ଏତକ କଥାରେ ଇତିଶ୍ରୀ କୁଣ୍ଢାଇ ପକାଇଲେ ବିମଳାକୁ । ଦୁଇ ଆଖିରୁ ତାଙ୍କର ଲୁହ ବହି ଚାଲିଲା । ଭାଷା ଆଉ ବାହାରୁନାହିଁ । କ’ଣ କହି ବିମଳାକୁ ପ୍ରଶଂସା କରିବେ ! ଏଣେ ହୃଦୟରେ ଆଘାତ । ପୁଣି ପାଖରେ ଜଣେ ଉପକାରୀ ବନ୍ଧୁର ପତ୍ନୀ । ମଥା ବିଚଳିତ ହୋଇଗଲା ।

 

ସତ କଥା, ଏତେଗୁଡ଼ାଏ ଟଙ୍କା ଦେଇପାରିବା କେବେ ସମ୍ଭବ ନୁହେଁ । କେମିତି ବା ଦେବେ ! କେଉଁଠୁଁ ଆଉ ଆସିବ । ଗହଣାଗାଣ୍ଠି ସବୁ ଯାଇଛି । ଜିନିଷପତ୍ର ଘରେ ଯାହା ଥିଲା, ସେସବୁ ଶେଷ ହୋଇଯାଇଛି । ଜମିବି କିଛି ବିକା ସରିଲାଣି । ଆଉ ତ ଜମି ବିକି ହେବନି । ସେତକ ଯାହା ସମ୍ବଳ । ତାକୁ କ’ଣ ବିକିଦେଇ ଭାତ ଦି’ଟା ପାଇଁ ପର–ଦ୍ଵାରେ ହାତ ପତାଇବେ ! ସେହି ଜମିକୁ ଚାହିଁ ବଞ୍ଚିଛନ୍ତି । ତା’ ଉପରେ ହାତ ବା ଦେବେ କିପରି ! ଉପାୟ ଶୂନ୍ୟ ଭାବରେ ଇତିଶ୍ରୀ ବିମଳାକୁ ଚାହିଁଲେ ।

Unknown

 

ବିମଳା, ଇତିଶ୍ରୀଙ୍କ ଆଖିରୁ ନିଜ ଶାଢ଼ିରେ ଲୁହ ପୋଛିଦେଲା ।

 

ଇତିଶ୍ରୀଙ୍କୁ ଆଉ ସମ୍ଭାଳେ କିଏ ? କୋହ ପରେ କୋହ ଉଠିବାକୁ ଲାଗିଲା । ଅଧୈର୍ଯ୍ୟ ହୋଇପଡ଼ିଲେ ।

 

ବିମଳା ବୁଝାଇବାକୁ ଲାଗିଲା । କେତେକଅଣ କହି ସାନ୍ତ୍ୱନା ଦେଲା । ଇତିଶ୍ରୀ ନିଜ କର୍ମଫଳ ଭୋଗକରିବାକୁ ହେବ ବୋଲି ମନେମନେ ଭାବୁଥାଆନ୍ତି ।

 

ପୋଡ଼ାକପାଳ । ବିମଳା ପୁଣି ଆସି ତାଙ୍କ ଲୁହ ପୋଛିଦେଉଛି, ତାଙ୍କୁ ବିମଳା ଆସି ସାନ୍ତ୍ୱନା ଦେଲା । ଏହାଠାରୁ ଦୁର୍ଭାଗ୍ୟର କଥା ଆଉ କ’ଣ ବା ଥାଇପାରେ । ସବୁକୁ ତ ସହିବାକୁ ହୋଇଛି । ଏଇଟା ବା କି ବଡ଼କଥା ଯେ, ସେ ସହ୍ୟ କରିପାରିବେନାହିଁ । ଆଜି ମନଭିତରୁ ସବୁ ଅହଂକାର ଚାଲିଯାଇଛି । ସାଧାରଣ ମଣିଷ ସମାଜରେ ସେ ନିଜକୁ ଜଣେ ବୋଲି ଭାବୁଛନ୍ତି । ବିମଳା ଯେ ଆଜି ତାଙ୍କର ଏକମାତ୍ର ସାହାଯ୍ୟକାରିଣୀ, ସେହି ଯେ ତାଙ୍କର ସାଥୀ, ଏହା ତାଙ୍କୁ ଆଉ ଭାବିବାକୁ ପଡ଼ିଲାନାହିଁ । ତାକୁ ଯେମିତି ଆଉ ମୁହୂର୍ତ୍ତେ ଛାଡ଼ିଦେବାକୁ ମନ ହେଲାନାହିଁ । ସବୁ ଯାଇ ଘରର ସମ୍ମାନ ଟିକକ ଆଜିବି ଚାଲିଯାଉଥିଲା । ଆଉ ମାତ୍ର ଅଳ୍ପ ସମୟ । ନାଗରା ବାଜିପାରିଲା ନାହିଁ, ସାଇପଡ଼ିଶା ଥଟ୍ଟା କରିବାକୁ ସୁଯୋଗ ପାଇନାହାନ୍ତି । ସ୍ଵାମୀଙ୍କର ଇଜ୍ଜତ ରକ୍ଷାହୋଇଛି । ବିମଳାଠୁ ଆଉ ଅଧିକ ବଡ଼ ସାଥୀ ଯେପରି ସେ ଆଉ ଜୀବନରେ ପାଇବେ ନାହିଁ-। ସନାତନ କେଉଁ ଜନ୍ମରେ ତାଙ୍କର କିଭଳି ଉପକାରୀ ଭାବରେ ଜନ୍ମିଥିଲା, ତାହା ସେ ଭାବିପାରିଲେ ନାହିଁ । ବିମଳାକୁ ଆଖି ମଳି ମଳି ଚାହୁଁଥାଆନ୍ତି ।

 

‘‘କିଛି ଭାବନି । ବନ୍ଧୁ ବନ୍ଧୁକୁ ସାହାଯ୍ୟ କରେ । ବିପଦରେ ଛାତି ପତାଇ ଦିଏ । ଅସୁବିଧାରେ ସାହସ ଦିଏ । ସେଇଥିପାଇଁତ ବନ୍ଧୁ ବନ୍ଧା ଯାଇଥାଏ ।’’

 

‘‘ବିମଳା ! ଏମିତି ବନ୍ଧୁ ଆଉ କାହିଁ, ଯେକି ନବା ନାଁ ନଧରି, ଖାଲି ଦେଉଥିବ । ଧନ୍ୟ ଆମର ବନ୍ଧୁତା । ଧନ୍ୟ ଆମର ସମ୍ପର୍କ ।’’

 

‘‘ଏ ବନ୍ଧୁତା ଆମର ବଞ୍ଚିରହୁ, ଆମର ଆଉ କିଛି ଦରକାର ନାହିଁ ।’’

 

‘‘କିଏ ଆଉ କହୁଛି ଏମିତି ଏ ବନ୍ଧୁତା ତୁଟିଯାଉ ବୋଲି । ଏମିତି ବନ୍ଧୁ କ’ଣ ଜୀବନରେ ମିଳେ ! କେତେ ତପସ୍ୟା ପରେ ଏପରି ଘରେ ସିନା ବନ୍ଧୁତା ବାନ୍ଧି ହୋଇପାରେ । ଆମେ ତ ଭଗବାନ । ସନାତନ ଆଉ ତୋ’ପରି ବନ୍ଧୁକୁ ଆମ ଜୀବନରେ ପାଇଛୁ । କେମିତି ବା ତୁମେ ଆମର ଏ ଦୁଃଖ ଆଉ ଆମର ଦୁର୍ଦ୍ଦଶାକୁ ବୁଝିପାରିଲ !’’

 

‘‘ଦୁଃଖଦୁର୍ଦ୍ଦଶା ମଣିଷ ହୋଇ କ’ଣ ବୁଝି ହେବନାହିଁ ! ଆହୁରିବି ବୁଝିବୁ । ସମ୍ପର୍କ ଆମର ଦୃଢ଼ ହୋଇ ରହୁ । ବନ୍ଧୁତା ଆହୁରି ନିକଟତର ହେଉ ।’’

 

‘‘କାହିଁକି ନିକଟତର ହେବ ବିମଳା । କ’ଣ, ଅସୁବିଧା ତ କିଛି ନାହିଁ ?’’

 

–ଆମେ ଯଦି ଗୋଟାଏ ସୂତାରେ କିଛି ପରସ୍ପରକୁ ବାନ୍ଧି ପାରନ୍ତେ, ତେବେ ସବୁଦିନ ପାଇଁ ତ ସମ୍ପର୍କ ଆମର ଦୃଢ଼ ହୋଇରହନ୍ତା ! ଆମେ ତାହା କରିବାନି କାହିଁକି ?’’

 

ବିମଳାଠାରୁ ଏତକ ଶୁଣିଲା ପରେ, ଇତିଶ୍ରୀ ଆନନ୍ଦିତ ହୋଇ ଉଠିଲେ । ଏ ବନ୍ଧୁତା ଜୀବନରେ ସିଏ ଆଉ ପାଇବେ ନାହିଁ । ଟଙ୍କା ଦେଇ, ନେବାପାଇଁକି ଯିଏ ଆଶା ରଖିନାହିଁ, ଟଙ୍କା କରଜ ଦେବା ଯାହାର ବ୍ୟବସାୟ ହୋଇଥିବାବେଳେ, ଏଠି ବ୍ୟବସାୟକୁ ଯିଏ ଭୁଲିଯାଇଛି, ତା’ଠୁ ଆଉ ପରମ ବନ୍ଧୁ କ’ଣ ଏ ଜୀବନରେ ସେ ପାଇପାରିବେ ? ତେବେ ତା’ ସହ ବନ୍ଧୁତା ବାନ୍ଧିବାରେ ଆପତ୍ତି କାହିଁକି ରହିବ !

 

‘‘ବନ୍ଧୁତା ଯେପରି ହେଲାଣି, ଏ ସମ୍ପର୍କ କ’ଣ ସହଜରେ ଛିଡ଼ି ପାରିବ ବିମଳା !’’

 

‘‘ଛିଡ଼ାଇବାକୁ ଦେବ ବା କାହିଁକି ? ବନ୍ଧୁତା କଥାରେ ନରହି କାର୍ଯ୍ୟରେ ପରିଣତ ହୋଇଗଲେ ତ ଭଲ ହୁଅନ୍ତା ।’’

 

‘‘କିଏ ତ ମନା କରୁନି, ଏବେ ଯିବା ଆସିବା, ଖିଆପିଆ ଲାଗିଲା ତ । ଆମେ ଯାଇ କେବେ ତୁମ ଘରେ ପହଞ୍ଚିଯିବୁ । ସମ୍ପର୍କ ରହିବନି କାହିଁକି ?’’

 

‘‘ସେମିତି ଯିବା ଆସିବାରେ କ’ଣ କିଛି ଥାଏ ! ସବୁଦିନ ପାଇଁ ଗୋଟାଏ କିଛି ରକ୍ତର ସମ୍ପର୍କ ସମ୍ବନ୍ଧ କରିବାକୁ ମୁଁ ଭାବୁଛି ।’’

 

‘‘ସମ୍ପର୍କ ତ ସ୍ଥାପିତ ହେଲାଣି, ଏବେ ତାକୁ ବଞ୍ଚାଇବା କଥା ।’’

 

–ମୁଁ ଭାବୁଛି କ’ଣ କି, ପ୍ରିୟବ୍ରତକୁ ଆମ ଘରେ ଜ୍ଵାଇଁ କରିନେଲେ ସବୁଦିନେ ତ ସମ୍ପର୍କ ଆମର ରହନ୍ତା । ଦେବାନେବା ଚାଲିବ । ସୁବିଧା ଅସୁବିଧାରେ ଆମେ ଠିଆ ହେବୁ । ସେତେବେଳେ ଆଉ କେହି ତ କିଛି କହିପାରିବେ ନାହିଁ । ଏବେ ସିନା ଆମେ ଯଦି ଟଙ୍କା ସାହାଯ୍ୟ ଦେବୁ, ବାହାରେ ଭିନ୍ନ ରୂପରେ ପ୍ରଚାର ହେବ । ହେଲେ ସେତେବେଳେ ଯାହା ଆମେ ଦେଲେ, ଆଉ ତ କେହି କିଛି କହିବାର ନଥିବ । ବନ୍ଧୁ ହୋଇଯିବା । ବନ୍ଧୁ କ’ଣ ବନ୍ଧକୁ ସାହାଯ୍ୟ ଦିଏନାହିଁ ।”

 

ଇତିଶ୍ରୀ ହଠାତ୍‌ କିଛି ଉତ୍ତର ଦେଇପାରିଲେ ନାହିଁ । କଥାଟାକୁ ଭାବିଲେ । ଚାରିଆଡ଼କୁ ବିଚାର କଲେ । ପ୍ରସ୍ତାବଟା ମନକୁ ନେଲେ । ଉତ୍ତର କିଛି ନ’ପାଇ ବିମଳା କହିଲା–‘‘ବା’ଘରତ ନିଶ୍ଚୟ ଦିନେନା ଦିନେ ହେବ । ଆଉ ତେବେ ଏତେ ଚିନ୍ତା କାହିଁକି ! ଆମେତ କମ୍‌ବି ଯୌତୁକ ଦେବୁନାହିଁ ! ଋଣ ଭାରରେ ବୁଡ଼ି ରହିଥିବା ଲାଗି ମନ ବା’ଘର ଲାଗି ବଳୁନି ବୋଧେ । ହଉ ୠଣ ଟଙ୍କା ଭୁଲିଯାଅ । ଆମେ ମାଗିବୁ ନାହିଁ । କେଉଁଠି କ’ଣ ଋଣ ହୋଇଛି କୁହ, ଆମେ ଶୁଝିଦେବୁ । ବା’ଘରପାଇଁ ତୁମର ଟଙ୍କା ଖର୍ଚ୍ଚ ହେବନି । ମାଛ ତେଲରେ ମାଛ ଭଜାଯିବ । ଆଗତୁରା ଆମେ ତୁମକୁ ଟଙ୍କା ଯେତେହଜାର ଚାହିଁବ ଦେଇଦବୁ । ଆଉ ତେବେ ଅସୁବିଧା କ’ଣ ?’’

 

ହଁଟିଏ ମାରିଦେଲେ କଥାଟା ଶେଷ ହୋଇଯିବ । ଥରେ ହଁ ମାରି ପୁଣି କଥା ଉପରେ ନା କହିବା ଯେତିକି ସହଜ, ସେତିକି ମଧ୍ୟ ଲଜ୍ଜାଜନକ ବ୍ୟାପାର । ତେଣୁ ଭାବିଚିନ୍ତି ହଁଟିଏ ମରା ନଯିବ କାହିଁକି ? ଇଏତ ଆଉ ରାଜନୈତିକ ନେତାଙ୍କ ‘ହଁ’ ନୁହେଁ । ଏହା ହେଉଛି ଜୀବନ–ଯାତ୍ରାର ରାଜିନାମା ।

 

ଇତିଶ୍ରୀ ନୀରବ ରହିବା ଦେଖି ବିମଳା ସନ୍ଦେହ କଲେ । କହିଲା–‘‘ଏଥିରେ ଭାବିବାର କିଛି ନାହିଁ । ତୁମମାନଙ୍କର ଇଚ୍ଛା, ବାବୁଙ୍କୁ ପଚାର । ମୁଁ ଯାଉଛି ।’’

 

ଏଥର ଇତିଶ୍ରୀ ଭାବି ବସିଲେ । ବିମଳାର ପ୍ରସ୍ତାବ ଏଡ଼ି ହେବନି । ଆମକୁ ସନାତନ ଅନେକ କାଳରୁ ବଞ୍ଚାଇଛି । କେଡ଼େ ଉପକାରୀ ସତେ ! ତା’ ଝିଅ ସହ ପ୍ରିୟବ୍ରତର ବା’ଘରରେ ଅସୁବିଧା ନାହିଁ । ବରଂ ଲାଭବାନ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ହେଲେ ଏତକ କଥା ଯେ, ତା’ର ବଂଶମର୍ଯ୍ୟାଦା ନାହିଁ । ନଥିଲେ ନଥାଉ । ବଂଶମର୍ଯ୍ୟାଦାକୁ ଆଜି ଯୁଗରେ କିଏ ଅବା ଧୋଇ ଖାଉଛି ? ଏହାକୁ ଏତେ ଗୁରୁତ୍ଵ ଦେବାରେବି ଲାଭ ! ଯାହାଠି ଟଙ୍କା ଅଛି, ସବୁ ଅଛି । ଆମେ ତା’ର ଧାରୁଆ । ଏତେଗୁଡ଼ାଏ ଟଙ୍କା ଶୁଝିବା କେବେ ଆମ ପକ୍ଷରେ ସମ୍ଭବପର ନୁହେଁ । ଏମିତି ବନ୍ଧୁ ବନ୍ଧା ହୋଇଗଲେ ଆହୁରି ହୁଏତ ଏ ଧାର ଟଙ୍କା କଥା ଆଉ ଉଠି ନପାରେ । ଏମିତି ସେ ସବୁଆଡ଼କୁ ଭାବିଲା ।

 

‘‘ପ୍ରସ୍ତାବଟା ମନ୍ଦ ନୁହେଁ । ମୋ ମନରେ ରହିଲା । ମୁଁ ବ୍ୟବସ୍ଥା କରିବି ।’’

 

ବିମଳା ତା’ ପ୍ରସ୍ତାବ ଉପରେ ନାସ୍ତିବାଣୀ ଶୁଣିଲା ନାହିଁ । ଏ କଥାଟାକୁ ଇତିଶ୍ରୀ ଗ୍ରହଣ କରିଛନ୍ତି । ଆଜି ନହେଉ । କାଲି ନହେଉ । ଏମିତି ସତ୍ୟବ୍ରତଙ୍କ ଘରେ ପ୍ରସ୍ତାବଟା ଥାଉ । କେବେହେଲେ ହେବ ତ ! ଏତେ ସମ୍ପର୍କର ପ୍ରସ୍ତାବଟା ଯେ କେବେ କାଟ ଖାଇବ, ବିମଳା ବିଶ୍ଵାସ କରି ପାରିଲା ନାହିଁ ।

 

‘‘ମୁଁ ଯାଉଛି । ଯାହା କହିଲିନି, ଦେଖିବେ ।’’

 

‘‘ଏଥିରେ ସନ୍ଦେହ କରିବାର ଅଛି । ମୁଁ କ’ଣ ଭୁଲିଯିବି ଭାବୁଛ ! କେବେ ନୁହେଁ । ବିମଳା ମହାକାଶ ଅଭିଯାନ କଲାପରି ମନେକଲା । କମ୍‌ ବଡ଼ ସାହସ ନେଇ ସେ ଏପରି ପ୍ରସ୍ତାବକୁ ଦେଇନାହିଁ ! ଏକଥା ମୁହଁରୁ ଖୋଲିକରି କହିବା କ’ଣ ଏତେ ସହଜ ! ବାବୁଙ୍କ ମନକୁ କେମିତି ଯିବ । ଏ କଥାକୁ ସେ କିଭଳି ଗ୍ରହଣ କରିବେ, ଏହା ଭାବି ଭାବି ଘରକୁ ଫେରିଲା ।

 

ଦାଣ୍ଡ ଦ୍ୱାରେ ସତ୍ୟବ୍ରତ ଅନ୍ୟ କାହା ସଙ୍ଗେ କଥା ହେଉଥାନ୍ତି । ଇତିଶ୍ରୀ ବିମଳାକୁ, ବାଡ଼ିପଟେ ବିଦାକଲେ । ବିଦାୟବେଳେ ପରସ୍ପର ପ୍ରତି ପରସ୍ପରର ଆନ୍ତରିକତା ଭୁଲିବାର ନୁହେଁ । ସମ୍ପର୍କ ଘନେଇ ଆସିଲା, ମଣିଷ ସହଜରେ ଆଉ ଜଣକୁ ବିଦାୟ ଦେଇ ପାରେନା । ସେହି ବିଦାୟରେ ଥାଏ କେତେ ଆନ୍ତରିକତା, କେତେ ସ୍ନେହ, କେତେ ଆବେଗ ଆଉ କେତେ କାରୁଣ୍ୟ ସତେ !

 

ବିମଳା ଯାଉଥାଏ । ଇତିଶ୍ରୀ ତାକୁ ଚାହିଁ ଚାହିଁ ଭାବିଲେ । ମଣିଷର ଭାଗ୍ୟ ପତର ତଳେ, କି ପଥର ତଳେ ଏକଥା କ’ଣ ତାକୁ ଜଣାଥାଏ । ସନାତନର ଝିଅ ହେବ ଏ ଘରେ ବୋହୂ ! ଉପାୟ ନାହିଁ । ମନା କରି ହେବନାହିଁ । ଟଙ୍କା ଶୁଝିବାର ଉପାୟ ବା କାହିଁ ? ଏମିତି ହେଲେ ସନାତନ ଖୁସି ହେଉ । ଟଙ୍କା କେଇଟା ଛାଡ଼ ମିଳିବ, ଆଉ ପରେ ପୁଣି ଆଶା ଅଛିତ ।

 

ପୁଣି ଭାବିନେଲେ–ପ୍ରିୟବ୍ରତ ପାଠୁଆ । ସେ ଯଦି ଶିକ୍ଷିତା ଝିଅଟିଏ ବିଭା ହୁଏ, ତେବେ ତାଙ୍କ ସହିତ ତ ତାଳ ମେଳାଇ ଚାଲିବା ସହଜ ହେବ ନାହିଁ । ତାଙ୍କ କଥା ମାନି ତାଙ୍କ ଅଧୀନରେ ସିନା ସାନବୋହୂ ରହିବା କଥା ! ମାତ୍ର ଏମିତି ଝିଅ ମିଳିବା ସେତେଟା ସହଜ ନୁହେଁ । ଆଜି ଯୁଗର ପାଠୋଇ ଝିଅଙ୍କୁ ବୋହୂ କରିବା ଯେତିକି ଆନନ୍ଦର କଥା, ତାଙ୍କୁ ନେଇ ଚଳି ନପାରିଲେ, ପରିବାରର ଅଶାନ୍ତି ତା’ଠୁଁ ଅଧିକ ଯନ୍ତ୍ରଣାଦାୟକ । ତାଙ୍କର ଧାରଣା–ଅପାଠୋଇ ଝିଅଟିଏ, ଘରକାମକୁ ଯୋଗ୍ୟ ହେବ । ସେବା ଶୁଶ୍ରୂଷା କରିବ ! ତାଙ୍କୁ ବଡ଼ ଯା’ ବୋଲି ମାନ୍ୟ କରିବ । ସମସ୍ତଙ୍କୁ ନେଇ ଚଳିବ–ଘରର ଗୁମର ପଦାରେ ଖୋଲିବ ନାହିଁ । ବୋହୂଟିଏ ପରି ଚଳିବ । ଶିକ୍ଷିତା ଝିଅ ଆସିଲେ, ସେ ତା’ ପାଠପାଇଁ ଗର୍ବ କରିବ । ଚାକିରି ଲାଗି ମନ ବଳାଇବ । ଘର କାମରେ ମନ ରହିବ ନାହିଁ । ସେବା ଶୁଶ୍ରୂଷା ତ ଦୂରର କଥା । ନିଜେ ତ ଅଶିକ୍ଷିତା କହିଲେ ଚଳେ-। କେମିତି ହେଲେ, ନାଁ ଦସ୍ତଖତ ଆଉ ଚିଠି ଦି’ଧାଡ଼ି ସିନା ଲେଖିବା ଶିଖି ନେଇଛନ୍ତି, ନହେଲେ ପାଠ କାହିଁ ? ଅବଶ୍ୟ ପା’ଜଣଙ୍କ ସହ ମିଳାମିଶା କରି କଥା କହିବାର ଆଦବକାଇଦା ତାଙ୍କୁ ଜଣାଅଛି । ଆଧୁନିକ ଶିକ୍ଷିତା ଝିଅକୁ ତାଙ୍କର ବଡ଼ ଡର । ବହୁ ଘୃଣା ! ସେମାନେ ଘର କାମକୁ, ଗୁରୁଜନଙ୍କ ସେବା ଶୁଶ୍ରୂଷାପାଇଁ ଉପଯୁକ୍ତ ନୁହନ୍ତି ବୋଲି ତାଙ୍କର ସବୁବେଳେ ଧାରଣା ।

 

ଇତିଶ୍ରୀ ବଡ଼ ବୋହୂ । ସାନବୋହୂ ତାଙ୍କଠାରୁ ସବୁଗୁଣରେ ନ୍ୟୁନ ହେଉ, ତାଙ୍କର ଇଚ୍ଛା-। ସେପାଇଁ ସନାତନର ଝିଅ ଲକ୍ଷ୍ମୀ କଥା ତାଙ୍କ ମନକୁ ପାଇଲା । ଲକ୍ଷ୍ମୀ ଅଶିକ୍ଷିତା– ଅସୁନ୍ଦରୀ-। ପାଠ ଓ ରୂପପାଇଁ ଗର୍ବର ପ୍ରଶ୍ନ ଉଠୁନି । ଏ ଘରେ ବୋହୂ ହେଲେ, ଠିକ୍‌ ସାନବୋହୂ ପରି ସାଜିବ-। ତାଙ୍କ ଅଧୀନରୁ ଯାଇପାରିବ ନାହିଁ । କୋଉ କାମକୁ ପଛାଇବ ନାହିଁ । ସକାଳୁ ସଞ୍ଜ ପର୍ଯ୍ୟନ୍ତ ଆଖିବୁଜି ଖଟିବ । ଆପତ୍ତି ନଥିବ । ତାଙ୍କୁ ଘରକାମ ପାଇଁ ଚିନ୍ତା କରିବାକୁ ହେବନି । ନିତି ସେ ତା’ଠାରୁ ସେବା ପାଇବେ ! ଆଉ କିଏ ଆସିଲେ, ଏତେ ସେବା କ’ଣ କରିପାରିବ ! ଏମିତି କ’ଣ କଥା ମାନି ଚଳିବ ! ଗାଉଁଲି ଝିଅ–ସହର ସଭ୍ୟତାର ଛାପ ତା’ ଉପରେ ପଡ଼ିନି । ଘରେ ରହିବା ତା’ର ସାର ହେବ । କେଉଁଠାକୁ ଯିବାପାଇଁ ମନ ବଳିବ ନାହିଁ । ଘରକୁ ଘର ଭାବିବ । ସନାତନର ଝିଅ ଏ ଦୃଷ୍ଟିରୁ କେବେ ଖରାପ ହୋଇ ନଥିବ । ନିଜର ଲୋକ–ସବୁ ସୁବିଧା ଅସୁବିଧା ବାପଘରେ କହିହେବ । ଝିଅର ଭୟ ରହିବ । ଏ ଘର ପ୍ରତି ତା’ ବାପ ମାଆଙ୍କର ସମ୍ମାନ ଅଛି, ଝିଅ ପୁଅ କ’ଣ ଏଥିରୁ ବାଦ ହୋଇଯିବେ ! ସେମାନଙ୍କରବି ଏ ଘର ପ୍ରତି ସମ୍ମାନ ରହିବ–ଶ୍ରଦ୍ଧା ରହିବ-। ମମତା ରହିବ । ତାକୁ ବୋହୂ କରି ଆଣିବାରେ ଅସୁବିଧା ବା କ’ଣ ? ଅପରିଚିତା ଝିଅକୁ ବୋହୂ କରି ଆଣିବା ଅପେକ୍ଷା, ପରିଚିତା ଝିଅକୁ ବୋହୂ କରି ଆଣିବା ଯେ ଅନେକ ଦୃଷ୍ଟିରୁ ଭଲ, ଏହା ଇତିଶ୍ରୀ ଭାବିନେଲେ ।

 

ମନକଥା ମନରେ ରହିଲା । କେମିତି ବାବୁଙ୍କ କାନକୁ ଯିବ, ତାହା ସେ ଭାବୁଥାଆନ୍ତି ।

 

ଦଶ

 

ସେଦିନ ସତ୍ୟବ୍ରତଙ୍କ ଘର ଆଗରେ କୋରକ ନାଗରା ବାଜିଲା ନାହିଁ ସିନା, କିନ୍ତୁ ଇତିଶ୍ରୀଙ୍କ ମନରେ ସବୁଦିନେ ଚିନ୍ତାର ନାଗରା ବାଜୁଛି । କେମିତି ଏ ଚିନ୍ତାରୁ ମୁକ୍ତ ହେବେ, ସେ କିଛି ସ୍ଥିରକରି ପାରୁନାହାନ୍ତି । ସବୁବେଳେ, ଦିନରାତି ସେ ଚିନ୍ତା କରୁଛନ୍ତି ।

 

ଚାହୁଁଚାହୁଁ ଏତେଗୁଡ଼ାଏ ଟଙ୍କା ଯେ ସତ୍ୟବ୍ରତ ଧାର କରି ପକାଇଛନ୍ତି, ସେ ତାହା ଜାଣି ମଥାରେ ହାତ ଦେଲେ । କମ୍‌ ପରିମାଣର ତ ନୁହେଁ । କେବଳ ସନାତନ ନୁହେଁ, ଆହୁରିବି ଜଣେ ଦି’ଜଣଙ୍କ ପାଖରୁ କିଛି କିଛି ଧାର ଆସିଛି । ଏହାଛଡ଼ା ହାତ ଉଧାରି ଆହୁରି ରହିଛି ।

 

ଯୁଆଡ଼କୁ ଚାହିଁଲେ ଅନ୍ଧାର ! ମୁକ୍ତିର ଆଲୋକ ଦିଶୁନାହିଁ । କୁଆଡ଼େ ବା ଯାଇପାରିବେ-! ଏଇ ଘରେ ରହିବାକୁ ହେବ । ସଂସାର ଦେଖିବାକୁ ପଡ଼ିବ । ପିଲାମାନଙ୍କୁ ମଣିଷ କରିବାକୁ ହେବ–ସବୁ ନିଜକୁ ସମାଧାନ କରିବାକୁ ହେବ ।

 

ଏବେ ଇତିଶ୍ରୀ ଧାର ଉଧାର ଓ ଘରର ଅନ୍ୟାନ୍ୟ ଖବର ଅନ୍ତର ସବୁ ବୁଝିଲେଣି । ଏହା ଦେଖି ସତ୍ୟବ୍ରତ ସାମାନ୍ୟ ଆଶ୍ୱସ୍ତ ମନେ କରୁଛନ୍ତି । ଯାହାହେଉ ଯେମିତି ହେଲେ, ସନାତନର ଧାରଟା ତୁଟାଇ ଦେଲେ ଭଲ ହୁଅନ୍ତା । ମୁହଁ ଖୋଲି ସେ କିଛି କହିପାରୁନି ସିନା, ହେଲେ କିନ୍ତୁ ଇତିଶ୍ରୀଙ୍କୁ ମାଡ଼ି ମାଡ଼ି ପଡ଼ିଲାଣି । ତାଙ୍କ କାନକୁ ଆସିଲାବେଳୁ ସେ ଏପାଇଁ ଅସ୍ଥିର ହେଉଛନ୍ତି ! ସମାଧାନ ପାଇଁ ବାଟ ଖୋଜି ନିରାଶ ହୋଇଛନ୍ତି । ତଥାପି ସେ ଉପାୟ ଚିନ୍ତା କରିବାରେ ଲାଗିଛନ୍ତି । କାଳେ ସତ୍ୟବ୍ରତ ଏହା ଭିତରେ କିଛି ଉପାୟ ସ୍ଥିର କରିଥିବେ, ଏହା ଭାବି ଇତିଶ୍ରୀ କହିଲେ–

 

‘‘କ’ଣ କିଛି ଚିନ୍ତାକଲ ? କେତେଦିନ ଆଉ ସନାତନ ଟଙ୍କାଟା ଆମ ଘରେ ପଡ଼ିବ ! ଏହା ତ ଆଦୌ ଭଲନୁହେଁ !’’

 

ସତ୍ୟବ୍ରତ ଖବରକାଗଜ ପଢ଼ା ବନ୍ଦକରି ସବୁ ଶୁଣୁ ଥାଆନ୍ତି । ଇତିଶ୍ରୀ ଆଜି ସିନା ଏପରି ଭାବୁଛନ୍ତି, କିନ୍ତୁ ସେ ଅନେକ ଦିନରୁ ଭାବି ଆସୁଛନ୍ତି । କିଛି ସେ ଉପାୟ ପାଇପାରି ନାହାନ୍ତି-। ଟଙ୍କା ଋଣ ତାଙ୍କ ମଥା ଉପରେ ବୋଝ ହୋଇଛି । ମାତ୍ର ବୋଝ ଚାଲିଯିବା ଭଳି କିଛି ଭାବି ହୋଇନି । ଏତେବେଳେ କ’ଣ ବା ଆଉ ଉତ୍ତର ଦେବେ ! ନୀରବ ରହିବା ଛଡ଼ା ଅନ୍ୟ ଉପାୟ ମିଳିଲା ନାହିଁ ।

 

ଇତିଶ୍ରୀ, ସତ୍ୟବ୍ରତଙ୍କ ନୀରବ ରହିବା ଦେଖି କହିଲେ–ଏମିତି ନୀରବ ରହିଲେ କାର୍ଯ୍ୟ ସମାଧାନ ହେବନି ତ ! ଏଲାଗି ଆମକୁ ଲାଗିବାକୁ ହେବ । ଯେପରି ହେଉ, ସଂସାର ଚଳାଇବାକୁ ହେବ । ଋଣ ଶୁଝିବାକୁ ପଡ଼ିବ । ପ୍ରିୟବ୍ରତର ବାହାଘର କରିବାକୁ ହେବ–ପିଲାମାନଙ୍କୁ ମଣିଷ କରିବାକୁ ପଡ଼ିବ, ସବୁକଥା ଆମକୁ ବୁଝିବାକୁ ହେବ ।

 

ସବୁ କାମ ଭିତରେ ପ୍ରିୟବ୍ରତର ବାହାଘର କଥାଟା ଯେ ଏକ କାମ ବୋଲି ଇତିଶ୍ରୀ ଭାବିଲେଣି, ଏହା ଜାଣି ସତ୍ୟବ୍ରତ ଖୁସି ହେଲେ । ସମୟ ସୁଅରେ ମଣିଷ ପରିବର୍ତ୍ତିତ ହୁଏ, ତା’ର ଆଚାର ବ୍ୟବହାର ପରିବର୍ତ୍ତନ ହୋଇଯାଏ । କାଳକ୍ରମେ ସବୁ ଓଲଟପାଲଟ ହୋଇଯାଏ, ଏହା ବୁଝିବାପାଇଁ ସତ୍ୟବ୍ରତଙ୍କୁ ବେଶି ସମୟ ଲାଗିଲା ନାହିଁ ।

 

ପ୍ରିୟବ୍ରତର ପରୀକ୍ଷା ସରିଲାଣି । ଏବେ ସେ ଘରକୁ ଚାଲି ଆସିବ । ଘରେ ରହି ପରୀକ୍ଷା ଫଳକୁ ଅପେକ୍ଷା କରିବ । ତା’ପରେ ଚାକିରି ବ୍ୟବସ୍ଥା । ଜୀବନର ଏକ ଅଧ୍ୟାୟ ଶେଷ ହୋଇ ନୂତନ ଅଧ୍ୟାୟ ଆରମ୍ଭ ହେବ । ଇତିମଧ୍ୟରେ ତା’ ବିବାହ କାର୍ଯ୍ୟ ଶେଷ କରିଦେବା ଉଚିତ । କାହିଁକି ଆଉ ସେ କାମଟା ରହିବ !

 

ସତ୍ୟବ୍ରତ ଇତିଶ୍ରୀଙ୍କ କଥାଟାକୁ ଗ୍ରହଣ କଲେ । ଚୌଧୁରୀ ବଂଶ ବୋଲି ନାଁ ଡାକ ରହିଛି । ସବୁ ଚାଲିଗଲେବି ସୁଦ୍ଧା, ନାଁଟା ଯାଇନାହିଁ । ପଡ଼ିରହିଛି । ତେଣୁ ବାହାଘର ସେପରି ଜାକଜମକରେ ହେବା ଉଚିତ । ନହେଲେ ସମ୍ମାନ ରହିବ ନାହିଁ । ମାତ୍ର ଏବେଳରେ ବାହାଘର କରିବା ତାଙ୍କ ପକ୍ଷରେ ଆଦୌ ସମ୍ଭବ ନୁହେଁ । ଏପାଇଁବି ମନ ମରିଯାଏ ।

 

ମନେମନେ ଏମିତି ଭାବୁଥାଆନ୍ତି । ଇତିଶ୍ରୀ ପୁଣି କହିବା ଆରମ୍ଭ କଲେ ।

 

ଉପାୟ ତୁମେ ସିନା ବାହାର କରିପାରିନ, ‘‘କିନ୍ତୁ ମୁଁ ସନାତନ ଟଙ୍କା ଧାରରୁ ମୁକ୍ତି ପାଇବାର ବ୍ୟବସ୍ଥା କରିସାରିଛି ।’’

 

ଅଦିନରେ ବର୍ଷା ହେଲେ, ମାଟି ଉପରେ ଯେପରି ଭିନ୍ନ ପ୍ରତିକ୍ରିୟା ସୃଷ୍ଟି ହୁଏ, ଠିକ୍‌ ସେମିତି ସତ୍ୟବ୍ରତଙ୍କ ମନ ଭିତରେ ଭିନ୍ନ ପ୍ରତିକ୍ରିୟା ଦେଖାଗଲା । ବିସ୍ମିତ ହୋଇ ସେ ଇତିଶ୍ରୀଙ୍କ ଆଡ଼କୁ ଚାହିଁଲେ । କେମିତି ଏହା ସମ୍ଭବ ହେଲା, କିଛି ହଠାତ୍‌ ଭାବିପାରୁ ନାହାନ୍ତି ।

 

ସତ୍ୟବ୍ରତ କହିଲେ–କ’ଣ କହୁଛ, ସତରେ ମୁଁ କିଛି ତୁମ କଥାର ରହସ୍ୟ ଠଉରାଇପାରୁନାହିଁ । ଏହା ସତ କି ମିଛ ତା’ ମଧ୍ୟ ଭାବିହେଉନି ।

 

–ବିଶ୍ଵାସ କର କି ନକର ଏହା ସତ ଯେ, ସନାତନ ଆମକୁ ଟଙ୍କା ଆଉ ମାଗିବ ନାହିଁ । ଆମ ଉପରେ ସବୁଯାକ ଟଙ୍କା ସେ ଛାଡ଼ିଦେବ ।

 

ଏତକ କଥା ଶୁଣି ସତ୍ୟବ୍ରତ ଚମକି ପଡ଼ିଲା । ଏହା କିପରି ସମ୍ଭବ ବୋଲି ଭାବି ବସିଲେ । ଟଙ୍କା ଧାର ଉଧାର ଦେବା ତା’ର ବ୍ୟବସାୟ । କାହାକୁ ଟଙ୍କା ଛାଡ଼ିବା କଥା ନୁହେଁ । ଏତେଗୁଡ଼ାଏ ଟଙ୍କା କାହାକୁ ସେ ଦେବାର ନୁହେଁ । ମୁହଁ ମୁହ୍ଲାଜା ଏଡ଼ି ନ ପାରି ଦେଇଛି । ଅନେକ ଦିନବି ହୋଇଗଲାଣି । ସୁଧ ମୂଳବି ଏତେ ହେଲାଣି । କେମିତି ବା ଛାଡ଼ିଦେଇ ପାରିବ ! ଶହେ ପଚାଶ ଭିନ୍ନ କଥା । ହଜାର ହଜାର ଟଙ୍କା କିଏ ଛାଡ଼ିଲାଣି !

 

ସତ୍ୟବ୍ରତ ଏପରି କେତେକଅଣ ଭାବିଲେ । ଇତିଶ୍ରୀଙ୍କ କଥାଟାକୁ ବୁଝିବା ସହଜ ହେଲା ନାହିଁ । ଉପାୟ କି ସ୍ଥିରକରି ଏପରି ସିଦ୍ଧାନ୍ତ ନେଇଛନ୍ତି ବୋଲି ପଚାରିଲେ ।

 

‘‘ବୁଝିଲ, ସନାତନ କେଉଁ ଯୁଗରେ ଆମର କ’ଣ ରକ୍ତ ସମ୍ପର୍କୀୟ ଆତ୍ମୀୟ ଥିଲା । ନହେଲେ ଏ ଯୁଗରେ ଏତେ ସମ୍ପର୍କ ଲାଗୁଛି କାହିଁକି ? ତା’ ସ୍ତ୍ରୀ ବିମଳା ତ ଆହୁରି ସମ୍ପର୍କ ଲଗାଇ ଦେଲାଣି । ସେ ତ ଟଙ୍କା ଉପରେ ଗୁରୁତ୍ଵ ଦେଉନି ।’’

 

‘‘ଆଉ କ’ଣ କହୁଥିଲା କି ?’’

 

‘‘କ’ଣ ଆଉ କହିବ ବା ! ସେ ତ ଆମ ସାଙ୍ଗରେ ବନ୍ଧୁ ଯୋଡ଼ିବାକୁ ଆଗ୍ରହୀ ।’’

 

ସତ୍ୟବ୍ରତ ଏତକ ଶୁଣି ଗୁମ୍ ମାରିଗଲେ । ଆଖିରେ ଲୁହ କୁଆଡ଼ୁ ଆସି ଜମିଗଲା । ଆଖି ଲୁହକୁ ହାତରେ ପୋଛି ଆଣିଲେ । ପୁଣି ଆସି ଲୁହ ଜକେଇ ଗଲା । କମ୍‌ ବଡ଼ ସାହସ ନୁହେଁ-। ସନାତନ ଚୌଧୁରୀ ବଂଶରେ ବନ୍ଧୁ ଯୋଡ଼ିବ, ଅଧୈର୍ଯ୍ୟ ହୋଇ ପଡ଼ିଲେ । ନିଜକୁ ଚାପିରଖି କହିଲେ–

 

‘‘ସେ କ’ଣ ଅନ୍ତର ଖୋଲି କହୁଛି ?’’

 

–‘‘ସେ କହୁ କି ନକହୁ, ମୁଁ ତ ରାଜି ହେଉଛି । ଯଦି ତାଙ୍କ ସହିତ ବନ୍ଧୁ ନ ଯୋଡ଼ିବ, ସେ ଋଣ ଟଙ୍କା ଚୁକ୍ତିପାଇଁ ଜିଦ୍‌ ଧରିବେ । ଦେଇ ପାରିବ ତ !’’

 

ଅସଲ କଥାଟାକୁ ଇତିଶ୍ରୀ ଉଖାରି ଦେଲେଣି । ସତ୍ୟବ୍ରତଙ୍କର ଆଉ ବୁଦ୍ଧି ଦିଶିଲାନାହିଁ । ପାଗଳ ପରି ହୋଇଗଲେ । ଟଙ୍କା କେଇଟାପାଇଁ ଆଜି ତାଙ୍କର ଆଭିଜାତ୍ୟ ଯାଉଛି । ବଂଶମର୍ଯ୍ୟାଦା ନଷ୍ଟ ହେଉଛି । କୁଳରେ କଳଙ୍କ ଲେପା ହେବ । ଲୋକେ କହିବେ କ’ଣ ! ଏମିତି ହେଲା, ଶେଷରେ ସନାତନ ଘରେ ଚୌଧୁରୀ ବଂଶ ବନ୍ଧୁ ବାନ୍ଧିଲେ ! ଲୋକଦେଖାଣିଆ, ଜାତିଭାଇ, ସମାଜ ଓ ପରିବେଶ ପାଇଁ କେତେକଅଣ ଭାବିଲେ ।

 

ଇତିଶ୍ରୀ ସତ୍ୟବ୍ରତଙ୍କ ମାନସିକ ଅସ୍ଥିରତାକୁ ବୁଝିପାରିଲେ । ସେ ଜାଣି ଜାଣି ଏପରି କହୁନାହାନ୍ତି । ଇଚ୍ଛା ବିରୁଦ୍ଧରେ ଏପରି ସିଦ୍ଧାନ୍ତ ନେଉଛନ୍ତି । ଅନ୍ୟ ଉପାୟ କିଛି ନଥିବାରୁ ଏହା କରାଯିବା କଥା, ଇତିଶ୍ରୀ ବୁଝାଇବାକୁ ଲାଗିଲେ ।

 

ସତ୍ୟବ୍ରତ ପଦଟିଏବି କିଛି କହିବାକୁ ଅକ୍ଷମ ମନେକଲେ ।

 

–ଆଉ ଭାବି ଭାବି ମୁଣ୍ଡ ଖରାପ କରିବା ଠିକ୍‌ ନୁହେଁ । ସନାତନ ବଡ଼ ଝିଅ ଲକ୍ଷ୍ମୀ ଆମ ଘରେ ବୋହୂ ହେବ । ଏଥିରେ ପ୍ରିୟବ୍ରତକୁ ରାଜି କରାଅ । ଗୋଟେ ଗୋଟେ ସମସ୍ୟା ସମାଧାନ କର । ଏଠି ଜାତି, ଗୋତ୍ର ଆଭିଜାତ୍ୟ ସବୁକୁ ଭୁଲିବାକୁ ହେବ । ସତ୍ୟବ୍ରତ ଜାତିରେ ବିଶ୍ଵାସ କରନ୍ତି ନାହିଁ । ଗାନ୍ଧୀବାଦୀ ଭାବରେ ଜାତି ବୋଇଲେ ମଣିଷ ଜାତି ବୋଲି ଭାବନ୍ତି । ଛୁଆଁ ଅଛୁଆଁ ଭାବ ଦେବତା ସୃଷ୍ଟି କରିନାହାନ୍ତି । ତାଙ୍କ ଦୃଷ୍ଟିରେ ସମସ୍ତେ ସମାନ । ସମସ୍ତଙ୍କୁ ସେ ଗୋଟିଏ ଦୃଷ୍ଟିରେ ଦେଖନ୍ତି । ମଣିଷ ଏହି ଜାତିଭେଦ, ଛୁଆଁ ଅଛୁଆଁ ସୃଷ୍ଟି କରିଛି । ଏହା ଜାତିଭେଦ ପ୍ରତି ସତ୍ୟବ୍ରତଙ୍କର ଗୁରୁତ୍ଵ ନାହିଁ । ହେଲେ......

 

ସତ୍ୟବ୍ରତ ପୁଣି ଭାବିଲେ । କ’ଣ କହି ଇତିଶ୍ରୀଙ୍କୁ ବୁଝାଇବେ ।

 

ଇତିଶ୍ରୀ ଯେଉଁ ଦୃଷ୍ଟିରୁ ପ୍ରସ୍ତାବ ଆଣୁଛନ୍ତି ତାହା ବାସ୍ତବତା ଦୃଷ୍ଟିରୁ ଯଥାର୍ଥ; କିନ୍ତୁ ଆଭିଜାତ୍ୟକୁ ବଳିଦେବାକୁ ହେଉଥିବା ଦୃଷ୍ଟିରୁ ସେ ଚିନ୍ତିତ । ବହୁ ଭାବି ଭାବି କହିଲେ–ମୋର ଏଥିରେ କିଛି କହିବାକୁ ନାହିଁ । ତେବେ ସବୁ ନିର୍ଭର କରୁଛି ପ୍ରିୟବ୍ରତ ଉପରେ । ତାକୁ ତୁମେ ରାଜି କରାଅ ।

 

ଇତିଶ୍ରୀ ଏଥର ବିରକ୍ତ ହୋଇଗଲେ ।

 

‘‘ଭଲ କଥା ତ କହୁଛ ! ଭାଇ ଭାଇ ବୋଲି ପାଣି ପିଉନ । ତା’ପାଇଁ ସର୍ବସ୍ଵ ତ୍ୟାଗ କଲଣି । ଏତେ ସମ୍ପର୍କ–ଏତେ ମମତା–ଏତେ ଶ୍ରଦ୍ଧା, ଏହା ଉପରେ ଏହି କଥାଟା ନେଇ ଆଣି ଥୋଇପାରିବ ନାହିଁ ।’’

 

ପୁଣି ସତ୍ୟବ୍ରତଙ୍କ ମଥା ଉପରେ ବଜ୍ର ପଡ଼ିଲା । ଏଡ଼େ ବଡ଼କଥାଟାଏ । କେମିତି ବା ସେ ମୁଣ୍ଡ ଦେଖାଇ ପାରିବେ ! ପ୍ରିୟବ୍ରତ ତ ତାଙ୍କର ଭାଇ, ସବୁ କଥା ସେ ମାନିଆସିଛି । ଭାଇ କଥାରୁ ସେ ଏଯାଏଁ ବାହାରି ଯାଇନି; ମାତ୍ର ଆଜି ଏକଥାଟା ଭିନ୍ନ । ଏହା ଉପରେ ପ୍ରିୟବ୍ରତର ପୂର୍ଣ୍ଣ ସ୍ଵାଧୀନତା ରହିଛି । ସେ ସଂସାର କରିବ–ନୂଆ ଦୁନିଆ ଗଢ଼ିବ, ଏଥିରେ ଅନ୍ୟ ଜଣେ କିପରି ବା ହସ୍ତକ୍ଷେପ କରିପାରିବ ! ସେଥିପାଇଁ ସେ ଯେଉଁ ବା’ଘର ପ୍ରସ୍ତାବ ଉପରେ ଆଗେଇବେ ବୋଲି ଭାବୁଥିଲେ, ନୀରବ ରହିଯାଇଛନ୍ତି । ତେବେ ପ୍ରିୟବ୍ରତ ଯେ ସତ୍ୟବ୍ରତଙ୍କ କଥାରୁ ଓହରି ଯିବ, ଏହା ସେ ବିଶ୍ଵାସ କରନ୍ତି ନାହିଁ; ମାତ୍ର ସତ୍ୟବ୍ରତଙ୍କ ମନଲାଖି ହେବା ଦରକାର । ତାଙ୍କ ମନକୁ ପାଇଲେ ସିନା ସେ ପ୍ରିୟବ୍ରତକୁ ପ୍ରସ୍ତାବ ଦେବେ ! ଏଠି ତ ଭିନ୍ନ କଥା ।

 

ସତ୍ୟବ୍ରତ କହିଲେ–‘‘ତୁମେ ଭାଉଜ ଭାବରେ ପ୍ରସ୍ତାବ ଦେଉନ ।’’

 

‘‘ମୁଁ କହିବାଟା ଖରାପ ହେବନି ଯେ, ହେଲେ ମୂଳରୁ ଯଦି ସେ ମନା କରିଦିଏ, ତେବେ ଶୁଭ କାର୍ଯ୍ୟଟା ଅଶୁଭ ହୋଇଯିବ ! ମୋ’ କହିବା କଥା, ପ୍ରସ୍ତାବଟା ମନ୍ଦ ହେବନି । ସେମାନେ ଖୁବ୍ ଜିନିଷପତ୍ର ଦେବେ । ନଗଦ ଟଙ୍କାବି ଦେବାକୁ ରାଜି ଅଛନ୍ତି । ଆଉ କେଉଁଠି ବା’ଘର କଲେ ଏତେ ମିଳିବ ବା !’’

 

‘‘ଟଙ୍କା କଥାଟା ବଡ଼ ନୁହେଁ ଯେ, ମୁଁ ଅନ୍ୟ କଥା ଭାବୁଛି ।’’

 

‘‘ଆଉ କ’ଣ ଭାବିବ ମ ! ଆମକୁ ଋଣ ମୁକ୍ତହେବାକୁ ହେବ । ସନାତନ ଘର ସହ ବନ୍ଧୁ ବାନ୍ଧିବାକୁ ପଡ଼ିବ । ଏଥିରୁ ଦ୍ୱିତୀୟ କଥା ନାହିଁ । ନହେଲେ ଋଣ ଭାରରେ ଯେମିତି ବୁଡ଼ିଲେଣି, ଏଥିରୁ ତ୍ରାହି ମିଳୁଛି କିପରି !’’

 

‘‘କଥାଟା ତ ସତ୍ୟ । ହେଲେ ତୁମେ କ’ଣ ଏତେଦୂର ଆଗେଇ ଗଲଣି ?’’

 

‘‘ଆଉ ଆଗେଇଛି କ’ଣ ମ ! ଏମିତି ବିମଳା ପ୍ରସ୍ତାବଟିଏ ଦେଉଥିଲା, ମୁଁ ତୁମକୁ ପଚାରିବା ପାଇଁ ଅପେକ୍ଷା କରିଥିଲି । ମନ୍ଦ ହେବନି ଭାବୁଛି ।’’

 

‘‘ଏକଥାବି କହି ହେବନି । କାରଣ କଥାରେ ଅଛି–ଯା’ବର ଯା’କନିଆ । ପ୍ରିୟବ୍ରତ ପାଇଁ ସନାତନର ଝିଅ ଯଦି ନିର୍ଦ୍ଦିଷ୍ଟ ହୋଇଥାଏ, ତେବେ ତାକୁ ଅନ୍ୟଥା କରିବ ବା କିଏ ?’’

 

ଇତିଶ୍ରୀ ସତ୍ୟବ୍ରତଙ୍କଠାରୁ ସମ୍ପୂର୍ଣ୍ଣ ଜବାବ ଦେବା ଉଦ୍ଦେଶ୍ୟରେ ଅପେକ୍ଷା କରି ରହିଲେ-। ପ୍ରସ୍ତାବଟାକୁ ବୋଧହୁଏ ସତ୍ୟବ୍ରତ ହାଲୁକା ଭାବରେ ଗ୍ରହଣ କରୁଛନ୍ତି ବୋଲି ଇତିଶ୍ରୀ ମନେକଲେ । ତାହା ଉପରେ ଅଧିକ ଗୁରୁତ୍ଵ ଦେଇ କହିଲେ–ସନାତନ ସହ ଆମର ଯେଉଁ ସମ୍ପର୍କ ଏଥିରେ ତ ଆଉ ନାହିଁର ପ୍ରଶ୍ନ ଉଠୁନି । ପୁଣି ଆମେ ତା’ଦ୍ୱାରା ଉପକୃତ । ସବୁ ଆଡ଼କୁ ଭାବିବାକୁ ତ ହେବ ।

 

ଏଥର ସତ୍ୟବ୍ରତ ମନକୁ ବୁଝାଇଲେ । ଇତିଶ୍ରୀ ଯାହା କହୁଛନ୍ତି ପରିବାରର ମଙ୍ଗଳପାଇଁ-। ଏଥିରେ ରାଜି ହୋଇଗଲେ, ବିଶେଷ କିଛି କ୍ଷତି ହେବନି ଦେଖିଲେ ।

 

ମଣିଷ ଅସୁବିଧାରେ ପଡ଼ିଥିଲାବେଳେ, ଅନିଚ୍ଛା–ସତ୍ତ୍ୱେ ଅନେକ କାର୍ଯ୍ୟକୁ କରେ । ଏହା କରିବାକୁ ବାଧ୍ୟ ହୁଏ । ଏହା ବିଧିର ନିର୍ଦ୍ଦେଶ ପରି ମନେହୁଏ । ସତ୍ୟବ୍ରତ ଚାରିଆଡ଼ୁ ବାନ୍ଧି ହେଲାପରି ଅନୁଭବ କଲେ । ନିଃସ୍ଵ ମନେକରି ଆଉ କିଛି ଭାବିଲେ ନାହିଁ । ପ୍ରିୟବ୍ରତକୁ ବୁଝାଇବା ଦାୟିତ୍ଵ ବହନକଲେ ।

 

ଇତିଶ୍ରୀ, ସତ୍ୟବ୍ରତଙ୍କର ମନ ପରିବର୍ତ୍ତନରେ ଖୁସି ହୋଇ ଘର ଭିତରକୁ ଯାଉ ଯାଉ କହିଲେ–‘‘ସେତେବେଳୁ କ’ଣ ଖବରକାଗଜ ପଢ଼ା ସରିନି ! ନିତ୍ୟକର୍ମ ସାରୁନ ।’’

 

ସତ୍ୟବ୍ରତଙ୍କ ଖବରକାଗଜ ପଢ଼ା ସରି ନଥାଏ । ଆଉ କିନ୍ତୁ ପଢ଼ିପାରିଲେ ନାହିଁ । ଦେଶ ବିଦେଶର ଖବର ପଢ଼ିବା ବନ୍ଦ କରି, ନିଜ ଅବ୍ୟକ୍ତ କାହାଣୀକୁ କହି ନିଜେ ନିଜେ ଶୁଣିବାକୁ ଲାଗିଲେ ।

 

ହୀନ କପାଳ ! ବାପା ମରିଲା ପରେ ପରେ, ଜମିଦାରୀ ଯାଇଥିଲା । ସମ୍ପତ୍ତି ବାଡ଼ି କମି ଆସୁଛି । ଆୟ ବୋଲି କିଛି ନାହିଁ । କେବଳ ବଂଶମର୍ଯ୍ୟାଦାଟା ଥିଲା । ତାହାବି ଯିବାକୁ ବସିଛି । ଶେଷରେ ସନାତନ ବେହେରାର ଝିଅ ହେଲା ଏ ଘରର କୁଳବୋହୂ । ପ୍ରିୟବ୍ରତ ପରି ପାଠୁଆ ସୁନ୍ଦର ପୁଅର ସେ ହୋଇପାରିଲା ପତ୍ନୀ । ଭାଗ୍ୟର ବିଚାର ନୁହେଁ ତ ଆଉ କ’ଣ ?

 

ପ୍ରିୟବ୍ରତକୁ ବୁଝାଇବାକୁ ହେବ । କ’ଣ ବୋଲି କହି ତାକୁ ମୁଁ ଏ ପ୍ରସ୍ତାବ ଦେବି ! ତା’ରିପାଇଁବି ଅନେକ ଟଙ୍କା ସନାତନଠୁଁ ୠଣ ଆଣିଛି । ହେଲେ ଏ କଥା କ’ଣ ମୁହଁ ଖୋଲି କହିପାରିବି ! ବିବେକ ବିରୁଦ୍ଧରେ ଯାଇ କେମିତି ଅବା ମୁଁ ଏ ବିଷୟ ତାକୁ ଶୁଣାଇ ପାରିବି । ମୁହଁ କ’ଣ ଖୋଲିପାରିବି । ମୁଁ ତା’ ଭାଇ । ଭାଇ ହୋଇ, ଭାଇକୁ ଗୋଟାଏ ଅପାତ୍ରୀପାଇଁ ପ୍ରସ୍ତାବ କେମିତି ଦେବି ! ଭାଇ ମୋତେ ଭାବିବ କ’ଣ ? ଅତି ବାଧ୍ୟରେ ହୁଏତ ହଁଟାଏ ମାରିବ ସିନା, ହେଲେ ଚିରଦିନ ପାଇଁ ମୋତେ ଦୋଷ ଦେବନି ତ ? ଗୋଟାଏ ଅଯୋଗ୍ୟ ପୁରୁଷ ମୁଁ । ତା’ପରି ଶିକ୍ଷିତ, ରୂପବାନ୍ ଓ ଗୁଣବାନ୍‍ର ଭାଇ ହେବାର ଯୋଗ୍ୟତା କ’ଣ ମୋର ଅଛି ! ଜାଣି ଜାଣି ଯେଉଁ ଭାଇ ଇଚ୍ଛା ବିରୁଦ୍ଧରେ, ବିବେକ ବିରୁଦ୍ଧରେ ଯାଉଛି, ସେ ଆଉ ଭାଇ ବୋଲି କହି କାହିଁକି ଗର୍ବ କରିବ ! ତା’ପାଇଁ ଏତେ ସ୍ନେହ ଦେଇଛି, ଏତେ ଆବେଗ ଢାଳିଛି–ସବୁ ଅସୁବିଧାକୁ ତା’ରି ଲାଗି ବରଣ କରିଛି । ଆଜି ଶେଷରେ ତା’ ମନରେ ଆଘାତ ଦେଉ ନାହିଁତ ?

 

ନିରୁପାୟ । ନିଃସହାୟ ।

 

ସବୁ ବୋଝରୁ ମୁକ୍ତି ପାଇବାପାଇଁ ପ୍ରିୟବ୍ରତକୁ କ’ଣ, ଆଜି ସତ୍ୟବ୍ରତ ଜାଣି ଜାଣି ନିଆଁ ଭିତରକୁ ପେଲିଦେଉଛନ୍ତି :

 

ଏଗାର

 

ସେତେବେଳକୁ ଗାଡ଼ିବେଳ ହେବାକୁ ଆହୁରି ଦୁଇଘଣ୍ଟା ବାକି ଥାଏ । ଏତେ ସମୟ କ’ଣ ସେ ଏକାଏକା ଷ୍ଟେସନ୍‍ରେ ବିତାଇ ପାରିବ ? ତେଣୁ ଛାତ୍ରବାସର ବିଦାୟ ନେବା ପୂର୍ବରୁ ଆଉଥରେ ଛାତ୍ରୀନିବାସ ଆଡ଼େ ମୁହଁମାରି ଆସିବାକୁ ଆଗ୍ରହୀ ହେଲା ।

 

ନିଜରୁମ୍‌ରୁ ବାହାରି ଗୋଟିଏ ପରେ ଗୋଟିଏ ପାଦ ଚିପି ଚାଲିଲା । ମନରେ ଘୋର ଅବସାଦ ଘୋଟିଆସୁଥାଏ । ବିଶ୍ଵବିଦ୍ୟାଳୟ ପରିସର ଉପରେ ପାଦ ଚାଳନା ତା’ର ଶେଷ ହୋଇଆସୁଛି । ଆଉ ମାତ୍ର ଅଳ୍ପ ସମୟ ପରେ, ସେ ସେଠାରୁ ବିଦାୟ ନେବ ।

 

ଦୀର୍ଘ ଦି’ବର୍ଷର ସମ୍ପର୍କ । ଏହାରି କୋଳରେ ସେ ତା’ର ଦିନଗୁଡ଼ିକ କେଉଁବାଟେ ଯେ କଟାଇ ଦେଇଛି, ଆଜି ସେକଥା ପ୍ରିୟବ୍ରତ ନିଜେ ଭାବିପାରୁନି । ହାସ୍ୟମୁଖର, ସ୍ମୃତି ମଧୁର ଦିନଗୁଡ଼ାକ କେତେବେଳେ ତାକୁ ହସାଇଛନ୍ତି ତ, ପୁଣି ଆଉ କେତେବେଳେ ସେହି ଦିନଗୁଡ଼ାକ ତା’ପାଇଁ ଅଶ୍ରୁ ସଜଳ ହୋଇଉଠିଛନ୍ତି ।

 

ତା’ ଜୀବନ–ଇତିହାସରେ ସେମାନେ ଜୀବନ୍ତ ହୋଇ ରହିଛନ୍ତି ।

 

ପାଦ ଚିପି ଚିପି ଘାସ ଉପରେ ପ୍ରିୟବ୍ରତ ଯାଉଥାଏ । ସେ ପଥର ତା’ର ଚାଲିବା ଆଜିଠାରୁ ଶେଷ ହୋଇଯାଉଛି । ଘାସ ଆଉ ସେଠି ମରିବନି ! ଘାସ ସତେଜ ଦିଶିବ । ଘାସର ନରମ ଦେହ ଭିତରେ ପଥଟି ହଜିଯିବ । ଘାସମାନେ ଆଉ କା’ର ପାଦରେ ଦଳି ହେବେନି । ପ୍ରିୟବ୍ରତ ସିନା ଏହି ପଥଟିପାଇଁ ଘାସମାନଙ୍କୁ ଦଳି ଦେଉଥିଲା । ଆଉ ବା କିଏ ଆସି ସେମାନଙ୍କୁ ଏପରି ନିର୍ମମ ଭାବରେ ଦଳି ଦେଇଯିବ ।

 

ଘାସ ଟିକେ ହେଲେ ପ୍ରତିବାଦ କରିନି । ନରମ ଓ ସରଳ ଜୀବନ କ’ଣ କେବେ ପ୍ରତିବାଦ କରିପାରେ ! ସବୁ ସହି ଅନ୍ୟର ପରାକ୍ରମ ଭିତରେ ସେ ପେଷି ହୋଇଯାଉ ପଛେ, ମୁହଁ ଖୋଲି କହିବାକୁ ସାହସ କରେନି । ତୁନି ରହି ନିଜର ସାମର୍ଥ୍ୟ ଅନୁଯାୟୀ ସବୁ ସେ କରିଯାଏ । ନରମ ଗଳାରେ ବିନୟୀ ହୋଇ ତା’ କଥା ସେ ଶୁଣାଏ । ସେ ତ ମରିଯାଏନା ! ହଜି ଯାଏନା । ବରଂ ସବୁରି ଜୀବନରେ ସେ କେମିତି ଲୋଡ଼ା ହେଲାଭଳି ଲାଗେ । ତା’ଠୁଁ କେତେକଅଣ ଶିଖିବାର ଅଛି ବୋଲି ମଣିଷ ତାକୁ ଆଦରି ନିଏ । ସେ କାହାକୁ କିଛି ନକହି, ଗୋପନରେ ନିଜ କାମ କରିଯାଏ । ସେଇଥିରେ ସେ ଆନନ୍ଦ ପାଏ–ତୁପ୍ତ ହୁଏ । କ୍ଳାନ୍ତି ଭୁଲିଯାଏ । ପରପାଇଁବି ଇଲାକା ତିଆରି କରେ ।

 

ପ୍ରିୟବ୍ରତ ଆଜି ନୂଆ ରୂପ ନେଇ ଯାଉଛି । ତା’ ରୂପରେ ଭରି ରହିଛି, ଦୀର୍ଘ ଦୁଇବର୍ଷର ପୁଞ୍ଜୀଭୂତ ଆବେଗ, କେତେ ରଙ୍ଗର ସ୍ଵରଲିପି । ସବୁକୁ ସେ ଶୁଣାଇ ଯିବାକୁ ଆଜି ଯେପରି ସଂକଳ୍ପବଦ୍ଧ । ସେ ନିଜକୁ ଆଜି ମୁକ୍ତ ଭାବରେ ପ୍ରକାଶ କରୁଛି । ଯେଉଁମାନେ ତା’ ଦୁଇବର୍ଷର ସାଥୀ–ଯେଉଁମାନେ ତା’ କର୍ମମୟ ଜୀବନ ଯାତ୍ରାର ମୂକ ସାକ୍ଷୀ, ସେମାନଙ୍କୁ ସବୁକଥା ଶୁଣାଇ ଯିବାକୁ ସେ ବ୍ୟଗ୍ର । ପଡ଼ିଆକୁ ଚାହିଁଲା । ପୁଣି ଥରେ ଚାହିଁ ଭାବିଲା, ଏହି ପଡ଼ିଆଟି ଭିତରେ ମୁଁ ଯେତେଥର ହଜିଛି, ସେତେଥର ତ ନିଜକୁ ନିଜେ ଖୋଜି ପାଇନାହିଁ । ତେବେ ଆଜି ଆଉଥରେ ହଜିଯିବାରେ କ୍ଷତି ବା କ’ଣ : ନା’ ସେ ଆଜି ନ ହଜୁ ! ନିଜକୁ ପାଇବା ଭିତରେ ପୁଣି ହଜାଇବ କାହିଁକି ? ବରଂ ହଜିବା ଭିତରେ ନିଜକୁ ଖୋଜୁ । ଏମିତି ତ କେତେଥର ହଜି ହଜି ପୁଣି ନିଜକୁ ପାଇଯାଇଛି । ଏଥର ଆଉ ହଜିବାର ସମ୍ଭାବନା ନାହିଁ, ପାଇବା ଲାଗି ତା’ର ପ୍ରଚେଷ୍ଟା ।

 

କାନରେ ଶୁଭିଗଲା ଅଭୁଲା ପ୍ରଶ୍ନଟିଏ । ଏ ପ୍ରଶ୍ନର କି ଉତ୍ତର ସେ ଆଉ ଆଜିର ଏ ବିଦାୟବେଳାରେ ବା ଦେଇପାରନ୍ତା ! ସବୁ ପ୍ରଶ୍ନର ଉତ୍ତର କ’ଣ ଦେଇହୁଏ ! ପରୀକ୍ଷା ହଲ୍‍ରେ ଅନେକ ଥର ସବୁ ପ୍ରଶ୍ନର ଉତ୍ତର ଦେଇପାରିଛି ସିନା, ହେଲେ ଜୀବନ–ପରୀକ୍ଷାର ଉତ୍ତର ସେ ଦେଇ ପାରେନା । ଅନେକ ଚେଷ୍ଟାକଲା । ପାରିଲାନି । ପରିଚିତ ଆକାଶ, ଧରଣୀ, ଘାସଫୁଲ ଓ ପଡ଼ିଆ, ସମସ୍ତଙ୍କୁ ପଚାରିଗଲା । କାହିଁ କେହି ତ ତାକୁ ଉତ୍ତର ବଢ଼ାଇ ଦେଲେନି । ଉତ୍ତର ବଢ଼ାଇ ଦେଲେ ମେଧାବୀ ଛାତ୍ର କ’ଣ ସନ୍ତୁଷ୍ଟ ହୁଏ । ବରଂ ବିରକ୍ତ ହୁଏ ।

 

ପ୍ରିୟବ୍ରତ ଚେଷ୍ଟାକଲା । ପ୍ରଶ୍ନଟାକୁ ଭଲ ଭାବରେ ପଢ଼ିଲା । ଆଉଥରେ ପଢ଼ିସାରିଲା ପରେ ନିଜକୁ ପଚାରିଲା । କିଏ ତାକୁ ଧକ୍କାଟାଏ ଦେଇ ସଚେତନ କରିଦେଲା । କହିଲା–ବୋକାଟାଏ, ଏମିତି ନିର୍ବୋଧ ହେଲେ ପ୍ରେମମୟ ଜୀବନରେ ସଫଳ ସଂଗ୍ରାମୀ ହେବା ସମ୍ଭବ ନୁହେଁ । ଅନେକ ନିରାଶ ଭିତରେ, ଯଦି ଜଣେ ତୋ ନିଃଶ୍ଵାସରେ ନିଃଶ୍ଵାସକୁ ମିଶାଇ ପାରିଛି । ସେହି ଦୁଇଟି ନିଃଶ୍ଵାସରେ ଗୋଟାଏ ଆକାଶ ଗଢ଼ୁନୁ କାହିଁକି !

 

ଉତ୍ତର ପାଇଲା ସେ । ଆକାଶ ଗଗନପାଇଁ ଆପତ୍ତି ଥିବାର କି ଆପତ୍ତି ନଥିବାର ଏଇମାତ୍ର ସହଜ ପ୍ରଶ୍ନଟିର ଉତ୍ତର ଯେ ଏମିତି ହଠାତ୍‌ ସେ ପାଇଯିବ, ଆଦୌ କଳ୍ପନା କରିପାରି ନଥିଲା ।

 

ଏ ପରିକଳ୍ପନା ବା ବ୍ୟର୍ଥ ହେବ କାହିଁକି ?

 

ଛାତ୍ରୀ ନିବାସ ପୋର୍ଟିକୋ ପାଖରେ ଠିଆ ହୋଇଥିବା ମଞ୍ଜୁକୁ ଚାହିଁ ପାରିଲାନି ପ୍ରିୟବ୍ରତ । ଭାବିଲା–ମଞ୍ଜୁର ମୁହଁଟା ଟିକେ ଲୁଚିଯାଆନ୍ତା କି, ସେ ଠିକ୍‌ ସେହି ପୋର୍ଟିକୋ ପାଖରେ ଠିଆହୋଇ ପୋର୍ଟିକୋ କାନରେ ତା’ ମନର ବାର୍ତ୍ତାକୁ ଉଜାଡ଼ି ଦେଇ ଫେରିଯାଆନ୍ତା । ପକେଟରେ ହାତ ପୂରାଇଲା । ପରେ ନିରାଶ ହୋଇ ପକେଟରୁ ହାତ କାଢ଼ିଆଣିଲା । କାଗଜ ବହିରେ ଯାହାର ସବୁବେଳେ କାରବାର–କାଗଜକୁ ନେଇ ଯେ ଖେଳଘର କରିପାରେ, ତା’ ପକେଟ ଆଜି ଶୂନ୍ୟ । ଟୁକୁରା କାଗଜ ଖଣ୍ଡେବି ନାହିଁ । ତେବେ ଠିକଣାଟା ଲେଖିବ କେମିତି ? ଠିଆହୋଇ ତା’ ମୁହଁକୁ ଚାହିଁ ଠିକଣାଟା କ’ଣ ସେ କହିପାରିବ ! ଭାବୁଥାଏ–ଟୁକୁରା କାଗଜ ଖଣ୍ଡେ ମିଳିଲେ ଠିକଣାଟା ଲେଖିଦେଇ ପିଅନ ହାତରେ ପଠାଇ ଦିଅନ୍ତା । ପିଅନ ସେ ଟୁକୁରା କାଗଜ ଖଣ୍ଡିକ ନେଇ ମଞ୍ଜୁକୁ କ’ଣ ଦିଅନ୍ତା ନାହିଁ ।

 

ପିଅନ କେତେ କାମ କରିଛି । ଦୁଇଟି ଆତ୍ମାକୁ ଯୋଡ଼ିବା ଦିଗରେ ବିଶ୍ୱାସୀ ହୋଇଛି । ଗୋଟିଏ ମନରୁ କଥା ନେଇ ଆଉ ଗୋଟିଏ ମନକୁ ଶୁଣାଇ ପାରିଚି । ପୁଣି ସେ ମନର ଭାଷାକୁ ଆଣି, ମନରେ ଥୋଇପାରିଛି । ଦୁଇଟି ଜୀବନକୁ ଯେ ଯୋଡ଼ିପାରିଲା, ସେ’ବା ପାଇଛି କ’ଣ ? ଏତେ ସ୍ନେହ ଓ ଆଦର ଢାଳିଦେଇ, ଆଜି ବିଦାୟବେଳେ ପ୍ରିୟବ୍ରତଠାରୁ ସେ ଟିକେ ସୋହାଗ ନ ପାଇଲେ କ’ଣ ଭାବିବ ସତେ ! ତା’ କାମବି ସରିନାହିଁ । ମଞ୍ଜୁ ପାଖରୁ ଠିକଣା ଆଣି ହେଇପାରିବ-

 

ଛାତିରେ ଆଘାତ ଲାଗିଲା । ଠିକଣା ଦେଇ, ଠିକଣା ପାଇହେବ ସିନା, ଆଉ ତ ତାକୁ ଦେଖି ପାରିବ ନାହିଁ ! ପୁଣି ସିନା କେବେ ବଧୂବେଶରେ ଦେଖିବ–ସେଦିନ ତ ଆଉ ସେ ବିଶ୍ଵବିଦ୍ୟାଳୟର ଛାତ୍ରୀ ନଥିବ । ସେତେବେଳେ ଏମିତି ଆଉ ମୁକ୍ତ ବିହଙ୍ଗୀର ମନ ନେଇ କାକଳୀ କ’ଣ ଶୁଣାଇବ ! ମାପିଚୁପି ଚାଲି ଶିଖିବ–ଭାଷାରେ ସଂଯମତା ଭିତରେ ନିଜକୁ ପରୀକ୍ଷା ଦେବ । ସେ ହେବ ଆଉ ଏକ ପରୀକ୍ଷାଗାରର କଠୋର ପରୀକ୍ଷାର୍ଥିନୀ । ତା’ ପାଖରେ ପ୍ରିୟବ୍ରତ ଥିବ ସତ, କିନ୍ତୁ ମପାଚୁପା ଇଲାକାରେ କେତେ ବା ଆଉ ମୁକ୍ତ ହୋଇ ପାରିବ !

 

ଭାବିଲା–ଆଜି ଆଉ ଯିବନାହିଁ । ଏ ପରିସରରୁ ବିଦାୟ ନେଇ ହେବନି । ଆଉ କିଛିଦିନ ରହି ମନର କାହାଣୀ ସବୁ ଶୁଣାଇବ । ପୁଣି ଭାବେ–ମନର କାହାଣୀ କ’ଣ ସରିଯାଏ ! ଯେତେ କହିଲେ ତ ନୂଆପରି ଲାଗେ । ସରି ସରି ଆସିଲେବି ଅସରା ହୋଇ ରହିଯାଏ । ଏଇତ, ଆଜି ମଞ୍ଜୁ ପାଖରେ ଆହୁରି କେତେକଅଣ କହିବାପାଇଁ ଭାବିଲାଣି । ଆଜି ସବୁ କଥା କହି ପାରିବ ନାହିଁ । ତେବେ ସେ କ’ଣ ଆଜି ଘରକୁ ଯିବାର ପ୍ରସ୍ତାବ ବାତିଲ କରିବ !

 

ଭାଇଙ୍କର କଡ଼ା ନିର୍ଦ୍ଦେଶ । ପରୀକ୍ଷା ଶେଷ ପରେ ପରେ ଏଠି ରହିବ ନାହିଁ । ଘରକୁ ଚାଲିଯିବା ପାଇଁ କାଲିବି ଚିଠିଟିଏ ଆସିଛି । ନିହାତି ଜରୁରୀ ଚିଠି । ଏମିତି ବ୍ୟସ୍ତ ହୋଇ ଭାଇ କେବେ ଚିଠି ଲେଖନ୍ତି ନାହିଁ । ଆଜି ଏମିତି ଚିଠିର ରହସ୍ୟ ସେ ଧରିପାରିଲା ନାହିଁ ।

 

ଆଉ ଆଗେଇ ପାରିଲାନି ପ୍ରିୟବ୍ରତ । ସମୟ ହୋଇଗଲାଣି । ଫେରିଯିବ । ମୁହୂର୍ତ୍ତେ ଅଟକିଗଲା । ଘାସ ଯେମିତି ତା’ କାନ ପାଖରେ ପୁଣି କହିବାକୁ ଆରମ୍ଭ କଲା–ଆଉ ଅଟକି ଗଲ କାହିଁକି ? ଯିବା ଆସିବା ଚାଲେ–କଥାର ଆସରରେ ପଥ ଫାଟିପଡ଼େ, ଦଳିହୋଇ ପଡ଼ିଯାଇଥିବା ଘାସମାନେ ସେ କଥାରେ ଉଠିପଡ଼ନ୍ତି । ନୂଆ ଜୀବନ ପାଆନ୍ତି–ପଡ଼ିଆଟା କହିଉଠେ–ଏମିତି ଆସର ଚାଲିରହୁ । ନିୟତିର କଣ୍ଠରେ ଭାସିଆସେ–‘‘ମଧୁମୟ ସୃଷ୍ଟି ସୁଧାମୟ ସୃଷ୍ଟି, ଏ ସୃଷ୍ଟି ଅମୃତମୟହେ ।’’

 

ଆଗେଇ ଚାଲିଲା ପ୍ରିୟବ୍ରତ ।

 

ଏକଲୟରେ ଚାହିଁଲା ପୋର୍ଟିକୋ ଆଡ଼େ । କି ଉତ୍କଣ୍ଠା–କି ଆଗ୍ରହ ସତେ ! କେତେ ଦୂରକୁ ନ ଚାହୁଁଛି ସେ । ଉତ୍କଣ୍ଠାରେ ଆଖିର ଦୂରତା କ’ଣ ବଢ଼ି ଯାଉଛି ! ଆଗ୍ରହ ତାକୁ ଧୈର୍ଯ୍ୟହରା କରାଉନି ବୋଧେ । କେମିତି ସେ ଗୋଟିଏ ନିର୍ଦ୍ଦିଷ୍ଟ ଦିଗକୁ ଚାହୁଁଛି ସତେ !

 

ମଞ୍ଜୁ ଚାରିଆଡ଼କୁ ଅନାଇଛି । କେଉଁଠୁଁ ସେ ତା’ର ପରିଚିତ ପାଦଶବ୍ଦ ଶୁଣିନାହିଁ । ମନହଜା ଶବ୍ଦ ଲିପିରେ ତା’ କାନ ମୁଖରି ଉଠିନି । ଶେଷରେ ସେ ଏଇ ପଥ ଆଡ଼କୁ ବ୍ୟଗ୍ର ମନ ନେଇ ଚାହିଁଛି ! ଏ ଚାହିଁବାରେ ଶେଷ ନାହିଁ । ପରିତୃପ୍ତି ଅଛି । ସେ ଜାଣେ ଏଇ ପଥରେ ଉଡ଼ି ଭଅଁରଟି ଆସେ, ଫୁଲରେ ଚୁମାଟି ଦେଇ ପୁଣି ଫେରିଯାଏ ଭଅଁରର ନିଜ ଗଢ଼ା ଏହି ପଥ ପ୍ରତି ତା’ର ଆକର୍ଷଣ ଅନେକ । ସେପାଇଁ ସେ ଚାହିଁଛି ।

 

ପ୍ରିୟବ୍ରତ ପୋର୍ଟିକୋ ପାଖରେ ପହଞ୍ଚିଲା । ମଞ୍ଜୁର ଦେହରେ ଶତ କଦମ୍ବର ପୁଲକ ଭରି ଉଠିଲା । ଚକ୍ଷୁରେ ଅଭିମାନର ଲୁହ ପୂରି ଆସିଲା । ଅଧରରେ ସଞ୍ଚିତ ଆବେଗର ଚିତ୍ରଲିପି । ଓଷ୍ଠାଧାର କଳ୍ପିତ ଭାଷାରେ କମ୍ପିତ ।

 

କେହି କାହାକୁ କିଛି କହି ପାରିଲେ ନାହିଁ । ପ୍ରିୟବ୍ରତ ଆଉ ମଞ୍ଜୁ ମୁହଁକୁ ଚାହିଁପାରିଲା ନାହିଁ । ମଞ୍ଜୁବି ପ୍ରିୟବ୍ରତକୁ ନଚାହିଁ, ଅତୀତ ଗୀତର ସ୍ଵରରେ ଭାସିବାକୁ ଲାଗିଲା । ହେଲେ କିନ୍ତୁ ଭାସିପାରିଲା ନାହିଁ । ବର୍ତ୍ତମାନ ଉପରେ ନିଜକୁ ଠିଆ କରିବାକୁ ବାଧ୍ୟ ହେଲା । କ’ଣ କହି କଥାର ଶୁଭଦେବ, ତାକୁ ତାହା ଜଣାପଡ଼ିଲା ନାହିଁ ।

 

ପ୍ରିୟବ୍ରତ ଭାବିଲା–ଆଜି ସେ ବିଶ୍ଵବିଦ୍ୟାଳୟରୁ ବିଦାୟ ନେଉଛି ଏକଥା ମଞ୍ଜୁକୁ ଜଣାଅଛି ! ଯଦି ଜଣାଅଛି, ତେବେ କିଛି କହୁନ କାହିଁକି ? ଏମିତି ସେ ନୀରବ ହୋଇଯିବାର କାରଣ କିଛି ବୁଝିପାରିଲା ନାହିଁ । ମଞ୍ଜୁ କ’ଣ ସତରେ ତା’ ପ୍ରତୀକ୍ଷାରେ ଥିଲା ନାହିଁ ! ତେବେ ସେ ତା’ ପଥକୁ ଚାହିଁବା ବାହାନାରେ ଅନ୍ୟ କାହାର ପାଦ ଶବ୍ଦକୁ କ’ଣ ଲକ୍ଷ୍ୟ ରଖିଥିଲା ! ମଞ୍ଜୁ ତ କେବେ ଏମିତି କରେନା ! କାଲି ଦିନକ ତା’ ସହ ତା’ର ସାକ୍ଷାତ ହୋଇନି । ପରୀକ୍ଷା କାଲି ଶେଷ ହେଲା । ଆଜି ସେ ଘରକୁ ଯିବାକୁ ବାହାରିଛି । ଆସିଛି କେବଳ ମଞ୍ଜୁ ସହ ସୌଜନ୍ୟ ସାକ୍ଷାତପାଇଁ-

 

ତଥାପି ମଞ୍ଜୁ କିଛି କହିଲା ନାହିଁ । ପ୍ରିୟବ୍ରତର ଗାଡ଼ିବେଳ ହୋଇଯାଉଥାଏ । ଆଉ ବିଳମ୍ବ କରିବାକୁ ଭଲ ମନେ କଲାନି । ଘରେ ଭାଇ ଅପେକ୍ଷା କରିଥିବେ । ଆଜି ତାକୁ ନିଶ୍ଚୟ ଯିବାକୁ ହେବ । ତେଣୁ ଆଉ ଅପେକ୍ଷା ନ ରଖି ଆରମ୍ଭ କଲା–

 

‘‘ଆଚ୍ଛା ମଞ୍ଜୁ, ପରୀକ୍ଷାରେ କେମିତି କଲ ?’’

 

‘‘କ’ଣ ତୁମେ ଜାଣିବା ନିହାତି ଆବଶ୍ୟକ.... !’’

 

‘‘ମାନେ !’’

 

‘‘କିଛି କ’ଣ ବୁଝିପାରୁନ ! ମୋ’ ପ୍ରତି ଯଦି ଏତେ ସ୍ନେହ, ଏତେ ସଦ୍‌ଭାବ, ତେବେ ପରୀକ୍ଷା ସରିବାର ଏତେ ସମୟ ପରେ ଏକଥା ପଚାରୁଛ କାହିଁକି ? କାଲିଠୁଁ ତ ପରୀକ୍ଷା ଶେଷ ହେଲାଣି । ଇଚ୍ଛା କରିଥିଲେ ତୁମେ କ’ଣ ଆସି ପାରି ନଥାନ୍ତ !”

ପ୍ରିୟବ୍ରତ ଅଭିମାନର ଅର୍ଥ ବୁଝି ପାରିଲା । କାଲି ଆସି ପାରିନି ସତ, ଏପାଇଁ ହୁଏତ ତା’ର ଭୁଲ ହୋଇପାରିଥାଏ, କିନ୍ତୁ ଆସି ନ ପାରିଲେ ସୁଦ୍ଧା, ସ୍ନେହରୁ କାଣିଚାଏ ଅନ୍ୟ କେହି ଭାଗୀ ହୋଇ ଯାଇ ନାହାନ୍ତି ତ ! ହେଲେ ମଞ୍ଜୁ କ’ଣ ଏହି କଥାକୁ ବିଶ୍ଵାସ କରି ପାରୁନି ! ତା’ ଲାଗି ପ୍ରିୟବ୍ରତ ହୃଦୟରେ ଯେତେ ସ୍ନେହ ମମତା ଗଚ୍ଛିତ ହୋଇ ରହିଛି ସେଥିରେ କେହି ଯେ ଅଂଶୀଦାର ହୋଇ ପାରନ୍ତି ନାହିଁ, ଏହାକୁ ସତରେ ମଞ୍ଜୁ ଏଯାଏଁ ପରଖି ପାରିନି । ତା’ ସ୍ନେହ ଅଧିକାର ଉପରେ କେହି ସହପାଠିନୀ ଯେ ଅଧିକାର ଜାହିର କରି ପାରିବେ, ଏକଥା ମଞ୍ଜୁ ବା ଭାବୁଛି କେମିତି ! ପ୍ରିୟବ୍ରତ କିଛି ଠିକଣା କରି ପାରିଲା ନାହିଁ । ଏଣେ ଗାଡ଼ିବେଳ ହୋଇଯାଉଥାଏ । ବିଦାୟ ନେବାକୁ ଇଚ୍ଛା ନଥିଲେବି ସୁଦ୍ଧା ବାଧ୍ୟ ହୋଇ ଚାଲିଯିବାକୁ ବସିଲା ।

ଏଇ କେତେ ଘଣ୍ଟା ବ୍ୟବଧାନ ଭିତରେ ମଞ୍ଜୁ କ’ଣ ସତରେ ପ୍ରିୟବ୍ରତକୁ ସନ୍ଦେହ କରି ବସିଛି । ସନ୍ଦେହର କଳାଛାଇ ତାକୁ କ’ଣ ଘେରି ଗଲାଣି ! ଯଦି ସେ ସନ୍ଦେହର ଜାଲ ଭିତରେ ଆବଦ୍ଧ ହୋଇଛି, ତେବେ ପ୍ରିୟବ୍ରତର ଏମିତି ହଠାତ୍‌ ପ୍ରସ୍ଥାନକୁ ଅଧିକ ଭିନ୍ନ ଦୃଷ୍ଟିରେ ଦେଖିବ ନାହିଁ ତ !

ଏପରି ଭାବନା ଭିତରେ ବୁଡ଼ି ରହି ପଚାରିଲା–‘‘ତୁମେ କେବେ ଘରକୁ ଯାଉଛ ?’’ ମଞ୍ଜୁ ଅଧିକ ଅଭିମାନିନୀ ହୋଇ ଉତ୍ତର ଦେଲା–ତୁମ ପରି ମେଧାବୀ ଛାତ୍ର, ଯେ ଆଜି ମୋ ପାଖକୁ ଆସି ଏତେ କଥା ପଚାରୁଛି, ସେପାଇଁ କୃତଜ୍ଞା ।

 

‘‘ପରୀକ୍ଷାରେ ତୁମର ଭଲ ହେଉଥିଲା । ଗତକାଲିବି ଭଲ କରିଛ ମୋର ବିଶ୍ଵାସ । ଏଠି ଏକାଏକା କାହାକୁ ଚାହିଁଥିଲ କହିଲ ?’’

 

ମଞ୍ଜୁ ଏଥର ଅଧରରେ ଚାପା ହସ ରେଖାଟିଏ ଖେଳାଇଦେଲା । ଫେରିଆସିଲା ସେ ପୁଣି ନିଜ ପରିବେଶକୁ । ଆପଣା ଇଲାକା ଭିତରେ ନିଜକୁ ଓ ପ୍ରିୟବ୍ରତକୁ ଏକାଠି କରିବାପାଇଁ ଚେଷ୍ଟା କଲା । ଆତ୍ମୀୟତାର ପରଶ ଅନୁଭୂତ ହେଲା । ଗତକାଲିଠାରୁ ପ୍ରିୟବ୍ରତକୁ ନିରୋଳାରେ ସାକ୍ଷାତ ପାଇ ପାରି ନଥିବାର ଅବସାଦ ସବୁ ଯେମିତି ମିଳାଇ ଯାଉଥାଏ । ସେ ଆବେଗମୟ ପରିବେଶ ସୃଷ୍ଟି କରିଦେଲା । ତା’ରି ଭିତରେ ନିଜେ ଆବେଗାୟତ ହୋଇ ଉଠିଲା । ଚଳଚଞ୍ଚଳ ମନ ପ୍ରିୟବ୍ରତ ପାଖରେ ଖୋଲି ହୋଇଗଲା ।

 

ପ୍ରିୟବ୍ରତ ଭୁଲିଗଲା ତା’ ବିଦାୟକାଳୀନ ଗୁରୁତ୍ଵକୁ । ପାସୋରି ବସିଲା ଗାଡ଼ିବେଳକୁ । ଛାତ୍ରୀ ନିବାସ ଘଣ୍ଟା ବାଜିବା ଜାଣି ବୁଝିନେଲା ଯେ ସେ ଆଜି ଗାଡ଼ିର ଯାତ୍ରୀ ନୁହେଁ । ନୂଆ ଏକ ଜୀବନ ଯାତ୍ରା ପଥ ଉପରେ ଠିଆ ହୋଇ କଳ୍ପିତ ଦୁନିଆର ନକ୍ସା ଆଙ୍କୁଥିବା ପ୍ରିୟବ୍ରତ, ଅନ୍ୟ କେଉଁ ଯାତ୍ରାର ଯାତ୍ରୀ ବା କେମିତି ହେବ ?

 

ଆବେଗ କମ୍ପିତ ସ୍ଵରରେ ମଞ୍ଜୁ କହିଲା–‘‘କ’ଣ ସବୁ ଭୁଲିଗଲ କି ? କାହିଁ ମନେ ନାହିଁ ନା କ’ଣତ ! ଭୁଲି ଯାଇଛ ବୋଧେ ମନେ ହେଉଛି ।’’

 

‘‘କେଉଁ କଥା ?’’

 

‘‘ପରୀକ୍ଷା ପରେ କୁଆଡ଼େ ଏକ ଭଲ ଦର୍ଶନୀୟ ସ୍ଥାନକୁ ଯିବାପାଇଁ ସ୍ଥିର ହୋଇଥିଲା ପା-।’’

 

‘‘ଭୁଲିବି କାହିଁକି ? ତୁମ ସହିତ ଯେଉଁ ଚକ୍ତି ହୋଇଥାଏ, ତୁମ ଉପସ୍ଥିତିରେ ଯେତେ ସବୁ ଆଳାପ ଆଲୋଚନା ହୁଏ, ସେସବୁ କ’ଣ ଭୁଲିହୁଏ !’’

 

‘‘ତେବେ କହୁନ, କେବେ ଯିବା ?’’

 

ପ୍ରିୟବ୍ରତର ମନେ ପଡ଼ିଲା । ଉତ୍ତରଗୁଡ଼ାକ ଛଳନା କରି ଦେଇହୁଏ । ଅନ୍ୟକୁ ଖୁସି କରିବା ଲାଗି ଉତ୍ତରଗୁଡ଼ାକ ମନଗଢ଼ା ହୋଇପାରେ ! ମାତ୍ର ବାସ୍ତବତାକୁ ମୁକାବିଲାବେଳେ, ମନଗଢ଼ା ଅଭିନୟର ସଂଳାପ ଲୋଡ଼ା ତ ହୁଏନା, ସେଠି ଅନ୍ତରତଳୁ ସତ୍ୟର ସ୍ଵର ଶୁଣାଇବାକୁ ପଡ଼େ । କ’ଣ ଆଉ କହିପାରିବ ? ଆଗାମୀ ସ୍ଵପ୍ନର ଖସଡ଼ାକୁ ଖୋଲିଦେଲା–

 

‘‘ଏବେ କ’ଣ ଆଉ ଯିବା ମ ! ଏମିତି କେତେ ତ ଦୁହେଁ ବୁଲିବା । ସୁନେଲି କଳ୍ପନାକୁ ରୂପ ଦେଇ ଦୁହେଁ ଉଡ଼ିଯିବା, ଏ ଡାଳରୁ ସେ ଡାଳକୁ । ପୁଣି ସେ ଡାଳରୁ ଫୁର୍‌ଫୁର୍‌ କରି ଦୁହେଁ ଉଡ଼ିଯିବା ଦୂର ବହୁଦୂର ସୁଦୂର ଆକାଶକୁ । ସେଠି ନେଳି ରଙ୍ଗର ଆକାଶ ରୂପକୁ ଦେଖିବା–ଭସା ବାଦଲକୁ ହାତରେ ଧରିବାପାଇଁ ତା’ ପାଖରେ ଅଳି କରିବା । ସେଠି ଆମପାଇଁ ବନ୍ଧନ କିଛି ନଥିବ-। ସବୁ ବନ୍ଧନର ଦ୍ଵାର ଯେମିତି ଆମପାଇଁ ଆପେଆପେ ମୁକୁଳି ଯିବ । ତୁମେ ଏତେ ବ୍ୟସ୍ତ ହେଉଛ କାହିଁକି ?’’

 

ନାରୀ ହୃଦୟ କୋମଳ । ସରଳତାରେ ମନ ତା’ର ଚହଲି ଉଠେ । କଠୋର ଭାଷା ଓ ଭାବକୁ ସେ ଚିହ୍ନିପାରେନା, ମଞ୍ଜୁ ସୁନେଲି କଳ୍ପନାର ରୂପ ରାଗରେ ବିମୋହିତ ହୋଇ ପଡ଼ିଲା ।

 

‘‘କେତେଦିନ ରହୁଛ ?’’ ବୋଲି ମଞ୍ଜୁ ପଚାରିବାବେଳେ, ପ୍ରିୟବ୍ରତ ନିଜକୁ ଦୁର୍ବଳ ମନେକଲା । କେଇଦିନ ତଳେ ସେ କଥା ଦେଇଥିଲା, ପରୀକ୍ଷା ପରେ ଅନ୍ତତଃ ପନ୍ଦରଦିନ ରହିବ । ଛାତ୍ରବାସ ବନ୍ଦ ହୋଇଗଲେବି ସୁଦ୍ଧା ଦୁହେଁ ଗୋଟାଏ ଭଡ଼ାଘର ନେଇ ରହିବେ । ଭାଇ ଆଉ ଟଙ୍କା ଦେବେନି, ସେ ଭଲକରି ଜାଣେ । ଚଳିବା ଲାଗି ଆଉ କାହାକୁବି ମାଗି ହେବନି, ସେ ଭାବିପାରିଛି-। ତେବେ ଏଡ଼େ ବଡ଼ ଆଶା କରୁଥିଲା କାହିଁକି ?

 

ସେଦିନ ମଞ୍ଜୁ ସାହସ ଦେଇ କହିଥିଲା–‘‘କିଛି ଅସୁବିଧା ହେବନି । ବାପା ଯେଉଁ ଟଙ୍କା ପଠାଉଛନ୍ତି, ସେତିକିରେ ଆମର ଏ ମାସଟା ଚଳିଯିବ । ପରେ ଦେଖିବା ।’’

 

ବାପା କ’ଣ ଜାଣିଶୁଣି ତେବେ ଏମାସ କମ୍‌ ଟଙ୍କା ପଠାଇଛନ୍ତି ! ପରୀକ୍ଷା ପରେ ଦିନଟିଏବି ରହିବା ଲାଗି ସେ ଦୃଷ୍ଟି ଦେଇ ନାହାନ୍ତି । ବାପାବି ଅନ୍ୟାୟ କଲେଣି । ଏ କଳ୍ପନାର ସୌଧକୁ ଭାଙ୍ଗି ଦେବାପାଇଁ ବାପାଙ୍କର ନୂତନ ପ୍ରଚେଷ୍ଟାକୁ ମଞ୍ଜୁବାଳା ସମର୍ଥନ କଲାନାହିଁ । ମନେମନେ ବିଦ୍ରୋହ ଆରମ୍ଭ କଲା ।

 

ବାପାଙ୍କର ଏହି ଆଦର୍ଶ ଦେଖି ନିଜେ ଆଦର୍ଶ ଗଢ଼ିବାପାଇଁ ବ୍ୟସ୍ତ ହେଲା । କେଉଁ ଯୁଗରେ ବା ମଣିଷ ନିଜ ଲାଗି ଏକ ନୂଆ ଆଦର୍ଶ ନ ଗଢ଼ୁଛି ! ମଣିଷ ସବୁ ଯୁଗରେ ତ ନିଜଲାଗି ଆଦର୍ଶ ଗଢ଼ି ଚାଲିଛି । ଯେଉଁ ଆଦର୍ଶ ଏ ଯୁଗରେ ଏହି ମଣିଷ ସୃଷ୍ଟି କରୁଛି ତା’ ପରବର୍ତ୍ତୀ ଯୁଗ ଲାଗି ଏ ଯୁଗର ଆଦର୍ଶ ଅନୁପଯୋଗୀ ହୋଇ ଯାଉଛି । ଯୁଗରୁ ଯୁଗକୁ ଆଦର୍ଶ କେମିତି ପରିବର୍ତ୍ତିତ ହୁଏ ଏ ବିଷୟରେ ମଞ୍ଜୁବାଳା ସଚେତନ ହୋଇଗଲା । ବିଶ୍ଳେଷଣ କଲା ନାରୀ ଜାତିକୁ-। ଖୋଲି ବସିଲା ନାରୀ ଶକ୍ତିର ଇତିହାସ । ବୈଦିକ ଯୁଗଠାରୁ ସତ୍ୟଯୁଗ, ସତ୍ୟଯୁଗଠାରୁ ତ୍ରେତୟା ଯୁଗ, ତ୍ରେତୟା ଯୁଗଠାରୁ ଦ୍ଵାପର ଯୁଗ ଏବଂ ଦ୍ଵାପର ଯୁଗଠାରୁ ତା’ ପରବର୍ତ୍ତୀ ଯୁଗର ନାରୀଶକ୍ତି ଏବଂ ନାରୀ ଜାତିର ଆଦର୍ଶ ଭିନ୍ନଭାବରେ ଦେଖା ଦେଇଛି ।

 

ତା’ର ମନେ ପଡ଼ିଲା ବୈଦିକ ଯୁଗ କଥା । ଏ ଯୁଗର ନାରୀ ଆଧ୍ୟାତ୍ମିକ ଚିନ୍ତାଧାରାକୁ ବହନ କରି ଆପଣା ଜୀବନକୁ ଗଠନ କରୁଥିଲା । ସେ ହୋଇପାରିଥିଲା ଏହି ବିଦ୍ୟା ଚର୍ଚ୍ଚାରେ ନିପୁଣା । ସେହି ଦୃଷ୍ଟିରୁ ମାତ୍ର ଜଣେ ନାରୀହିଁ, ଶିକ୍ଷା, ଜ୍ଞାନ, ବୃଦ୍ଧି ଓ କଳା ସାହିତ୍ୟର ମୂର୍ତ୍ତିମନ୍ତ ପ୍ରତୀକ ଭାବରେ ସମ୍ମାନିତା ହେଉଥିଲେ । ସେହି ନାରୀ ଶକ୍ତିପ୍ରତି ସମସ୍ତଙ୍କର ଅସୀମ ଭକ୍ତି ରହିଥିଲା । ସେ ନାରୀ ହେଉଛନ୍ତି ସରସ୍ଵତୀ, ଆଜି ପର୍ଯ୍ୟନ୍ତ ମଣିଷ ସମାଜରେ ବହୁ ସମ୍ମାନର ଅଧିକାରିଣୀ ହୋଇ ପୂଜା ପାଉଛନ୍ତି ।

 

ସତ୍ୟଯୁଗ ଉପନୀତ ହେଲାବେଳେ, ନାରୀ ଜାତିର ସ୍ଵାଧୀନ ଶକ୍ତିର ପରିବର୍ତ୍ତନ ହେଲା-। କ୍ରମେ କ୍ରମେ ଏ ଯୁଗରେ ତା’ର ସ୍ଵାଧୀନତାରେ ସଙ୍କୋଚନ ଦେଖାଗଲା । ତଥାପି ଯେ ସେ ସମ୍ପୂର୍ଣ୍ଣ ପରାଧୀନ ହୋଇ ରହିଲା ତାହା ନୁହେଁ । ନାରୀ ଶକ୍ତି ଅପେକ୍ଷାକୃତ ସ୍ଵାଧୀନତା ଉପଭୋଗ କରିଛି । ସେ ହୋଇଛି ଧନୁର୍ବିଦ୍ୟା ପ୍ରତି ଅଧିକ ଆକୃଷ୍ଟ । ଏ ଦିଗରେ ନାରୀ ପାରଦର୍ଶିତା ଅର୍ଜନ କଲା । ସେ ନିଜର ଶକ୍ତିର ପରାକାଷ୍ଠା ପ୍ରଦର୍ଶନ କରି, ଯୁଦ୍ଧ ଭୂଇଁରେ ଯେପରି ବୀରାଙ୍ଗନାର ପରିଚୟ ଦେଲା, ଠିକ୍‌ ସେମିତି ନିଜ ମନକୁ ଚାହିଁ, ପତି ମନୋନୟନରେ ନିଜ ସ୍ଵାଧୀନ ଚିନ୍ତାର ପ୍ରମାଣ ଦେଇପାରିଲା ।

 

ମଞ୍ଜୁ ଏମିତି ଭାବି ଯାଉଥିବାବେଳେ, ପ୍ରିୟବ୍ରତ ଚାହିଁ ରହିଥାଏ ତା’ର ମୁଖମଣ୍ଡଳକୁ । ତା’ ମୁଖମଣ୍ଡଳରେ ବିଦ୍ରୋହର ନିଆଁ ଜଳି ଉଠୁଥିଲା । କାହାରି ଆୟତ୍ତରେ ରହି ନିଜ ସ୍ଵାଧୀନ ଚିନ୍ତା ଓ ଆଶାକୁ ବଳି ଦେବାପାଇଁ ସେ ଆଦୌ ଆଗ୍ରହୀ ନଥାଏ । ମନ ହେଉଥାଏ, ପରିବାର, ସମାଜ ଓ ସମସ୍ତ ଅନ୍ତରଙ୍ଗମାନଙ୍କୁ ସେ ଗୋଟାଏ ନୂତନ ଶିକ୍ଷା ଦେଇ ପାରନ୍ତାକି ? ଏକ ନୂତନ ଆଦର୍ଶ ଏ ଯୁଗରେ ସୃଷ୍ଟିକରି ଯାଆନ୍ତାକି ! ତେବେ ତା’ର ଜୀବନ ଧନ୍ୟ ହୁଅନ୍ତା ।

 

ପ୍ରିୟବ୍ରତ ତା’ ଚିନ୍ତାରେ ବାଧା ଦେଇ କହିଲା–‘‘ଆଜିପରି ଦିନରେ ତୁମେ ଏମିତି ଅଭିମାନିନୀ ହୋଇ ଠିଆହେଲେ, ବିଦାୟକାଳୀନ ଦୃଶ୍ୟର ଆମୋଦଦାୟକ ହେବ ନାହିଁ । କିଛି କ’ଣ କହିବାପାଇଁ ତୁମ ମୁହଁରେ ଭାଷା ନାହିଁ ! ?’’

 

କମ୍ପିଉଠିଲା ମଞ୍ଜୁର ଓଷ୍ଠାଧାର । କେତେ ସଞ୍ଚିତ ଆବେଗର ଭାଷା ଫୁଟିଉଠିଲା । ‘‘କିଏ କହିଲା, ମୋ’ ମନରେ ଭାଷା ମରିଯାଇଛି । କେମିତି ବା ତୁମେ ଅନୁମାନ କରିପାରୁଛ ଯେ, ତୁମ ଲାଗି ମୋର କଥା ସବୁ ସରିଯାଇଛି ବୋଲି ! ତୁମେ ଏମିତି କହି, ଏହି ଅଭିନୟ ଭିତରେ ଆମପାଇଁ ପ୍ରାଚୀର ସୃଷ୍ଟି କରୁନତ !’’

 

ମଞ୍ଜୁ ଭାଷାରେ ଥିଲା ଗମ୍ଭୀର ଶବ୍ଦ ସମ୍ଭାରର ଆକର୍ଷଣୀୟ ମାଦକତା । ମାତ୍ର କଣ୍ଠରେ ପୁଣି ଆର୍ଦ୍ରତା କାହିଁକି ! ନୟନ ଯୁଗଳରେ ବିଦାୟକାଳୀନ ଅଶ୍ରୁ ଲହଡ଼ି ଭାଙ୍ଗୁଛି କାହିଁକି ? କାହିଁକି ଏମିତି ତା’ ଆଗରେ ମଞ୍ଜୁ ଏପରି ଅପୂର୍ବ ଦୃଶ୍ୟ ସୃଷ୍ଟି କରୁଛି, ସେ ସ୍ଥିରକରି ପାରିଲା ନାହିଁ । ପୁଣିବି ତୁମେ ତା’ ମନରେ ସନ୍ଦେହ !

 

ଆଜିବି ତୁମେ କହିପାରିଲ, ଏସବୁ କଥାଭାଷା, ଏସବୁ ଆଚାର ବ୍ୟବହାର ଅଭିନୟ ବୋଲି ! ଏବେବି ତୁମେ ମୋ’ ଅନ୍ତରର ସ୍ନେହ, ମମତା ଓ ଭାବନାକୁ କ’ଣ ସତରେ କଳିପାରିନାହଁ-! ତାହାହେଲେ ମୋ’ ଜୀବନକୁ ମୁଁ ଧିକ୍‌ ନକରିବି କାହିଁକି ?

 

ମଣିଷ ଯାହାକୁ ସ୍ନେହ ବନ୍ଧନରେ ବାନ୍ଧି ପାରିଥାଏ, ସବୁ ଶ୍ରଦ୍ଧା ଯାହାପ୍ରତି ଅଜାଡ଼ି ଦେବାକୁ କୁଣ୍ଠାବୋଧ କରେନା, ଏସବୁ ସ୍ନେହ ଓ ମମତାକୁ ଯଦି କେହି ଛଳନା, ପ୍ରତାରଣା ଓ ଅଭିନୟ ବୋଲି କହିବସେ, ତେବେ ମମତାବଦ୍ଧ ମଣିଷ ଆଘାତ ପାଏନିକି ?

 

ପ୍ରିୟବ୍ରତ ଆଘାତରେ କ୍ଷତବିକ୍ଷତ ହେଲାପରି ମନେକଲା । ପୁଣି ମନକୁ ଦୃଢ଼କରି ଆରମ୍ଭ କଲା ସେ ତା’ର ସ୍ଵାଭାବିକ କଥାବସ୍ତୁ ।

 

‘‘କାହିଁକି ? କ’ଣ ପାଇଁ ତୁମେ ଏତେ ଭାବୁଛ କହିଲ ? ଆଜି ହୁଏତ ମୁଁ ଏହି ପରିସର ଭିତରୁ ଚାଲିଯିବି ସିନା, କିନ୍ତୁ ତୁମ ଅନ୍ତର ଭିତରୁ ତ ବିଦାୟ ଦେବା ଏ ଜନ୍ମରେ ସମ୍ଭବ ନୁହେଁ । ଆଉ ତେବେ...... ?’’

 

ମଞ୍ଜୁ ଏଥର ମୁହଁ ଟେକି ପ୍ରିୟବ୍ରତକୁ ଚାହିଁଲା । ସେ ଚାହାଣିରେ ଭରିରହିଥାଏ ସତେ ଯେପରି ଯୁଗଯୁଗର କ୍ଷୁଧା, ଅସୀମ ଭାବାବେଗର କମ୍ପନ । ସବୁ ଯେମିତି ଅପ୍ରକାଶ୍ୟ । ମାତ୍ର ଅପ୍ରକାଶ୍ୟ ସଙ୍ଗୀତର ଲହରୀ ମଞ୍ଜୁର ଅନ୍ତର ଭେଦକରି ସ୍ପର୍ଶ କରୁଥାଏ ପ୍ରିୟବ୍ରତର ହୃଦୟକୁ । ଅବର୍ଣ୍ଣନୀୟ ସେହି ପରିବେଶ । ଦୁଇ ଆତ୍ମାର ନୀରବ ସଂଳାପ ଭିତରେ ବହୁ ପରିଚିତ ଏହି ପୋର୍ଟିକୋ, ଏହି ପଡ଼ିଆ, ଏହି ଛାତ୍ରୀନିବାସ ସବୁ ଯେମିତି ପ୍ରତି ସଂଳାପ ଶୁଣାଇ ସେଦିନର ବିଦାୟକାଳୀନ ମୁହୂର୍ତ୍ତକୁ ଅଧିକ କରୁଣାର୍ଦ୍ର କରିପକାଉଥିଲେ । ନୀରବ ସଂଳାପର ପ୍ରତିଧ୍ୱନି ସ୍ପଷ୍ଟ ହୋଇ ଉଠୁଥାଏ ।

 

ମଞ୍ଜୁ କଣ୍ଠରେ ପୁଣି ସେହି ଅଭିମାନିନୀର ଭାଷା । ଅବ୍ୟକ୍ତ ଇତିହାସର କାହାଣୀ ତା’ ମନରେ ଗୁମୁରି ଉଠିଲା । ମାତ୍ର ସେସବୁ ପ୍ରକାଶ କରିବାକୁ ଅକ୍ଷମତା ଭିତରେ ଭାବୀ ଜୀବନର ରଙ୍ଗୀନ ଆଶା ତାକୁ ଆଗକୁ ଯିବାପାଇଁ ପ୍ରେରଣା, ଉତ୍ସାହ ଭରି ଦେଉଥାଏ ।

 

ଧୀର କଣ୍ଠରେ ପଚାରିଲା–‘‘ଆମେ ଆଉ ଯଦି କିଛିଦିନ ଏଠାରେ ରହିଥାଆନ୍ତେ, ତେବେ ଖୁବ୍ ଭଲ ହୋଇଥାଆନ୍ତା, ନୁହେଁ ?’’

‘‘ମଣିଷତ ଅନେକ କଳ୍ପନା କରେ, ଆକାଶୀ ସ୍ଵପ୍ନ ଭିତରେ ଆତ୍ମବିଭୋର ହୁଏ । ମାତ୍ର କଳ୍ପନାବି ତ ବହୁ ସମୟରେ କଳ୍ପନାରେ ରହିଯାଏ । ଆମେ ତ ନିମିତ୍ତ ମାତ୍ର । ଏସବୁ ଉପରେ ଗୁରୁତ୍ଵ ଦେଇ ଏତେ ଭାବିବା କ’ଣ ଠିକ୍‌ ?’’

 

ମଞ୍ଜୁ ମନ ଆକାଶରେ ପୁଣି ସନ୍ଦେହର ଅମା ଅନ୍ଧାର ଘୋଟି ଆସିଲା । ଆଶାର ଚାନ୍ଦ କ୍ରମେ ମଳିନ ପଡ଼ି ଆସୁଥାଏ । ସେହି ମିଳନ ଜହ୍ନକୁ ଆହୁରି ଆଧିକ ଉଜ୍ଜ୍ଵଳ କରିବାପାଇଁ ପଚାରିଲା ‘‘ତେବେ କ’ଣ ତୁମେ ଆମର କଳ୍ପନାକୁ ନେଇ ଏବେବି ସନ୍ଦେହୀ ।’’

 

‘‘ଆଦୌ ନୁହେଁ । କିଏ କହିଲା ?’’

 

ମଞ୍ଜୁ ଭାବୁଥାଏ । ବାପା ତା’ର ଆଜି ଗୋଟାଏ କଳ୍ପନାକୁ ଧୂଳିସାତ୍ କରିଦେଲେ ସିନା, ହେଲେ କିନ୍ତୁ ତା’ ଜୀବନର ବିରାଟ ପରିକଳ୍ପନାରେ ସେ କ’ଣ ପ୍ରତିବନ୍ଧକ ହୋଇ ପାରିବେ !

 

ଫେରିଗଲା ତ୍ରେତୟା ଯୁଗକୁ । ସେଠିଥିଲା ନାରୀର ଏକ ଭିନ୍ନ ଆଦର୍ଶ । ଏଯୁଗରେ ନାରୀର ଭୂମିକାକୁ ସଂକୁଚିତ ଦୃଷ୍ଟିରୁ ବିଚାର କରାଯାଇଥିଲା । ନାରୀ ଥିଲା ରକ୍ଷଣାଶୀଳା । ସ୍ଵାର୍ଥ ସର୍ବସ୍ଵ ହେବାର ଚିନ୍ତା ତାକୁ ଗ୍ରାସ କରି ନଥିଲା । ସେ ପତିବ୍ରତା ଭାବରେ ଆଦରଣୀୟ ହେଉଥାଏ-। ଏକ ପତିବ୍ରତକୁ ଜୀବନର ଆଦର୍ଶ କରିଥିଲା । ଏଯୁଗରେ ନାରୀ ନିର୍ଯାତନା ସହ୍ୟ କରିଛି-। ସ୍ଵାର୍ଥ ତ୍ୟାଗର ଜ୍ଵଳନ୍ତ ପ୍ରମାଣ ଦେଇଛି, ସର୍ବୋପରି ବଧୂ ହୋଇ ଜୀବନ ବିତାଇବାରେ ଆଦର୍ଶ ସୃଷ୍ଟି କରିଛି ।

 

ରାମାୟଣ ଯୁଗରୁ ସେ ଆଖି ଫେରାଇ ନେଲା । ଉଜ୍ଜ୍ୱଳ ନାରୀ ଚରିତ୍ର ସୀତାଙ୍କୁ ନିଜ ଭିତରେ ଦେଖିବାକୁ ଚେଷ୍ଟାକଲା । ଦେଖିଲା, ଚରିତ୍ରକୁ ବୁଝିଲା । ମାତ୍ର ସୀତାଙ୍କ ପରି ପ୍ରତିବାଦହୀନ ଜୀବନ ଯାପନକୁ ସେ ସୁଖ ମଣିଲା ନାହିଁ । ଏପରି ପ୍ରତିବାଦ ନା ହୋଇ ବଞ୍ଚିପାରିବା ଏ ଯୁଗରେ କ’ଣ ସମ୍ଭବ ! ମୂକ ରହି, ମନର ଭାବକୁ ଅନ୍ତରାଳରେ ଚାପିରଖି ମଞ୍ଜୁ ଜୀବନ ତରୀ ବାହିବାକୁ ସକ୍ଷମ ହେବନି ସ୍ଥିର କରିନେଲା । ସୀତା ସେ ଯୁଗରେ ବିନା ପ୍ରତିବାଦରେ ନିରୀହ ଆତ୍ମାକୁ ବହନ କରି ବଞ୍ଚି ପାରିଲେ, କିନ୍ତୁ ଏ ଯୁଗରେ ମଞ୍ଜୁ ତାହା କରି ପାରିବ ନାହିଁ । ସେ ଯୁଗରେ ସେପରି ଆଦର୍ଶ ନାରୀ ସୃଷ୍ଟି କରିବାକୁ ହୁଏତ ବାଧ୍ୟ ହେଉଥିଲା ସିନା, କିନ୍ତୁ ଏଠିତ ଆଉ ସେ ଆତ୍ମସଚେତନହୀନା ଭାବରେ ରହିପାରିବ ନାହିଁ !

 

ଯୁଗରୁ ଯୁଗକୁ ଆଦର୍ଶ ପରିବର୍ତ୍ତନ ହୋଇ ଚାଲିଛି । ସେ ତେଣୁ ତା’ର ଆଦର୍ଶ ପ୍ରତିଷ୍ଠାପାଇଁ ଭୂଇଁ ଖୋଜିବାକୁ ଲାଗିଲା । ଏହି ଭୂଇଁ ଅନେକ ଦିନରୁ ମଞ୍ଜୁ ସୃଷ୍ଟି କରି ପାରିଛି । ଏହାକୁ ଅଧିକ କ୍ଷମତାପନ୍ନ କରିଛି ପ୍ରିୟବ୍ରତ । ଏଥିରେ ଆଉ ଭାବିବାକୁ କ’ଣ ବା ରହିଛି । ତେଣୁ ନିଜର ଭିନ୍ନ ଆଦର୍ଶ ସ୍ଥାପନପାଇଁ ମଞ୍ଜୁକୁ ବେଶି ସମୟ ଲାଗିବ ନାହିଁ ବୋଲି ଭାବି ପାରିଲା । ଏଥର ସେ ସ୍ଥିର କଲା ଯେ, ଘରର ସମସ୍ତଙ୍କୁ ଦୂରରେ ରଖି ନିଜର ସ୍ଵାଧୀନତା ଉପଭୋଗ କରିବ ! ଏହି ହେଉ ତା’ର ଆଦର୍ଶ–ତା’ ଜୀବନର ଭିନ୍ନ ପଥ ।

 

ମଞ୍ଜୁ ଚିନ୍ତାମଗ୍ନ ଥିବାର ଅନୁଭବ କରୁଛି ପ୍ରିୟବ୍ରତ । ଆସିଥିଲା ଶେଷ ଥର ଲାଗି ଦିପଦ ମନଖୋଲା କଥାଭାଷା ପରେ ବିଦାୟ ନେଇ ଥାଆନ୍ତା । ମାତ୍ର ତାହା ହେଉଛି ବା କିପରି !

 

ମଞ୍ଜୁ ସେମିତି ଭାବି ଚାଲିଥାଏ । ଆଉ ଏକ ଆଦର୍ଶର କଥା ତା’ ମନକୁ ଛୁଇଁଗଲାଣି । ଦ୍ଵାପର ଯୁଗରେ ନାରୀ ଥିଲା ପ୍ରେମିକା ଭାବରେ ପରିଚିତା । ଏଠାରେ ବଧୂ ହେବାର ଗୌରବଠାରୁ ପ୍ରେମିକା ହୋଇ ରହିବାକୁ ନାରୀ ସୁଖକର ମଣୁଥିଲା । ଏ ଯୁଗରେ ନାରୀ ପ୍ରେମିକା ଭାବରେ ଯେପରି ସମ୍ମାନିତା ହେଲା ଅନ୍ୟ ଯୁଗରେ ଏପରି ଦେଖାଯାଇ ନଥିଲା । ନାରୀ ପ୍ରେମିକା ହେଲା, କିନ୍ତୁ ପତି ଭକ୍ତିର ନିନ୍ଦାଗାନ କରାଗଲା ନାହିଁ । ପତି ଭକ୍ତି ରହିଲା । ପତି ପୂଜାକୁ ଅବହେଳା କରାଗଲା ନାହିଁ । ମାତ୍ର ତାହାପାଇଁ ଏକ ବିକଳ୍ପ ସର୍ତ୍ତ ମଧ୍ୟ ରହିଥିଲା ।

 

ଏମିତି ଭିନ୍ନ ଭିନ୍ନ ଯୁଗର ନାରୀ–ଆଦର୍ଶର ପରମ୍ପରା ମଞ୍ଜୁବାଳାକୁ ବିବ୍ରତ କଲା । ସାମାନ୍ୟ ଆଉ ବା କେତେଟଙ୍କା । ବାପା କ’ଣ ଦେଇପାରି ନଥାନ୍ତେ । ଇଚ୍ଛା କରିନାହାନ୍ତି । ରହିବାର ଆବଶ୍ୟକତା ଅନୁଭବ କରି ନାହାନ୍ତି । ପରୀକ୍ଷା ପରେ ଆଉ କିଛିଦିନ ରହିବ, ଏକଥା ସେ ଚିଠିରେ ମଧ୍ୟ ଜଣାଇଥିଲା । ତଥାପି ବାପା ଏପରି ପଦକ୍ଷେପ ନେବେ, ସେ ଭାବି ନଥିଲା ।

 

ପ୍ରିୟବ୍ରତ ଅଧିକ କିଛି କହି, ପରିବେଶକୁ ଆହୁରି କରୁଣ କରିବାକୁ ଭାବିଲା ନାହିଁ ।

 

ଡାକପିଅନ ସକାଳୁ ଚିଠିଟିଏ ଦେଇ ଯାଇଛି । ବାପାଙ୍କର ଚିଠି, ଲେଖାଥିଲା, ‘ପରୀକ୍ଷା ପରେ ତୁ ସେଠି ରହିବାକୁ ମୁଁ ଭଲ ମନେ କରୁନି, ଘରକୁ ଚାଲି ଆସିବୁ ।

 

ଏହି ଧାଡ଼ି କେଇଟି ମନରେ ତା’ର ପ୍ରତିକ୍ରିୟା ସୃଷ୍ଟିକଲା । ବାପା କ’ଣ ମୋ’ ଚରିତ୍ରକୁ ନେଇ ସନ୍ଦେହ କରୁଛନ୍ତି ? ଦୀର୍ଘ ଦୁଇବର୍ଷ ରହିଲି, ଆଉ ମାତ୍ର କେତେଟା ଦିନ ରହିବାରେ କ୍ଷତି କ’ଣ ? ଦି’ବର୍ଷ ରହି ବାପାଙ୍କର ଯଦି ଭଲ ଝିଅ ଭାବରେ ନାମ ରଖି ପାରିଲି, ଏଇ ମାତ୍ର ଆଉ କେତେଟା ଦିନରେ କ’ଣ କଳଙ୍କିତା କନ୍ୟା ହୋଇଯିବି ! ଏମିତି ଚିନ୍ତା ଆସିଲା କାହିଁକି ?

 

ମନ ତା’ ଅଧିକ ବିଦ୍ରୋହ କରି ଉଠିଲା । ସ୍ୱାଧୀନ ଭାବରେ ନିଜର ସଂସାର ଗଠନପାଇଁ ଯଦି ନାରୀ କେବେ ତା’ ମନଲାଖି ପତି ମନୋନୀତ କରେ, ତେବେ ଦୋଷ ତ ନାହିଁ । ବରଂ ନାରୀ ନିଜ ଜୀବନକୁ ସୁଖମୟ କରିପାରେ । ଶାନ୍ତି ଓ ଆନନ୍ଦରେ ରହିବାପାଇଁ ସୁଯୋଗ ପାଏ ।

 

ସେ ବହୁ କଥା ଭାବୁଥାଏ । ପ୍ରିୟବ୍ରତ ତା’ ଭାବନାରେ ବାଧା ଦେଇ କହିଲା–‘‘ଏପରି ନୀରବତାର ସ୍ଵରଲିପି ଆଉ ଶୁଣାଉଛ କାହିଁକି ନୀରବତା ଭିତରେ ଆଜିର ଏ ବିଦାୟକାଳୀନ ଦୃଶ୍ୟ କ’ଣ ମନୋରମ ହେବ ମଞ୍ଜୁ !’’

 

ମଞ୍ଜୁ ଆଖିରେ ଜମାଟ ବାନ୍ଧିଥିବା ଲୁହ ଦୁଇଧାର ଦେଇ ବହି ଆସିଲା । ସେହି ଲୁହଭିଜା ନୟନ ଯୁଗଳକୁ ପ୍ରିୟବ୍ରତ ଚାହିଁ ଦେଇ ଧୈର୍ଯ୍ୟହରା ହୋଇ ପଡ଼ିଲା । ତା’ ଆଖିରେ ଜକେଇ ଆସିବା ଲୁହକୁ ମଞ୍ଜୁ ଅଗୋଚରରେ ନିଜ ହାତରେ ସେ ପୋଛି ପକାଇଲା । ମଞ୍ଜୁ ଲୁହଭିଜା ଚକ୍ଷୁ ଯୁଗଳରେ ଏତେ ସତର୍କତା ଭିତରେ ଯେ ପ୍ରିୟବ୍ରତର ଲୁହକୁ ଦେଖି ନେଇ ପାରିଛି, ସେ ଭାବି ନଥିଲା । ତା’ ଲୁହ ଦେଖି କାଳେ ମଞ୍ଜୁ ବେଶି ଦୁଃଖିତ ହେବ, ଏଲାଗି ତା’ ଆଖିରେ ଲୁହକୁ ମଞ୍ଜୁ ଦେଖି ନପାରୁ ବୋଲି ପ୍ରିୟବ୍ରତ ଭାବିଥିଲା ।

 

‘ତମେବି କାନ୍ଦୁଛ !’

 

‘ଜୀବନରେ କ’ଣ କାନ୍ଦିବା ସରେ ମଞ୍ଜୁ ! ମଣିଷ ହସିପାରେ, ସେ ହସି ଶିଖିଛି, ମାତ୍ର ଏହି କାନ୍ଦ ନଥିଲେ ଆମେ କ’ଣ ହସିପାରିବା !’

 

ଆହୁରି ଅଧିକ କାନ୍ଦି ଉଠିଲା ମଞ୍ଜୁ ।

 

‘ଏମିତି କାନ୍ଦୁଛ କାହିଁକି ? ହସ ଓ ସୁଖର ଦିନ ଆସୁଛି ମଞ୍ଜୁ । ବ୍ୟସ୍ତ ହେଉଛ କାହିଁକି !’

 

ମଞ୍ଜୁ ଆଉ ଅପେକ୍ଷା ନକରି ପଚାରିଲା–‘‘ସତରେ ତୁମେ ଏ ପରିସର ଛାଡ଼ି ଚାଲିଯିବ ! କେବେ ଯିବାପାଇଁ ସ୍ଥିର କରିଛ ?’’

 

‘ଆଜି ଯାଇ ଥାଆନ୍ତି । ବେଳ ଏତେ ହେଲାଣି । ଆଜି ଆଉ ଯାଇ ହେବନି । କାଲି ଚାଲିଯିବି ।’

 

‘ଆମେ ଯେଉଁ ଆକାଶ–କଳ୍ପନା କରିଛନ୍ତି, ତାହା କ’ଣ ଏଇଠୁ ଶେଷ ହୋଇଯିବ ?’

 

‘କିଏ କହିଲା ? ମୁଁ ତ ସେଥିପାଇଁ ବିଦାୟ ପୂର୍ବରୁ ତୁମକୁ ସାକ୍ଷାତ କରିବାକୁ ଆସିଛି ।’

 

ମଞ୍ଜୁ କୋହକୁ ଚାପିନେଲା । କାନ୍ଦ ଭିତରେ ବକ୍ତବ୍ୟ ପ୍ରକାଶ ପାଇପାରୁ ନଥାଏ । କିଛି ମୁହୂର୍ତ୍ତ ଭିତରେ ସେ ପ୍ରକୃତିସ୍ଥ ହୋଇଗଲା । ଠିକଣାଟା ମାଗିବାପାଇଁ ଯାଉଥିବାବେଳେ, ପ୍ରିୟବ୍ରତ କହିଲା–‘ଠିକଣା କ’ଣ ଆବଶ୍ୟକ ଅଛି ! ଆମର ତ ସାକ୍ଷାତ ହେବ ।’

 

ମଞ୍ଜୁ ଅଧରରେ ହସର ଢେଉ ।

 

ନୀଡ଼ ରଚନା ଲାଗି ଆକାଶ ଆଡ଼କୁ ଉଡ଼ିଯିବାର ପ୍ରତୀକ୍ଷାରେ ।

 

ବାର

 

ପ୍ରିୟବ୍ରତ କିଭଳି ଭାବରେ ଘରକୁ ସାହାଯ୍ୟ ଦେଇ ପାରିବ, ତାହା ଭାବି ପାରିଲା ନାହିଁ-। ନିଃସହାୟ ମନେକରି, ନୀରବ ରହିଲା ।

 

ନୀରବତା ଭିତରେ ଭାବିବାକୁ ଆରମ୍ଭ କଲା । ଆଜି ସେ ନିଃସହାୟ ସତ, ତଥାପି ଘର ପ୍ରତି ତା’ର ତ କର୍ତ୍ତବ୍ୟ ରହିଛି ! ତା’ ଉପରେ ଭାଇ, ଭାଉଜ, ପୁତୁରା, ଝିଆରୀ ସମସ୍ତେ ନିର୍ଭର କରିଛନ୍ତି, ଏକଥା କ’ଣ ତାକୁ ଜଣାନାହିଁ ! କେତେ ଅସୁବିଧାର ସମ୍ମୁଖୀନ ହୋଇ ସତ୍ୟବ୍ରତ ଏତେ ବାଟଯାଏ ତାକୁ ପାଠ ପଢ଼ାଇ ଆଣିଲେ, ସେ ବିଷୟରେ ସେ କ’ଣ ସଚତେନ ନାହିଁ !

 

ସବୁ ଜାଣିଛି । ସବୁ ଅନୁଭବ କରିଛି । ଏସବୁ ତା’ର ଅଙ୍ଗେ ନିଭା କଥା । ସେ ଏଇ କେତେଦିନ ହେଲା ବେକାର ହୋଇ ଘରେ ରହିବା ଫଳରେ ଘର ପରିସ୍ଥିତି ସହ ଅଧିକ ଜଡ଼ିତ ହୋଇ ଯାଇଛି । ରାତି ପାହିଲେ ଏଡ଼େବଡ଼ ସଂସାରଟା ଚଳାଇବା ଲାଗି ଭାଇଙ୍କର ମଥା କିପରି ଘୂରୁଛି, ଏବେ ସେ ନିଜେ ଆଖିରେ ଦେଖୁଛି । ସେତେବେଳେ ଖାଲି ଶୁଣି ଶୁଣି ସିନା କଳ୍ପନା କରୁଥିଲା ।

 

ଆଉ ଯାହା ତ ବାକି ରହିଛି ସେକଥା ଛାଡ଼, ବର୍ଷ ବର୍ଷର ଖଜଣା ଟଙ୍କା ଯେତେ ବାକି ରହିଛି, ତାହା କମ୍‌ ତ ନୁହେଁ । ହଜାର ହଜାର ଟଙ୍କା ଖଜଣା ଦେବା ସତ୍ୟବ୍ରତଙ୍କ ପକ୍ଷେ କେବେ ସମ୍ଭବ ନୁହେଁ । ଆଜି ପୁଣି ନୋଟିସ୍‍ ଆସିଥିଲା । ଏମିତି ନୋଟିସ୍‍ ପରେ ନୋଟିସ୍ ଅନେକ ଆସିଲାଣି । ସମୟ ନେବା ଛଡ଼ା ସତ୍ୟବ୍ରତଙ୍କର ଆଉ ବା ଉପାୟ କ’ଣ ଅଛି ?

 

ପ୍ରିୟବ୍ରତ ଲକ୍ଷ୍ୟ କରୁଥାଏ । ନୋଟିସ୍‍ ନେଇ ଆସିଥିବା ପିଅନକୁ ସତ୍ୟବ୍ରତ କିଭଳି ବିନୟ ସ୍ଵରରେ ଖଜଣା ଦେଇ ନ ପାରିବାର ଅକ୍ଷମତା ପ୍ରକାଶ କରୁଥାଆନ୍ତି । ଭାବିଲା–ପିଅନାଟାଏ ତା’ ପାଖରେ ପୁଣି ଏତେ କାକୁତି ମିନତି ହେବାକୁ ପଡ଼ୁଛି ! ହତଭାଗ୍ୟ ପରିବାର ଜୀବନରେ ଏମିତି ପୁଣି ଦୁର୍ଯୋଗ ଆସି ପହଞ୍ଚେ ! ଉପାୟତ ନାହିଁ ! ବୁଝାଇ ବୁଝାଇ ନରମ ଗଳାରେ ଏପରି ଦିପଦ କହିବାକୁ ମଣିଷ ବାଧ୍ୟ ହେଉଛି । ଯଦି ପିଅନ ରାଗେ, ତେବେ କ’ଣ ବୋଲି କ’ଣ ଖଜଣାଖାନାରେ କହିବ । ସେଠାକାର ବଡ଼ବାବୁ ରାଗିଉଠି ସାଙ୍ଗେ ସାଙ୍ଗେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବାକୁ ନିର୍ଦ୍ଦେଶ ଦେଇ ଦେବ ! ବିଚରା ସତ୍ୟବ୍ରତ କି ଅଡ଼ୁଆରେ ନ ପଡ଼ିବେ ! ଆଇନ ହାତରେ କେତେକଅଣ କରାଯିବାର ଅଛି । ସେଠୁ ମୁକୁଳିବା କ’ଣ ସହଜ । ଏମିତି ମୁହେଁ ମୁହେଁ ବରଂ ଯାହା ହେଉଛି ହେଉ ।

 

ଆଧୁନିକ ମଣିଷ ଭାବରେ ପ୍ରିୟବ୍ରତ ଜାଣିଛି, ଆଜି ହେଉଛି କିରାଣିଙ୍କ ଯୁଗ । ସେମାନଙ୍କୁ ଯେପର୍ଯ୍ୟନ୍ତ ହାତରେ ରଖିଥିବ, ସେପର୍ଯ୍ୟନ୍ତ ସେମାନଙ୍କୁ ଯେପରି ଉପାୟରେ ହେଉପଛେ ସନ୍ତୁଷ୍ଟ କରିପାରୁଥିବ, ସେପର୍ଯ୍ୟନ୍ତ ସବୁ ଭଲ । ଆଇନ ଲାଗୁ ହେବ ନାହିଁ । ବରଂ ଅଧିକ ଟିକିଏ ସନ୍ତୁଷ୍ଟ କରିପାରିଲେ, ଆଇନ ଯାଇ ଆଇନ ଜାଗାରେ ରହେ । ତା’ର ଆବଶ୍ୟକତା ପଡ଼େ ନାହିଁ । ସବୁ କାମ ହୋଇଯାଉଥାଏ–ଦୋଷ କରିବ ଦୋଷୀ ବୋଲି ଗଣା ଯାଏଁ ନାହିଁ । ଏହି ଖେଳ ଯେତେବେଳେ ସବୁଠି ଲାଗିଛି, ସେତେବେଳେ ପ୍ରିୟବ୍ରତ ବା କାହିଁକି କିଛି କହିବ ! ତଥାପି ସେ ଭାବେ ଭାଇ କାହିଁକି ଏ ପିଅନଟାକୁ ଏତେ ବୁଝାଉଛନ୍ତି ! ତା’ ଯୋଗେ କ’ଣଟା ବା ହୋଇ ପାରିବ ! ନୋଟିସ୍‌ଟା ନେଇ ତାକୁ ବିଦା କରିଦେଉ ନାହାନ୍ତି କାହିଁକି ? ଯେତେ ଭଦ୍ର ଭାବରେ ନରମ ଗଳାରେ କହିବାବେଳକୁ ପିଅନ ନିଜକୁ ବଡ଼ ବୋଲି ଭାବି ନେଉଛି । କଥା କହିବତ ଅଫିସ୍‍ରେ ଯାଇ ଅଫିସରଙ୍କ ସହ ଯାହା କହିବାର କଥା କହିବ । ଏସବୁ ଛୋଟ ଚାକିରିଆଙ୍କ ପାଖରେ କାମ ବା କ’ଣ ?

 

ପୁଣି ସେ ଭାବେ–ଚାକିରିଟା ସିନା ଛୋଟ, ଦରମା ସିନା କମ୍‌ ହେଲେ ଇଏଯେ ଅଫିସରଙ୍କ ଟେବୁଲର ପାଖ ଲୋକେ । ଏହାରି ଯୋଗେ ସେହି ଟେବୁଲ ପର୍ଯ୍ୟନ୍ତ ଯାଇହେବ । ଦାଏ ଦରକାରରେ କାଗଜପତ୍ର ନଥିବିଡ଼ାରୁ ଖୋଜି ବାହାର କରିଦେବ । କେତେ ଦିନର କାଗଜ କେଉଁଠି ଅଛି, ପିଅନ ଛଡ଼ା ଅଫିସ୍‍ରେ ଆଉ କିଏ ବା କହିବ ? ଗାଉଁଲି କଥାଟାଏ

 

ମନକୁ ଆସେ–ମହାଦେବଙ୍କ ପାଖକୁ ଯିବା ପୂର୍ବରୁ ବିଚରା ବାସୁଆକୁ ଭୁଲି ହୁଏନା । ଆଗ ବାସୁଆ ଦର୍ଶନ କରି ପରେ ସେମିତି ଅଫିସ୍‍କୁ ଯାଇ ପିଅନକୁ ନପଚାରି କିଏବା ଅଫିସରଙ୍କ ପାଖକୁ ଯାଇ ପାରିବ ।

 

ପ୍ରିୟବ୍ରତର ବିରକ୍ତି ଭାବ ସୁରିଆ ଜାଣିପାରିଲା । ଆଗକାଳିକା ମଣିଷ କେତେ ଅନୁଭୂତି ହେଲାଣି । କେତେ ବାବୁଭାୟାଙ୍କୁ ଦେଖିଲାଣି । ଶେଷରେ ପୁଣି ଆଜି ଏଯୁଗରେ ପହଞ୍ଚିଛି । କହିଲା–ସାନବାବୁ, ଏମିତି ବିରକ୍ତ ହୁଅନି । ବାବୁ ଆମର ସବୁ ଜାଣିଛନ୍ତି । ତମ ଯୁଗ, ତୁମେ ଏମିତି ବିରକ୍ତ ହେଲେ କ’ଣ ହେବ ? ପିଅନ ପା ବେଳେବେଳେ ନଚାଇ ଦେଲେଣି । ସେମାନଙ୍କ ହାତରେ କ’ଣ କମ୍‌ କ୍ଷମତା ।

 

ସେ ଅଳ୍ପ କ୍ଷମତାର ଅଧିକାରୀ କିମ୍ବା ଯାହାର କ୍ଷମତା ନାହିଁ, ସେହି କେବଳ କ୍ଷମତାକୁ ନେଇ ଯେ ନିଜକୁ ସମାଜ ଆଗରେ ଜାହିର୍‌ କରେ, ତାହା ନୁହେଁ । ଏହି ନିଶା ଆଜି ସମସ୍ତଙ୍କୁ ଘାରିଛି । ସମସ୍ତେ କ୍ଷମତା ଲାଗି ଲାଳାୟିତ, ଯେପରି ସେହି କ୍ଷମତାର ଅପବ୍ୟବହାର କରିବାପାଇଁ ସେତିକି ମଧ୍ୟ ଆଗ୍ରହୀ । ଏହି କ୍ଷମତାକୁ କେନ୍ଦ୍ରକରି ବ୍ୟକ୍ତିଗତ ସ୍ଵାର୍ଥ ହାସଲ ଲାଗି କମ୍‌ ତ ଉଦ୍ୟମ ମଧ୍ୟ ହୁଏ ନାହିଁ !

 

ପ୍ରିୟବ୍ରତ ଚିନ୍ତାଧାରାକୁ ପରିବର୍ତ୍ତନ କଲା । ସତ୍ୟବ୍ରତ, ପ୍ରିୟବ୍ରତ ଚିନ୍ତାମଗ୍ନ ଥିବାର ଦେଖି କାରଣ କିଛି ବୁଝିପାରିଲେ ନାହିଁ । ଅନେକଦିନ ପରେ ଘରକୁ ଫେରିଛି । ତା’ ଆନନ୍ଦ କହିଲେ ସରନ୍ତା ନାହିଁ, ଅଥଚ ସେ ଆଜି ଏତେ ଚିନ୍ତିତ କାହିଁକି ?

 

‘କିରେ, ମନ କ’ଣ ଭଲ ନାହିଁ ? ପରୀକ୍ଷାରେ ସବୁ ଭଲ ହେଲା ତ !’

 

‘ଭାଇ, ଆପଣଙ୍କ ଆଶୀର୍ବାଦରୁ ଭଲ ହୋଇଛି ।’

 

‘‘ଆଉ ଭାବୁଛୁ କ’ଣ ? ପରୀକ୍ଷା ସରିଛି । ଏବେ ମୁକ୍ତ ଭାବରେ ବୁଲାବୁଲି କର । ତୋର ପୁଣି ଚିନ୍ତା କାହିଁକି !’’

 

ପରୀକ୍ଷା ସରିଲା । ପରୀକ୍ଷାରେ ଯାହା ହେବାର ହେଉ । ଏବେ ମୋ’ ଉପରେ ଗୁରୁଦାୟିତ୍ଵ ପଡ଼ିଛି । କେମିତି ତୁଲାଇ ପାରିବି, ତାହାହିଁ ଭାବୁଛି । ଆଉ ଆପଣଙ୍କ ତ୍ୟାଗର ମୂଲ୍ୟ ମୁଁ କିପରି ଦେଇ ପାରିବି, ସେହି ହେଉଛି ସବୁଠୁ ଚିନ୍ତାର ବିଷୟ ।

 

ମନକୁ ମନ ପ୍ରିୟବ୍ରତ ଯେ ଏତେଗୁଡ଼େ ଭାବି ନେଲାଣି, ଏହା ଜାଣି ସତ୍ୟବ୍ରତ ଖୁସି ହେଲେ । ଆଉ ସେ ତାଙ୍କୁ ଏ ବିଷୟରେ କିଛି ସୂଚନା ଦେବାକୁ ପଡ଼ିବ ନାହିଁ ଏହା ଜାଣିପାରିଲେ । ତେବେ ସେ ତା’ ଉପରେ ଦାୟିତ୍ଵ ଦେବାକୁ ଭଲ ମନେ କରୁନାହାନ୍ତି । ନିଜେ ସେ ସବୁ ବୁଝୁ, କ’ଣ କରିପାରିବ, ସେ ସ୍ଥିର କରୁ । ସତ୍ୟବ୍ରତ ଏହା ଭାବୁଛନ୍ତି ।

 

ପ୍ରିୟବ୍ରତ ମନରୁ ଚିନ୍ତା ଦୂର କରିବା ଲାଗି କହିଲେ–‘ତୁ ଏସବୁକୁ ଏତେ ଭାବିଲେ ଚଳିବ ନାହିଁ । ସଂସାର ଭିତରେ ରହିଛନ୍ତି । ଏମିତି କେତେକଅଣ ଆପଦ ବିପଦ ଆସିବ, ସେ ସବୁକୁ ଆମେ ତ ସହ୍ୟ କରିବା । ତୁ ଏମିତି ଭାଙ୍ଗିପଡ଼ୁଛୁ କାହିଁକି ?’

 

‘‘ମୋରି ଆଗରେ ପିଅନ ଆସି ଖଜଣା ତାଗଦା କରିବ, ଆପଣ ତାକୁ ବିନୟ ହୋଇ କଥା କହୁଥିବେ, ଏଗୁଡ଼ାକ ମୋତେ ବାଧିବ ନାହିଁ । ମୁଁ ସିନା ନିରୁପାୟ ହୋଇଛି, କିନ୍ତୁ ମୁଁ ଅନୁଭବ ତ କରୁଛି । ଏ ଘର ପ୍ରତି ମୋର କ’ଣ ଦାୟିତ୍ଵ ନାହିଁ ! ଭାଇ, ଭାଉଜ, ପୁତୁରା ଝିଆରୀ ସୁଖରେ ରହନ୍ତୁ, ମୁଁ କ’ଣ ଚାହିଁବି ନାହିଁ ।’’

 

‘‘ଇତିଶ୍ରୀ ଏପର୍ଯ୍ୟନ୍ତ ଘରେ ଥିଲେ । ଦି’ଭାଇଙ୍କର କଥାବାର୍ତ୍ତା ଶୁଣି ଦାଣ୍ଡ ବଙ୍ଗଳାକୁ ପଶି ଆସି କହିଲେ–‘‘କ’ଣ, ଦି’ଭାଇଙ୍କର ତ ଖୁବ୍‌ କଥାଭାଷା ଲାଗିଛି ! ଏମିତି କଥା ଚାଲିଥିବ ନା, ଆଉ କିଛି କାମ ହେବ । ସନାତନର ବ୍ୟବସ୍ଥା କର । କାହିଁକି ବିଚରାରକୁ ହଇରାଣ କରୁଛ କହିଲ !’’

 

ସତ୍ୟବ୍ରତ କିଛି ମୁହୂର୍ତ୍ତ ନିରୁତ୍ତର ହୋଇ ଇତିଶ୍ରୀଙ୍କର କଥାକୁ ଲକ୍ଷ୍ୟ କଲେ । ସେ ଯେ ଏହିବେଳରେ ସନାତନ କଥାଟାକୁ ଉଠାଇବେ, ସତ୍ୟବ୍ରତ ଆଦୌ ଭାବି ନଥାଆନ୍ତି । ତେବେ ତାଙ୍କ କହିବାର ଉଦ୍ଦେଶ୍ୟ କ’ଣ ଜାଣିବାପାଇଁ ପଚାରିଲା–‘‘କ’ଣ ତୁମେ କହୁଛ ! ସନାତନର ଟଙ୍କା କଥା ତ ?’’

 

‘‘ଏମିତି କ’ଣ କହିଲଣି ? ସତେ ଯେମିତି ତା’ ଟଙ୍କାଗୁଡ଼ାକ ଶୁଝିଦେଇ ପାରିବ ।’’

 

ଇତିଶ୍ରୀଙ୍କ ଏପରି ବ୍ୟଙ୍ଗୋକ୍ତି ସତ୍ୟବ୍ରତଙ୍କୁ ଆଘାତ ଦେଲା; କିନ୍ତୁ ନିରୁପାୟ ସେ, ଅସମର୍ଥ ବ୍ୟକ୍ତି ସବୁ ନିନ୍ଦା, ଅପବାଦ ଓ ବ୍ୟଙ୍ଗକୁ ସହ୍ୟ କରିଥାଏ । ସତ୍ୟବ୍ରତ ପ୍ରତିବାଦବି କରିବାକୁ ଅକ୍ଷମ ମନେକଲେ ।

 

ପ୍ରିୟବ୍ରତ ଏପରି ପରିସ୍ଥିତିରେ ଆଶ୍ଵସ୍ତି ବୋଧକଲା । ମନ ତା’ର ବିଷେଇ ଉଠିଲା । ଆଉ ମୁହୂର୍ତ୍ତେ ସୁଦ୍ଧା ସେଠାରେ ରହିବାକୁ ସେ ସୁଖ ମଣିଲାନାହିଁ । ତେବେ ସେ ଯିବ ବା କୁଆଡ଼େ ? ନିଜ ଘର, ନିଜ ଭିଟାମାଟିକୁ ଛାଡ଼ି ଦୂରରେ କ’ଣ ରହିପାରିବ ! ସେ ବା ଯାଇ କେଉଁଠି ଆଉ ବାସକରିବ ! ଏଇଠିତ ତାକୁ ରହିବାକୁ ହେବ । ଜନ୍ମଭୂମିର ମମତା, ଆକର୍ଷଣ ତାକୁ ମୁଗ୍ଧ କରିଛି । ଯେଉଁ ମାଟିର ପାଣିପବନରେ ଅଙ୍ଗ ତା’ର ପୃଷ୍ଟ ହୋଇଛି, ଯାହାର ପ୍ରାକୃତିକ ମନୋଲୋଭା ଶୋଭାରେ ବିମୋହିତ ହୋଇଛି, ଯେଉଁ ମାଟିର ଚୂତ ବକୁଳର ବାସ୍ନା ତା’ ମନରେ ଫଗୁଣର ପରଶ ବୋଳି ଦେଇଛି, ଯେଉଁଠୁ ସେ ପିକର ପଞ୍ଚମ ସ୍ଵରରେ ଜୀବନ ଭୁଲା ତାନ ଓ ଲୟର ସନ୍ଧାନ ପାଇଛି, ସେପରି ତା’ ପ୍ରିୟ ପରିଚିତ ପଲ୍ଲୀ ମାଟିର କୋଳକୁ ହେୟ ମନେ କରୁଛି ବା କିପରି !

 

ଭାବିଲା–ଏ ଘଟଣାର ରହସ୍ୟ ବୁଝିବ । ସନାତନ ତା’ ଜୀବନ ଗଠନରେ ଯଥେଷ୍ଟ ସାହାଯ୍ୟ କରିଛି । ଥିଲା ନଥିଲାବେଳେ ଏ ଘରର ସେ ହୋଇଛି ସହଯୋଗୀ । କେବେ ମୁହଁ ତୁଟାଇ ମନା କରିପାରିନି । ଏହାକୁ ତ କେହି ଅସ୍ୱୀକାର କରୁନି । ତେବେ ଭାଉଜଙ୍କ ତୁଣ୍ଡରୁ ଏପରି ଶୁଭିଲା କାହିଁକି ! ସନ୍ଦେହୀ ଭାବରେ କହି ଉଠିଲା–

 

“ସନାତନ ଆମକୁ ଧାର ଦେଇଛି, ଏକଥା ତ କେହି ନାହିଁ କରୁନି । କେତେଟଙ୍କା ଦେଇଛି, ଆଉ କେତେ ଟଙ୍କା ନେଲାଣି, ତା’ର କିଛି ହିସାବ ଅଛି ଭାଉଜ !”

 

“ହିସାବ ତ ମୁହେଁ ମୁହେଁ । କେତେଟଙ୍କା ତା’ ପାଖରୁ ଆସିଛି ତୁମ ଭାଇ କ’ଣ ଜାଣି ନାହାନ୍ତି କି ! ତେବେ ସେଥିରୁ କେତେକଅଣ ଦିଆଯାଇଛି କି ନ ଦିଆଯାଇଛି ମୁଁ ତାହା କହିପାରିବିନି ।”

 

ସତ୍ୟବ୍ରତ ଏତେବେଳ ଯାଏଁ ସବୁ ନୀରବରେ ଶୁଣୁଥିଲେ । ପ୍ରିୟବ୍ରତ ସିନା ଦୂରରେ ଅଛି, ସେ ବି ଘରକଥା କ’ଣ ଜାଣୁଛି ଯେ କେଉଁଠୁଁ, କେତେବେଳେ କେତେ ଧାର ଉଧାର ଆସୁଛି, ଏହା ଜାଣିବା ତା’ପକ୍ଷେ ସହଜ ହେବନାହିଁ; କିନ୍ତୁ ଇତିଶ୍ରୀ ତ ସବୁ ଜାଣିଛନ୍ତି । ତେବେ ସେ କାହିଁକି ଅଜଣା ପରି ହେଉଛନ୍ତି, ସତ୍ୟବ୍ରତ ତାହା ବୁଝିପାରିଲେ ନାହିଁ ।

 

“ସମବାୟ ଋଣ ଚୁକ୍ତି ସମୟରେ ସନାତନ ଟଙ୍କା ଦେଇଛି ! ତୋ ଫର୍ମ୍ ଫିଲପ୍‌ବେଳେ ଟଙ୍କା ଦେଇଛି । ଦିଆଯାଇପାରିନି ।”

 

ଇତିଶ୍ରୀ ଏଥିରେ ଏଡ଼େ ପାଟିଟାଏ କରି ପରିସରକୁ କମ୍ପାଇ ଦେଲେ । ‘‘କ’ଣ କହିଲ ! କେବଳ ଫର୍ମ୍ ଫିଲପ୍‌ବେଳେ ଟଙ୍କା ଆସିଥିଲା ! ପ୍ରିୟବ୍ରତ ଆମ ନିଜର । ଘରକଥା ଜାଣିଲେ କ’ଣ କ୍ଷତି ହେବ ! ତେବେ କାହିଁକି ଲୁଚାଉଛ ?”

 

“ହଁ କହିଲି ତାହା ପୂର୍ବରୁବି କିଛି ଟଙ୍କା ଆସିଥିଲା । ସେହି କଥାକୁ ଏତେ ମାଜୁଛ କ’ଣ ମ !”

 

“ମାଜିବି ନାହିଁ ! ଦାଣ୍ଡଦୁଆରେ ନାଗରା ବାଜିଥିଲେ କ’ଣ ଭଲ ହୋଇଥାଆନ୍ତା !”

 

ପ୍ରିୟବ୍ରତ ଅଧିକ ସଚେତନ ହୋଇଉଠିଲା । ଏ ଘଟଣାର ଭିତର ତଥ୍ୟ ତାକୁ ଅଜଣା । କେହି ତ ତାକୁ ସୂଚନା ଦେଇନାହାନ୍ତି । ସେ’ବା ଜାଣିବ କିପରି ? ନବୁଝିଲା ପରି କହିଲା–

 

‘ଭାଉଜ, କଥାଟାକୁ ଏମିତି ଉଖାରି ଦେଲେ କ’ଣ ସବୁ ବୁଝା ପଡ଼ିଲା ! ଖୋଲିକରି କୁହ-।’

 

“ଆଉ କହିବି କ’ଣ ବା ! ଘର କୋରକପାଇଁ ସମବାୟ ବିଭାଗର ଲୋକ ଆସି ହାଜର ହୋଇଗଲେଣି, ଏଣେ ହାତରେ ପଇସାଟିଏବି ନାହିଁ । ତା’ ପୂର୍ବଦିନରୁ ସନାତନକୁ ତୁମ ଭାଇ ଟଙ୍କା ଦେବାକୁ କହିଥିଲେ । ଠିକ୍‌ ସେତିକିବେଳେ ସନାତନର ସ୍ତ୍ରୀ କମଳା ଟଙ୍କା ଧରି ପହଞ୍ଚିଲା । ବିପଦରୁ ଉଦ୍ଧାର ମିଳିଲା । ନହେଲେ ସମ୍ମାନ ରହିଥାଆନ୍ତାଟି !”

 

ପ୍ରିୟବ୍ରତ ସନାତନର ସାହାଯ୍ୟ ମନୋବୃତ୍ତିର ସୂଚନା ପାଇଛି । ଏ ଘର ପ୍ରତି ତା’ର ଅନାବିଳ ସ୍ନେହ, ଏଥିରେ ଯେ ସନ୍ଦେହ ନାହିଁ । ଏକଥା ତାକୁ ଅଜଣା ନାହିଁ । ଭାଉଜଠାରୁ ଏହି ଘଟଣାଟି ଶୁଣିବାମାତ୍ରେ ମନେମନେ ତାକୁ ସେ ଧନ୍ୟବାଦ ଦେଲା । ମଣିଷ ହୋଇ ମଣିଷର ଉପକାର କରିପାରିଲେ ଜୀବନ ଧନ୍ୟ ହୁଏ । ସୀମା ଭିତରେ ମଣିଷ ସାହାଯ୍ୟପାଇଁ ଆଗ୍ରହୀ ହେବା ଉଚିତ; କିନ୍ତୁ ସନାତନ ଥରେ ଅଧେତ ନୁହେଁ, କେତେଥର ଏମିତି ଦେଇଛି, ଆଦୌ ଫେରିପାଇନି । ଏପରି ମମତାବଦ୍ଧ ମଣିଷ, ଦୁନିଆରେ କ’ଣ ସହଜରେ ମିଳିପାରେ ! ଏମିତି ସେ କେତେକଅଣ ଭାବି ଚାଲିଲା ।

 

ପ୍ରିୟବ୍ରତ ଚିନ୍ତା କରୁଥିବାର ଦୃଶ୍ୟ ସତ୍ୟବ୍ରତ ଅନୁଭବ କରିପାରିଲେ । ଇତିଶ୍ରୀବି ସେହି ଚିନ୍ତାର ସୂଚନା ପାଇଲେ । କେବଳ ଚିନ୍ତା କଲେତ ହେବନାହିଁ, ଏଲାଗି ପ୍ରସ୍ତୁତ ହେବାକୁ ପଡ଼ିବ । ଧାର ଉଧାର କରି ବସିଯିବା ଠିକ୍‌ ହେବନି । ପ୍ରିୟବ୍ରତ ବାହାରେ ଥିଲା । ଏବେ ଘରକୁ ଆସିଛି । ସେ କାଲିପରି ଚାକିରିଟିଏ କରିବ–ଟଙ୍କା ହାତକୁ ଆସିବ, ତେବେ ସେ କାହିଁକି ଘରର ଭଲମନ୍ଦ ନ ବୁଝିବ, ଏହା ହେଉଛି ଇତିଶ୍ରୀଙ୍କର ଇଚ୍ଛା ।

 

‘ଭାବିଲେତ ସମସ୍ୟା ସମାଧାନ ହୋଇଯିବନି । ଦି’ଭାଇଙ୍କୁ କିଛି କରିବାକୁ ହେବ ।”

 

‘ଭାଇ, ସନାତନର ମୋଟ କେତେ ଟଙ୍କା ଆମ ଉପରେ ରହିଛି ?”

 

‘ଆରେ, କେବଳ ସନାତନତ ନୁହେଁ, ଆହୁରିବି କେତେ ଆଡ଼ୁ କେତେବେଳେ କେତେ ଏପରି ଧାର ଉଧାର ଆସିଛି । ତା’ର ସିନା ସାତ କି ଆଠ ହଜାର ହେବ । ଆହୁରିବି କେତେ କାହାର ଆମ ଉପରେ ରହିଛି ତ ।’

 

“ଏତେଗୁଡ଼ାଏ ଋଣ ଭାରରୁ ମୁକ୍ତି ମିଳିବା ତ ସହଜ ନୁହେଁ ?”

 

“ସବୁ ସେହି ଠାକୁରଙ୍କ ଇଚ୍ଛା । ମୋର ବା ଆଉ ହାତ କ’ଣ !”

 

ଇତିଶ୍ରୀ ଚୁପ୍‌ ହୋଇ ରହିପାରିଲେ ନାହିଁ, କହି ବସିଲେ–‘ସବୁ ପଛକଥା । ଆଗ ସନାତନର ବୁଝ । ମୁହଁ ମୁଲାଜା ଏଡ଼ି ନପାରି ସେ କମ୍‌ ତ ଦେଇନାହିଁ ।’

 

ସତ୍ୟବ୍ରତଙ୍କ ମନ ଭିତରେ ଯେଉଁ କଥାଟି ରହିଛି, ସେହି କଥାର ପ୍ରକାଶପାଇଁ ଇତିଶ୍ରୀ ପରିବେଶ ପରେ ପରିବେଶ ସୃଷ୍ଟି କରୁଥାଆନ୍ତି । ସତ୍ୟବ୍ରତ ଠିକ୍‌ ବୁଝିଛନ୍ତି; ମାତ୍ର ମନଖୋଲି ପ୍ରକାଶକରିବା ସମ୍ଭବ ହେଉନାହିଁ । ଇତିଶ୍ରୀ ଏକଥା ଜାଣିପାରିଲେ ବୋଧେ । ପରିବେଶକୁ ଅଧିକ ଗମ୍ଭୀର କରିଦେବା ପାଇଁ କହି ପକାଇଲେ–“ଦି’ଭାଇ ଏମିତି ମାସ ମାସ ବସିଲେବି ସମାଧାନ ହୋଇପାରିବ ନାହିଁ । ଏପାଇଁ ବ୍ୟବସ୍ଥା କରିବାକୁ ହେବ । ଗୋଟିଏ ଲୋକ ଯେତେବେଳେ ଯାହା ପାଇଛି, ଆମକୁ ଦେଇଛି । ଅନୁରୋଧ ଏଡ଼ିପାରିନି । ତୁମରି ପଢ଼ାବେଳେ ଯେତେବେଳେ ତୁମ ଭାଇ ଯାଇ ମାଗିଛନ୍ତି, ସେ ମନା କରିନାହିଁ । ତୁମ ପଢ଼ାଲାଗି ତ

 

ସେ ବହୁ ଟଙ୍କା ଦେଇଛି ।”

 

ଇତିଶ୍ରୀ ଆଉ ସେଠି ରହିଲେ ନାହିଁ । ସତ୍ୟବ୍ରତ ନୀରବରେ ବସିଥାଆନ୍ତି । ପ୍ରିୟବ୍ରତ ଚିନ୍ତାରେ ବୁଡ଼ିଗଲାଣି । ମନେମନେ କେତେକଅଣ ଭାବୁଛି; ମାତ୍ର ବୁଝିପାରିବା ସମ୍ଭବ ହେଉନି । ଏହା ସେ ଜାଣି ସୁଦ୍ଧା, ଭାବୁଛି । ଭାବୁ ଭାବୁ ପଚାରିଲା–‘ଭାଇ’ ଋଣ ଭାରରୁ ମୁକ୍ତିପାଇଁ କ’ଣ କିଛି ଉପାୟ ସ୍ଥିର କରିନାହାନ୍ତି ?’

 

ସତ୍ୟବ୍ରତଙ୍କ କଣ୍ଠ ସ୍ଵରରେ କାରୁଣ୍ୟ ଭରିଗଲା । ଉତ୍ତର ଦେବାକୁବି ଭାଷା ମିଳିଲାନାହିଁ-। ଆଖି ଛଳଛଳ ହୋଇ ଆସିଲା । ଅର୍ଦ୍ଧପାଗଳ ପରି ନିଜକୁ ମନେକଲେ । ତାଙ୍କ ବିଚଳିତ ହେବାର ଭାବଭଙ୍ଗୀ ଦେଖି ପ୍ରିୟବ୍ରତ କହିଲା–“ଭାଇ, ଏତେ ବିଚଳିତ ହୁଅନ୍ତୁନାହିଁ । ଆପଣ ହେଉଛନ୍ତି ଏକମାତ୍ର ରକ୍ଷକ । ଆପଣ ଏମିତି ବିଚଳିତ ହେଲେ, ଆମ ପରିବାର ଭାସିଯିବ ।”

 

‘ପରିବାର ଭାସିଯାଇଛିରେ ସତ୍ୟବ୍ରତ । ଋଣ ଭାରରୁ ଆଉ କ’ଣ ମୁକ୍ତି ମିଳିବ ?’

 

‘ଭାଇ, ପରୀକ୍ଷା ଫଳ ବାହାରିଲେ ମୁଁ ନିଶ୍ଚୟ ଚାକିରିଟିଏ କରିବି । କିଛି ଟଙ୍କା ତ ଘରକୁ ଆସିବ ?’

 

‘ସେତ ସମୁଦ୍ରକୁ ଶଙ୍ଖେ ପାଣି । ମୁଁ କ’ଣ ଭାବିପାରୁନି ।’

 

–ଆଉ ମୁଁ କି ସାହାଯ୍ୟ କରିପାରିବି । ହାତରେ ମୋର ପଇସାଟିଏ ନାହିଁ । ନିରୁପାୟ–ଅର୍ଥ ଶୂନ୍ୟ । ଏ ବେକାର ଜୀବନରେ ଆଉ କ’ଣ ମୋ’ଦ୍ଵାରା ହୋଇ ପାରିବ ।

 

ସତ୍ୟବ୍ରତ ବିଚଳିତ । କେଉଁ ଭାବରେ ତାକୁ ମନକଥାଟା ଖୋଲି କହିବେ, ତାହା ସେ ଭାବୁଛନ୍ତି । ଭାଷା ଯେମିତି ଦୂରେଇ ଦୂରେଇ ଯାଉଥାଏ । ପ୍ରକୃତରେ ପ୍ରିୟବ୍ରତ ବେକାର–ସେ ନିରୁପାୟ । ଏପରି ନିଃସହାୟ ଭାବରେ ତା’ ଉପରେ ସତ୍ୟବ୍ରତ ବୋଝଟାଏ ଲଦିବେ କାହିଁକି । ନିଜେ ତ ଋଣ ଭାରରେ ବ୍ୟତିବ୍ୟସ୍ତ । ଏ ଭାର ବହନ ତାଙ୍କ ପକ୍ଷେ ଅସହ୍ୟ ହେଉଛି, ପୁଣି ତା’ ସହିତ ପ୍ରିୟବ୍ରତ ଉପରେ ଜାଣି ଜାଣି କେମିତି ବା ସେ ବୋଝ ଲଦିବେ ! ଇତିଶ୍ରୀଙ୍କର କଡ଼ା ତାଗଦା, ଯେମିତି ହେଉ, କଥାଟାକୁ କହିବାକୁ ହେବ । ନେଇ ଆଣି ଥୋଇବାକୁ ପଡ଼ିବ । ସବୁ ସିନା ଭାବୁଛନ୍ତି, କିନ୍ତୁ ଖୋଲିକରି କହି ପାରିବା ତ ସହଜ ନୁହେଁ ।

 

ପ୍ରିୟବ୍ରତ ବୁଦ୍ଧିମାନ । ଆଧୁନିକ ଯୁଗର ମଣିଷ । ଏ ଯୁଗର ମନସ୍ତତ୍ତ୍ଵକୁ ବୁଝିବାପାଇଁ ତାକୁ ବେଶି ସମୟ ଲାଗିଲାନାହିଁ । କହିଲା–‘ଭାଇ ନୀରବ ନ ରହି, ଯାହା ଭାବୁଛନ୍ତି କହୁନାହାନ୍ତି । ଘର ଲାଗି ଆମେତ ଚିନ୍ତା କରିବା । ଆମକୁ ଦାୟିତ୍ୱ ନେବାକୁ ହେବ ।’

 

ସତ୍ୟବ୍ରତ ଧୀର ସ୍ଵରରେ ଇଚ୍ଛା ବିରୁଦ୍ଧରେ କହିବାକୁ ବାଧ୍ୟ ହେଲେ–‘ବୁଝିଲୁ ପ୍ରିୟବ୍ରତ, ସନାତନର ଟଙ୍କାପାଇଁ ମୁଁ ବେଶି ବିବ୍ରତ । ଯେମିତି ହେଲେ, ତା’ ଟଙ୍କାରୁ ଯଦି ମୁକ୍ତି ମିଳନ୍ତାନା, ମୁଁ ଖୁସି ହୁଅନ୍ତି । ଏତେ ସମ୍ପର୍କ ଭିତରେ ମାଡ଼ି ମାଡ଼ି ପଡ଼ୁଛି ।

 

କଥା ନ ସରୁଣୁ ପୁଣି ଇତିଶ୍ରୀ ଭିତରଘରୁ ବାହାରି ଆସିଲେ ।

 

‘ସମ୍ପର୍କ ତ ଯାହା ଥିଲା ଥିଲା, ଏବେ ପୁଣି ସମ୍ପର୍କ ଅଧିକ ଯୋଡ଼ିବାକୁ ଯାଉଛି ।’

 

‘ମିଛ ନୁହେଁ ପ୍ରିୟବ୍ରତ, ପ୍ରକୃତରେ ସେ ସମ୍ପର୍କ ଆହୁରି ଘନିଷ୍ଠ କରିବାକୁ ଚାହୁଁଛି ।’

 

ଇତିଶ୍ରୀ ଅସଲ କଥାଟାର ଖିଅ ପାଇଗଲାପରି ମନେକଲେ । ଜାଲ ଭିତରେ ଥିବା ବୁଢ଼ିଆଣୀକୁ ସମସ୍ତେ ଦେଖିପାରନ୍ତି; ମାତ୍ର ଜାଲ ଏମିତି ଅଡ଼ୁଆ ତଡ଼ୁଆ ହୋଇଥାଏ ଯେ, ଜାଲଭିତର ଦେଇ ତାକୁ ଧରିବା ସହଜ ହୁଏନାହିଁ । ଥରେ ବାଟଟି ପାଇଗଲେ, ସେହି ଅଡ଼ୁଆ ଜାଲ ଭିତରୁ ବୁଢ଼ିଆଣୀକୁ ଧରିହୁଏ । ଠିକ୍‌ ସେମିତି ଇତିଶ୍ରୀ ମୂଳ ବିଷୟ ଲାଗି ପଥ ପାଇଗଲାମାତ୍ରେ, ଆଉ ଥୟ ଧରିପାରିଲେ ନାହିଁ ।

 

‘କ୍ଷତିତ କିଛି ନାହିଁ । ବରଂ ଆମେ ଲାଭବାନ ହେବା ।’

 

କଥାଟାକୁ ଆରମ୍ଭ କରିଦେଇ କିପରି ସ୍ଥିର ସିଦ୍ଧାନ୍ତକୁ ଯାଇହେବ, ସେପାଇଁ ସତ୍ୟବ୍ରତ ନିଜକୁ ଅଯୋଗ୍ୟ ମନେକଲେ । ଯାହା ହେବାର ହେଉପଛେ, ସେ ଏ ଅନିଚ୍ଛାକୃତ ମନୋଭାବକୁ ପ୍ରିୟବ୍ରତ ଉପରେ ଲଦି ଦେବାକୁ କାହିଁକି ପସନ୍ଦ କଲେନି; କିନ୍ତୁ ଇତିଶ୍ରୀ ଏଥିରେ ଦୃଢ଼ ରହିଛନ୍ତି । ସତ୍ୟବ୍ରତଙ୍କଠାରୁ ‘ହଁ’ ଜବାବ ପାଇଗଲା ପରେ ସେ ଆହୁରି କିଛିଦୂର ଆଗେଇ ଗଲେଣି । କାଲିବି ବିମଳା ଆସି ଏ ବିଷୟରେ କଥାବାର୍ତ୍ତା କରିଯାଇଛି । ସନାତନ ଘର ଭାବିନେଲେଣି ଯେ, ନିଶ୍ଚିତ ଭାବରେ ବନ୍ଧୁଘର ଯୋଡ଼ାଯାଉଛି । ଏ ବେଳରେ ଆଉ କ’ଣ ପଛାଇ ହେଉଛି ! ଇତିଶ୍ରୀ ଏହାକୁ କାର୍ଯ୍ୟରେ ପରିଣତ ପାଇଁ ଅଣ୍ଟା ଭିଡ଼ିଛନ୍ତି ।

 

‘କ’ଣ ତୁମେ ଭାବୁଛ, ତା’ଘର ସହ ବନ୍ଧୁ ବାନ୍ଧିଲେ ଆମେ ଅଡ଼ୁଆରେ ପଡ଼ିବା ! ବରଂ ମୁଁ ତ ଦେଖୁଛି, ଯେଭଳି ତାଠୁଁ ଆମେ ଋଣ ଆଣିଛେଁ ନା, ଏହି ହେଉଛି ସମାଧାନର ଏକମାତ୍ର ପନ୍ଥା । ସେ’ତ ଆମକୁ ଆଉ ମାଗିବ ନାହିଁ, ତା’ ବ୍ୟତୀତ ଭବିଷ୍ୟତରେ ଆହୁରିବି ଆମେ ଅନେକ ପାଇପାରିବା ।

 

ପ୍ରିୟବ୍ରତ କଥାର ଗୁରୁତ୍ଵ ବୁଝିପାରିଲା । ହଠାତ୍‌ ତା’ ମୁହଁ ଖୋଲିଗଲା । ସେ କହି ପକାଇଲା–‘ସନାତନ କେଉଁ ଦିନରୁ ଆମର ନିଜର ହୋଇ ରହିଛି । ତା’ ଘର ସହ ବନ୍ଧୁ ବାନ୍ଧିବାରେ ଅସୁବିଧା ବା କ’ଣ ? ବରଂ ଭବିଷ୍ୟତରେ ଆହୁରି ଟଙ୍କା ଆଣି ଋଣ ଟଙ୍କା ବକେୟା ଖଜଣା ଦେଇହୁଅନ୍ତା ।’

 

କଥାର ଯେ ରହସ୍ୟ ରହିଛି । ତାକୁ ଯେ କେନ୍ଦ୍ର କରି ଏତେ ଆଲୋଚନା ଚାଲିଛି, ସେ ଆଦୌ ଜାଣିପାରିଲା ନାହିଁ । ବନ୍ଧୁ ବହୁପ୍ରକାରର ହୋଇପାରେ । ତେବେ ସନାତନ ଯେ ଅତି ନିକଟବନ୍ଧୁ ହେବାକୁ ଚାହୁଁଛି, ଏ ପ୍ରସ୍ତାବ ପ୍ରିୟବ୍ରତକୁ ଅଜଣା । ସତ୍ୟବ୍ରତ ମୁହଁ ଖୋଲି କହୁ ନାହାନ୍ତି-! ଇତିଶ୍ରୀ ଏ ତ ବାଟ ଯାଏଁ କଥାଟାକୁ ଉଖାରି ଉଖାରି ନେଇ ଆସିଲେ; କିନ୍ତୁ ଖୋଲାଖୋଲି ପ୍ରସ୍ତାବଟା ଆଗତପାଇଁ ସାହସ ହେଉନାହିଁ । ଭାଇ ଉପରେ ଭାଇର ସିନା ଦାବି ଅଛି, ହେଲେ ଭାଉଜର ଦାବି ନାହିଁ । ଏତେବେଳେ ଇତିଶ୍ରୀ ନୀରବ ରହି ପୁଣି ଭିତରଘରକୁ ‘ଖାଇବ ଆସ’ କହି ଚାଲିଗଲେ ।

 

ସତ୍ୟବ୍ରତ ଦ୍ଵନ୍ଦ୍ୱରେ ପଡ଼ିଲେ । ମୁହଁ ଖୋଲିବା ସମ୍ଭବ ହେଉନି । ଏଣେ ନିରୁପାୟ । କିଂକର୍ତ୍ତବ୍ୟବିମୂଢ଼ ହୋଇ ବସି ରହିଥିବାବେଳେ ପ୍ରିୟବ୍ରତ କହିଲା–

 

‘ଭାଇ, ଭାଉଜ ଯାହା ସବୁ କହିଗଲେ, ତା’ର ତ ରହସ୍ୟ ଠିକ୍‌ ବୁଝା ପଡ଼ୁନି ।’

 

“ସନାତନ : ତାକୁ କ’ଣ ଟଙ୍କା ଆଉ ଦେଇହେବ !”

 

“ତେବେ ଉପାୟ କ’ଣ ?”

 

‘ଛାତି ଫାଟି ଯାଉଛିରେ ପ୍ରିୟବ୍ରତ । କି ଉପାୟ ଆଉ ତୋତେ କହିବି । ସେମାନେ ଆମ ଘର ସହ ବନ୍ଧୁ ବାନ୍ଧିବାକୁ ଆଗ୍ରହୀ । ହୁଏତ ବନ୍ଧୁତା ଘନିଷ୍ଠ ହୋଇଗଲେ, ଋଣରୁ ମୁକ୍ତି ମିଳିପାରେ-।’

 

‘କ’ଣ ଆପଣ କହୁଛନ୍ତି ମୁଁ ତ କିଛି ବୁଝିପାରୁନି ।’

 

‘ତୋତେ ମୁଁ ବୁଝାଇ କହିଲେ ସିନା ତୁ ବୁଝିପାରନ୍ତୁ । ମୁଁ କ’ଣ ତୋତେ ସେକଥା ବୁଝାଇ ପାରିବି ପ୍ରିୟବ୍ରତ ।’

 

‘ଭାଇ ପାଖରେ ଭାଇର ସଂକୋଚ କ’ଣ ଶୋଭାପାଏ । ଆପଣ ମୋର ବଡ଼ଭାଇ, ମୁଁ ତ କୌଣସି କଥାକୁ ଆପଣଙ୍କର ଫାଙ୍କି ଦେଇନାହିଁ । ତେବେ ମନଖୋଲି କହିବାରେ ଆପଣ ଦ୍ଵିଧା ରଖୁଛନ୍ତି କାହିଁକି ?’

 

ସତ୍ୟବ୍ରତ ଅବସୋସରେ ଦୀର୍ଘ ନିଃଶ୍ଵାସଟାଏ ପକାଇଲେ । ବିବେକ ତାଙ୍କର କଣ୍ଠରୋଧ କରୁଥାଏ । ମାନସିକ ବିଶ୍ଳେଷଣ, ଗତଆଗତ ପୃଥିବୀ ଆଡ଼କୁ ପ୍ରସରିଗଲା । ସ୍ଥାଣୁ ଅନୁଭବ କଲେ । ଚାପା କଣ୍ଠ ଭେଦକରି କ୍ଷୀଣସ୍ୱରଟିଏ ବାହାରି ଆସିଲା ।

 

‘ସନାତନର ଝିଅ ଏ ଘରେ ବୋହୂ ହେବ । ଆଉ ମୋର କିଛି କହିବାର ନାହିଁରେ । ଏତକ କହି ସାରିଲାପରେ, କୋହ ପରେ କୋହ ଉଠିଲା ସତ୍ୟବ୍ରତଙ୍କର ।

 

ଆଖି ଆଗରେ ଅନ୍ଧାର ଘୋଟି ଆସିଲା । କିଛି ଦେଖାଗଲା ନାହିଁ । ମଥାକୁ ଅନ୍ୟ କିଛି ଛୁଇଁ ପାରୁନି । କ’ଣ କରିବି ? କ’ଣ କରିବାକୁ ଯାଉଛି ! ଏମିତି କ’ଣ ସେ ମଝିଦରିଆରେ କଥାଟିକୁ ରଖାଇ ଦେବ । ତେବେ ମଝିଦରିଆରେ ନାଆଟି ଭସାଇ ଦେଇ ସେ କ’ଣ ଶାନ୍ତିରେ ରହିପାରିବ ! ଯାହାକୁ ଜୀବନରେ ଏତେ ଶ୍ରଦ୍ଧା, ସ୍ନେହ, ମମତା ଓ ଆବେଗ ଦେଇ ଆସିଛି, ଆଜି ତା’ପାଇଁ ସେ କିପରି ବା ପ୍ରତାରକ ହୋଇ ପାରିବ । ସ୍ନେହ ମମତା କ’ଣ ଆଜି ଦୁନିଆରେ ମୂଲ୍ୟହୀନ ! ଆନ୍ତରିକତା, ବନ୍ଧୁତା ଏସବୁ କ’ଣ ପ୍ରତାରଣା ! ସମ୍ପର୍କ କ’ଣ ଅଳୀକ ! ଏମିତି କେତେକଅଣ ଭାବି ଚାଲିଲା । ବେଳକୁ ବେଳ ଅନ୍ଧକାର ଗାଢ଼ ହୋଇଆସିଲା । ତା’ରି ଭିତରେ ତା’ ପରିଚିତାର ମୁହଁ ଝଲସି ଉଠୁଥିବାବେଳେ ପ୍ରିୟବ୍ରତ ହୃଦୟ ଅଶ୍ରୁରେ ମର୍ମାହତ ହେଉଥାଏ ।

 

ସେ ବା’ ଆଉ କ’ଣ କରିପାରିବ ? ବର୍ତ୍ତମାନ ଯେ ଉପାୟଶୂନ୍ୟ । ଦାରିଦ୍ର୍ୟ, ବେକାର ଜୀବନରେ ପ୍ରେମ, ଆନ୍ତରିକତା ପ୍ରତାରଣା ହେବନିତ ଆଉ ବା କ’ଣ ହୋଇ ପାରନ୍ତା !

 

କର୍ତ୍ତବ୍ୟର ଆହ୍ଵାନରେ ସେ ଉବୁଡ଼ୁବୁ ହେଉଥାଏ । ନିଜକୁ ଆୟତ୍ତାଧୀନ କଲା । ଅନିଚ୍ଛାକୃତ ଭାବରେ ପରିସ୍ଥିତି ଭିତରେ ଜଡ଼ିତ ହେବାକୁ ସିଦ୍ଧାନ୍ତ ନେଇ, ଅନ୍ୟ ଏକ ଇଲାକାକୁ ଡେଇଁପଡ଼ିଲା । ବାଘ ମୁହଁକୁ ଡେଇଁ ପଡ଼ୁଛି ବୋଲି ଜାଣି ଜାଣି ସୁଦ୍ଧା ପଦଟିଏ କହିପାରିଲାନାହିଁ । ଶରହୀନ ଶିକାରୀ ବାଘ ହାବୁଡ଼ରେ ପଡ଼ି ତା’ ମୁହଁକୁ ନ ଯିବା ବ୍ୟତୀତ, ତା’ର ବା ଆଉ ଉପାୟ କ’ଣ ଥାଏ !

 

ମନେହେଉଥାଏ, ବିଦ୍ଧ କପୋତ ଯେପରି ଭୂଇଁରେ ଲୋଟିପଡ଼ି ଚିତ୍କାର ଛାଡ଼ୁଛି, ମିଟିମିଟି କରି ଆକାଶକୁ ଅନଉଛି; କିନ୍ତୁ ଦେଖି ପାରୁନି ।

 

‘ଭାଇ, ଭାଇ !’ କହି କୁଣ୍ଢାଇ ପକାଇଲା ପ୍ରିୟବ୍ରତ । ତାଙ୍କରି କୋହ ଭିତରେ ପ୍ରିୟବ୍ରତର କୋହ ମିଶିଗଲା ।

 

‘ବିଚଳିତ ହୁଅନ୍ତୁନାହିଁ ଭାଇ । ବୁଝୁଛି, ଆପଣଙ୍କ ମାନସିକ ଅସ୍ଥିରତା, ଅଶାନ୍ତି କ’ଣ ମୁଁ ବୁଝିପାରୁନି ! ପ୍ରସ୍ତାବଟି କାର୍ଯ୍ୟକାରୀ ହେଲେ ଯଦି ସମସ୍ତେ ଖୁସି ହେବେ, ମୋର ଆଉ ଆପତ୍ତି କରିବାର କ’ଣ ଅଛି ।’

 

‘ମୋର ସମ୍ମାନ । ବଂଶର ମର୍ଯ୍ୟାଦା । ସବୁକୁ ଭାବିପାରୁଛୁ ପ୍ରିୟବ୍ରତ ।’

 

‘ଆଜି ଏସବୁ ଭାବିବାର ବେଳ ନୁହେଁ ।’

 

ଇତିଶ୍ରୀ ପୁଣି ଘର ଭିତରୁ ଚାଲିଆସି କହିଲେ–‘ଏମିତି ଭାବୁଥାଅ । ଘର ବୁଡ଼ି ପାଣି ଆଣ୍ଠୁଏ ହେଲାଣି, ତଥାପିବି ଚେତା ପଶୁ ନାହିଁ !”

 

“ପ୍ରିୟବ୍ରତ.....”

 

“ଭାଇ...….”

 

‘ଯେମିତି ହେଲେ ତାଙ୍କୁ ରାଜି କରାଅ । ନିତି ଆଉ ଏ ଋଣ ଟଙ୍କାପାଇଁ ମାନସିକ ଅଶାନ୍ତି ସହି ହେବନି । ଅସହ୍ୟ ବୋଧ ହେଲାଣି । ଆମର ଯେଉଁ ଦୁର୍ଦ୍ଦିନ, ସେତେବେଳେ ଟଙ୍କା ତ ଶୁଝିଦେବା ସମ୍ଭବ ନୁହେଁ । ତେବେ ସନାତନର ପ୍ରସ୍ତାବକୁ ଗ୍ରହଣ କରିବାରେ କ୍ଷତି କ’ଣ ?’

 

‘ପ୍ରିୟବ୍ରତ ଏ ଘରର ସନ୍ତାନ । ସେ କ’ଣ ଅବୁଝା ହେବ !’

 

ନିଃସହାୟ ପରିବେଶ ଭିତରେ ସତ୍ୟବ୍ରତ ଆଉ ଅଧିକ ବା କ’ଣ କହି ପାରନ୍ତେ ?

 

ତେର

 

ତାଙ୍କୁ ଏମିତି ପୁଣି ଭୋଗ କରିବାକୁ ପଡ଼ିବ ବୋଲି ସେ କଳ୍ପନା କରି ନଥିଲେ । ଚାହୁଁଚାହୁଁ କେତେ କେତେ ଘଟଣା ଘଟିଗଲାଣି । ସବୁକୁ ସେ ସହ୍ୟ କରିଛନ୍ତି । କେତେ ଆଉ ବା ସହ୍ୟ କରିବେ ? ଘରର ବଡ଼ଯାଆ ଭାବରେ ମନରେ ଗର୍ବ ରହିଛି । ମୁରବି ହୋଇ ପରିବାର ଚଳାଇବାର ଆଶା, ଭାଙ୍ଗିଯାଉଛି । ବାରମ୍ବାର ଧକ୍କା ଖାଇ, ହୃଦୟ ଯନ୍ତ୍ରଣାରେ ଫାଟିପଡ଼ୁଛି, ମାତ୍ର ସେ ଯନ୍ତ୍ରଣା, ସେହି ଆଘାତର କାହାଣୀ ଇତିଶ୍ରୀ ପ୍ରକାଶ କରିବାକୁ ନାରାଜ ।

 

କାହାକୁ ବା କ’ଣ କହିବେ ? ଅନ୍ୟ କାହାକୁ ଦୋଷଦେବା ପୂର୍ବରୁ ନିଜ ଉପରେ ଦୋଷଗୁଡ଼ାକ ଲଦି ପକାଇଲେ । ଏସବୁପାଇଁ ସେ ଦାୟୀ । ଯେଉଁ ଷଡ଼ଯନ୍ତ୍ର କରିଥିଲେ, ତାହା ସଫଳ ହୋଇପାରିଲା ନାହିଁ । ମଣିଷ କେତେ କେତେ କଥା ଚିନ୍ତା କରେ, ମାତ୍ର ସବୁକୁ ସେ ସହଜରେ କାର୍ଯ୍ୟରେ ପରିଣତ କରିପାରେନା । ମଣିଷ ଇଚ୍ଛାକଲେବି ସୁଦ୍ଧା, ଅନ୍ୟ ଜଣକର ଅପକାର ଘଟାଇ ପାରିବା ସମ୍ଭବ ହୁଏନା, ଯଦି ତା’ ଜୀବନରେ କ୍ଷତି କିମ୍ବା ନୈରାଶ୍ୟର ସମ୍ମୁଖୀନ ହେବାକୁ ଲେଖା ହୋଇଥାଏ, ତାକୁ ନିଶ୍ଚିତ ଭାବରେ ସେହି ପରିସ୍ଥିତିର ମୁକାବିଲା କରିବାକୁ ହୁଏ । ମଣିଷ ଇଚ୍ଛାକରି ମଧ୍ୟ କାହାକୁ ଅସୁବିଧାରେ ପକାଇ ପାରେନା ।

 

ଇତିଶ୍ରୀ ବଡ଼ଯାଆ ଭାବରେ ବହୁ ପରିକଳ୍ପନା କରି ବସିଥିଲେ; ମାତ୍ର ଆଜି ସେ ସେମିତି ସମ୍ମାନର ଅଧିକାରିଣୀ ହୋଇପାରିନାହାନ୍ତି । ସାନ ଯା’ ଲକ୍ଷ୍ମୀଠାରୁ ସେବା ଶୁଶ୍ରୂଷା ପାଇବାକୁ ଆଶାକରିବା ବୃଥା ହୋଇଛି । ନିଜର ମୁରବିପଣିଆ ପାଣିଫୋଟକା ପରି ମିଳାଇ ଯାଇଛି ।

 

ଏଇ ମାତ୍ର କେଇଟା ଦିନ ଭିତରେ ପରିବାରର ମଞ୍ଚଉପରେ ଏମିତି ସବୁ ପରିବର୍ତ୍ତନ ଘଟିଯିବ, ଏକଥା ଇତିଶ୍ରୀ ଜାଣି ନଥିଲେ । କାଲିପରି ଲାଗୁଛି । ପ୍ରିୟବ୍ରତର ବିବାହ ମାତ୍ର ମାସଟିଏ ହୋଇଛି । ଏଇ ଗୋଟିଏ ମାସ ଭିତରେ ଲକ୍ଷ୍ମୀ ଘରର ମୁରବି ହେବାକୁ ଆଶା କଲାଣି । ପ୍ରତି ମୁହୂର୍ତ୍ତରେ ଇତିଶ୍ରୀ କାନ୍ଦୁଛନ୍ତି । ଲୁହ ପୋଛି ଦେବାକୁ କେହି ନାହିଁ ।

 

ଲକ୍ଷ୍ମୀ ହୋଇଛି ଏ ଘରର ସାନ ବୋହୂ । ଅପାଠୋଈ ହେଲେବି ସୁଦ୍ଧା, କାହାକୁ ଖାତିରି କରିବାକୁ ପ୍ରସ୍ତୁତ ନୁହେଁ । ପ୍ରଥମରୁ କାହିଁକି କେଜାଣି ଇତିଶ୍ରୀଙ୍କ ପ୍ରତି ତା’ର ମନୋଭାବ ଭିନ୍ନ ହୋଇଯାଇଛି । ଲକ୍ଷ୍ମୀ ଯେଉଁଦିନ ଏ ଘରେ ପାଦ ଦେଲା, ସେଦିନ ଇତିଶ୍ରୀଙ୍କ ଆନନ୍ଦ କହିଲେ ନସରେ ! ମନେମନେ ଭାବିଲେ, ସାନ ଯା’ ପାଠଶାଠ ପଢ଼ିନି । ରୂପରେ ମଧ୍ୟ ସେତେ ଆକର୍ଷଣୀୟା ନୁହେଁ । ଆଉ ତେବେ ଗର୍ବ କରିବ କାହିଁକି ? ନିଜ ଅଧୀନରୁ ଆଦୌ ଖସିଯାଇ ପାରିବନାହିଁ । ତାଙ୍କୁ ସେବା ଶୁଶ୍ରୂଷା କରିବାରେ ଅବହେଳା ହେବନାହିଁ । ସବୁବେଳେ ସାନ ଯା’ର ସେବା ପାଇପାରିବେ ।

 

ବା’ଘର ପରେ ପରେ ଇତିଶ୍ରୀ ଭାବିଥିଲେ, ପ୍ରିୟବ୍ରତର ଆଉ ଗର୍ବ କରିବାର କିଛି ରହିଲାନାହିଁ । ଏତେ ପାଠ ପଢ଼ି ଯଦି ଜଣେ ଶିକ୍ଷିତାକୁ ବିବାହ କରି ନ ପାରିଲା, ଏତେ ରୂପବାନ୍‍ ହୋଇ ଯଦି ଜଣେ ରୂପବତୀକୁ ନିଜର ପତ୍ନୀ ଭାବରେ ପାଇ ନ ପାରିଲା, ତେବେ ଜୀବନରେ କାହାକୁ ନେଇ ଆନନ୍ଦ ପାଇବ ? ଏ ଘରେ ପ୍ରିୟବ୍ରତ ଓ ଲକ୍ଷ୍ମୀ ମୁଣ୍ଡଟେକି ଚାଲି ପାରିବେ ନାହିଁ । କେଉଁ ଦିଗରୁ ଦୁହେଁ ଆଉ ଖୁସିହେବେ !

 

ବିଧିର ବିଧାନ ଭିନ୍ନ ପ୍ରକାରର । ଏ ବିଧାନର ରହସ୍ୟ କାହାକୁ ବା ଜଣାଥାଏ । ତାହା ଠିକ୍‌ ପଥରେ କାର୍ଯ୍ୟ କରେ । ଏପାଇଁ କାହାର ଚକ୍ରାନ୍ତ, ମନ୍ଦବୁଦ୍ଧି ଓ ଷଡ଼ଯନ୍ତ୍ରକୁ ତାହା ଗୁରୁତ୍ଵ ଦିଏନା । ଇତିଶ୍ରୀ ବିଧିର ନିର୍ଦ୍ଦେଶକୁ ଫାଙ୍କିଦେବା କ’ଣ ସହଜ ହେଉଛି !

 

ସତ୍ୟବ୍ରତ ଏଇ କେତେଦିନ ହେଲା ଲକ୍ଷ୍ମୀ ବିରୁଦ୍ଧରେ ବହୁ ଅଭିଯୋଗ ଶୁଣିଲେଣି । ପ୍ରତି ମୁହୂର୍ତ୍ତରେ ଇତିଶ୍ରୀ ତାଙ୍କ ନିକଟରେ ତୋ ନାଆଁରେ କେତେକଅଣ କହୁଛନ୍ତି । ଶୁଣି ଶୁଣି ସତ୍ୟବ୍ରତ ପଥର ହୋଇ ଗଲେଣି । ଘରକଥା ବା କାହାକୁ କହିବେ ? ଘରର ଗୁମର ପଦାରେ ପକାଇବା ସୁପୁରୁଷର ଲକ୍ଷଣ ନୁହେଁ । ସହଜେ ସତ୍ୟବ୍ରତ ତ ଭିନ୍ନ ପ୍ରକୃତିର ମଣିଷ । ଘରର ଅଶାନ୍ତି ଦୂରକରିବା ଲାଗି ସେ ଅନେକ ଚେଷ୍ଟା କରିଛନ୍ତି । ଇତିଶ୍ରୀଙ୍କୁ କମ୍‌ବି ବୁଝାଇ ନାହାନ୍ତି । ଘରର ସମ୍ମାନ ବଜାୟ ରହୁ, ପଦାକୁ ଘରକଥା ନଯାଉ, ଏପାଇଁ ସେ ଅନେକ ପରାମର୍ଶ ଦିଅନ୍ତି ମାତ୍ର ସବୁ ପରାମର୍ଶ ଓ ମତାମତ ବ୍ୟର୍ଥ ହୋଇଛି–କିଛି ଲାଗୁ ହୋଇନାହିଁ ।

 

ସତ୍ୟବ୍ରତ ଘରେ ଆଜି ସକାଳୁ ଯେଉଁ ସୁସମ୍ବାଦ ପ୍ରଚାରିତ ହୋଇଛି, ସେଥିରେ ଇତିଶ୍ରୀ ଖୁସି ହେଉଛନ୍ତି ବା କିପରି ! ପାଠପଢ଼ାଠୁଁ ଆରମ୍ଭ କରି, ପୁଣି ଶେଷ ପରୀକ୍ଷା ଦେବା ପର୍ଯ୍ୟନ୍ତ ଯେ ଭିନ୍ନ ମତ ପୋଷଣ କରି ଆସିଛନ୍ତି, ସ୍ଵାମୀଙ୍କୁ ନିଜ ମତାମତ ପ୍ରତି ସମର୍ଥନ ଜଣାଇବାକୁ ପ୍ରବର୍ତ୍ତାଇଛନ୍ତି, ଆଗକୁ ଯିବାରେ ସବୁ ବାଧା ବନ୍ଧନ ସୃଷ୍ଟି ଲାଗି ପ୍ରସ୍ତୁତ ହୁଅନ୍ତି, ସେ ବା ଆଜି କିପରି ଏହି ଶୁଭସମ୍ବାଦରେ ନିଜକୁ ହଜାଇ ଦେଇ ପାରିବେ ! ଘରର କାନ୍ଥ ବାଡ଼ ଚାରିକୋଣ ସବୁଠି ଆନନ୍ଦର କଳରୋଳ । ବଂଶର ଜ୍ୟୋତି ଆଡ଼କୁ ସମସ୍ତେ ଚାହିଁ ରହିଥିଲେ । ପ୍ରକୃତରେ ସେ ଜ୍ୟୋତିର୍ମୟ ହୋଇ ପାରିଛି । ସତ୍ୟବ୍ରତ ଆନନ୍ଦ ଓ ଖୁସିରେ ଆତ୍ମବିହ୍ଵଳ ହୋଇ ପଡ଼ିଲେ । ଆଶାର ଆଲୋକ ଉଜ୍ଜ୍ୱଳ ହୋଇ ଉଠିଲା ।

 

ସତ୍ୟବ୍ରତ, ପ୍ରିୟବ୍ରତ ପରୀକ୍ଷାରେ କୃତିତ୍ଵ ଅର୍ଜନ କରିଥିବା ସମ୍ବାଦ ଇତିଶ୍ରୀଙ୍କୁ ଜଣାଇବାମାତ୍ରେ ସେ ବିରକ୍ତିରେ ମୁହଁ ବୁଲାଇ ଥିଲେ । ମନେମନେ କେମିତି ହେଉଥାଆନ୍ତି । ଆଜି ଏପରି ଖୁସି ସମ୍ବାଦରେ ସେ ତୃପ୍ତ ହୋଇପାରିଲେ ନାହିଁ । ଅସନ୍ତୋଷ ପ୍ରକାଶ କରି କହିଲେ–

 

“ରଖ ମ ତୁମ ଖବର ! ଏଥିରେ ମୋର କ’ଣ ଦୁଃଖ ଗଲା ? ଏଇ ମାସେ ହେଲା ଯେତେ ଦୁହେଁଯାକ ଜଳେଇଲେଣି ନା, ସେକଥା ମୁଁ ବୋଲି ସହିଛି । ନହେଲେ ଆଉ କିଏ ହୋଇଥିଲେ କ’ଣ ନା କ’ଣ କରି ସାରନ୍ତାଣି !”

 

ଏତକ ଶୁଣି ଘର ଭିତରେ ଲକ୍ଷ୍ମୀ ରାଗରେ ତାତି ଉଠିଲା । ତା’ ମନ ହେଉଥାଏ ଏଡ଼େବଡ଼ ପାଟିଟାଏ କରି କମ୍ପାଇ ଦେବ–ଇତିଶ୍ରୀଙ୍କର ବଡ଼ଯାଆ ବୋଲି ଯେଉଁ ଗର୍ବ ସବୁଯାକ ଉଝାଇ ଦେବ ! କିନ୍ତୁ ପାରିଲା ନାହିଁ । ଦାଣ୍ଡଘରେ ସତ୍ୟବ୍ରତ–ତା’ ଦେଢ଼ଶୁର ଅଛନ୍ତି । କେମିତି ସେ ମୁହଁ ଖୋଲି ଏଡ଼େ ବଡ଼କଥାଟାକୁ ପ୍ରକାଶ କରିବ ! ଲାଜେଇ ଗଲା । ତଥାପି ତ ବିରକ୍ତ ଯେତେବେଳେ କୂଳ ଲଙ୍ଘିଗଲା, ସେତେବେଳେ ଯାହାସବୁ ରାଗରେ ଧୀରେ ଧୀରେ କହିଲା, ସେ ଭାଷାଗୁଡ଼ାକରୁ କିଛି କିଛି ସତ୍ୟବ୍ରତଙ୍କ କାନରେ ପଡ଼ିଛି । କାନରେ ପଡ଼ିଲେବି ସେ ବା କ’ଣ କରି ପାରିବେ ? ଜାଣି ଜାଣି କାଳଗ୍ରହଟିକୁ ଘରେ ରଖାଇଛନ୍ତି, ସେହି ଗ୍ରହ କବଳରୁ ମୁକ୍ତି ପାଉଛନ୍ତି ବା କିପରି । ହୃଦୟର ବେଦନା କାହା ଆଗରେ ଆଉ ପ୍ରକାଶ କରିବେ ! କିଏ ବା ଏସବୁ ହୃଦୟ

 

ଦେଇ ବୁଝିବ ? ଦୁନିଆରେ ହୃଦୟ କଥା, ହୃଦୟବାନ ସିନା ବୁଝିପାରେ । ସାଧାରଣ ମଣିଷ କ’ଣ ହୃଦୟବାନ ହୋଇପାରିବ ? ସମାଜରେ ହୃଦୟବାନଙ୍କ ସଂଖ୍ୟା ବିରଳ ।

 

ସତ୍ୟବ୍ରତ କ’ଣ କାମରେ ଟିକେ ବାହାରକୁ ଚାଲିଗଲେ । ଦାଣ୍ଡଘରକୁ ଅନାଇ ଲକ୍ଷ୍ମୀ ଯେତେବେଳେ ଦେଖିଲା, ସତ୍ୟବ୍ରତ ଆଉ ସେଠି ନାହାନ୍ତି, ତାକୁ ପାରେ କିଏ ? ରାଗରେ ତ କେତେବେଳୁ ତାତିକରି ଥାଏ । ସବୁଯାକ ରାଗ ଉଜାଡ଼ି ପକାଇଲା ।

 

“କ’ଣ କହିଲ ! ମାସେ ହେଲା ତୁମକୁ ଜଳାଇଲାଣି ! କିଏ ତୁମକୁ ଜଳାଇଛି ? ମୋ’ ବାପଘର ଟଙ୍କାରେ ଏ ଘର ବଞ୍ଚିଛି । ମରଣ ମୁଖରୁ ଏ ପରିବାର ଉଦ୍ଧାର ପାଇଛି । ଏବେବି ଏ ଘରକୁ ସାହାଯ୍ୟ ଦେବାକୁ ମୋ’ ବାପା ବୋଉ କେବେ ତ ପଛାଇ ନାହାନ୍ତି । ଏଥିରେ ପୁଣି ଏତେ ଅପବାଦ ! ଧର୍ମ ତ ସହିବ ନାହିଁ ।”

 

ଲକ୍ଷ୍ମୀର ପାଟି ଶୁଣି ଇତିଶ୍ରୀ ଅଧୈର୍ଯ୍ୟ ହୋଇ ପଡ଼ିଲେ । ସେ ବଡ଼ ବୋହୂ ଭାବରେ ତାଙ୍କର କର୍ତ୍ତୃତ୍ଵ ଜାହିର କରିବାକୁ ବରାବର ଚାହିଁଛନ୍ତି; ମାତ୍ର କେବେ ସଫଳ ହୋଇନାହାନ୍ତି । ବରଂ ଏପାଇଁ ଅପମାନିତ ହୋଇଛନ୍ତି । ତଥାପି ବଡ଼ ବୋହୂ ବୋଲି ମନରୁ ଗର୍ବ ଯାଇନି । ସେହି ଅହଂକାର ମନ ନେଇ ଗର୍ଜି ଉଠିଲେ–

 

‘ସାନ ହୋଇ କମ୍‌ ବଡ଼କଥା ତ କହୁନାହିଁ । ମୁହଁ ସମ୍ଭାଳି କଥା କହ । ନହେଲେ ଅବସ୍ଥା କ’ଣ ହେବ ଜାଣିଛୁଟି !’

 

“କ’ଣ କରିବ ! କି ଶକ୍ତିଟା ଅଛି ଯେ ମୋତେ ଏମିତି ଧମକାଉଛ କହିଲ ? ମୋ’ ବାପାର ଯେତେ ଟଙ୍କା ଅଛି ନା, ତୁମକୁ କିଣିନେବ । କାହିଁକି ମିଛଟାରେ ଏମିତି ବାହାଦୁରି ଦେଖାଉଛ !”

 

–ଭାରି ବଡ଼ବଡ଼ କଥା ବେଳକୁ ବେଳ କହୁଛୁ ତ ! କ’ଣ ହୋଇଗଲୁଣି କିଲୋ ? କା’ ବଳରେ ଏମିତି ହେଉଛୁ ଶୁଣେ ? କୁଆଡ଼େ ଗଲେ ଇଏ ! ଗୋଟାଏ ଅଲକ୍ଷଣୀକି ଘରେ ପୂରାଇ ଏ ଘରର ମାନସମ୍ମାନ ସବୁ ହରାଇଲେ ।

 

ଲକ୍ଷ୍ମୀ, ତା’ ବାପାର ଟଙ୍କାନେଇ ଗର୍ବ କରେ । ନିତି ରାତି ପାହିଲେ ତା’ ବାପା ପାଖକୁ ଋଣ ନେବାପାଇଁ କେତେଆଡ଼ୁ ଲୋକ ଆସି ପହଞ୍ଚନ୍ତି । ବେଳେବେଳେ ସନାତନ ଟଙ୍କା ନେଣଦେଣ ସମୟରେ ଗଣି ନପାରିଲେ, କାମ ସଅଳ ହେବାପାଇଁ ସେ ଲକ୍ଷ୍ମୀକୁ ଡାକେ । ଲକ୍ଷ୍ମୀ ତା’ ନିଜ ହାତରେ ହଜାର ହଜାର ଟଙ୍କା ଗଣିଛି । କେତେ ଖାତକଙ୍କୁ ଦେଖିଛି । ଖାତକମାନଙ୍କର କାକୁତି ମିନତି ଶୁଣିଛି । ସତ୍ୟବ୍ରତର ତାଙ୍କ ଘରେ ଜଣେ ଋଣଗ୍ରହୀତା, ଏହା ଲକ୍ଷ୍ମୀକୁ ଭଲ ଭାବରେ ଜଣା । ଆଜି ସୁଦ୍ଧା ସେ ଟଙ୍କା ଚୁକ୍ତି କରିନାହାନ୍ତି । ଟଙ୍କା ଶୁଝିବା ଅବସ୍ଥାକୁ ଆଜିବି ଏ ଘର ଆସି ପାରିନି, ଏକଥା ମଧ୍ୟ ସେ ଜାଣିଛି । ଥିଲା ନଥିଲାବେଳେ ସନାତନ ସାହାଯ୍ୟ ଦେଇଛି, ଆହୁରି ଦେବ ବୋଲି କହିଛି । ବା’ଘରରେ ଯୌତୁକ ଯାହା ଆଣିଛି, ସେଥିରେ ଘର ପୂରି ଯାଇଛି । ସାଇପଡ଼ିଶା ବନ୍ଧୁବାନ୍ଧବ ଯୌତୁକ ଦେଖି ଖୁସି ହୋଇଛନ୍ତି । ଲୋକେ କହିଲେ–ବନ୍ଧୁଘର ସିନା ଛୋଟ ଜାତିର ହୋଇଗଲା, ନହେଲେ ଯୌତୁକ ଦେବାରେ ବଂଶମର୍ଯ୍ୟାଦାକୁ ସନାତନ ଜଗିଛି । ଚୌଧୁରୀ ବଂଶ ବୋଲି ଯେପରି ନାଁ ଡାକ, ସେପରିବି ଖ୍ୟାତି ରହିଛି । ଏହାର ପରମ୍ପରା ହଜି ଯାଇନାହିଁ । ସେହି ପରମ୍ପରାକୁ ଚାହିଁ ବା’ଘର ଲାଗି ସନାତନ ଯେପରି ଖର୍ଚ୍ଚ କରିଛି, ତାହା କହିବାର ନୁହେଁ । ଦାଣ୍ଡକୁ ସୁନ୍ଦର ଦିଶିଲା ଭଳି କେତେ ଟଙ୍କା ସେ ଆଖିବୁଜି ଖର୍ଚ୍ଚ କରିଛି, ତା’ର ହିସାବ ନାହିଁ ।

 

ବା’ଘରରେ ଖର୍ଚ୍ଚ ଦେଖି କେହି କେହି କହିଲେ–‘ସନାତନ ଏତେଗୁଡ଼ାଏ ଟଙ୍କା ପାଣିରେ ପକାଇ ଦେଲା ।’ ଆଉ କେହି କେହି କହିଲେ–ବା’ଘରରେ ଟଙ୍କା ଖର୍ଚ୍ଚ କରି ବାହାଦୁରି ଦେଖାଇବାରେ ଲାଭ କ’ଣ ?’ ପୁଣି କେହି କେହି କହିଲେ–“ସନାତନ ଠିକ୍‌ ଚୌଧୁରୀ ଘରର ମର୍ଯ୍ୟାଦା ରକ୍ଷାକରିଛି । ଚୌଧୁରୀଘର ପୁଅ ବା’ଘର । ସାଇପଡ଼ିଶା ଆଖପାଖ ପାଞ୍ଚଖଣ୍ଡ ଗାଁ କମ୍ପୁଛି । ଏମିତି ଆଖି ଦିରିଶିଆ ବା’ଘର ହେବା ଆବଶ୍ୟକ । ନହେଲେ ଦାଣ୍ଡକୁ କ’ଣ ସୁନ୍ଦର ଦିଶିବ !”

 

ସନାତନ କାନରେ ଏସବୁ ବାଜିଛି । ସବୁ ଶୁଣି କାହାକୁ କିଛି କହେନା । ସେ ତା’ ପ୍ରତିଶ୍ରୁତି ଭଙ୍ଗକରିବ ନାହିଁ ସିଦ୍ଧାନ୍ତ ନେଇଛି । ଜବାବରୁ ଓହରି ଯିବା ଠିକ୍‌ ନୁହେଁ । ଥରେ ଜବାବରୁ ଓହରି ଗଲେ, ଆଉ ସମ୍ପର୍କ ଓ ବନ୍ଧୁତା ସ୍ଥାୟୀ ହୋଇ ରହେନା । ତେଣୁ ସେ ତା’ ଦେଇଥିବା କଥା ଉପରେ ଅଟଳ ରହିଛି ।

 

ସବୁ ଯାଉ ପଛେ, ମଣିଷର ପ୍ରତିଶ୍ରୁତି ରକ୍ଷାହେଉ । ସବୁ ଯୁଗରେ ପ୍ରତିଶ୍ରୁତି ରକ୍ଷାର ମୂଲ୍ୟ ରହିଛି । ମଣିଷ ପ୍ରତିଶ୍ରୁତି ଭଙ୍ଗକଲେ, ସମାଜରେ ଶ୍ରଦ୍ଧା ଓ ସମ୍ମାନର ଅଧିକାରୀ ହୋଇ ପାରେନା । ସମାଜ ତା’ ଉପରୁ ବିଶ୍ଵାସ ଓ ଆସ୍ଥା ହରାଇ ବସେ । ସନାତନ ଏତକ କଥା ଜାଣିଛି ! ସେପାଇଁ ସେ ବା’ଘର ପ୍ରସ୍ତାବଠାରୁ ଶେଷପର୍ଯ୍ୟନ୍ତ ଅକ୍ଷରେ ଅକ୍ଷରେ ନିଜ କଥା ପାଳନ କରିଆସିଛି-

 

ପ୍ରସ୍ତାବବେଳେ ସନାତନ କହିଥିଲା–ସତ୍ୟବ୍ରତଙ୍କର ପଇସାଟିଏ ଖର୍ଚ୍ଚ ହେବନାହିଁ । ସବୁ ଟଙ୍କା ସନାତନ ବହନ କରିବ । ମାଛ ଭଜା ମାଛ ତେଲରେ ହେବ । ସେଲାଗି ବା’ଘର ପୂର୍ବରୁ ଦଶହଜାର ଟଙ୍କା ସତ୍ୟବ୍ରତଙ୍କୁ ଦେଇଦେଇଥିଲା । ଏହାବ୍ୟତୀତ ଅନ୍ୟାନ୍ୟ ଖର୍ଚ୍ଚ ହିସାବ ନରଖି କରିଛି । ଯୌତୁକ କଥା ଛାଡ଼ । ହଜାର ହଜାର ଟଙ୍କାର ଆସବାବ ପତ୍ର, ଜ୍ଵାଇଁର ଜିନିଷପତ୍ର, ଝିଅର ଅଳଙ୍କାର ଓ ବେଦି ଉପରେ ନଗଦ ଟଙ୍କା ସବୁ ସେ ସତ୍ୟବ୍ରତଙ୍କ ସମ୍ମାନକୁ ଦୃଷ୍ଟିରେ ରଖି ଦେଇଛି । ତାଙ୍କୁ ଅସମ୍ମାନିତ କରିବ ନାହିଁ–ବାହାରେ ଯେପରି ତାଙ୍କର ସମ୍ମାନ ରହିବ, ସେପାଇଁ ସବୁ ବ୍ୟବସ୍ଥା ହୋଇଛି । ଜ୍ଵାଇଁକୁ ବିଦେଶ ପଠାଇବାର ସମସ୍ତ ଖର୍ଚ୍ଚ ମଧ୍ୟ ବହନ କରିବାକୁ ସନାତନ ପ୍ରସ୍ତୁତ ରହିଛି ବୋଲି ମୁହଁ ଖୋଲି କହିଛି ।

 

ଲକ୍ଷ୍ମୀ ମୁହଁ ଶୁଖାଇ ବସିଲା । ଆଉ ବେଶି ବଢ଼ିବାକୁ ଭଲ ଲାଗିଲା ନାହିଁ । ଇତିଶ୍ରୀ ମନକୁ ଚାହିଁ ଯାହା କହି ଯାଉଥାଆନ୍ତି । ଶେଷରେ ଇତିଶ୍ରୀ ବିରକ୍ତ ହୋଇ କହିଲେ–

 

“ଆଜି କାହିଁକି ଭାରି ପାଟି ଫିଟୁଛି । କ’ଣ ହୋଇଛି କିଲୋ ! ତାକୁ ଆମେ ପଢ଼ାଇଛୁ–ଟିକିଟିଏ ବେଳୁ ଏଡ଼ୁଟିଏ କଲୁ, ପୋଷିଲୁ ପାଳିଲୁ, ଆଜି ପରୀକ୍ଷାରେ ଭଲ କରିଛି ବୋଲି ତାକୁ ନେଇ କ’ଣ ଏତେ ଫୁଟାଣି ଦେଖାଉଛୁ ! ତୁ ସିନା ଆଜି ତାକୁ ବା’ ହେଲୁ । ସେ’ପା ଏ ଘରର ପୁଅ-। ଏଇଠି ବଢ଼ିଛି । ଆମରି ପାଖରେ ମଣିଷ ହୋଇଛି ।”

 

ଲକ୍ଷ୍ମୀ ଆଉ ନୀରବ ରହିପାରିଲା ନାହିଁ । ଭାଉଜଙ୍କ ବ୍ୟବହାର କିପରି, ସେ କଥା ତ ତାକୁ ଅଜଣା ନାହିଁ ! ବା’ ହୋଇ ଏ ଘରେ ଯେଉଁଦିନ ପାଦଦେଲା, ସେହିଦିନ ରାତିଠୁ ଭାଉଜଙ୍କ ବ୍ୟବହାର ଆଚାରବିଚାର ବିଷୟରେ ଶୁଣିବାକୁ ପାଇଛି । ପୁଣି ଏଠିକି ଆସିବାର ଦିନେ କି ଦିଦିନ ପରେ ତା’ଉପରେ ଯେଉଁ ଚଢ଼ାଉ ହୋଇଛି, ସେ ବିଷୟ ମଧ୍ୟ ଜାଣିଛି । ଇତିଶ୍ରୀଙ୍କ ବ୍ୟବହାରରେ ଲକ୍ଷ୍ମୀ ଭୀଷଣ ଅସନ୍ତୁଷ୍ଟ । ସବୁବେଳେ ଆସନ୍ତୋଷ ପ୍ରକାଶ କରୁଛି । ଏଠାକୁ ଆସିବା ପରଠାରୁ ଇତିଶ୍ରୀଙ୍କ ବିରୁଦ୍ଧରେ ତା’ର ଅଭିଯୋଗ ।

 

ଲକ୍ଷ୍ମୀ, ଧନୀଘରର ଝିଅ । ଅଶିକ୍ଷିତା ହେଲେବି ସୁଦ୍ଧା ସମ୍ମାନ ଦେଇ ଶିଖିଛି । ବ୍ୟବହାର ଜାଣିଛି; କିନ୍ତୁ ପରିସ୍ଥିତି ତାକୁ ଏପରି କରିଛି । ସେ ଝିଅଟିବେଳୁ ଏଯାଏଁ କାହାକୁ ମୁହଁ ତୁଟାଇ କଥା କହି ପାରିନି । କଥାଭାଷାରେ ବହୁ ଜଗି ରଖି ଚଳେ । ଗୁରୁଜନମାନଙ୍କ ପ୍ରତି ତା’ର ଯଥେଷ୍ଟ ଭକ୍ତି ଓ ଭୟ; କିନ୍ତୁ ଏଠାକୁ ଆସି ପହଞ୍ଚି ସେ ଇତିଶ୍ରୀଙ୍କ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ତାଙ୍କ ପ୍ରତି ତା’ର ଭୟ ନାହିଁକି ଭକ୍ତି ନାହିଁ । ସେ ଜାଣିଛି ଇତିଶ୍ରୀ ତା’ର ଗୁରୁଜନ ଶ୍ରେଣୀୟା । ତା’ଠୁ ବୟସରେ ବଡ଼ । ସମ୍ପର୍କରେ ବଡ଼ । ନିଶ୍ଚିତଭାବେ ଇତିଶ୍ରୀ ସମ୍ମାନନୀୟା; ମାତ୍ର ସମ୍ମାନିତ ବ୍ୟକ୍ତି କେବଳ ସମ୍ମାନ ଖେଜିଲେ ତ ସମ୍ମାନ ପାଏନାହିଁ । ସମ୍ମାନ ବଜାୟ ରଖିବା ଭଳି କାର୍ଯ୍ୟ କରି, ସମ୍ମାନକୁ ଅପେକ୍ଷା କରିବା ଉଚିତ । ସମ୍ମାନିତ ବ୍ୟକ୍ତି ସମ୍ମାନ ଖୋଜେନା । ସମ୍ମାନ ତା’ ପାଖକୁ ଆପେଆପେ ଆସେ । ଏତକ ଯେମିତି ମୂଳରୁ ଇତିଶ୍ରୀ ଭୁଲି ଯାଇଛନ୍ତି ।

 

ଇତିଶ୍ରୀ ମୂଳରୁ କେମିତି ଲକ୍ଷ୍ମୀପ୍ରତି ଅଧିକ ରୁକ୍ଷା ହୋଇପଡ଼ିଲେ । ସେ ଯେ ଏ ଘରର ଜଣେ ବୋହୂ, ତା’ରବି ତାଙ୍କ ପରି ଏ ଘରେ ଅଧିକାର ଅଛି, ଏତକ ସେ ଭୁଲି ଯାଇଛନ୍ତି । ଚୌଧୁରୀ ପରିବାରର ସାନବୋହୂ ଭାବରେ ତା’ର କ’ଣ ଟିକେ ହେଲେବି ସମ୍ମାନ ନାହିଁ ! ତେବେ ଇତିଶ୍ରୀ ଏହା ଭୁଲିଗଲେବି କିପରି ! ସେ ତ ଏପରି ଜଣେ ବୟସ୍କା ବୋହୂ ହୋଇ କେବେ ଅଜାଣତରେ କିଛି କରି ନାହାନ୍ତି । ସବୁ ଜାଣିଶୁଣି ନିଜ ଜାଣତରେ ଯେତକ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି । ଅସମ୍ମାନିତ କରିବାପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ।

 

ଲକ୍ଷ୍ମୀ ସାନ ଯା’ ଭାବରେ ତା’ କର୍ତ୍ତବ୍ୟ କରିବାକୁ ସବୁବେଳେ ପ୍ରସ୍ତୁତ ରହିଛି । ଦେଢ଼ଶୁର ଯା’ଙ୍କୁ ଯେପରି ସମ୍ମାନ ଦେଉଛି, ତା’ ପୁତୁରା ଝିଆରୀଙ୍କୁ ମଧ୍ୟ ଠିକ୍‌ ସେପରି ସ୍ନେହ କରୁଛି । ସ୍ୱାମୀଙ୍କୁ’ ଭକ୍ତି ଓ ସମ୍ମାନ ଦେବାରେ ଅବହେଳା କରିନାହିଁ । ବଂଶର ମର୍ଯ୍ୟାଦା ଓ ପରମ୍ପରାକୁ ରକ୍ଷାଲାଗି ସବୁବେଳେ ସଚେତନ ରହିଛି । ଏଲାଗି ଚେଷ୍ଟାକରିଛି । ଜଗିରଖି ଚଳିଛି । ତା’ ବ୍ୟବହାରରେ ଯେପରି ସାମାନ୍ୟତମ ତ୍ରୁଟି ନରହେ, ସେ ଦିଗରେ ଲକ୍ଷ୍ମୀ ସତର୍କ ।

 

ସତ୍ୟବ୍ରତ ଲକ୍ଷ୍ମୀର ବ୍ୟବହାରରେ ସନ୍ତୁଷ୍ଟ । ମନେମନେ ଭାବନ୍ତି, ସେ ଯେଉଁ ଘରର ଝିଅ ହେଉନା କାହିଁକି, ପାଠଶାଠ ପଢ଼ୁକି ନପଢ଼ୁ ସେ ଯେ ଏ ଘରର ବୋହୂ ହୋଇ ବଂଶର ମର୍ଯ୍ୟାଦା ରକ୍ଷା କରିପାରିଛି ସେତକ ଆନନ୍ଦର କଥା । ଏ ଘରକୁ ଲକ୍ଷ୍ମୀ ବୋହୂ ହୋଇ ଆସିବା ଆଗରୁ ସନାତନ ଓ ବିମଳା ତାକୁ ଏ ପରିବାର ବିଷୟରେ ସଚେତନ କରିଦେଇଛନ୍ତି ବୋଲି ସତ୍ୟବ୍ରତ ଭାବନ୍ତି । ତାଙ୍କୁ ଯେ, ଆଚାର, ବ୍ୟବହାର ନେଇ କିଛି ଶିଖାଇବାକୁ ପଡ଼ିଲାନାହିଁ, ସେଥିରେ ସେ ଆନନ୍ଦିତ ।

 

ଲକ୍ଷ୍ମୀ ବୋହୂ ହୋଇ ଆସିଲା ପରେ କେବେତ କର୍ତ୍ତବ୍ୟରେ ତ୍ରୁଟି କରିନି । ସେ’ କ’ଣ କର୍ତ୍ତବ୍ୟ ବିଷୟରେ ଏପରି ଅଜ୍ଞ ଯେ, ତାକୁ ଏନେଇ କିଛି କହିବାକୁ ହେବ । ତଥାପି ସେ ଭାବେ–ମୃତ୍ୟୁ ପର୍ଯ୍ୟନ୍ତବି ମଣିଷ ଶିଖେ । ଶିଖିବାପାଇଁବି ତା’ର ଆଗ୍ରହ ରହିଛି; ମାତ୍ର ଅଯଥାରେ କାହିଁକି ତା’ଉପରେ ଇତିଶ୍ରୀଙ୍କର ଏମିତି ହାକିମାତି ।

 

ସେ’ତ ଏ ଘରେ ଚାକରାଣୀ ନୁହେଁ । ଲକ୍ଷ୍ମୀ ଆସିଲାପରେ ଏ ଘରକୁ ସନାତନ ଗୋଟିଏ ଚାକର ପଠାଇଛି । ସେ ଘରର ଯାବତୀୟ କାମଧନ୍ଦା କରେ । ସନାତନ ତା’ ମାସିକ ଦରମା ବହନ କରିବା ଲାଗି କହିଛି । ଏତେ ବ୍ୟବସ୍ଥା ପରେବି ସୁଦ୍ଧା, ଇତିଶ୍ରୀ ଲକ୍ଷ୍ମୀକୁ ଭଲ ଦୃଷ୍ଟିରେ ଦେଖନ୍ତିନାହିଁ । କର୍ତ୍ତବ୍ୟ ଦୃଷ୍ଟିରୁ ଯେପରି ସେବା ଶୁଶ୍ରୂଷା କରିବା କଥା, ଲକ୍ଷ୍ମୀ କେବେହେଲେ ଅବହେଳା କରିନାହିଁ । ତଥାପି ତା’ଉପରେ ଇତିଶ୍ରୀ ବିରକ୍ତ । ସବୁବେଳେ ଅଶାନ୍ତି, ଯେତେ ଯାହା କଲେବି ସୁଦ୍ଧା ଇତିଶ୍ରୀ ସନ୍ତୁଷ୍ଟ ହେଉନାହାନ୍ତି । ସକାଳୁ ରାତି ପର୍ଯ୍ୟନ୍ତ ଲକ୍ଷ୍ମୀକୁ ଖଟାଇବାପାଇଁ ତାଙ୍କର ଇଚ୍ଛା । ପୂର୍ଣ୍ଣ ଶାସନ ଭିତରେ ରଖିବାପାଇଁ ତାଙ୍କର ସବୁବେଳେ ଆଗ୍ରହ । ଚାକରାଣୀ ପରି ଖଟାଇବାକୁ ପରିକଳ୍ପନା ।

 

ଏମିତି କେତେ କଥାରୁ ଇତିଶ୍ରୀଙ୍କ ମନୋବୃତ୍ତି, ଲକ୍ଷ୍ମୀ ଜାଣିପାରିଲା । ଶ୍ରଦ୍ଧାରୁ ଭକ୍ତି ଜାତ ହୁଏ । ଯେ ଶ୍ରଦ୍ଧା ଦେଇଜାଣେ, ସେ ସିନା ଭକ୍ତି ପାଇପାରିବ । ଶ୍ରଦ୍ଧା ଊଣାହେଲେ ଭକ୍ତି ମିଳିବା ସହଜ ନୁହେଁ । ଲକ୍ଷ୍ମୀ ଶ୍ରଦ୍ଧାର ଅବହେଳା ଦେଖି ଦୁଃଖରେ ଭାଙ୍ଗିପଡ଼ିଲା । ମନେମନେ ଭାବିଲା–ବାପା ଏତେଗୁଡ଼େ ଟଙ୍କା ଖର୍ଚ୍ଚ କରି ବିବାହ ଦେଲେ, ଏ ଘରେ କ’ଣ ଏମିତି ଅଶାନ୍ତିରେ ରହିବାପାଇଁ ? ଏ ଘରର ବୋହୂ ହୋଇ ଆସିବା ପରେ, ମୁଁ ତ ଏ ପରିବାରର ଜଣେ ହୋଇଗଲି, ତେବେ ଭୟ କାହିଁକି କରିବି ? ମୋ’ପ୍ରତି ହେଉଥିବା ଅବହେଳା ଓ ତ୍ରୁଟି ପ୍ରତି ମୁଁ ପାଟି ଫିଟାଇବିନି କାହିଁକି ?

 

ଆଜି ସତ୍ୟବ୍ରତ ଘରର ଅଶାନ୍ତି ନେଇ ବିବ୍ରତ । ଦେଖୁଦେଖୁ ପରିବାରର ଅଶାନ୍ତି ଦିନକୁଦିନ ବଢ଼ିଲାଣି । ପ୍ରିୟବ୍ରତର ବା’ଘର ପୂର୍ବରୁ ଅର୍ଥର ଅଭାବ ଭିତରେ ପରିବାରର ଯେଉଁ ଶାନ୍ତି ଥିଲା, ଆଜି ଅର୍ଥାଭାବ ନଥିବାବେଳେ ସେପରି ଶାନ୍ତି ନାହିଁ । ସନାତନ ବନ୍ଧୁ ହୋଇଯିବା ପରେ, ଏ ଘରକୁ ଅଧିକ ନିଜର ବୋଲି ଭାବିଛି । ଥିଲା ନଥିଲାର ସାଥୀ ହୋଇଛି । ସତ୍ୟବ୍ରତ ଏବେ ଆଉ ଅଭାବ କ’ଣ ଜାଣିପାରୁନାହାନ୍ତି । ଅର୍ଥାଭାବ ଦୁଶ୍ଚିନ୍ତାରୁ ସାମାନ୍ୟ ମୁକ୍ତ ହୋଇଛନ୍ତି । ହେଲେ ପରିସ୍ଥିତିର ମୁକାବିଲା ବା କିପରି ହେଉଛି ! ଏପାଇଁ ସେ ବହୁତ ଭାବୁଛନ୍ତି । କିଛି ବାଟ ଦିଶୁନାହିଁ । ପ୍ରିୟବ୍ରତ ନୀରବ ରହିଛି । କ’ଣ ବା ଆଉ ସେ କହିପାରନ୍ତା ! ଘରର ମୁରବି ହୋଇ ସତ୍ୟବ୍ରତ ଯଦି ଅଶାନ୍ତିର ନିଆଁ ଲିଭାଇ ପାରିଲେନାହିଁ, ତେବେ ପ୍ରିୟବ୍ରତ ସାନଭାଇ ହୋଇ ଏଥିରେ ଆଉ କେତେଦୂର ବା ମଥାଖେଳାଇ ପାରିବ ?

 

ପ୍ରିୟବ୍ରତ ଶିକ୍ଷିତ । ଚାକିରି ଆଜିସିନା ପାଇନାହିଁ, କେବେ ଦିନେ ପାଇବତ ! ଆଜି ସେ ବେକାର ହୋଇ ବସିଛି । ନିଜେ ରୋଜଗାର କରୁ ନଥିବାବେଳେ, ତା’ ବେକରେ ଅନ୍ୟ ଜଣେ ବନ୍ଧା । ଏ ପରିସ୍ଥିତିରେ ଅଧିକ ଚିନ୍ତିତ ହେଲା । ବରାବର ଲକ୍ଷ୍ମୀଠାରୁ ଇତିଶ୍ରୀଙ୍କ ବ୍ୟବହାର ବିଷୟରେ ସୂଚନା ପାଇଲା । ନିଜ ଭାଗ୍ୟକୁ ନିନ୍ଦିଲା । ବାପା ବୋଉ ଥିଲେ, ଆଜି କ’ଣ ଲକ୍ଷ୍ମୀ ଶ୍ରଦ୍ଧାରୁ ବଞ୍ଚିତା ହେଉଥାଆନ୍ତା । ସାନବୋହୂ ବୋଲି କୋଟି ଆଦର ପାଆନ୍ତା । ବାପା, ବୋଉ ଚାଲିଯିବା ପରେ, ପ୍ରିୟବ୍ରତ କେତେ ଯନ୍ତ୍ରଣା ମନସ୍ତାପରେ ବଢ଼ିଛି । ସବୁବେଳେ ଭାଉଜର ଗଞ୍ଜଣା ସହ୍ୟ କରିବାକୁ ହୋଇଛି । ସେ ସିନା ସହ୍ୟ କରିଥିଲା । ହେଲେ ପରଘରର ଝିଅ କାହିଁକି ଏତେ ଗଞ୍ଜଣା ସହିବ !

 

ପ୍ରିୟବ୍ରତ ନିରୁପାୟ ମନେକରେ । ଏହି ଅଶାନ୍ତି ଅସନ୍ତୋଷ ନେଇ କ’ଣ ସେ କରିପାରିବ ଭାବି ପାରେନା । ଚାକିରିଟିଏ ପାଇଗଲେ, ଲକ୍ଷ୍ମୀକୁ ନେଇ ଚାଲିଯାଆନ୍ତା ଭାବୁଥାଏ । ହେଲେ ସେ ସୁଯୋଗ କ’ଣ ତା’ ଜୀବନରେ ଆସୁଛି । ଜଳିପୋଡ଼ି ମରିଯିବା ଯାହା ଭାଗ୍ୟରେ ଲେଖାହୋଇଛି, ସେ ବା ସେଥିରୁ ମୁକ୍ତିପାଉଛି କିପରି !

 

ଡାକବାଲା ପ୍ରିୟବ୍ରତକୁ ଚିଠିଟିଏ ଦେଇଗଲା । ଚିଠିଟି ତରବରରେ ଖୋଲି ପଢ଼ିସାରି, ଭଗବାନଙ୍କୁ ନମସ୍କାର ଜଣାଇ ଚିଠିଟି ଯତ୍ନରେ ରଖିଲା । ଭାବିଲା–ଠାକୁରେ ଡାକ ଶୁଣିଛନ୍ତି । ଠାକୁରେ କ’ଣ ଡାକ ଶୁଣନ୍ତିନାହିଁ । ସମସ୍ତଙ୍କ ଡାକ ଶୁଣନ୍ତି । ମୋ’ଡାକ ନ ଶୁଣନ୍ତେ ବା କିପରି ! ଭାଗ୍ୟହୀନ ଜୀବନରେ ଠାକୁର ତ ଏକମାତ୍ର ଭରସା । ଛୋଟ ଚାକିରିଟିଏ ହେଉପଛେ, ଦି’ଜଣ ଚଳିଯିବେ ତ । ପରେ ପୁଣି ଅନ୍ୟ ଚାକିରି ଲାଗି ଚେଷ୍ଟାକଲେ ଚଳିବ । ଆପାତତଃ ଦୁଶ୍ଚିନ୍ତାରୁ ମୁକ୍ତି ମିଳିପାରିବ ।

 

ପ୍ରିୟବ୍ରତ ପୁଣି ଥରେ ଭାବିଲା । ଯାହାହେଉ ଏଥର ମୁହଁ ଖୋଲି ସତ୍ୟବ୍ରତଙ୍କୁ କହିଦେବ । ଇତିଶ୍ରୀଙ୍କୁ କହିବାରେ ତ ଲାଭନାହିଁ ।

 

ଏତିକିବେଳେ ଲକ୍ଷ୍ମୀ ଚାଲିଆସି କହିଲା–‘ଆଉ ଏଠି ରହି ହେବନି । ଏତେ ଅଶାନ୍ତି ଭିତରେ ମଣିଷ କ’ଣ ଚଳିପାରିବ ? ନିତି ରାତି ପାହିଲେ କିଏ କଳିକରିବ ! ତୁମ ଭାଉଜଙ୍କୁ ତୁମେ ସମ୍ଭାଳ, ମୁଁ ଆଉ ସହ୍ୟ କରିବା ସମ୍ଭବ ନୁହେଁ ।’

 

ପ୍ରିୟବ୍ରତକୁ ବଡ଼ କଷ୍ଟ ଲାଗିଲା । ଲକ୍ଷ୍ମୀକୁ ଦୁଃଖ ଦେବାକୁ ସେ ଆଦୌ ଭଲ ମନେ କଲାନି । ତା’ ବାପା ବୋଉଙ୍କ ପାଖରେ ସେ କୃତଘ୍ନ ହୋଇଯିବ ଭାବିଲା । ସନାତନ ବିମଳା, ପ୍ରିୟବ୍ରତକୁ କମ୍‌ ତ ଭଲ ପାଆନ୍ତି ନାହିଁ । ଏତେ ଶ୍ରଦ୍ଧା, ସ୍ନେହ ଓ ସାହାଯ୍ୟ ଭିତରେ ସେ କିପରି ବା ତାଙ୍କ ଝିଅ ପ୍ରତି ଅବହେଳା କରି ପାରିବ !
 

ରାତି ପାହିଲା । ସକାଳ ଖବରକାଗଜରେ ପ୍ରିୟବ୍ରତ ଆଖି ବୁଲାଇ ଆଣିଲା । ଆଉ ବିଶେଷ ପଢ଼ିପାରିଲା ନାହିଁ । ମନରେ ଅଶାନ୍ତି । ଜୀବନରେ ଅବସୋସ । ସତ୍ୟବ୍ରତ ବାରଣ୍ଡାରେ ବୁଲୁଥାଆନ୍ତି । ମନକୁ ତା’ର କ’ଣ ଆସିଲା କେଜାଣି କହିଲା–“ଭାଇ, କଥାଟାଏ କହିବି, କିଛି ଭାବିବେ ନାହିଁ ତ !”

 

ସତ୍ୟବ୍ରତ ଘରର ଅଶାନ୍ତି ନେଇ ଚିନ୍ତିତ । ମୁଖମଣ୍ଡଳରେ ବିଷଣ୍ଣତା ଘେରି ରହିଛି । ସ୍ଵାଭାବିକ ଭାବରେ ଏ କଥାଟାକୁ ସେ ଶୁଣି ପାରିଲେନାହିଁ । ତେବେ କେବଳ ମାତ୍ର ପ୍ରିୟବ୍ରତ କହୁଛି ବୋଲି ଆନ୍ତରିକତାରେ କହିଲେ–“କିରେ ପ୍ରିୟ, କେବେ ତ ତୋ’ର କୌଣସି କଥାରେ ମୁଁ କିଛି ଭାବିନି, ଆଜି କାହିଁକି ଏମିତି କହୁଛୁ ! କ’ଣ ଭାବୁଛୁ ମୁହଁ ଖୋଲି କହୁନୁ ।”

 

‘ଭାଇ, ଏ ଘର ଛାଡ଼ି ମୁଁ ଚାଲି ଯାଉଛି ।’

 

ସତ୍ୟବ୍ରତଙ୍କ ଆଖିରେ ଲୁହ । କହିପାରିଲେନି ପଦଟିଏ ।

 

ଅବ୍ୟକ୍ତ ଆବେଗର ମୂର୍ଚ୍ଛନା ପରିବେଶକୁ ମୁଖରିତ କରୁଥାଏ ।

 

ଚଉଦ

 

ଚିଠିତାଡ଼ା ଭିତରୁ ନିଜକୁ ସେ ଆଉଥରେ ଆବିଷ୍କାର କଲା । ଚିଠିତାଡ଼ାର ଅନ୍ଧାର କୋଠୋରୀ ଭିତରେ ତା’ର ମୁହଁଟାକୁ ଦେଖି ଅଚିହ୍ନା ମନେ କଲାନି । ଝାପ୍‌ସା ହୋଇ ଦିଶୁଥିବା ମୁହଁକୁ ସେ ଆତ୍ମୀୟତାର ସ୍ଵଚ୍ଛ ଆଲୋକ ସ୍ପର୍ଶରେ ନିକଟତର କରିନେଲା । ତା’ର ଯୌବନଦୀପ୍ତ ଶରୀରରେ ଶତ କଦମ୍ବରେ ଶିହରଣ ସେ ଅନୁଭବ କଲା । ନିଜକୁ ଆଉଥରେ ସେହି ଅନ୍ଧକାର ଭିତରେ ଦେଖିବାକୁ ଚେଷ୍ଟାକଲା । ପାରିଲାନି । ଏଥର ସେ ସମ୍ପୂର୍ଣ୍ଣ ବିଫଳ ହେଲା । ଅନ୍ଧକାର ଭିତରେ ଶୁଣିବାକୁ ପାଇଲା ତା’ରି ମଧୁକଣ୍ଠର ଅସଜଡ଼ା, ଅସଯତ୍ନ, ଅଥଚ ଆକର୍ଷଣୀୟ ଗୀତର ଲହର । ହେଲେ ସେ କିନ୍ତୁ କିଛି ତାକୁ ଶୁଣାଇ ପାରିଲାନାହିଁ । ଆଜି ନିଜକୁ ସେ ନିଃସ୍ଵ ମନେ କରୁଛି । ସବୁ ଭାଷା ଯେମିତି ତା’ପାଇଁ ହଜିଯାଇଛି । ଅଥଚ ତା’ ଭାଷାର ଆବେଗ, ଆଉ ଉଦ୍ଦୀପନା ପ୍ରାଣରେ ନବ ଚେତନାର ସନ୍ଦେଶ ଭରିଦେଉଛି । ଏବେବି ଏ ଚିଠିଟି ତା’ ପାଖରେ ସାଇତା ହୋଇ ରହିଛି, ପ୍ରିୟବ୍ରତ କଳ୍ପନା କରି ନଥିଲା । ହଠାତ୍‌ କେମିତି ଆଜି ତା’ ସହିତ ସାକ୍ଷାତ ହେଲା, ସେ ଭାବିପାରିଲା ନାହିଁ । ପୁଣି ତା’ର ପୁରୁଣା ଆଲବମ୍‌ ଲେଉଟାଇଲା । ସେଠିବି ସେହି ମୁହଁ ! ତା’ ଚାହାଣିରେ ଯୁଗଯୁଗର କ୍ଷୁଧା ଯେମିତି ପୁଞ୍ଜୀଭୂତ ହୋଇ ରହିଛି । ଅଧରରେ ସ୍ମିତ ହାସ୍ୟ ଖେଳିଗଲା । ଅଭିମାନିନୀର ମୁଖମଣ୍ଡଳରେ ଅଭିମାନର ରୂପ ରାଗ ଉକୁଟି ଉଠିଲା । ହେଲେ ଆଜି କାହିଁକି ସେ ଏମିତି ମାନଭଞ୍ଜନ ପାଇଁ ଅସାମର୍ଥ୍ୟ ମନେକଲା !

କେତେଥର ପ୍ରିୟବ୍ରତ, ମଞ୍ଜୁର ଅଭିମାନକୁ ଦୂରକୁ ଠେଲିଦେଇ ପାରିଛି; କିନ୍ତୁ ଆଜି ସେ ତା’ ପାଖରେ ନିଜର ଅକ୍ଷମତା ପ୍ରକାଶକଲା । ନିଜକୁ ଅସହାୟ ମନେକଲା । ଧିକ୍‌କାର କରି ନିଜକୁ ଅନେକ କଥା ଶୁଣାଇଲା । ଆଉ ଶୁଣାଇ ଶୁଣାଇ କହିଲା–ତମେ ଯାହା କହିଥାଆନ୍ତ, ଆଜି ମୁଁ ନିଜକୁ ତାହା ଶୁଣାଇଦେଉଛି । ଆଉ ତୁମେ ଯାହା କହିବ ବୋଲି ଭାବିଥିଲ, ସବୁବି କହି ସାରିଛ-। ମୋ’ଠୁଁ ତ ଯଥାର୍ଥ ଉତ୍ତରବି ପାଇଛ । ଆଉ ତେବେ–

 

ପ୍ରିୟବ୍ରତ ନିଜ ମୁହଁକୁ ରୁମାଲରେ ବାନ୍ଧିଦେଲା । ସେହି ଅନ୍ଧକାର ଭିତରେ ଆଲବମ୍‌କୁ ଚାହିଁଲା । ତଥାପି ତା’ର ମୁହଁ ତାକୁ ସ୍ପଷ୍ଟ ଦେଖାଗଲା । ଆଉ କିଛି କହିପାରିଲା ନାହିଁ । ଚିଠିଟିକୁ ପୋଡ଼ିଦେବାପାଇଁ ଗଲାବେଳେ ଭାବୁଥିଲା, ବରଂ ଏମିତି ଅସହାୟ ହୋଇ ବଞ୍ଚିବାଠୁଁ ନିଜେ ମରିଗଲେ କ୍ଷତି କ’ଣ ! ଚିଠିଟି ବଞ୍ଚିଥାଉ । ଇଏତ ମୋ’ ଜୀବନ ଇତିହାସର ଏକ ଅସମ୍ପୂର୍ଣ୍ଣ ଅଧ୍ୟାୟର ଶେଷ ଚିଠି ହୋଇ ରହିବ ।

 

ଆଉଥରେ ଆଲବମ୍‌କୁ ଚାହିଁଲା । ଦୁଇଟୋପା ଲୁହ ତା’ର ମୁଖମଣ୍ଡଳରେ ଗଡ଼ାଇ ଦେଇ ଦୀର୍ଘ ନିଃଶ୍ଵାସଟାଏ ପକାଇଲା । ତାକୁ ଆଲିଙ୍ଗନ କରିବାକୁ ଗଲାବେଳେ ଲକ୍ଷ୍ମୀ ଚିନ୍ତାର ବିଭ୍ରାଟ ଘଟାଇଲା ।

 

“କ’ଣ ଆଜି ଖାଇବ ନାହିଁ ! ରାତି ଆସି କେତେ ହେଲାଣି ଜାଣିଛ ! ସକାଳିଆ ଅଫିସ୍, ଆଉ ଡେରି କରୁଛ କାହିଁକି ?”

 

ପ୍ରିୟବ୍ରତ ଭାବୁଥାଏ–ଘର ପ୍ରତି ତା’ର କ’ଣ କର୍ତ୍ତବ୍ୟ କିଛି ନାହିଁ ? ଖାଲି କ’ଣ ସେ ଜନ୍ମିଛି ଏମିତି ଖାଇପିଇ ବଞ୍ଚିବାପାଇଁ । ଏତିକିରେ କ’ଣ ତା’ର ଦାୟିତ୍ଵ ଶେଷ ହୋଇଯାଇଛି । ଭାଇର ସବୁ ଆଶାକୁ ସେ କ’ଣ ଭାଙ୍ଗି ଚୂରମାର କରିଦେଇଛି !

 

ବିରାଟ ଆଶାର ସୌଧ ସତ୍ୟବ୍ରତ ଗଢ଼ିଥିଲେ । କେତେ ପରିକଳ୍ପନା ! ଏ ବଂଶର ଗୌରବ । ବଂଶର ପରମ୍ପରା ଜାଣିଛି । ଐତିହ୍ୟ ବୁଝିଛି । ସବୁ ସେ ଅନୁଭବ କରିବ ! ଲୁହର ମର୍ଯ୍ୟାଦା ଦେବ; ମାତ୍ର ନାଟକର ଦୃଶ୍ୟ ହଠାତ୍‌ ବଦଳିଗଲା ।

 

ଗାଁ ମାଟିର ଆକର୍ଷଣରେ ମୁଗ୍ଧ ପ୍ରିୟବ୍ରତ, ସହରୀ ସଭ୍ୟତାକୁ ସାରା ଜୀବନ ଆପଣାର କରିନେଇଛି । ଅପାଠୋଇ ଲକ୍ଷ୍ମୀ ସହରୀ ଜୀବନକୁ ଉପଭୋଗ କରୁଛି । ସେହି ଜୀବନର ଆଲୋକ ଅନ୍ଧକାରକୁ ଆପଣାର ଯାତ୍ରା ପଥରେ ମିଶାଇ ପାରିଛି । ଆଜି ସେ ସୁଖରେ ଅଛି, ଶାନ୍ତି ଅନୁଭବ କରୁଛି । ଯା’କୁ ଭୁଲିଛି । ଦେଢ଼ଶୁରକୁ ପାସୋରି ଦେଇଛି । ପୁତୁରା ଝିଆରୀଙ୍କ ହସହସ ମୁଖ, ଦେଖିପାରୁନି କି ଖନି ଖନି କଥା ଶୁଣିପାରୁନି । ସବୁ ଏଠି ଶୂନଶାନ୍‌ । କିଏ ତା’ର କେଉଁ କଥାକୁ ବା ଶୁଣିବ ! କିଏ ଆଉ ଅଛି ଯେ ଏଠି ତା’ କଥା ଭିତରେ ହଜିଯାଇ ପାରିବ !

 

ଲକ୍ଷ୍ମୀ କ’ଣ ଜନ୍ମିଥିଲା, କେବଳ ସେହି ପତ୍ନୀର ନୀଡ଼ରେ ଆଶ୍ରିତ ହୋଇ ଜୀବନ ବିତାଇବା ପାଇଁ । ଯେଉଁ ଚୌଧୁରୀ ବଂଶର ସାନବୋହୂ ହୋଇ ଆସିଥିଲା, ସେହି ପରିବାରର ପଲଙ୍କ ତା’ର କ’ଣ ସ୍ଵପ୍ନ ହେଲା ! ବାପା ତା’ର ଏବେ ହୁଏତ ପଲଙ୍କ ତିଆରି କରିଦେବେ । ହେଲେ ପରମ୍ପରାର ପଲଙ୍କଟାକୁ ଲକ୍ଷ୍ମୀ ତ ହରାଇଲା ।

 

ସତ୍ୟବ୍ରତ ପ୍ରିୟବ୍ରତ ଲାଗି ସର୍ବସ୍ଵ ତ୍ୟାଗ କରିବାକୁ କେତେବେଳେ କୁଣ୍ଠାବୋଧ କରିନାହାନ୍ତି । କେତେ ନିନ୍ଦା, କେତେ ବିଦ୍ରୂପର ଝଡ଼ ସେ ସହିଛନ୍ତି । କର୍ମକ୍ଷେତ୍ରରେ ଯାହାପାଇଁ ଆନ୍ତରିକତାର ସମସ୍ତ ଆବେଗ ଢାଳି ଦେଇଥିଲେ, ଆଜି ସେ ପୁଣି ତା’ ଭିଟାମାଟିକୁ ଛାଡ଼ିଦେଲା ! ଥରେ ଯେ ପୈତୃକ ସମ୍ପତ୍ତିର ମୋହ ଭୁଲି ଦୂରକୁ ଚାଲିଗଲା, ଆଉ କ’ଣ ଫେରିବ ନାହିଁ ! ଆଉଥରେ ସେ କ’ଣ ପ୍ରିୟତମ ପ୍ରିୟବ୍ରତକୁ ନିଜ ଆଖିରେ ଦେଖିପାରିବେ ନାହିଁ । କୁଆଡ଼େ ଗଲା ? କେଉଁଠି ରହିଲା ? କ’ଣ ଖାଉଥିବ ! ଲକ୍ଷ୍ମୀ ଏବେ ବୋହୂ ହୋଇ ଆସିଛି । ସେ ବା ସଂସାର କଥା କ’ଣ ବୁଝିଲାଣି । ପ୍ରିୟବ୍ରତ ତ ପିଲାଟା । ପାଗଳାମି ତା’ର ଏବେବି ଯାଇନି । କେମିତି ସେ ରହିଛି-। କାହା ଘରେ ଆଶ୍ରା ନେଲା !

 

ଆଜି ପୁଣି ଚୌଧୁରୀ ବଂଶର ପୁଅ ତା’ ଘର ଛାଡ଼ିଦେଇ ପାରିଲା ! ମୁଁ ମୁରବି ହୋଇ ତାକୁ ଅଟକାଇ ପାରିଲିନାହିଁ । ଆଉ କ’ଣ ସେ ଦେଖା ହେବନି ! ତାକୁ କ’ଣ ଆଉଥରେ ଏ ହତଭାଗ୍ୟ ଜୀବନ ଆଲିଙ୍ଗନ କରିବନାହିଁ । କେତେ ଅଝଟ, କେତେ ଅଳି ଅରଦଳି ସବୁ ଏଇ କାନ ଦି’ଟା ଶୁଣିଛି । ବାପର ମୁଁ ଗୋଟାଏ କୁଳାଙ୍ଗାର ଜନ୍ମିଥିଲି । ତା’ ମୁହଁରେ ହସ ଟିକିଏ ଫୁଟାଇ ପାରିଲି ନାହିଁ । ବାପ, ମାଆ ମରିଗଲାବେଳେ, କାହା ଉପରେ ତା’ ଦାୟିତ୍ଵ ଦେଇ ଯାଇଥିଲେ ? ମୁଁ ନେଇଥିଲି ତା’ର ଦାୟିତ୍ଵ; ମାତ୍ର ଆଜି କ’ଣ ସେହି ଦାୟିତ୍ୱ ତୁଲାଇ ପାରିଛି ! ସେ ଚାଲିଯାଇଛି ତା’ ବାଟରେ । ତା’ ଉପରେ ଆଉ ନିର୍ଭରକରି ଲାଭ କ’ଣ ? ବିରାଟ ପରିକଳ୍ପନା ଉପରେ, ନିୟତର ଏ ଭିନ୍ନ ଅଭିନୟ । ଏ ଅଭିନୟରେ ମୁଁ କ’ଣ ଜଣେ ଅଭିନେତା ନୁହେଁ ! ସତ୍ୟବ୍ରତଙ୍କ ଚେତା ଫେରି ଆସିଲା । ସ୍ଵପ୍ନ......ସ୍ୱପ୍ନ……ସ୍ୱପ୍ନ ଭିତରେ ଯେମିତି ବହୁଦୂର ପ୍ରସାରିତ ଇଚ୍ଛାର ଛାଇ ତାଙ୍କୁ ମାଡ଼ିବସିଲା ।

 

ଆଜି ପ୍ରିୟବ୍ରତ, ଭାଇ, ଭାଉଜ, ପୁତୁରା, ଝିଆରୀ ସମସ୍ତଙ୍କଠୁଁ ଦୂରରେ । ତାକୁ ଘେରି ରହିଛି, ଏକ ନିଛାଟିଆ ପରିବେଶ । ନିଛାଟିଆ ମାଟି । ସେହି ମାଟିର ସେ ଏକ ନିଛାଟିଆ ଚରିତ୍ର, ଯେ ନିଶୂନ, ନିଶ୍ଚୁପ୍‌ ଜଗତର ଏକ ନିଷ୍ପ୍ରଭ ବତିଖୁଣ୍ଟ ।

 

ସାମାନ୍ୟ ବ୍ୟବଧାନକୁ ଦୂର କରିବା ସହଜ । ହୁଏତ ଅବା ସମୟ ସାପେକ୍ଷ ହୋଇପାରେ; କିନ୍ତୁ ଦୀର୍ଘ ବ୍ୟବଧାନର ଦୂରତା ସଙ୍କୁଚିତ ହେବା ବହୁ ତପସ୍ୟା, ବହୁ ସାଧନାର ଫଳ । ପ୍ରିୟବ୍ରତ ଅନୁଭବ କରୁଛି ।

 

ଭାଉଜଙ୍କ ପ୍ରତି ଏତେ ସମ୍ମାନ ଏତେ ଆନ୍ତରିକତା ସତ୍ତ୍ୱେ, ତା’ ଜୀବନ ନାଟିକାରେ ସେ ଯେଉଁ ଅଭିନୟ କରିଗଲେ, ତାହା ସିନା ବିଫଳ ହେଲା; କିନ୍ତୁ ଏପାଇଁ ଯେ ପ୍ରିୟବ୍ରତ ସାରା ଜୀବନ ଅପ୍ରକାଶ୍ୟ ରହିଗଲା, ଏତକବି ଇତିଶ୍ରୀ କ’ଣ ସହଜରେ ବୁଝି ପାରିବେ !

 

ଆଧୁନିକ ଶିକ୍ଷିତ ମଣିଷପାଇଁ ଅପାଠୋଈର ମର୍ମବେଦନା ଦୁର୍ବୋଧ୍ୟ ହୋଇ ଆସୁଛି । ଚେଷ୍ଟାର ଅନ୍ତ ନାହିଁ । ଧୈର୍ଯ୍ୟର ଅନଭ୍ୟସ୍ତର ପ୍ରିୟବ୍ରତକୁ ସ୍ଥାଣୁ କରି ଦେଇଛି । ସ୍ଵାଭାବିକତାର ଚେହେରାକୁ ଖୋଜିଲାବେଳେ, ତା’ର ଭୂତଟା କେମିତି ତାକୁ ଘେରି ବସୁଛି । ପ୍ରାଣର ରୂପ, ରସ, ଗନ୍ଧରେ ସେ ହଜି ନଯାଇ, ଏକ ଅପରିଚିତ ପୃଥିବୀରେ ଉବୁଡ଼ୁବୁ ହେଉଛି ।

 

ଦୂର....ଦୂର….ବହୂଦୂର ସେ ଆକାଶ ! ପକ୍ଷ କ’ଣ ପାଇବ ନାହିଁ ?

 

ସେଦିନ ଆଲବମ୍‌ର ମୁହଁ ଭିତରେ ଅଫିସ୍ ଯିବାବି ପ୍ରିୟବ୍ରତ ଭୁଲିଗଲା । ଭାବୁଥିଲା–ଅଫିସ୍‍କୁ କାହିଁକି ଯିବ ! ଚାକିରି କାହିଁକି କରିବ ? ମାସ ଶେଷରେ କେଇଟା ଟଙ୍କାପାଇଁ କାହିଁକି ସେ ବ୍ୟକ୍ତିତ୍ଵକୁ ଜଳାଞ୍ଜଳି ଦେବ ! ସିଟ୍‌ ଉପରେ ଖୁବ୍‌ ଦାମ୍ଭିକତାରେ ବସେ ସିନା ! କିନ୍ତୁ କଲମଟାକୁ ଧରି କାହାର ସେ ସ୍ତାବକତା କରେ ?

 

ଆଉ ଭାବିପାରିଲାନି ପ୍ରିୟବ୍ରତ । ବିଶ୍ଵବିଦ୍ୟାଳୟ ପରିସରରେ ଛାଡ଼ି ଆସିଥିବା ପଦଚିହ୍ନକୁ ଗଣି ବସିଲା । ପୋର୍ଟିକୋ ଭିତରେ ଶୁଣିବାକୁ ପାଇଲା କ୍ଷତବିକ୍ଷତ, ରକ୍ତାକ୍ତ, ଅବକ୍ଷୟ ମଣିଷର ମର୍ମାହତ ସଂଳାପ ।

 

ବଂଶୀବାଦକଟି ସେମିତି ଠିଆ ହୋଇଛି ।

 

ବଂଶୀଟି ନାହିଁ–ହାତ ତା’ର ଶୂନ୍ୟ ।

 

ସ୍ଵରର ମୂର୍ଚ୍ଛନା ପରିବେଶକୁ ମୁଖରିତ କରୁଥାଏ ।

 

“କେତେବେଳୁ ଆସି ଡାକବାଲା ବାହାରେ ଅପେକ୍ଷା କରିଛି ।”

 

ତରତର ହୋଇ ପ୍ରିୟବ୍ରତ ବାହାରକୁ ଆସିଲା । ଚିହ୍ନା, ପରିଚିତ ଅକ୍ଷରଗୁଡ଼ାକ ତାକୁ କୋଳ କରିନେଲେ ।

 

ପଦଟିଏବି ଭାଷା ନାହିଁ, ସବୁ ଶୂନଶାନ୍‌, । ନିଶୂନ ଇଲାକା ଭିତରେ ‘ମଞ୍ଜୁ କ’ଣ ଏଇ ଧାରଟଙ୍କା ପଠାଇବା ଭୁଲି ଗଲାନି ?’

Image